Unknown

 

 

 

 

 

 

 

 

 

 

 

ରତ୍ନଦ୍ଵୀପରେ ତାର୍‍ଜନ

ଅକ୍ଷୟ କୁମାର

 

(ଏକ)

 

‘ଟଂ ଟଂ”–ଥାନା ଘଣ୍ଟାରେ ଦୁଇଟା ବାଜିଲା ।

 

ସହରର ଜନଗହଳି ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଛି, ଯଦିଓ ତଥାପି ରାଜପଥ ଉପରେ କାଁ ଭାଁ ମଟରଗାଡ଼ିଟିଏ କି ରିକ୍ସା ଟାଏ, ଟ୍ରକ୍ ଟିଏ କି କାର୍ ଟାଏ ଶବ୍ଦ କରି ଧାଇଁଯାଉଛି ଲକ୍ଷ୍ୟପଥରେ । ରାସ୍ତାଧାରର ବିଜୁଳି ବତୀଗୁଡ଼ାକ ଆଲୋକ ବିକିରଣ କରୁଥିଲା ପୂର୍ବ ଅପେକ୍ଷା ଆହୁରି ଉଜ୍ଵଳ ହୋଇ । ଗୋଟାଏ ଯୋଡ଼ାଏ ଦୋକାନ ବ୍ୟତୀତ ଅନ୍ୟଗୁଡ଼ାକ ବନ୍ଦ ହେଇଗଲାଣି କେତେଘଣ୍ଟା ଆଗରୁ । ଏଇଯେଉଁ କେତେଟା ଖୋଲା ଅଛି ସେଗୁଡ଼ାକ ଖୋଲା ରହିବ ରାତିସାରା-। ସେମାନଙ୍କର ବ୍ୟବସାୟ ମଧ୍ୟ ଭିନ୍ନ ପ୍ରକାର । ଦିନବେଳେ ସେଗୁଡ଼ିକର ବନ୍ଦ ହେବା ସମୟ-

 

ସହର ଉପକଣ୍ଠରେ ନିର୍ଜନତା, ନିସ୍ତବ୍ଧତାର ରାଜୁତି ଥିଲା ପୂରାମାତ୍ରାରେ । ସହରର ଚାକଚକ୍ୟ, ବିଜୁଳୀ ଆଲୋକର ଉଜ୍ଵଳତା, ବିରାଟ ସୁଦୃଶ୍ୟ ସୌଧମାଳା ନାହିଁ ସେଠି । ଅଛି କେବଳ ଧାଡ଼ିଧାଡ଼ି ଚାଳି ଆଉ ଖପରଲି ଘର; ଯଥେଷ୍ଟ ଦୂରତାରେ ଗଣିହୋଇଯାଉଥିବା ସଂଖ୍ୟାରେ ବିଜୁଳିବତୀ । ଆଞ୍ଚଳିକ ଅନ୍ଧକାର ଦୂର କରିବାପାଇଁ ସେତକ ଯେ ଆଦୌ ଯଥେଷ୍ଟ ନୁହେଁ, ଏହା ଯେ କେହି ବିନା ପ୍ରତିବାଦରେ ସମର୍ଥନ କରିବ । ସେଇ ନୁଆଁଣିଆ ଚାଳିଘରେ ରହନ୍ତି ରିକସାବାଲା, କୁଲି ମଜୁରିଆ ଦଳ ଆଉ ଚୋର, ପକେଟମାର୍ ପ୍ରଭୃତିର ଯେତେକ ଅସାମାଜିକ ବ୍ୟକ୍ତି । ଭଦ୍ରସ୍ତରର କେହି କେବେ ସେହି ଅଞ୍ଚଳରେ ପାଦ ପକାନ୍ତି କି ନାହିଁ ସନ୍ଦେହ ।

 

ଏ ତ ଗଲା ଗୋଟିଏ ଦିଗ । ଆଉ ଗୋଟିଏ ଦିଗ ଦେଖିବା । ସ୍ଥାନଟିର ଅବସ୍ଥିତି ପ୍ରତି ଦୂରରୁ ଦୃଷ୍ଟିପାତ କଲେ ତାହା ଦେଖାଯାଏ ଘଞ୍ଚ ଲତାଗୁଳ୍ମବେଷ୍ଟିତ ଗୋଟାଏ ମାଳଭୂମି ପରି । ଦୂରକୁ ଦେଖାଯାଏ ଯେପରି ସ୍ଥାନେ ସ୍ଥାନେ ଘରର ଚାଳ ବା କାନ୍ଥ ଉଚ୍ଚର ଲତାଗୁଳ୍ମ ଠିଆହୋଇଛି ଘରକୁ ଘେରି । ଉଚ୍ଚ ଖାଲ, ଆବୁଡ଼ା ଖାବୁଡ଼ା, ଅସମାନ ଚାଳ । ମାତ୍ର ପାଖକୁ ଗଲେ ସେ ସୁନ୍ଦର ପ୍ରାକୃତିକ ଦୃଶ୍ୟର ଧାରଣା ମନରୁ ଲୋପ ପାଇ ଗୋଟାଏ ଘୃଣ୍ୟ ବିଭତ୍ସ ଭାବ ମନକୁ ଆସେ ।

 

ଖାଲି କୁଢ଼ କୁଢ଼ ସହରର ଅଳିଆ; କିପରି ଗୋଟାଏ ପଚା, ବିକୃତ ଗନ୍ଧ ସେଥିରୁ ବାହାରି ଶ୍ଵାସରୁଦ୍ଧ କରିଦେଉଥାଏ । ତା’ରି ଉପରେ ଯେତେକ କଣ୍ଟାକୁସୁମ ଆଉ ଭେକି ବାଇଗଣ ଗଛ । ବସ୍ତିର ଧାରେ ଧାରେ ଅମରୀ ଜଙ୍ଗଲ । ସବୁବେଳେ ଗୋଟାଏ ଅସ୍ଵାସ୍ଥ୍ୟକର, ଆଇଁଷିଆ, ସନ୍ତସନ୍ତିଆ ଗନ୍ଧ ନୂତନ ଆଗନ୍ତୁକର ବାନ୍ତି ଉଦ୍ରେକ କରାଏ । ତଥାପି ଏଇ ବସ୍ତିରୁ ପ୍ରତିଦିନ ସକାଳେ ସହର ଅଭିମୁଖେ ବାହାରିପଡ଼ନ୍ତି ଦଳଦଳ କୁଲି । ରାତି ହେଲେ କିଛି ସମୟ ପାଇଁ ବସ୍ତି ମାତିଉଠେ ମଦନିଶାରେ ମତୁଆଲ ହୋଇ । ତା’ ପରେ ନିଶା ଆସ୍ତେ ଆସ୍ତେ ପାତଳ ହେଇଆସେ-। ପିଣ୍ଡାକଡ଼, ରାସ୍ତା ଉପର, ଘରର ଛିଣ୍ଡା ପଟି ଯେ ଯେଉଁଠି ପାରିଲା ପଡ଼ିଯାଆନ୍ତି ହାଲିଆ ହେଇ-। ଯେଉଁ କେତେ ସମୟ ବସ୍ତିଟା ମାତିଉଠେ, ତା’ରି ଭିତରେ କେତେ ବୀଭତ୍ସ ନାରକୀୟ ଦୃଶ୍ୟର ଅଭିନୟ ହୁଏ, ତା’ର ଗଣନା ନାହିଁ ।

 

କ୍ରମେ ରାତି ନୀଶୂନ ହୋଇଆସେ । ଏ ବସ୍ତି ମରେ ନାହିଁ । ୟା’ରି ଭିତରୁ ନିଶାଚର ବାହାରନ୍ତି । କଣ୍ଟାକୁସୁମ ବଣଭିତରୁ ଫେରେଣ୍ଡା ଡାକେ । ରାସ୍ତାକଡ଼ରୁ ବୁଲା କୁତୀ ତା’ରି ସ୍ଵର ସହିତ ସ୍ଵର ମିଳାଇ ରଡ଼ି କରେ । ସେ ରଡ଼ିରେ ନିଶୂନ ବସ୍ତିଟା ଆହୁରି ବୀଭୀଷିକାମୟ ଜଣାଯାଏ-। ରାତି ପାହିଲାବେଳକୁ ପୁଣି ଯେଉଁକଥାକୁ ସେଇ କଥା ।

 

ସେଇ କୁଲିବସ୍ତିର ସହରଆଡ଼କୁ ଯେଉଁ ମୁଣ୍ଡଟା, ସେଇଠି ଠିଆହୋଇ ରହିଲେ ମନରେ ପ୍ରଶ୍ନବାଚକର ସୃଷ୍ଟି କରି ଆଖିରେ ପଡ଼େ ପ୍ରକାଣ୍ଡ ତିନିମହଲା କୋଠାଟାଏ । ଗଠନ ପ୍ରଣାଳୀ ତା’ର ଅତ୍ୟାଧୁନିକ । ସାଜସଜ୍ଜା, ଉଦ୍ୟାନ ପରିପାଟୀ, ଆଲୋକ ବ୍ୟବସ୍ଥା ପ୍ରଭୃତି ସହରର ଯେକୌଣସି ଧନାଢ୍ୟ ଏବଂ ରୁଚିବାନ୍ ଲୋକର ପ୍ର।ସାଦଠାରୁ କୌଣସି ଗୁଣରେ ହେଲେ ଊଣା ନୁହେଁ । ତେବେ ସହରର ଆଭିଜାତ୍ୟପୂର୍ଣ୍ଣ ପରିବେଷ୍ଟନୀ ଛାଡ଼ି ଏଠାରେ ଏ ପୂତିଗନ୍ଧମୟ ନର୍କ ଭିତରେ ଏଡ଼େ ବଡ଼ ପ୍ରାସାଦଟାଏ ତୋଳାଇ ବସବାସ କରିବା ଯେ କୌଣସି ସୁସ୍ଥ ମସ୍ତିଷ୍କର ରୁଚି, ଏକଥା ମନରେ ଦ୍ଵନ୍ଦ ଜନ୍ମାଏ । ସେ ଯାହା ହେଉ, ଗଳିକୁ ଯେଉଁ କଚ୍ଚା ନାଲିମାଟିର ଅଣଓସାରିଆ ଉଚ୍ଚ ଖାଲରାସ୍ତାଟା ଯାଇଛି, ସେଥିରୁ ଅପେକ୍ଷାକୃତ ଗୋଟାଏ ସଙ୍କୀର୍ଣ୍ଣ ଗଳିରାସ୍ତା ଅଙ୍କାବଙ୍କା ହୋଇ ବସ୍ତିଭିତରେ ଯାଇ ସେଇ କୋଠାଟାର ଫାଟକ ପାଖରେ ଲାଗିଛି । ଫାଟକର ଗୋଟାଏ ଖୁମ୍ବର ଅଗରେ ନେମ୍ ପ୍ଳେଟ୍‍ଟିଏ । ସେଥିରେ ଲେଖାଅଛି–”ଶ୍ରୀ ଭବନାଥ ରାୟ, ଜମିଦାର ।” ଫାଟକର ସୁଦୃଢ଼ ଦରଜା ଦୁଇଟା ଶକ୍ତ ଶିକୁଳିଦ୍ଵାରା ସବୁବେଳେ ପ୍ରାୟ ବନ୍ଦ । କେତେବେଳେ ତାହା ଖୋଲେ ଆଉ ବନ୍ଦ ହୁଏ, ସେକଥା ହୁଏତ ଜାଣିଥିଲେ ଜାଣିଥିବେ ଅତି ଅଳ୍ପ ଲୋକ ।

 

ସେଦିନ ବି ସବୁଦିନ ପରି ସ୍ଵାଭାବିକ ଗତିରେ କୁଲିବସ୍ତି ସମେତ ଏତେ ବଡ଼ ପ୍ରାସାଦଟା ଡୁବି ରହିଥିଲା ଘୋର ଅନ୍ଧକାର ଭିତରେ । ବେଳେ ବେଳେ ଅମରୀ ଆଉ କଣ୍ଟାକୁସୁମ ଗଛର ଜଙ୍ଗଲ ଭିତରୁ ଝିଙ୍କାରିଟାଏ ଝିଁ ଝିଁ ଶବ୍ଦରେ ଆକାଶ କମ୍ପାଉଥିଲା । ମଝିରେ ମଝିରେ ରାସ୍ତା ଉପରୁ କୁତୀଟାଏ ଭୁ ଭୁ ରଡ଼ି ଛାଡ଼ି ନିଃଶବ୍ଦଟା ଭାଙ୍ଗୁଥିଲା । ଏତକ ଛଡ଼ା ଏତେବଡ଼ ବସ୍ତିଟାରେ ଆଉ କିଛି ଶବ୍ଦ ଶୁଣାଯାଉନଥିଲା ।

 

ସେଇ ଘୋର ଅନ୍ଧକାର ରାତିରେ ଦୁଇଟା ବାଜିବା ସଙ୍ଗେସଙ୍ଗେ ଗୋଟାଏ ଜିପ୍‍ରେ ହେଡ଼୍‍ଲାଇଟ୍ ଦେଖାଗଲା ସହରଆଡ଼ୁ ବସ୍ତିଆଡ଼କୁ ପଡ଼ିଥିବା ରାସ୍ତାରେ । ସେଟା ଖୁବ୍ ଦ୍ରୁତଗତିରେ ଆସୁଥିଲା ବସ୍ତିଆଡ଼କୁ । କଚ୍ଚା ରାସ୍ତାର ଉଠାଣି ଗଡ଼ାଣି ଭିତରେ ଗାଡ଼ିଟା ନାଚିଉଠିବା ସାଙ୍ଗରେ ସମତାଳ ଦେଇ ଲାଇଟ୍ ଦୁଇଟା ବି ନାଚିଉଠୁଥିଲା ବେଳେବେଳେ । ହଠାତ୍ ଗାଡ଼ିଟା ଆସି ବ୍ରେକ୍ କଲା...ଯେଉଁଠି କଚ୍ଚାରାସ୍ତାରୁ ସଂକୀର୍ଣ୍ଣ ରାସ୍ତାଟାଏ ପଡ଼ିଥିଲା କୋଠାଆଡ଼କୁ । ଆରୋହୀ ଥିଲେ ସେଥିରେ ମାତ୍ର ଦୁଇଜଣ । ସେଥିଭିତରୁ ଜଣେ ଚାଳକ, ଆଉ ଜଣେ ପଛସିଟ୍‍ରେ ବସିଥିଲେ । ଗାଡ଼ି ଅଟକିବା ସଙ୍ଗେସଙ୍ଗେ ସେ ଚାଳକ ନିକଟକୁ ଯାଇ ଚାପାଗଳାରେ କେଇପଦ ଉପଦେଶ ଦେଇ ସେଇ ସଂକୀର୍ଣ୍ଣ ଗଳିରାସ୍ତାରେ ଅଦୃଶ୍ୟ ହେଇଗଲେ । ଡ୍ରାଇଭର ଗାଡ଼ିକୁ ଟିକେ ଏପଟ ସେପଟ କରି ବୁଲାଇ ରଖିଲା ଯେଉଁଆଡ଼ୁ ଆସିଥିଲା ପୁଣି ସେଇଆଡ଼କୁ ମୁହଁ କରି ।

 

ସଂକୀର୍ଣ୍ଣ ଗଳିଟାର ଦୁଇପାଖରେ ବୁଦା ଜଙ୍ଗଲ ଭିତରେ ଯେଉଁ କେତୋଟି ଚାଳଘର ଥିଲା ସେଗୁଡ଼ିକ ଥିଲା ବନ୍ଦ । ଜାଗ୍ରତ ଅବସ୍ଥାରେ ସେଥିରେ କେହି ନଥିଲେ । ତଥାପି ବେଳେବେଳେ ନିଦ୍ରିତର ଅସଂଲଗ୍ନ ପ୍ରଳାପ ଶୁଣାଯାଉଥିଲା ତା’ ଭିତରୁ । ରାସ୍ତାଉପରେ ଝଡ଼ପରି ଲୋକଟା ଚାଲିଥିଲା–ସତେ ଯେପରି କାହାରି ପ୍ରତି ଭ୍ରୂକ୍ଷେପ ନାହିଁ ତା’ର । ଦେହରେ ତା’ର ଥିଲା ଆଣ୍ଠୁପର୍ଯ୍ୟନ୍ତ ଢାଙ୍କିଦେଲା ପରି ଓଭରକୋଟ୍, ମୁଣ୍ଡରେ ଫେଲଟ୍ । ବହୁ ନିରୀକ୍ଷଣ କଲାପରେ ମୁହଁରେ ଛୋଟ ଛୋଟ ଦାଢ଼ି ବି ଦେଖିହେଉଥିଲା । ଏ ସବୁ ଥିଲା ଗାଢ଼ କଳାରଙ୍ଗ । କଳା ରାତି ସହିତ ମିଶି ଅଦୃଶ୍ୟ ହେବାକୁ ଚେଷ୍ଟା କରୁଥିଲା । ଗତିଟା ତା’ର ଏତେ ତୀବ୍ର ଥିଲା ଯେ, ଦେଖିଲେ ଜଣାଯାଉଥିଲା ଯେପରି କୌଣସି ଗୋଟିଏ ଗୁରୁତର କାମ ସମାଧାନ କରିବାର ସମୟ ଅତିକ୍ରାନ୍ତ ହୋଇଆସୁଚି । ଆଉ ଟିକିଏ ଡେରି କଲେ ସର୍ବନାଶ ହୋଇଯାଇପାରେ । ସେଥିପାଇଁ ଯଥାସମୟରେ ଯଥାସ୍ଥାନରେ ପହଞ୍ଚିବାପାଇଁ ପ୍ରଣାମୂର୍ଚ୍ଛା ଧାଇଁଛି ଲୋକଟା । ନିଃଶ୍ୱାସର ପ୍ରଖରତା ନିର୍ଜନ ରାତିରେ ଠିକ୍ ଗୋଟାଏ ବିଷଧର ସାପର ଗର୍ଜନ ପରି ଶୁଣାଯାଉଚି ଖଣ୍ଡେଦୂରକୁ ।

 

ସେଇ କୋଠାଟା... ।

 

ତା’ରି ଆଗରେ ଠିଆ ହୋଇ ପଁ କରି ଗୋଟାଏ ଦୀର୍ଘ ନିଃଶ୍ଵାସ ପକାଇ ଚାହିଁଲା ସେ ଉପରକୁ । ଉପରମହଲାର ସାମନାପଟ କୋଠରୀରୁ ନୀଳରଙ୍ଗର ନିଷ୍ପ୍ରଭ ଆଲୋକରେଖା ଛିଡ଼ିକି ପଡ଼ୁଥିଲା ଝରକାରେ ଝୁଲାହୋଇଥିବା ପରଦାଫାଙ୍କ ଦେଇ । ସମ୍ଭବତଃ ସେଇଟା ବେଡ଼୍‍ରୁମ୍ ହେବ କି କ’ଣ !

 

ଅଧିକ ସମୟ ଠିଆହୋଇ ଚିନ୍ତା କରିବାକୁ ଧୈର୍ଯ୍ୟ ବୋଧହୁଏ ନ ଥିଲା ଲୋକଟାର । ତୀକ୍ଷ୍ଣ ଦୃଷ୍ଟିରେ ଫାଟକର ଉଚ୍ଚତାଟିକୁ ଥରେ ଦେଖିନେଇ ସେ ଗୋଟାଏ ଝାମ୍ପ ମାରିଲା ଠିକ୍ ଯେପରି ଶିକାରୀ ବାଘ କୌଣସି ଉପକ୍ରମ ନ ଦେଖାଇ ତା’ର ଶିକାର ଉପରକୁ କୁଦିପଡ଼େ । ପର ମୂହୁର୍ତ୍ତରେ ଫାଟକ ଅତିକ୍ରମ କରି ସେ ଆର ପଟରେ ସିଧାହୋଇ ଛିଡ଼ା ହୋଇଗଲା । ମାତ୍ର ଆଶ୍ଚର୍ଯ୍ୟର କଥା, ଛଅ ଫୁଟରୁ ଅଧିକ ଉଚ୍ଚ ଫାଟକଟା କୁଦି ଆର ପାଖକୁ ଯିବାରେ ଟିକିଏ ହେଲେ ଶବ୍ଦ ଶୁଣାଗଲା ନାହିଁ । ସେ ନିଜକୁ ଟିକିଏ ସଂଯତ କରିନେଇ ଛପିଛପି ଆଗେଇଗଲା କୋଠାର କାନ୍ଥ ଆଡ଼େ । ଅବଶ୍ୟ ସେଠି ପହଞ୍ଚିଯିବାପାଇଁ ବେଶି ଗୁଡ଼ାଏ ଡେରି ଲାଗିଲା ନାହିଁ ତାକୁ ।

 

କାନ୍ଥ କଡ଼େ କଡ଼େ ସତର୍କ ଦୃଷ୍ଟି ପକାଇ ଯାଉ ଯାଉ ଦେଖିଲା, ପାଣି ପାଇପ୍‍ଟା ଉଠିଯାଇଚି ଉପରକୁ । ତା’ର ମନରେ ଆଶାର ସଂଚାର ହେଲା ଟିକିଏ । ପାଇପ୍ ଟାକୁ ଦୁଇତିନି ଥର ଝାଙ୍କିଦେଇ ସେ ଦେଖିନେଲା ସେଟା ଦୃଢ଼ ଅଛି କି ନାହିଁ । ତା’ ପରେ ଠିକ୍ ଗୋଟାଏ ବଣ ବିରାଡ଼ି ପରି ପାଇପ୍ ଟା ଧରି ଚଢ଼ିଗଲା ଉପରକୁ । ଚଢ଼ିବାରେ ସେ ଏଡ଼େ କ୍ଷିପ୍ର ଆଉ ସତର୍କ ଯେ, ଶବ୍ଦ ତ ଟିକିଏ ହେଉନଥାଏ । ତା ଛଡ଼ା ଗତି ମଧ୍ୟ ଟିକିଏ ହେଲେ ଶିଥିଳ ହୋଇ ଯାଉ ନ ଥାଏ ତାର । ଗତିର ପ୍ରଖରତା ହେତୁରୁ ସର୍ବୋଚ୍ଚ ମହଲାରେ ପାଇପ୍ ଟା ଯେଉଁଠି କାନ୍ଥ ଭିତରକୁ ଫୁଟିଯାଇଛି ସେଠି ପହଞ୍ଚିବା ପାଇଁ ତାକୁ ତିନି ଚାରି ମିନିଟରୁ ଅଧିକ ସମୟ ଲାଗିଲା ନାହିଁ ।

 

ତେଣିକି ପ୍ରାୟ ହାତେ ଦେଢ଼ହାତ ଉପରକୁ ପାରାପେଟ୍ ଆରମ୍ଭ । ଲୋକଟା ଖୁବ୍ ଚେଷ୍ଟାକରି ହାତ ବଢ଼ାଇଲା । ଏଣେ ଗୋଡ଼ ଯଦି ଅଧଇଞ୍ଚେ ତଳକୁ ଖସିଯାଏ, ତେବେ ଏକାଠି ତିନିମହଲା ତଳେ, ହାଡଗୋଡ଼ର ସତ୍ତା ଲୋପ ପାଇଯିବ । ଲୋକଟାର ପ୍ରଣାମୂର୍ଚ୍ଛା ଉଦ୍ୟମ ବ୍ୟର୍ଥ ହେଲା ନାହିଁ । ଚେଷ୍ଟା କରୁକରୁ ଦୈବାତ ହାତଟା ତା’ର ଲାଗିଗଲା ପାରାପେଟ୍ ର ବାଡ।ରେ । ବାସ୍ ! ସେତିକି ତ ଦରକାର ଥିଲା । ଗୋଟିଏ ମାତ୍ର ଲମ୍ଫରେ ସେ ଯାଇ ପହଞ୍ଚିଗଲା ପାରାପେଟ୍ ଉପରେ । ଏତକ କାମ କରିବାଦ୍ଵାରା ତାକୁ ଏତେ କଠିନ ପରିଶ୍ରମର ସମ୍ମୁଖୀନ ହେବାକୁ ପଡ଼ିଥିଲା ଯେ ସେ ଉର୍ଦ୍ଧଶ୍ଵାସକୁ ଆୟତ କରିବା ପାଇଁ କିଛି ସମୟ କାନ୍ଥକୁ ଆଉଜି ଠିଆ ହୋଇଗଲା । ମାତ୍ର ଆଖି ଦୁଇଟା ତାର ଚକ୍ ଚକ୍ ହୋଇ ସେଇ ଅନ୍ଧକାର ଭିତରେ ପ୍ରତ୍ୟେକ ଜିନିଷକୁ ଦେଖୁଥିଲା ଆଉ କାନ ଦୁଇଟା ଉତ୍କର୍ଣ୍ଣ ହୋଇ ରହିଥିଲା ବାହାରର ଶବ୍ଦ ପ୍ରତି ।

 

ଖୁବ୍ ଶୀଘ୍ର ସେପରି କିଛି ବିପଦର ଆଶଙ୍କା ନ ଦେଖି ସେ ସେଠାରୁ ବାହାରି ଭିତରକୁ ପାଦ ବଢ଼ାଇଲା । ପାଖ କୋଠରୀଟା ହିଁ ଥିଲା ତାର ଅନୁମାନ କରିଥିବା ବେଡ଼୍‍ରୁମ୍ । ସେଇ ଦ୍ଵାର ପାଖରେ ପହଞ୍ଚି ସେ ଦେଖିଲା, ଦରଜାଯୋଡ଼ିକ ଅଳ୍ପ ମେଲାଅଛି । ଆଖପାଖ କୋଠରୀରେ ଆଉ କାହାରି ଶୋଇଥିବାର ସୋରଶବ୍ଦ ଶୁଣାଯାଉନି । ଏଥର ପକେଟରୁ ରିଭଲଭର୍‍ଟା ବାହାରକରି ଥରେ ସେ ପରୀକ୍ଷା କରିନେଲା । ତା’ପରେ ଫାୟାର୍‍ କରିବା ଅବସ୍ଥାରେ ଆଗକୁ ସଜାଡ଼ି ଧରି କବାଟଟିକୁ ପୁରା ଖୋଲିଦେଲା । ତଥାପି କିଛି ସୋରଶବ୍ଦ ନ।ହିଁ, କେବଳ ଦୁଇଜଣଙ୍କର ଶୋଇବା ଅବସ୍ଥାରେ ଦୀର୍ଘ ଶ୍ଵାସପ୍ରଶ୍ଵାସର ଶବ୍ଦ ଛଡ଼ା ।

 

ଅପେକ୍ଷାକୃତ ଆହୁରି ସତର୍କ ହୋଇ କୋଠରୀ ଭିତରକୁ ପାଦ ବଢ଼ାଇଲା ଲୋକଟା । ହାତଟା ଲମ୍ବାଇ ରିଭଲଭର୍‍ଟା ବାଗେଇ ଧରିଥାଏ ସାମନାକୁ ଶକ୍ତମୁଠା ଭିତରେ । ଉତ୍ତେଜନାରେ ମାଂସପେଶୀଗୁଡ଼ାକ ଥରିଉଠୁଥାଏ ତା’ର । କୋଠରୀ ଭିତରର ନୀଳ ଆଲୋକ ରିଭଲଭର୍ ଉପରେ ପଡ଼ି ଝଲସିଉଠିଲା । ଚଟ୍ କରି ଗୋଟାଏ ଆଲୋକର ଝଲକ ବୁଲିଗଲା ଘର ଭିତରର ଚାରି କାନ୍ଥ ଉପରେ । ଦ୍ଵାର ସିଧାରେ କୋଠରୀ ଭିତରକୁ ପଶିଆସି ଲୋକଟା ସ୍ଥିର ଭାବରେ ଠିଆହୋଇ ଲକ୍ଷ୍ୟ କଲା କିଛି ସମୟ ସମୁଦାୟ କୋଠରୀଟାକୁ ।

 

ନିଷ୍ପ୍ରଭ ନୀଳବର୍ଣ୍ଣ ଆଲୋକତଳେ ଲୋକଟାର ଚେହେରା ଗୋଟାଏ ଭୀଷଣ ଦାନବ ପରି ଦେଖାଯାଉଥିଲା । ତା’ର ଆଖିଦୁଇଟା ସ୍ଥିର ଆଉ ଜ୍ଵଳନ୍ତ କୋଇଲାଖଣ୍ଡ ପରି ଲାଲ । ଶ୍ମଶ୍ରୁଳ ମୁଖମଣ୍ଡଳରେ ଟୋପି ଟୋପି ଝାଳ ଲୋକଟାର ମୁହଁକୁ ଆହୁରି ଭୟଙ୍କର କରିଦେଇଥିଲା । ଉତ୍ତେଜନାର ଆଧିକ୍ୟରେ ନାକପୁଡ଼ା ଦୁଇଟା ତା’ର ଫୁଲିଉଠୁଥିଲା ଥରକୁଥର ।

 

କୋଠରୀଟାର ସାଜସଜ୍ଜା ଥିଲା ଅପରୂପ । କୌଣସି ରାଜା ମହାରାଜାଙ୍କ ଶୟନକକ୍ଷ ସହିତ ସମାନ ହେବ । ଗୋଟାଏ କଡ଼କୁ ପଲଙ୍କ, ତା’ଉପରେ ମୁଠୁଣିଏ ବହଳର ଡନ୍‍ଲପ୍‍ ଗଦି । ତା’ଉପରେ ମଖମଲ୍ ଚଦର । ଚଟାଣ ଉପରେ ଦାମୀ ଭେଲଭେଟ୍ ଗାଲିଚା । ପଲଙ୍କ ଉପରେ ନିତାନ୍ତ ଅସଂଯତ ଅବସ୍ଥାରେ ଶୋଇଛନ୍ତି ପୁରୁଷ ସ୍ତ୍ରୀ ଦୁଇଜଣ । ପୋଷାକ ପିନ୍ଧାରେ ଆଦୌ ଠିକ୍ ଠିକଣା ନାହିଁ । ଅସଂଲଗ୍ନ ପୋଷାକ ଯାହା କିଛି ଦେହରେ ଅଛି, ସେତକ ସେମାନଙ୍କର ଆଭିଜାତ୍ୟ ଏବଂ ମୁଲ୍ୟବାନ ରୁଚିର ବେଶ ପରିଚୟ ଦେଉଛି । ସ୍ତ୍ରୀଲୋକଟିର ଦେହରେ ସୁନାର ଗହଣା ଝଲ୍‍ମଲ୍‍ କରି ଉଠୁଛି । ପଲଙ୍କର ମୁଣ୍ଡଆଡ଼କୁ ମେହଗାନି କାଠର ସୁନ୍ଦର ଛୋଟ ଗୋଲେଇ ଟେବୁଲଟିଏ । ତା’ ଉପରେ ରଖାଯାଇଛି କେତୋଟି ବିଦେଶୀ ପାନୀୟ ବୋତଲ ଆଉ ପାନପାତ୍ର । କାନ୍ଥର ଗୋଟାଏ କଡ଼ରେ କେତେଟା ଆଇରନ୍‍ ଚେଷ୍ଟ୍‍ ।

 

ଏସବୁ ସାଜ୍ଜସଜ୍ଜା ପ୍ରତି ଦୃଷ୍ଟି ପକାଇ ଘୃଣା ଏବଂ ତାଚ୍ଛଲ୍ୟର ହସ ଟିକିଏ ହସିଦେଲା ସେ । ତଥାପି ଶୋଇଥିବା ଦୁଇଜଣଙ୍କର ନିଦ୍ରାଭଙ୍ଗର କୌଣସି ସୂଚନା ନାହିଁ । ଗଭୀର ସୁସୁପ୍ତି । ଶାନ୍ତିମୟୀ ନିଦ୍ରାଦେବୀଙ୍କ କୋଳର ମମତା ଯେ ବେଳେବେଳେ କରାଳ ମୃତ୍ୟୁକୁ ଆମନ୍ତ୍ରଣ କରେ, ଏକଥା ପ୍ରାଣୀମାତ୍ରେଇ ଜାଣନ୍ତି । ଭାବନାଥ ରାୟଙ୍କୁ ମଧ୍ୟ ଅଜ୍ଞାତ ନଥିବ ।

 

ପଲଙ୍କ ଉପରେ ସ୍ଥିରଦୃଷ୍ଟି ରଖି ଦରଜାଟା ସେ ଆଉଜାଇଦେଇ ଶିକୁଳି ବନ୍ଦ କରିଦେଲା ଭିତରପଟରୁ । ଏଥର ଆଉ ଭୟ କରିବାପାଇଁ ତା’ର କିଛି ନଥିଲା । ଗାଲିଚା ଉପରକୁ ସତର୍କ ଚାହାଣୀରେ ଥରେ ଦେଖିପକାଇ ସେ ଚମକିପଡ଼ି ଚାହିଁଦେଲା କାନ୍ଥରେ ଥିବା ବିଜୁଳିବତୀର ସ୍ଵିଚ୍‍ବୋର୍ଡ଼କୁ । ଗୁଡ଼ାଏ ସ୍ଵିଚ୍, ମାତ୍ର ଲାଇଟ ନାହିଁ ଏତେ । କିଛି ଗୋଟାଏ ସମସ୍ୟାର ସୂତ୍ର ଆବିଷ୍କାର କଲାପରି ଦୁଇ ତିନିଥର ମୁଣ୍ଡ ଟୁଙ୍ଗାରି ସେ ପାନୀୟ ଟେବୁଲ ନିକଟରେ ଠିଆହେଲା । ରିଭଲଭର୍‍ଟାକୁ ଶୋଇଥିବା ଲୋକଙ୍କଆଡ଼କୁ ବାଗେଇଧରି ହାତରେ ବୋତଲରୁ କିଛି ପାନୀୟ ଗଡ଼ାଇନେଲା ପାତ୍ରରେ । ଅନାୟସାରେ ସେତକ ଉଦରସ୍ଥ କରି ପାତ୍ରଟାକୁ ସଶବ୍ଦେ କଚାଡ଼ିଦେଲା ଟେବୁଲ୍‍ ଉପରେ ।

 

ଶବ୍ଦଟା ଯେତିକି ହେଲା, ସାମାନ୍ୟ ମଧ୍ୟ ନୁହେଁ । ନିଃଶବ୍ଦ କୋଠରୀଭିତରେ ସେତିକି ଶବ୍ଦରେ ଜମିଦାର ଭବନାଥ ରାୟଙ୍କର ନିଦ୍ରା ସାମାନ୍ୟ ଆଘାତପ୍ରାପ୍ତ ହେଲା କି କ’ଣ, ନିଶାବିଜଡ଼ିତ ଆଖି ଦୁଇଟା ତାଙ୍କର ବାଧ୍ୟ ହୋଇ ଅଳ୍ପ ମେଲିଗଲା । ଏଇ ସୁଯୋଗ ବୋଧହୁଏ ଖୋଜୁଥିଲା ଲୋକଟା । ବୋଧହୁଏ ସେଥିପାଇଁ ଶବ୍ଦର ସୃଷ୍ଟି କରିଥିଲା ସେ । ଜମିଦାର ଭବନାଥ ଆଖି ଫିଟାଇବା ମାତ୍ରେ ଝାମ୍ପମାରି କୁଦିପଡ଼ିଲା ସେ ପଲଙ୍କ ଉପରକୁ । ଡାହାଣ ହାତରେ ରିଭଲଭର୍‍ଟା ଧରି ବାଁ ହାତରେ ତାଙ୍କର କୋଟ୍ କଲର୍‍କୁ ଭିଡ଼ିଧରି ଉଠାଇ ବସାଇଦେଲା ପଲଙ୍କ ଉପରେ । ନିତାନ୍ତ ଅସ୍ୱାଭାବିକ ଧସ୍ତାଧସ୍ତିରେ ତରୁଣୀଟିର ନିଦ୍ରାରେ ବ୍ୟାଘାତ ଘଟିଲା ବୋଧହୁଏ । ସେ ବ୍ୟସ୍ତଭାବରେ ଚମକିଉଠି ବସିଯିବା ସଙ୍ଗେସଙ୍ଗେ ଉପସ୍ଥିତ ଘଟଣା ତାକୁ ଏତେ ବିଚଳିତ କରିପକାଇଥିଲା ଯେ ନିଜର ଲୁଗାପଟା ସଜାଡ଼ି ନେବା କଥା ମଧ୍ୟ ସେ ଭୁଲିଯାଇଥିଲା । ଚିତ୍କାର କରିବା ଆଗରୁ ଲୋକଟାର ରିଭଲଭର୍ ମୁଠାରେ ଗୋଟାଏ ପ୍ରଚଣ୍ଡ ଆଘାତ ବସିଲା ତା ମୁହଁ ଉପରେ । ‘ଆଃ !’ ବୋଲି ଯନ୍ତ୍ରଣାସୂଚକ ଚିତ୍କାର କରି ସେ ପଡ଼ିଗଲା ପଲଙ୍କତଳକୁ ।

 

‘‘ଚିହ୍ନିପାରୁଚୁ, ନାଥୁରାୟ !” କର୍କଶ ସ୍ଵରରେ ଜମିଦାର ଭବନାଥ ରାୟଙ୍କ କଲର୍‍କୁ ଗୋଟାଏ ଝାଙ୍କଦେଇ ପଚାରିଲା ଆଗନ୍ତୁକ ।

 

ଜମିଦାର ଏପରି ଅସମ୍ଭାବିତ ଆକ୍ରମଣର ଆଶଙ୍କା ସ୍ଵପ୍ନରେ ସୁଦ୍ଧା କରିନଥିଲେ । ଏତେଗୁଡ଼ାଏ ଘଟଣା ପଲକମାତ୍ରେ ଘଟିଗଲା । ହଠାତ୍ ବହୁପୂର୍ବରୁ ଲୋପ କରିଦେଇଥିବା ନାମଟା ଗୋଟାଏ ଭୟଙ୍କର ଲୋକମୁହଁରୁ ଏପରି ପରିସ୍ଥିତିରେ ଶୁଣି ଅସମ୍ଭବ ଭାବରେ ଚମକିପଡ଼ିଲେ ସେ-। ନିଦୁଆ ଆଖିକୁ ଭଲକରି ଖୋଲି ଆଗନ୍ତୁକର ମୁହଁକୁ ଚାହିଁ ତାଙ୍କର ହାଲୁକ ଶୁଖିଗଲା-। ଅଜାଣତରେ ତାଙ୍କପାଟିରୁ ଖନି ମାରିଯିବା ସ୍ଵରରେ ଉଚ୍ଚାରିତ ହୋଇଗଲା–”ସ-ର୍ଦ୍ଦା-ର-! ତୁମେ ବଞ୍ଚିଛ ?”

 

ଏଇ କଥା ପଦକ ଶୁଣିଲାମାତ୍ରେ ଉନ୍ମାଦଙ୍କ ପରି ହସି ଉଠିଲା ଲୋକଟା । ପୂର୍ବପରି କୋଠର କର୍କଶ ସ୍ଵରରେ ସେ କହିଲା ‘‘ସର୍ଦ୍ଦାର ତ ତୋ ଆଗରୁ କେବେ ମରିଯିବା କଥା ନୁହେଁ ! ତା ହେଲେ ତୋର ନିମକହାରାମୀର ସଜା ଦେବ କିଏ ? ଜାଣୁ, ତୋର ହାରାମୀର ସଜା କ’ଣ ?”

 

‘‘ନା, ନା, ମୁଁ ନିମକହାରାମୀ କରିନାହିଁ, ସର୍ଦ୍ଦାର ! ନିଜକୁ ବଞ୍ଚାଇବା ପାଇଁ ମୁଁ ଛଦ୍ମବେଶରେ ଅଛି ଏଠି । ମୁଁ–ମୁଁ ‘‘

 

‘ନାଥୁରାୟ !’…ଲୋକଟାର କଥା ବନ୍ଦ ହୋଇଗଲା ଏ କର୍କଶ ଚିତ୍କାରରେ ।

 

...”ତତେ ମୁଁ ହିନ୍ଦୁସ୍ଥାନର ପ୍ରତିଟି କୋଣ ଖୋଜିଛି । ପଇସା ଅଭାବରେ ମାଗି ଖାଇଛି, ମୋଟ ବୋହିଚି । କିନ୍ତୁ ତଥାପି ମରିପାରିନି । ତୁମମାନଙ୍କ ହାରାମୀର ପ୍ରତିଫଳ ଦେବାପାଇଁ ବଞ୍ଚିରହିବାକୁ ପ୍ରବଳ ଚେଷ୍ଟା କରିଚି । ଆଜି ତୁ ମୋ ହାବୁଡରେ ପଡ଼ିଚୁ ନିମକହାରାମ, ସୟତାନ୍ !” ...ଲୋକଟା ଦାନ୍ତ କଡ଼ମଡ଼ କରିଉଠିଲା । ରିଭଲଭର୍ ଉପରେ ହାତମୁଠାଟା ତା’ର ଆହୁରି ଦୃଢ଼ ହୋଇଆସୁଥିଲା ।

 

‘‘ମୋତେ ବିଶ୍ଵାସ କର, ସର୍ଦ୍ଦାର, ଆମ ଜାହାଜ ଉପରେ ପୋଲିସ ଯେମିତି ଚଢ଼ାଉ କଲା, ତୁମ ହୁକୁମ ଅନୁସାରେ ତ ପେଟ୍ରୋଲ ଢାଳି ସବୁ ନିଆଁ ଲଗାଇଦିଆଗଲା । ଟଙ୍କା, ମୋହର, ସୁନା, ଜହରତ ଧରି କିଏ କୁଆଡ଼େ ହୁଲି ଡଙ୍ଗାରେ ପଳାଇଗଲେ । ମୁଁ ଖାଲି କୁଦିପଡ଼ିଲି । ତିନିଦିନକାଳ ସମୁଦ୍ରରେ ଭାସିଭାସି ମୁଁ ଯେ କି ଦୁଃଖରେ ଆସିଚି...”

 

‘‘ଚୁପ କର । ମିଛ କଥା । ସବୁ ଖବର ମୁଁ ସଂଗ୍ରହ କରିନେଇଚି । ତୁ ସେମାନଙ୍କ ସାଙ୍ଗରେ ଥିଲୁ । ସେ ହୁଲି ଡଙ୍ଗାଟାରେ ତୁମେ ଥିଲ ତିନିଜଣ । ରତ୍ନଦ୍ଵୀପକୁ ଯିବା ନକ୍‍ସା ଆଉ ରତ୍ନ ଗୁହାର ନକ୍‍ସା ବି ଥିଲା ତୁମ ପାଖରେ । ମଝି ଦରିଆରେ ତୁ ସେତକ ହାତ କଲୁ ଆଉ ଆର ଦୁଇଜଣଙ୍କୁ ସେଇଠି ଖତମ କଲୁ ।”

 

‘‘ମିଛ କଥା, ସର୍ଦ୍ଦାର ! ତୁଛା ମିଛ କଥା !” ଭବନାଥ ରାୟ ଭୟରେ କାକୁସ୍ଥ ହୋଇପଡ଼ିଥିଲା ।

 

‘‘ଚୁପ୍‍ କର ! ତୋର ମନେ ମନେ ତୁ ସାଥି ଦୁଇ ଜଣଙ୍କୁ ମାରିଦେଇଥିଲୁ । କିନ୍ତୁ କେଶୁରାମ ମରି ନ ଥିଲା । ତୋର ଗୁଣାବଳୀ ମୋତେ କହିସାରି ସେ ମଲା । ଏଥର କହ, କୁକୁର-! ତୋର କ’ଣ କହିବାର ଅଛି ?’

 

‘‘ତୁମକୁ କେଶୁରାମ ଠକିଦେଇଛି, ସର୍ଦ୍ଦାର ! ମୋ ପାଖରେ ନକ୍‍ସା ଫକ୍‍ସା କିଛି ନାହିଁ-। ଯାହା କିଛି ହାତେ ହାତେ ଆଣିପାରିଥିଲି ସେତିକିରେ ଚଳୁଛି । ସେଇଥିରୁ ଯାହା ଚାହୁଁଚ ପଛେ ନିଅ । କିନ୍ତୁ ମୋତେ...’’

 

ପ୍ରଚଣ୍ଡ ଗୋଟାଏ ଅଟ୍ଟହାସ୍ୟରେ କୋଠଟା ଥରିଉଠିଲା ଯେମିତି ।

 

‘‘ତୁ ବିଶ୍ଵାସଘାତକ ଆଉ ସେକଥା କହିପାରୁଛୁ ? କେତେଲୋକଙ୍କ ବିଶ୍ଵାସରେ ବିଷ ଢାଳିଛୁ ତୁ ! ମୁଁ ଆଜି ଆସିଚି ତୋ’ଠାରୁ ପାହି ପାହି ଅସୁଲ କରିବି । ରତ୍ନଦୀପ ଆଉ ରତ୍ନଗୁହାର ନକ୍‍ସା ନେବି । ତାହା ହେଲେ ସେମାନଙ୍କର ଘୂରିବୁଲୁଥିବା ଅତୃପ୍ତ ଆତ୍ମାଗୁଡ଼ାକ ଟିକିଏ ଶାନ୍ତି ପାଇବ ।”

 

‘‘ସର୍ଦ୍ଦାର !” -ବିକଳ ହୋଇ ହାତ ଯୋଡ଼ିପକାଇଲା ଛଦ୍ମବେଶୀ ଭବନାଥ ରାୟ ।

 

‘‘ହଟ୍ !” ସଙ୍ଗେ ସଙ୍ଗେ ପ୍ରଚଣ୍ଡ ଧକ୍କାଟିଏ ପାଇଲା ତା’ର ପ୍ରତିଦାନରେ ।

 

‘‘ରତ୍ନଦ୍ଵୀପରେ ରତ୍ନଗୁହାର ଅକଳନ୍ତି ସମ୍ପତି ଆମ କାହାରି ଅର୍ଜିଲା ସମ୍ପତି ନୁହେଁ । ସେ ସମ୍ପତ୍ତି କେଉଁ ଅଜ୍ଞାତ ଜଳଦସ୍ୟୁର ଲୁଣ୍ଠନର ସଞ୍ଚୟ । ଆମେ ଏକା ନୋହୁଁ, ଆମ ଆଗରୁ କେବଳ ତାରି ପାଇଁ କେତେ ରକ୍ତପାତ ଯେ ହେଇଯାଇଚି ତା’ର ସୀମା ନାହିଁ; କିନ୍ତୁ କେହି ଠିକଣା ରାସ୍ତା ପର୍ଯ୍ୟନ୍ତ ଯାଇପାରି ନାହାନ୍ତି । ତୁ ବି ପାରିବୁ ନାହିଁ । ଆଜି ତୋର ହିସାବ ନିକାଶ ହେବ, ନିଶ୍ଚୟ ହେବ ! ହେବ !”

 

‘‘ନା, ନା, ସର୍ଦ୍ଦାର ! ତୁମେ ମୋ କଥା ଥରେ ହେଲେ ଶୁଣ । ମୁ ..ମୁଁ ..ଆଦୌ ଏ କାମ କାରିନି । ମୋତେ ବିଶ୍ୱାସ କର, ରତ୍ନଦ୍ଵୀପର ନକ୍‍ସା ।”

 

ଛଦ୍ମବେଶୀ ଭବନାଥ ରାୟର କଥା ଅବଶିଷ୍ଟ କୁହା ନ ସରୁଣୁ ହଠାତ୍ ଗୋଟାଏ ନିତାନ୍ତ ଅପ୍ରତ୍ୟାଶିତ ଘଟଣା ଘଟି ସବୁ ଓଲଟପାଲଟ ହୋଇଗଲା । ଆଘାତ ପାଇ ଭବନାଥ ରାୟର ଶଯ୍ୟାସଙ୍ଗୀନୀ ତଳକୁ ପଡ଼ିଯାଇ ନିଶ୍ଚେଷ୍ଟ ନଥିଲା । ମାତ୍ର କେଇ ମିନିଟ୍ ମଧ୍ୟରେ ଉଭୟଙ୍କର ଆଳାପରୁ ସବୁକଥା ସେ ଠଉରାଇ ନେଇପାରିଥିଲା । ସେ ପଲଙ୍କତଳୁ ସମସ୍ତଙ୍କର ଅଲକ୍ଷ୍ୟରେ ଘୁଷୁରି ଘୁଷୁରି ଯାଇ କାନ୍ଥର ଗୋଟାଏ ସ୍ଥାନରେ ଥିବା ସ୍ୱୀଚ୍ ବୋର୍ଡ ନିକଟରେ ପହଞ୍ଚିଯାଇଥିଲା । ଭବନାଥ ରାୟ ତାହା ଭଲଭାବରେ ଦେଖିନେଇ ମନେ ମନେ ଖୁବ୍ ଖୁସି ହେଇଯାଇଥିଲା ଏବଂ ଉପଯୁକ୍ତ ସମୟ ପର୍ଯ୍ୟନ୍ତ ସର୍ଦ୍ଦାରକୁ ଅନ୍ୟମନସ୍କ କରି ରଖିବା ଉଦ୍ଦେଶ୍ୟରେ ନାନାପ୍ରକାର ଏଣୁତେଣୁ କଥା କହି ସମୟ କଟାଉଥିଲା । ତା’ର ଦୃଷ୍ଟି ଅଲକ୍ଷିତରେ ଥରେ ଦୁଇ ଥର ସ୍ୱୀଚ୍ ବୋର୍ଡ ନିକଟରେ ପହଞ୍ଚିବା ତା’ର ସଯ୍ୟାସଙ୍ଗୀନୀଋ କାର୍ଯ୍ୟ କଳାପ ଆଡ଼କୁ ଟାଣି ହୋଇଯାଇଥିଲା; ମାତ୍ର ସର୍ଦ୍ଦାରର ଧୂର୍ତ୍ତଆଖିକୁ ସେ ଫାଙ୍କି ଦେଇପାରିନଥିଲା । ସେହି ଦୃଷ୍ଟିକୁ ଲକ୍ଷ୍ୟକରି ସେ ମଧ୍ୟ ସମସ୍ତଙ୍କ ଅଲକ୍ଷ୍ୟରେ ସେତକ ଲକ୍ଷ୍ୟ କରିନେଇ ସୁଯୋଗର ଅପେକ୍ଷା କରୁଥିଲା ।

 

ଭବନାଥ ରାୟର କଥା ସରିନି..ହଠାତ୍ ‘ଟକ୍’ କରି ଶବ୍ଦ ହେବା ସଙ୍ଗେ ସଙ୍ଗେ ସର୍ଦ୍ଦାରର ପାଦତଳେ ଥିବା ଗାଲିଚାଟା ସାଇଁକରି ଅପସରିଗଲା । ସର୍ଦ୍ଦାର ବୋଧହୁଏ ପୂର୍ବରୁ ସବୁ ଜାଣିଥିଲା କି କ’ଣ, ସେ ଗୋଟାଏ ଲମ୍ଫରେ ପଲଙ୍କ ଉପରକୁ କୁଦିପଡ଼ିଲା । ତଳେ ବିରାଟ ଗହ୍ୱର । ଭିତରର ଗଭୀରତା କଳନା କରିବା ମୁଷ୍କିଲ । ସେହି ମୁହୂର୍ତ୍ତରେ ତା’ର ହାତର ରିଭଲଭର୍ ଗର୍ଜିଉଠିଲା । ଆଉ ସ୍ତ୍ରୀଲୋକଟା ଭୟଙ୍କର ଚିତ୍କାରଟାଏ କରି ସେଇଠି ପଡ଼ି ଛଟପଟ ହେବାକୁ ଲାଗିଲା । ସର୍ଦ୍ଦାର ଗୋଟାଏ ଘୃଣା ଏବଂ ତାତ୍ସଲ୍ୟପୂର୍ଣ୍ଣ ଦୃଷ୍ଟି ତା’ ଉପରେ ପକାଇ ଦେଖିଲା..ଦ୍ଵିତୀୟ ଗୁଳିର ଆବଶ୍ୟକତା ନାହିଁ । ଲକ୍ଷ୍ୟ ଠିକ୍ ହୃତ୍‍ପିଣ୍ଡ ଭେଦ କରିଛି ।

 

ନାଥୁ ରାୟ ହଠାତ୍ କିଂକର୍ତ୍ତବ୍ୟମୂଢ଼ ହୋଇପଡ଼ିଥିଲା; ମାତ୍ର ପରମୁହୂର୍ତ୍ତରେ ନିଜର ମୃତ୍ୟୁ ଆସନ୍ନ ଜାଣି କୁଦିପଡ଼ିଲା ସର୍ଦ୍ଦାର ଉପରକୁ । ସେହି ସଙ୍ଗେ ସଙ୍ଗେ ସେ ସର୍ଦ୍ଦାରର ରିଭଲଭର୍ ସହିତ ହାତଟାକୁ ମୁଠାଇ ଧରିଲା । ସର୍ଦ୍ଦାରର ଶତଚେଷ୍ଟା ସତ୍ତ୍ୱେ ବି ସେ ହାତଟାକୁ ମୁକୁଳାଇ ପାରିଲା ନାହିଁ ତା’ଠାରୁ । ଭୀଷଣ ଧସ୍ତାଧସ୍ତି ଶବ୍ଦରେ ସାରା ମହଲଟା କମ୍ପିଗଲା । ଭାବନାଥ ରାୟ ପ୍ରାଣପଣେ ଚେଷ୍ଟା କରୁଥାଏ କିପରି ସର୍ଦ୍ଦାରକୁ ସେହି ଗହ୍ୱର ଭିତରେ ପକାଇବ । କିନ୍ତୁ ସର୍ଦ୍ଦାରର ପ୍ରାଣମୂର୍ଚ୍ଛା ଉଦ୍ୟମ..କିପରି ହାତଟା ମୁକୁଳାଇବ । ଏଣେ ତଳମହଲାର ଲୋକବାକ ବି ଉଠିପଡ଼ିଲେଣି ରିଭଲଭର୍ ଶବ୍ଦ, ଚିତ୍କାର ଆଉ ଧସ୍ତାଧସ୍ତି ଆବାଜରେ । ତଲମହଳାରେ ବିଜୁଳିବତିଗୁଡ଼ା ଜଳିଉଠିଲାଣି । ଉପରମହଲା ସିଡ଼ିରେ ଲୋକମାନଙ୍କର ପାଦଶବ୍ଦ ଶୁଭୁଚି । ଶୀଘ୍ର ଏଠାରୁ ଖସି ନଗଲେ ଧରାପଡ଼ିବା ସୁନିଶ୍ଚିତ । ଏଣେ କାର୍ଯ୍ୟ ହାସଲ କରି ନ ଗଲେ ନାଥୁ ରାୟ ହାତରୁ ରକ୍ଷା ନାହିଁ । ସର୍ଦ୍ଦାର ପକ୍ଷରେ ମହା ସନ୍ଧି ସମୟ ଏଇଟା..ଏକଥା ସେ ବେଶ୍‍ ହୃଦୟଙ୍ଗମ କରିପାରୁଥିଲା । ମାତ୍ର ନାଥୁରାୟ କବଳରୁ ମୁକ୍ତି କାହିଁ ?

 

ଶେଷଥର ପାଇଁ ନିଜର ସକଳ ସମର୍ଥ ଲଗାଇ ପ୍ରଚଣ୍ଡ ଗୋଟାଏ ଧକ୍କା ଦେଲା ନାଥୁରାୟକୁ । ନାଥୁରାୟର ହାତ ହୁଗୁଳା ହେଇଗଲା ଏଥିରେ । ସର୍ଦ୍ଦାରର ରିଭଲଭର୍ ଧରା ହାତଟା ମୁକ୍ତ ହୋଇଗଲା । ଏଣେ ଲୋକଗୁଡ଼ାଙ୍କର ପାଦଶବ୍ଦ ଖୁବ୍ ପାଖରେ । ସେହି ମୁହୂର୍ତ୍ତରେ ସର୍ଦ୍ଦାରର ରିଭଲଭର୍ ଗୁଳିରେ ସେ କୋଠରୀର ନିଷ୍ପ୍ରଭ ନୀଳବର୍ଣ୍ଣ ବତୀଟି ଚୁର୍ଣ୍ଣ ବିଚୁର୍ଣ୍ଣ ହେଲା । ନାଥୁରାୟ ପୁନରାୟ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲା । ସେଥିରେ ମଧ୍ୟ ସାମାନ୍ୟ ବ୍ୟତିକ୍ରମ ହେଲା । ଏହି ଅବସରରେ ସର୍ଦ୍ଦାରର ରିଭଲଭର୍ କୋଠରୀ ଭିତରକୁ ଲକ୍ଷ୍ୟକରି ପୁଣି ଥରେ ଅଗ୍ନି ଉଦ୍‍ଗାର କରି ଗର୍ଜିଉଠିଲା । ତ।’ସଙ୍ଗେ ସଙ୍ଗେ ନାଥୁରାୟର ବିକଟ ଚିତ୍କାର ଆଉ ଦୁମକରି ପଡ଼ିଯିବାର ଶବ୍ଦ ଶୁଣାଗଲା । ଅପେକ୍ଷା କରି ବିପଦ ବରଣ କରିବାକୁ ଧୈର୍ଯ୍ୟ ନଥିଲା ସର୍ଦ୍ଦାରର । ସେ କୁଦିପଡ଼ିଲା ଦ୍ୱାରପାଖକୁ । ଛଅ ସାତଟା ଲୋକ ଧାଇଁ ଆସୁଛନ୍ତି ସେ କୋଠରୀଆଡ଼କୁ । ସେମାନଙ୍କ ହାତରେ ବି ଆଗ୍ନେୟାସ୍ତ୍ର ଅଛି । କୌଣସି ପ୍ରକାରେ ସେମାନକର ଗତି ଟିକିଏ ରୋଧ କରିଦେଇ ନିଜେ ପଳ।ଇବାର ସୁଯୋଗ ସୃଷ୍ଟି କରିବାପାଇଁ ଲକ୍ଷ୍ୟ କରି ରିଭଲଭର୍ ଫାୟାର କରିଦେଲା । ଏହାଦ୍ଵାରା ସେମାନଙ୍କର ଗତି ଅବଶ୍ୟ ଟିକିଏ ରୋଧ ହେଲା; ମାତ୍ର ଆଉ ଗୋଟିଏ ମହାବିପଦର ସୃଷ୍ଟି ହେଲା । ସେଥି ସଙ୍ଗେ ସଙ୍ଗେ ସେହି ମହଲାର ଆଲୋକଗୁଡ଼ାକ ଜଳିଉଠିଲା । ଫଳରେ ଲୋକମାନେ ତାକୁ ଲକ୍ଷ୍ୟ କରିନେଲେ ।

 

ପ୍ରାଣ ଘେନି ପଳାୟନ ବ୍ୟତୀତ ଅନ୍ୟ ଉପାୟ ନ ଥିଲା । ସର୍ଦ୍ଦାର ପୁନର୍ବାର ପାରାପେଟ୍ ଅଭିମୁଖେ ଧାଇଁବାକୁ ଲାଗିଲା । ଲୋକଗୁଡ଼ାକ ‘ଧର ଧର’ ହଲ୍ଲା କରି ପଛେ ପଛେ ଧାଇଁଥାନ୍ତି ତା’ର । ପଛଆଡ଼ୁଆ ଦୁଇଟା ଫାୟାର କରି ସେମାନଙ୍କୁ କିଛି ସମୟ ଅଟକାଇ ଦେଇ ସେ କିଛି ଦୂର ଆଗେଇ ଯାଇପାରିଥିଲା । ଏତିକିବେଳେ ‘ଗୁଡୁମ୍’ କରି ଆବାଜ ହେବା ସଙ୍ଗେ ସଙ୍ଗେ ସାଇଁ କରି ଗୋଟାଏ ଗୁଳି ତା’ର ବାଁ ପାଖ ଦେଇ ଚାଲିଗଲା ।

 

ସେ ସେତେବେଳକୁ ପାରାପେଟ୍ ପାଖରେ ପହଞ୍ଚିସାରିଥିଲା । କୌଣସି ପ୍ରକାରେ ପାଣି ପାଈପ୍ ଟାକୁ ଧରି ବିଜୁଳି ପରି ତଳକୁ ଖସିବାକୁ ଲାଗିଲା । ହଠାତ୍ ଉପରୁ ‘ଧାଏଁ ଧାଏଁ’ କରି ଦୁଇଟି ଗୁଳି ଆସି ବାମ ବାହୁରେ ବିଦ୍ଧ ହେଲା ତା’ର । ହାତ ତା’ର ଅବଶ ହୋଇପଡ଼ିଲା । ଚତୁର୍ଦ୍ଦିଗ ଅନ୍ଧକାରମୟ ଦେଖାଗଲା ତାକୁ । ପାଇପ୍ ଦେହରୁ ମୁଠା ଦୁଇଟା କୋହଳ ହୋଇଆସିଲା । ’ଭୁଷ୍’ କରି ତଳେ ଖସିପଡ଼ିଲା ସେ; ମାତ୍ର ପଡ଼ିବା ସଙ୍ଗେ ସଙ୍ଗେ ସେ ସଚେତନ ହୋଇଉଠିଲା । ବାହୁରୁ ଅଜସ୍ର ରକ୍ତସ୍ରାବ ଆରମ୍ଭ ହେଲାଣି । ଏଣେ ପାଦର ଯନ୍ତ୍ରଣା ଅସହ୍ୟ । ତଥାପି ମୁକ୍ତି ପାଇବାପାଇଁ ସର୍ବଶେଷ ଉଦ୍ୟମ କରିବାକୁ ସେ ଘୁଷୁରି ଘୁଷୁରି ଫାଟକଆଡ଼କୁ ଧାଇଁଲା । ସେହି ମୁହୂର୍ତ୍ତରେ ବଗିଚାର ବିଜୁଳିବତୀଗୁଡ଼ା ଜଳିଉଠିଲା । ଉପର ମହଲାର ପାରାପେଟ୍ ଉପରୁ ଭବନାଥ ରାୟର ଲୋକମାନେ ଦେଖିଲେ, କେହି ଗୋଟାଏ ଫାଟକ ଉପରେ ଚଢ଼ି ବାହାରିଯାଉଛି । ତତ୍‍କ୍ଷଣାତ୍ ତାକୁ ଲକ୍ଷ୍ୟ କରି ଛୁଟିଆସିଲା କେତୋଟି ଗୁଳି ।

 

ସେତେବେଳକୁ ଫାଟକ ଅତିକ୍ରମ କରିଆସିଥିଲା ସର୍ଦ୍ଦାର ।

 

ଲୋକଗୁଡ଼ାଙ୍କର ହୈ ଚୈ କ୍ରମେ ଅଧିକରୁ ଅଧିକ ହେବାକୁ ଲାଗିଲା ।

 

ସେଇ ଗୋଳମାଳଟା ଥିଲା ପ୍ରାସାଦ ପାଖରେ । କିନ୍ତୁ ନିର୍ଜନ ଗଳିମୁଣ୍ଡରୁ ଜିପ୍ ଟାଏ ଦ୍ରୁତଗତିରେ ଛୁଟି ଚାଲିଗଲା ସହର ଆଡ଼କୁ ..ସେତିକିବେଳେ ସମସ୍ତଙ୍କ ଅଲକ୍ଷ୍ୟରେ ।

 

(ଦୁଇ)

 

ରାତି ଭଲକରି ପାହିନି; ପାହି ପାହି ଆସୁଛି । ଏବେ ବି ଗଛପତ୍ର ସନ୍ଧି ଅଳ୍ପ ଅନ୍ଧାରୁଆ ଅଛି । ଅଧିକାଂଶ ଲୋକ ନିଦ୍ରାଦେବୀଙ୍କ ଅଙ୍କ ତ୍ୟାଗ କରିନାହାନ୍ତି । ଠିକ୍ ଏତିକିବେଳେ କେତେଟା ପୋଳିସସ୍ ଭ୍ୟାନ୍ ସଶସ୍ତ୍ର ପୋଲିସଙ୍କୁ ବହନ କରି ଆସି ବ୍ରେକ୍ କଲା ସହରତଳି ସେହି ବସ୍ତିମୁଣ୍ଡରେ ।

 

ଏଇଟା ଗୋଟାଏ ମାମୁଲି ଘଟଣା । କାହାରି ମନରେ ଟିକିଏ ହେଲେ କୌତୁହଳ ସୃଷ୍ଟି କଲା ନାହିଁ । ବର୍ଷ ମଧ୍ୟରେ କେତେଥର ଯେ ଏପରି ଖାନତଲାସି, ପୋଲିସ୍ ପଇନ୍ତରା, ଜୋର୍ ଜୁଲୁମ୍, ଧରପଗଡ଼ ହୁଏ ଏ ବସ୍ତିରେ । ଏଟା ସାଧାରଣ କଥା । ତେଣୁ ଆଜିକାର ଘଟଣାରେ ପୋଲିସ୍ ବା ବସ୍ତିବାଲା, କାହାରି କିଛି କୌତୁହଳ କରିବାର ନ ଥିଲା ।

 

ଜମିଦାର ଭାବନାଥ ରାୟଙ୍କ ପ୍ରାସାଦକୁ ବଡ଼ କଡ଼ାକଡି ଭାବରେ ଘେରାଉ କରିଥିଲେ । କେତେଜଣ ସୁଦକ୍ଷ ଅଫିସର ଏବଂ ଗୋଏନ୍ଦା ଭିତରେ ଟିକିନିଖି ଅନୁସନ୍ଧାନ କରୁଥିଲେ । ବାହାରେ ମଧ୍ୟ ପୋଲିସ୍ ଅଫିସର ମାନେ ତଦନ୍ତରେ ହେଳା ପ୍ରଦର୍ଶନ କରିନଥିଲେ । ବସ୍ତିକୁ ଘେରି ରହିଥିବା ଜଙ୍ଗଲର ପ୍ରତ୍ୟେକ ଅଂଶ ତନ୍ନ ତନ୍ନ କରି ଖୋଜାଗଲା । ପ୍ରତ୍ୟେକ ଘର ତଲାସ କରାଗଲା । କିନ୍ତୁ ହତ୍ୟାର କାରଣ ବା ହତ୍ୟାକାରୀର ସନ୍ଧାନ ମିଳିଲା ନାହିଁ । ପୋଲିସବାହିନୀର ବହୁ ଅୟ।ସ ଫଳରେ କେତେଗୁଡ଼ାଏ ଛୋଟ ଛୋଟ ଚୋରି, ଅସମାଜିକ କାର୍ଯ୍ୟକଳାପର ସନ୍ଧାନ ମିଳିଥିଲା । କିନ୍ତୁ ଅସଲ ଘଟଣା ରହିଗଲା ଘୋର ଅନ୍ଧକାରରେ । ତଥାପି ପୋଲିସ୍ ଅଫିସରମାନେ ମୂଳ ଘଟଣାର ସୂତ୍ର ଯେକୌଣସି ପ୍ରକାରେ ବାହାର କରିବାକୁ ଦୃଢ଼ପରିକର ହୋଇ ରହିଲେ ।

 

ଜମିଦାର ଭବନାଥ ରାୟଙ୍କର ହତାଟା ଭଲଭାବରେ ତଲାସି ନିଆଯାଇଥିଲା । ତାଙ୍କର ପ୍ରତ୍ୟେକ କର୍ମଚାରୀଙ୍କୁ ଜଣ ଜଣ କରି ଜେରା କରିସାରିଥିଲେ ପୋଲିସ୍ ଅଫିସର ଅଜୟବାବୁ । କେବଳ ଯେଉଁ ଘରେ ଭବନାଥ ରାୟଙ୍କୁ ହତ୍ୟା କରାଯାଇଥିଲା ସେ ଘରଟା ଅସ୍ପର୍ଶ ଥିଲା । ତା’ ଭିତରକୁ କେହି ପାଦସୁଦ୍ଧା ପକାଇ ନ ଥିଲେ । ଅଜୟବାବୁ ଖୁବ୍ ସକାଳୁ ଫୋନ୍ କରିଥିଲେ ଡିଟେକ୍ଟିଭ୍ ପ୍ରଦୀପ ଦାସଙ୍କୁ । ଅନ୍ତତଃ ଘଣ୍ଟାଏ ଡେଢ଼ଘଣ୍ଟା ଭିତରେ ସେ ଆସି ଘଟଣାସ୍ଥଳରେ ପହଞ୍ଚିବାର ଆଶା କରାଯାଉଥିଲା ।

 

ଡିଟେକ୍ଟିଭ୍ ପ୍ରଦୀପକୁମାର ଦାସଙ୍କ ବୟସ ଚାଳିଶିବର୍ଷରୁ କିଛି ଅଧିକା ହେଲେ ବି କାର୍ଯ୍ୟତତ୍ପରତାରେ କୌଣସି ଯୁବକସୁଦ୍ଧା ତାଙ୍କର ସମକକ୍ଷ ହୋଇପାରିବ ନାହିଁ । ସେ ଅବିବାହିତ-। ଅତୁଟ ସ୍ୱାସ୍ଥ୍ୟ । ବ୍ୟାୟମପୃଷ୍ଟ ମାଂସପେଶୀଗୁଡ଼ିକରେ ଅସମ୍ଭବ ପ୍ରକାରର ଶକ୍ତି ପରିପୂର୍ଣ୍ଣ-। ଶାରୀରିକ ସାମର୍ଥ୍ୟ ଛଡ଼ା ତାଙ୍କର ତୀକ୍ଷ୍ଣ ବୁଦ୍ଧି ଅଦ୍ୱିତୀୟ । ଖୁବ୍ ଜଟିଳ କେସ୍‍ରେ ଅତି ସୂକ୍ଷ୍ମ ବୁଦ୍ଧିପ୍ରୟୋଗ ଦ୍ଵାରା କିଛି ନା କିଛି ସଫଳ ସନ୍ଧାନ କରିବାରେ ତାଙ୍କ ପରି ଦ୍ୱିତୀୟ ବ୍ୟକ୍ତି ଗୋଏନ୍ଦା ବିଭାଗରେ ଆଉ କେହି ନାହାନ୍ତି କହିଲେ ଚଳେ । ତେଣୁ କେତେକ ବଡ଼ ବଡ଼ କେସ୍‍ରେ ତାଙ୍କୁ ରାଜ୍ୟ ବାହାରକୁ ମଧ୍ୟ ଯିବାକୁ ପଡ଼େ ଅନ୍ୟ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବା ପାଇଁ-। ସେଥିଯୋଗୁ ସେ ଖାଲି ଓଡ଼ିଶାରେ ନୁହନ୍ତି, ସାରା ଭାରତରେ ମଧ୍ୟ ଜଣେ ଗଣ୍ୟମାନ୍ୟ ଗୋଏନ୍ଦା ଭାବରେ ସୁଖ୍ୟାତି ଅର୍ଜନ କରିଛନ୍ତି ।

 

ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ସୁଦ୍ଧା ପ୍ରଦୀପବାବୁଙ୍କର ଦେଖା ନାହିଁ । ବାହାର କାମସବୁ ଶେଷ କରିସାରି ଅଜୟବାବୁ ବହୁ ସମୟ ହେଲା ଅପେକ୍ଷା କରି ଅତିଷ୍ଠ ହୋଇଉଠିଲେଣି-। ଠିକ୍ ଏତିକିବେଳେ ଫାଟକ ପାଖରେ ଆସି ଦେଖାଦେଲେ ପ୍ରଦୀପବାବୁ ଆଉ ତାଙ୍କର ସହକାରୀ ବିଜୟବାବୁ । ପ୍ରଦୀପବାବୁଙ୍କ ପାଖେ ପାଖେ ଚାଲୁଥିଲା ତାଙ୍କର ଅତିପ୍ରିୟ କୁକୁର ଟାଇଗର୍-

 

ଟାଇଗର୍ ଗୋଟାଏ ଆଲସେସିଆନ ଜାତିର କୁକୁର । ବେଳେ ବେଳେ ପ୍ରଦୀପବାବୁ ପରିହାସ କରି କହନ୍ତି….‘ବିଜୟ ମୋର ପ୍ରଥମ ସହକାରୀ ଆଉ ଟାଇଗର୍ ଦ୍ଵିତୀୟ ।’ କଥାଟା ବିଚାର କରି ଦେଖିଲେ ଜଣ।ଯାଏ, ନିତାନ୍ତ ଭୁଲ ନୁହେଁ । ଟାଇଗର୍ ବି ଜଣେ ଗୋଏନ୍ଦା । ସେ ମୁକ ସହକାରୀ । ଶୁଙ୍ଘି ଶୁଙ୍ଘି ସେ ଆତତାୟୀର ସନ୍ଧାନ ଦିଏ ପ୍ରଦୀପବାବୁଙ୍କୁ । ଯଥାର୍ଥରେ ପ୍ରଦୀପବାବୁ ଏବଂ ବିଜୟବାବୁ ଦୁହେଁ ସେ ମୁକପଶୁଟାର ଭାଷା ବୁଝନ୍ତି । ଖାସ୍ ଟାଇଗର୍ ପାଇଁ ଗୋଟାଏ ଚାକର ଖଞ୍ଜାଥିଲେ ବି ପ୍ରଦୀପବାବୁ ତା’ ଖବର ନିଜେ ବୁଝନ୍ତି । ତାଙ୍କ ଅନୁପସ୍ଥିତିରେ ବିଜୟବାବୁ ସେ କାମ କରନ୍ତି । ପ୍ରାୟ ପ୍ରତ୍ୟେକ ତଦନ୍ତସ୍ଥଳକୁ ପ୍ରଦୀପବାବୁ ଟାଇଗର୍‍କୁ ଧରନ୍ତି ସାଥିରେ । ଟାଇଗର୍ ଯେପରି ବିରାଟକାୟ ସେହିପରି ହୃଷ୍ଟପୃଷ୍ଟ ଦେହରେ ତା’ର ଗୋଟାଏ ସିଂହର ବଳ ।

 

ପାରାପେଟ୍ ଉପରୁ ଥାଇଁ ଅଜୟବାବୁ ଡାକ ପକାଇଲେ ପ୍ରଦୀପବାବୁଙ୍କୁ । ଜଣେ ସିପାହୀ ଉପର ମହଲାକୁ ରାସ୍ତା ଦେଖାଇ ଆଣିଲା ପ୍ରଦୀପବାବୁ ଆଉ ସହକାରୀଙ୍କୁ । ପ୍ରଦୀପବାବୁ ଆସି ଦେଖିଲେ, ହତ୍ୟାକାଣ୍ଡ ଘଟିଥିବା ଘରଟା ଖୋଲାଅଛି । ଦ୍ଵାରପାଖରେ ଠିଆ ହେଲେ ବି ଶବ ଦି’ଟା ପରିଷ୍କାର ଦେଖାଯାଉଚି ।

 

‘ଏ କୋଠରୀଟାର କିଛି ଜିନିଷ ସ୍ଥାନାନ୍ତରିତ ହୋଇନାହିଁ ତ ଅଜୟବାବୁ?’ ....ଦ୍ଵାର ପାଖରେ ଠିଆହୋଇ ପ୍ରଶ୍ନ କଲେ ପ୍ରଦୀପବାବୁ ।

 

‘ନା, ନା ।’ ମୁଁ ଖବର ପାଇଲାମାତ୍ରେ ଏ ରୁମ୍‍ଟାକୁ ଅଟକ କରିଦେଇଥିଲି । ତା ପୂର୍ବରୁ ବି ୟା ଭିତରେ କେହି ପଶିନଥିଲେ ।

 

‘ତେବେ ଠିକ୍ ଅଛି ।’ କହି ପ୍ରଦୀପବାବୁ ଘରଭିତରକୁ ଗୋଟାଏ ପାହୁଣ୍ଡ ଆଗେଇଲେ । ତାଙ୍କର ଦୃଷ୍ଟି ସମୁଦାୟ ଘରର ଚାରିକାନ୍ଥ ଭିତରେ ଥରେ ବୁଲିଗଲା । ପଲଙ୍କ ପାଖରେ ବିରାଟ ଗହ୍ୱରଟା ଗୋଟାଏ ଦାନବର ପାଟିପରି ମେଲାହୋଇ ରହିଥିଲା । ସେ ଚାହିଁଲେ ସ୍ଵିଚ୍ ବୋର୍ଡକୁ । ସେଥିରେ ଜୋଡ଼ାଏ ସ୍ୱୀଚ୍ ଅନ୍ ହୋଇ ରହିଛି । ମାତ୍ର ଗୋଟାଏ ଆଲୋକ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଇଚି । କୋଠରୀ ଭିତରେ ଆଉ କେତୋଟି ଶକ୍ତିଶାଳୀ ବଲ୍‍ବ ଅକ୍ଷତ ଅବସ୍ଥାରେ ଅଛି; ମାତ୍ର ସେଗୁଡ଼ିକ ଜଳୁନାହିଁ । ତେଣୁ ଅନ୍ୟ ସ୍ୱୀଚ୍‍ଟାର କାମ କେଉଁଠି ତାହା ବି ଗୋଟାଏ ପ୍ରଶ୍ନବାଚକ ସୃଷ୍ଟି କଲା ତାଙ୍କ ମନରେ । ସ୍ୱୀଚ୍‍ବୋର୍ଡଟାର ଅବସ୍ଥିତି ତାଙ୍କଠାରୁ ଅଧିକ ଦୂରରେ ନଥିଲା । ସେ ସେଠାକୁ ନଯାଇ କିମ୍ବା ସେଥିରେ ହାତ ନଲଗାଇ ହାତବାଡ଼ି ସାହାଯ୍ୟରେ ପ୍ରଥମ ସ୍ୱୀଚ୍‍ଟାକୁ ଅଫ୍‍ କରିଦେଲେ । ଏଥିରେ ପ୍ରତିକ୍ରିୟା ସୃଷ୍ଟି ହେଲାନାହିଁ କିଛି । ତା ପରେ ଖୁବ୍ ସାବଧାନତା ସହକାରେ ଦ୍ଵିତୀୟ ସ୍ୱୀଚଟା ଅଫ୍‍ କରିଦେଲେ । ତତ୍‍କ୍ଷଣାତ୍ ‘ଘଡ଼୍ ଘଡ଼୍’ ଶବ୍ଦ କରି ଗହ୍ୱରଦ୍ଵାରଟା ଯୋଡ଼ିହୋଇ ସମତଳ ଚଟାଣରେ ପରିଣତ ହୋଇଗଲା । ତାହା ଏପରି ନିଖୁଣଭାବରେ ଯୋଡ଼ିହୋଇଗଲା ଯେ, ସେଠାରେ ଯେ ଯୋଡ଼ଅଛି, ତାହା ସହଜରେ ଜାଣିବାର ଉପାୟ ରହିଲା ନାହିଁ । ଗୃହ ନିର୍ମାଣର ଏ କୌଶଳ ଏବଂ ଏହାର ଉଦ୍ଦେଶ୍ୟ ବା କ’ଣ ଚିନ୍ତା କରି ବିସ୍ମିତ ହେଲେ ପ୍ରଦୀପବାବୁ ।

 

ଏଥର ନିର୍ଭୟରେ ସେ କୋଠରୀ ଭିତରକୁ ପାଦ ପକାଇଲେ । ପ୍ରଥମେ ସେ ଶବ ଦୁଇଟା ନିକଟକୁ ଯାଇ ଦେଖିଲେ....ରକ୍ତଗୁଡ଼ା ବହୁ ପରିମାଣରେ ବହି ଗାଲିଚା ଉପରେ ଜମାହୋଇ ରହିଛି । ସମ୍ପୂର୍ଣ୍ଣ ଶୁଖିଯାଇନି ଯଦିଓ, ତେବେ ବହଳିଆ ଧରିଆସୁଛି । ଅବ୍ୟର୍ଥ ଲକ୍ଷ୍ୟ ଠିକ୍ ହୃତପିଣ୍ଡ ଭେଦ କରିଛି । ସ୍ତ୍ରୀ ଲୋକଟାର ଶବକୁ ଭଲଭାବରେ ଲକ୍ଷ୍ୟକରି ସେ ଦେଖିଲେ, ତା’ର ମୁହଁଉପରେ ମାତ୍ର ଗୋଟାଏ ଆଘାତର ଚିହ୍ନ ଅଛି; କିନ୍ତୁ ଭବନାଥ ରାୟର ଦେହସାରା ଦାଗ ରହିଛି..ପରିଷ୍କାର ଧସ୍ତାଧସ୍ତି ଚିହ୍ନ । ଶବପାଖରୁ ଉଠିଆସିଲେ ସେ ପଲଙ୍କପାଖକୁ । ପଲଙ୍କଉପରେ ଶେଯ ଇତସ୍ତତଃ ଏବଂ ବିକ୍ଷିପ୍ତ । ତେଣୁ ଧସ୍ତାଧସ୍ତି ଯେ ତା’ରି ଉପରେ ହେଇଥିଲା,ଏଥିରେ ଆଉ କିଛି ସନ୍ଦେହ କରିବାର ନଥିଲା ତାଙ୍କପକ୍ଷରେ । ପାଖ ଟେବୁଲ ପାଖରେ ମଦ୍ୟପାତ୍ର । ମାଗ୍‍ନିଫାଇଂ ଗ୍ଳାସ୍‍ଦ୍ଵାରା ସେ କେତେଗୁଡ଼ିଏ ଆଙ୍ଗୁଳିର ଦାଗ ସ୍ପଷ୍ଟ ଦେଖିପାରିଲେ । ତତ୍‍କ୍ଷଣାତ୍ ବିଜୟବାବୁଙ୍କୁ ଡାକି ସେଗୁଡ଼ିକର ଫୋଟୋଗ୍ରାଫ୍‍ ଉଠାଇନେବାକୁ ନିର୍ଦ୍ଦେଶ ଦେଲେ । କୋଠରୀ ଭିତରେ ଆଉ କିଛି ବ୍ୟତିକ୍ରମ ଥିଲାପରି ବୋଧ ହେଲାନାହିଁ ତାଙ୍କୁ । ଆୟରନ୍‍ ଚେଷ୍ଟ୍‍ ଅବଶ୍ୟ ଦୁଇତିନିଟା ଥିଲା ଗୋଟାଏ କଡ଼ରେ । ମାତ୍ର ସେଥିରେ କେହି ହାତ ଦେଇଥିଲା ପରି ମନେହେଲା ନାହିଁ ତାଙ୍କର । ବାକି ରହିଲା ସେ ଗହ୍ୱରଟା । ସେଟା ଏତେ ସହଜଭାବରେ ଦେଖିବାକୁ ଉଚିତ୍‍ ମନେକଲେ ନାହିଁ ସେ । ଅଜୟବାବୁଙ୍କ ସହ କ’ଣ ପରାମର୍ଶ କରିବାପାଇଁ ଦ୍ଵାରପାଖକୁ ଚାଲିଆସିଲେ । କିଛି ସମୟ କ’ଣ ପରାମର୍ଶ କଲାପରେ ଅଜୟବାବୁ ଓ ବିଜୟବାବୁଙ୍କୁ ସାଥିରେ ଧରି ପ୍ରଦୀପବାବୁ ଆସିଲେ ଗହ୍ୱର ଥିବା ସ୍ଥାନକୁ ।

 

ସମସ୍ତଙ୍କୁ ନିରାପଦ ସ୍ଥାନରେ ରଖାଇ ସେ ସ୍ୱୀଚ୍ ଟାକୁ ଅନ୍ କରିଦେଲେ । ତତ୍‍କ୍ଷଣାତ୍ ସଶବ୍ଦେ ଗହ୍ୱରଟା ଖୋଲିହେଇଗଲା । ତା ଭିତରେ ଯେ ଏତେ କୌଶଳ ଅଛି ସେକଥା ଧାରଣା କରିନଥିଲେ ଅଜୟବାବୁ । ଗହ୍ୱର ଭିତରର ଗଭୀରତା କେତେ ତାହା ଜାଣିବାପାଇଁ ଖୁବ୍ ଶାକ୍ତିଶାଳୀ ଟର୍ଚ୍ଚଟାଏ ଆଣି ଭିତରକୁ ପକାଗଲା । ତଥାପି ଭିତରଟା ଅନ୍ଧକାର ଦେଖାଯାଉଛି । ତଳଦେଶ ସମ୍ବନ୍ଧରେ ସୂଚନା ମିଳୁନାହିଁ କିଛି । ଅଜୟବାବୁ ପରାମର୍ଶ ଦେଲେ....ଭବନାଥ ରାୟଙ୍କ ଲୋକଙ୍କୁ ଡାକି ପଚରାଯାଉ, କାଳେ ଗହ୍ୱର ସମ୍ବନ୍ଧରେ ସେମାନଙ୍କଠାରୁ କିଛି ତଥ୍ୟ ମିଳିପାରେ ।

 

ତାହାହିଁ ହେଲା । ଅଜୟବାବୁ ପୁଣିଥରେ ଜମିଦାର ଭବନାଥ ରାୟଙ୍କ ଲୋକମାନଙ୍କୁ ଡକାଇ ଗହ୍ୱର ବିଷୟରେ ପ୍ରଶ୍ନ କଲେ । ମାତ୍ର ଏ କକ୍ଷରେ ଗହ୍ୱରଟାଏ ଅଛି ବୋଲି ଦେଖି ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଅଜୟବାବୁ ବୁଝିଲେ.....ସମସ୍ତେ ଭବନାଥ ରାୟଙ୍କର ଚାକର ସତ, କିନ୍ତୁ ସେମାନେ ଏ କୋଠରୀକୁ ଆସିବାର ସୁବିଧା ପାଇନାହାନ୍ତି କେବେହେଲେ । ତେଣୁ ଏଠାରେ ଯେ ଗହ୍ୱରଟାଏ ଥିଲା, ସେକଥା ସେମାନେ ଜାଣନ୍ତି ନାହିଁ ।

 

ପ୍ରଦୀପବାବୁଙ୍କ ମନରେ ଏ କଥାଟା ବଡ଼ ଗଭୀରଭାବରେ ରେଖାପାତ କଲା । ସେ ଚିନ୍ତା କଲେ.....ଲୋକମାନେ ଯଦି ସତ କହୁଥାନ୍ତି, ତେବେ ଜମିଦାର ଭବନାଥ ନିଜର ଶୟନକକ୍ଷରେ ଗୋଟାଏ ଗହ୍ୱର ରଖି ତାହା ସମସ୍ତଙ୍କର ଅଜ୍ଞାତ ରଖିଥାନ୍ତେ କାହିଁକି ? ନିଶ୍ଚୟ କିଛି ନା କିଛି ରହସ୍ୟ ଅଛି ୟା ପଛରେ । ତେଣୁ ଗହ୍ୱର ଭିତରଟା ଦେଖିବାପାଇଁ ତାଙ୍କର କୌତୁହଳ ବହୁଗୁଣିତ ହୋଇଉଠିଲା । ସେ ଗୋଟାଏ ଖୁବ୍ ଶକ୍ତ ଏବଂ ଲମ୍ବା ରସି ଆଣି ଶକ୍ତଭାବରେ ବାନ୍ଧିଦେଲେ ଘର ଛାତକଡ଼ରେ । ସେଟାକୁ ଗହ୍ୱର ଭିତରକୁ ବୋଲି ଲମ୍ବାଇଦେଇ ଅନ୍ତତଃ ତିରିଶ ଫୁଟ ଗଭୀରତା ପରେ ତଳେ ଲାଗିବାର ସୂଚନା ପାଇଲେ ।

 

ଏଥର ସମସ୍ୟା ହେଲା...କିଏ ଯିବ ତା ଭିତରକୁ ? ବିପଦର ଘୋର ସମ୍ଭାବନା ଅଛି ତା ଭିତରେ । କାହାରି ସାହସ କୁଳାଉନାହିଁ । ପ୍ରଥମେ କେତେଜଣ ପୋଲିସ୍ ପଠାଇବାକୁ ଅଜୟବାବୁ ପରାମର୍ଶ ଦେଲେ । ଅବଶ୍ୟ ନିଜର ଦୁର୍ବଳତାଟା ବାହାରେ ପ୍ରକାଶ ପାଇବାକୁ ସୁଯୋଗ ଦେଲେ ନାହିଁ । ମାତ୍ର ଚତୁର ପ୍ରଦୀପବାବୁ ସେତକ ଜାଣିପାରିବାରେ କିଛି କଷ୍ଟ ହେଲା ନାହିଁ । ସେ ଦେଖିଲେ, ଆଦେଶ ପାଇଲେ ଚାକିରି ଭୟରେ ପୋଲିସ୍ କେତେଜଣ ଯାଇପାରନ୍ତି; ମାତ୍ର ବିଚରା ନିରୀହ ଲୋକ, ଯଦି ତା’ ଭିତରେ ବିପଦ ଘନେଇଆସେ ସେମାନଙ୍କ ଉପରେ, ତେବେ ?

 

ପ୍ରଦୀପବାବୁ କହିଲେ, ‘ଆଚ୍ଛା, ମୁଁ ଯିବି । ଆପଣ ମୋର ସଙ୍କେତକୁ ଅପେକ୍ଷା କରିଥିବେ । ମୁଁ ଦଉଡ଼ିଟା ହଲେଇଦେଲେ ଆପଣ ଯିବେ । ଯଦି ମୋର ଅଧିକ ବିଲମ୍ବ ହୁଏ ତେବେ ବହୁତ ଆୟୋଜନ ସହ ଭିତରେ ପଶିବେ ।’

 

ବିଜୟବାବୁ ଆଗେଇଆସି କହିଲେ... ‘ମୁଁ ବି ଯିବି ଆପଣଙ୍କ ସାଙ୍ଗରେ । ଦୈବାତ୍‍ ଯଦି ଦରକାର ପଡ଼େ, ତେବେ ସାଙ୍ଗରେ ଜଣେ ଥିବା ତ ନିହାତି ଦରକାର ।’

 

ପ୍ରଦୀପବାବୁ ଦେଖିଲେ, ବିଜୟ ଯାହା କହୁଛି, ନିହାତି ଭୁଲ୍‍ ନୁହେଁ । ସେ କହିଲେ...‘ବେଶ୍, ତେବେ ପ୍ରସ୍ତୁତ !’

 

ସର୍ବପ୍ରଥମେ ପ୍ରଦୀପବାବୁ ଶକ୍ତିଶାଳୀ ଟର୍ଚ୍ଚଲାଇଟ୍‍ଟି ଜଳାଇ ଦଉଡ଼ି ଧରି ଖସିବାକୁ ଲାଗିଲେ ତଳକୁ । ତାଙ୍କ ପଛେ ପଛେ ହାତରେ ଲୋଡେଡ୍ ରିଭଲ୍‍ଭର୍ ନେଇ ବିଜୟବାବୁ । ପ୍ରଦୀପବାବୁଙ୍କର ଗୋଟାଏ ହାତ ଦଉଡ଼ିରେ ଏବଂ ଆର ହାତଟା ଟର୍ଚ୍ଚ ଉପରେ । ବିଜୟବାବୁଙ୍କର ଗୋଟାଏ ହାତ ଦଉଡ଼ି ଏବଂ ଆର ହାତଟା ରିଭଲ୍‍ଭର୍ ଉପରେ ଦୃଢ଼ ଭାବରେ ରହିଥାଏ । ପ୍ରଦୀପବାବୁ ତଳକୁ ତଳକୁ ଯିବା ସଙ୍ଗେ ସଙ୍ଗେ ଗୁହାଟାର ସବୁଦିଗକୁ ବୁଲାଇ ଟର୍ଚ୍ଚ ପକାଉଥାନ୍ତି । ଦୃଷ୍ଟିରେ ତାଙ୍କର ଖାଲି ଚାରି କାନ୍ଥ ବ୍ୟତୀତ ଆଉ କିଛି ପଡ଼ୁନଥାଏ । ଭିତରୁ ଗୋଟାଏ କିପରି ଅସ୍ଵାସ୍ଥ୍ୟକର ବାଷ୍ପ ଶ୍ଵାସରୁଦ୍ଧ କଲାପରି ଜଣାଯାଉଥାଏ ।

 

ଥୋଡ଼ାଏ ଗଭୀରକୁ ଖସିଗଲା ପରେ ପ୍ରଦୀପବାବୁ ଦେଖିଲେ, ଚଟାଣଟା ଦିଶିଲାଣି । ତଳଟା ପକ୍‍କା । କେତେବେଳେ ଯେ କି ବିପଦ ଘଟିଯିବ ସେ ଆଶଙ୍କାରେ ଉଦ୍‍ବେଳିତ ହୋଇଉଠୁଥାଏ ଦୁହିଁଙ୍କର ମନ । ଚଟାଣ ପାଖେଇ ଆସିବା ସଙ୍ଗେ ସଙ୍ଗେ ବିପଦର ଅଧିକ ଆଶଙ୍କା କରୁଥିଲେ ପ୍ରଦୀପବାବୁ । ମନରେ ଯଦି ଥରେ ଭୟ ବା ଆଶଙ୍କାର ଉଦୟ ହେଲା ତେବେ ସେ ନାନା ପ୍ରକାର ଭୟଙ୍କର ରୂପ ଧରି ଆଗରେ ଆସି ଠିଆହୁଏ । ଏ କ୍ଷେତ୍ରରେ ତାହାହିଁ ହେଲା । ପ୍ରଦୀପବାବୁଙ୍କୁ ବୋଧ ହେଲା ଯେପରି ତଳେ ଅନେକଗୁଡ଼ାଏ ଭୀମକାୟ ଲୋକ ନାନାପ୍ରକାର ମାରଣାସ୍ତ୍ରରେ ସୁସଜ୍ଜିତ ହୋଇ ତାଙ୍କୁ ହତ୍ୟା କରିବାପାଇଁ ଉଦ୍ୟତ ହୋଇ ରହିଛନ୍ତି । ତାଙ୍କର ଠିକ୍ ଉପରକୁ ଖସୁଥିଲେ ବିଜୟବାବୁ । ପ୍ରଦୀପବାବୁ ଯେଉଁଆଡ଼କୁ ଟର୍ଚ୍ଚ ଲାଇଟ ପକାଉଥାନ୍ତି ସେ ସେହି ଦିଗକୁ ଲକ୍ଷ୍ୟ କରୁଥାନ୍ତି ରିଭଲ୍‍ଭର୍ । କିନ୍ତୁ ତାଙ୍କର ସତର୍କ ଦୃଷ୍ଟି ସେପରି କୌଣସି ସନ୍ଦେହଜନକ ପଦାର୍ଥ ଉପରେ ପଡ଼ୁନଥାଏ ।

 

ପ୍ରଦୀପବାବୁଙ୍କ ପାଦ ଚଟାଣରେ ଲାଗିଲା । ସେ ଚଟ୍ କରି ଟର୍ଚ୍ଚଟା ଲିଭାଇଦେଲେ । ତାଙ୍କ ପଛେ ପଛେ ନିଃଶବ୍ଦରେ ଅବତରଣ କଲେ ବିଜୟବାବୁ । ଶ୍ଵାସରୁଦ୍ଧ କରି ଦୁହେଁ ଅପେକ୍ଷାକଲେ କିଛି ସମୟ କୌଣସି ବିପଦର ଆଶଙ୍କାରେ । ମାତ୍ର ବିପଦ କିଛି ନଥିଲା ।

 

ବିଜୟବାବୁଙ୍କୁ ସତର୍କ ରହିବାପାଇଁ ଇଙ୍ଗିତ କରି ପ୍ରଦୀପବାବୁ ଟର୍ଚ୍ଚ ଜଳାଇପକାଇଲେ ଚାରିଆଡ଼କୁ । ତଳଆଡ଼କୁ ଗୁହାଟା ବିସ୍ତୃତ । ତା’ର ପ୍ରତ୍ୟେକ ଅଂଶରେ ଲାଇଟ୍ ପକାଇ ଦେଖୁଥିଲେ ପ୍ରଦୀପବାବୁ । ହଠାତ୍ ଗୋଟାଏ କୋଣରେ ଲାଇଟ୍ ଅଟକିଗଲା । ଆଲୋକଟା ଯାହା ଉପରେ ସ୍ଥିର ହୋଇଗଲା, ସେଟା ଗୋଟାଏ ଆୟରନ୍ ଚେଷ୍ଟ୍‍ । ଆକାର ତା’ର ଅତି ବଡ଼ ନ ହେଲେ ବି ସାନ ନୁହେଁ । ଏତେ ଗୋପନରେ ଚେଷ୍ଟ୍‍ଟା ରଖିବାର କାରଣ କ’ଣ ହୋଇପାରେ ତାହା ଅନୁମାନ କରିପାରିଲେ ଦୁହେଁ ।

 

ଚରମ ସତର୍କତା ଅବଲମ୍ବନ କରି ଦୁହେଁ ଚେଷ୍ଟ୍‍ ପାଖରେ ପହଞ୍ଚିଲେ । ପ୍ରଦୀପବାବୁ ପକେଟରୁ ଚାବି ଗୋଛାଟା କାଢ଼ି ଗୋଟାକ ପରେ ଗୋଟାଏ କାଠି ଲଗାଇ ଖୋଲିବାକୁ ଚେଷ୍ଟା କଲେ ଚେଷ୍ଟ୍‍ଟା । କେତେଟା କାଠି ଲଗାଇ ଚେଷ୍ଟା କଲାପରେ ଖୋଲିଗଲା ଚେଷ୍ଟ୍‍ଟା । ପ୍ରଦୀପବାବୁ ସେଟା ମେଲା କରିଦେଲେ । ଯାହା ଦେଖିଲେ, ସେଥିରେ ସେ ଏତେଦୂର ଚମକିପଡ଼ିଲେ ଯେ, ହୁଏତ ହଠାତ୍ ଆଖି ଆଗରେ ଭୂତ ଦେଖିଥିଲେ ଲୋକ ଏତେଦୂର ଭୟଭୀତ ହୋଇ ଚମକି ପଡ଼ି ନ ଥାନ୍ତା ।

 

ଏତେଗୁଡ଼ାଏ ସୁନା ସେ ଆଗରୁ କେବେ ଏକାଠି ଦେଖିନଥିଲେ । ଛୋଟ ଛୋଟ ଖଣ୍ଡ ସୁନାରେ ସାରା ଆଲ୍‍ମିରାଟା ଭର୍ତ୍ତିହୋଇ ରହିଥିଲା । ସବା ତଳଥାକରେ କେତେଖଣ୍ଡ ଡାଏରୀ ଖାତା । ତା’ ପାଖକୁ ଛୋଟିଆ କାଠ ବାକ୍‍ସଟିଏ । ସେ ଡାଏରୀରେ ନିଶ୍ଚୟ କିଛି ଗୋପନୀୟ ଏବଂ ମୂଲ୍ୟବାନ ତଥ୍ୟ ରହିଥିବ ବୋଲି ଅନୁମାନ କଲେ ପ୍ରଦୀପବାବୁ । ସେ ଯାହାହେଉ, ଆଲମିରାଟା ଉପରକୁ ନେବାକୁ ହେବ । ସେ ତ ଜଣେ ଦୁଇଜଣ ଲୋକର କାମ ମଧ୍ୟ ନୁହେଁ । ଅଗତ୍ୟା ଦୁହେଁଯାକ ଆଉଥରେ ଭଲକରି ଦେଖିନେଲେ ଗହ୍ୱରଟା । ତା’ପରେ ପ୍ରଦୀପବାବୁ ଚେଷ୍ଟ୍‍ଟାରେ ଚାବି ପକାଇଦେଇ ବିଜୟବାବୁଙ୍କୁ ନିର୍ଦ୍ଦେଶ ଦେଲେ ଉପରକୁ ଉଠିବାକୁ । ତାଙ୍କ ପଛେପଛେ ସ୍ଵୟଂ ସେ ।

 

ଉପରେ ତାଙ୍କୁ ବଡ଼ ବ୍ୟଗ୍ରଭାବରେ ଅପେକ୍ଷା କରିଥିଲେ ଅଜୟବାବୁ ଏବଂ ଅନ୍ୟମାନେ-। ପ୍ରଦୀପବାବୁ ଅଜୟବାବୁଙ୍କୁ ସବୁକଥା ଜଣାଇ ଚେଷ୍ଟ୍‍ଟା ଖୁବ୍ ସାବଧାନତାର ସହିତ ଅଣାଇବାର ବ୍ୟବସ୍ଥା କରିବାକୁ କହିଗଲେ । ତାଙ୍କର ବର୍ତ୍ତମାନ ଲକ୍ଷ୍ୟ ହେଲା.....ଗତରାତିରେ ହତ୍ୟାକାରୀ ଯେଉଁବାଟେ ପଳାଇଥିଲା, ସେହି ବାଟଟା ଅନୁସନ୍ଧାନ କରିବା; କାଳେ ସେଥିରୁ କିଛି ତଥ୍ୟ ମିଳିଯାଇପାରେ ।

 

ଜମିଦାର ଭବନାଥ ରାୟଙ୍କ ଲୋକଙ୍କ ସହାୟତାରେ ସେ ତିନିମହଲା ଉପରେ ପଳାୟନ ପଥଟା ଦେଖି ଦେଖି ଯାଉଥିଲେ । ସେଠାରେ ବିଶେଷ କିଛି ଚିହ୍ନ ନାହିଁ; ଖାଲି କାନ୍ଥରେ କେତେଗୁଡ଼ିଏ ରିଭଲଭର୍ ଗୁଳିର ଚିହ୍ନ । ଏସବୁ ହତ୍ୟାକାରୀ ଆଉ ଜମିଦାର ଭାବନାଥ ଲୋକଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟର ଫଳ ଛଡ଼ା ଆଉ କିଛି ନୁହେଁ ।

 

ପାରାପେଟ୍ ପାଖରେ ପହଞ୍ଚି ସେ ଦେଖିଲେ, ସେଠାରେ ମଧ୍ୟ କିଛି ଚିହ୍ନ ନାହିଁ । ମାତ୍ର ଲୋକଙ୍କଠାରୁ ପଚାରି ବୁଝିଲେ ଯେ, ହତ୍ୟାକାରୀ ଏଇଠାରୁ ତଳକୁ ଡେଇଁପଡ଼ିଥିଲା । ପ୍ରଦୀପବାବୁ ଦେଖିଲେ–ଲୋକେ ଯାହା କହୁଛନ୍ତି ତାହା ଆଦୌ ସମ୍ଭବ ନୁହେଁ । ଏତେ ଉଚ୍ଚରୁ ଜଣେ ଡେଇଁପାରିବ ନାହିଁ । ଯଦି ବା ସେ ପ୍ରାଣଭୟରେ ଡେଇଁପଡ଼ିବ ତେବେ ତା’ ପରମୁହୂର୍ତ୍ତରେ ଆଉ ଉଠିପାରିବ ନାହିଁ । ଡେଇଁପଡ଼ିବା କଥାଟା କେତେଦୂର ସତ ହୋଇପାରେ ତାହା ଦେଖିବାପାଇଁ ସେ ତଳକୁ ଓହ୍ଲାଇ ପାଇପ୍ ନିକଟରେ ପହଞ୍ଚିଗଲେ ।

 

କେହି ପଡ଼ିଯିବାର ଚିହ୍ନ ମିଳିବାରେ କଷ୍ଟ ହେଲା ନାହିଁ । କିନ୍ତୁ ତାହା ଏତେ ଉଚ୍ଚରୁ ଡେଇଁବାର ବା ପଡ଼ିବାର ଚିହ୍ନ ନୁହେଁ । ମାଟିରେ ପଡ଼ିଥିବା ଚିହ୍ନରୁ ତାହା ଯେ ଅଳ୍ପଉଚ୍ଚରୁ ପଡ଼ିଥିବା ଜିନିଷର ଚିହ୍ନ ତାହା ସେ ନିଃସନ୍ଦେହ ଭାବରେ ବୁଝିପାରିଲେ । ଲୋକଟା ତେବେ ପାଇପ୍‍ରେ ଓହ୍ଳାଉ ଓହ୍ଳାଉ ଅଧାରୁ ପଡ଼ିଯାଇଥିବା ବିଶ୍ଵାସ'...ଏଇ ଧାରଣା ମନରେ କରି ସେ ପାଦଚିହ୍ନ ଆଶାରେ ଆଖି ବୁଲାଉ ବୁଲାଉ ଗୋଟାଏ ସ୍ଥାନରେ ତାଙ୍କର ଦୃଷ୍ଟି ଆବଦ୍ଧ ହୋଇ ରହିଗଲା । ଘାସ ଉପରେ ମେଞ୍ଚାଏ ରକ୍ତ; ତା’ଠାରୁ ଟିକିଏ ଛାଡ଼ି ଆଉ ମେଞ୍ଚାଏ । ପରିମାଣ ତା’ର ନିତାନ୍ତ ଅଳ୍ପ ନୁହେଁ କି ସେଗୁଡ଼ିକ ବେଶି ସମୟ ତଳର ନୁହେଁ । ଏଥର ସବୁ ଘଟଣା ସ୍ପଷ୍ଟ ହୋଇଉଠିଲା ତାଙ୍କ ଆଖି ଆଗରେ । ସେ ଜାଣିଲେ ଯେ, ହତ୍ୟାକାରୀ ସହିତ ଭବନାଥ ରାୟଙ୍କ ଲୋକମାନଙ୍କର ଗୁଳି ବିନିମୟ ହେବାଫଳରେ ସେ ଆହତ ହୋଇଛି, ଯାହାଫଳରେ ସେ ପାଇପ୍‍ବାଟେ ଓହ୍ଲାଇ ଆସୁ ଆସୁ ଖସିପଡ଼ିଛି । ପଳାୟନ ସମୟରେ ତା’ର ଆଘାତ ସ୍ଥାନରୁ ଏ ରକ୍ତ ବହି ଏଠି ସେଠି ପଡ଼ିଛି ।

 

ସାମାନ୍ୟ ମାତ୍ର ସୂତ୍ର ପାଇ ବିଜୟବାବୁ ବିଜୟଗର୍ବରେ ହସିଉଠି ପ୍ରଦୀପବାବୁଙ୍କୁ କହିଲେ...,ତା’ ହେଲେ ତ ହତ୍ୟାକାରୀ ଖୁବ୍ ଶୀଘ୍ର ଧରାପଡ଼ିବା ସୁନିଶ୍ଚିତ ?'

 

'ଦେଖାଯାଉ କ’ଣ ହେଉଛି'...କହି ପ୍ରଦୀପବାବୁ ପୁଣି ଆଗେଇଲେ ରକ୍ତଦାଗ ଅନୁସରଣ କରି । ଫାଟକ ପର୍ଯ୍ୟନ୍ତ ଯାଇ ଦେଖିଲେ, ଫାଟକ ଉପରେ ବି କେତେଗୁଡ଼ାଏ ରକ୍ତର ଛିଟା ଲାଗିଛି । ତେଣିକି ରାସ୍ତା । ହୁଏତ ଆହୁରି ରକ୍ତର ଦାଗ ସେ ପାଇପାରିଥାନ୍ତେ । ମାତ୍ର ଲୋକଙ୍କ ମଡାଦଳାରେ ରାସ୍ତାଜାକ ପାଦଚିହ୍ନ ପୁରିଯାଇଥିଲା । ତେଣୁ ସେଦିଗରେ ବୃଥା ସମୟ ଏବଂ ଶକ୍ତିବ୍ୟୟ କରିବାକୁ ଉଚିତ ମନେ ନକରି ବିଜୟବାବୁଙ୍କୁ ଲକ୍ଷ୍ୟକରି ସେ କହିଲେ...'ବିଜୟ ! ଏଥର ଟାଇଗର୍‍କୁ ଆଣ ।'

 

ଟାଇଗର୍ କିନ୍ତୁ ସମସ୍ତଙ୍କ ମନରେ ବିସ୍ମୟ ସୃଷ୍ଟି କରିଥିଲା ସେତେବେଳକୁ । କାରଣ ପ୍ରଦୀପବାବୁ ତାକୁ ଯେଉଁଠାରେ ବସିବାକୁ ନିର୍ଦ୍ଦେଶ ଦେଇଥିଲେ ସେ ସେହିଠାରେ ହିଁ ବସି ରହିଥିଲା । ତାକୁ ସେଠାରୁ ଘୁଞ୍ଚ।ଇବାକୁ ଯେ ଯେତେ ଚେଷ୍ଟା କଲେ, ଏପରିକି, ଖାଦ୍ୟର ପ୍ରଲୋଭନ ଦେଖାଇଲେ ସୁଦ୍ଧା ଟିକେମାତ୍ର ଟଳାଇପାରିଲେ ନାହିଁ । ନିଜେ ଅଜୟବାବୁ ମଧ୍ୟ ଚେଷ୍ଟାକରି ବିଫଳ ହୋଇଥିଲେ । ମାତ୍ର ବିଜୟବାବୁ ଇଙ୍ଗିତ କଲାମାତ୍ରେ ଟାଇଗର୍ ଚାଲିଲା ତାଙ୍କ ପଛେ ପଛେ ।

 

ପ୍ରଦୀପବାବୁ ଟାଇଗର୍‍କୁ ଟିକିଏ ଆଉଁସିଦେଇ ତଳେପଡ଼ିଥିବା ରକ୍ତକୁ ଶୁଙ୍ଘାଇଦେଇ ଛାଡ଼ିଦେଲେ । ଟାଇଗର୍ ଏଥର ମାଟି ଶୁଙ୍ଘି ଶୁଙ୍ଘି ଆଗେଇ ଚାଲିଲା । କ୍ରମେ ସେ ଫାଟକ ଅତିକ୍ରମ କରି ଗଳିରାସ୍ତା ଧରିଲା । ପଛେ ପଛେ ତା’ର ଚାଲିଥାନ୍ତି ପ୍ରଦୀପବାବୁ ଆଉ ବିଜୟବାବୁ । ସେ ଯାଉଯାଉ ମେନ୍‍ରୋଡ ନିକଟରେ ପହଞ୍ଚି ଅଟକିଗଲା; ସେଠାରେ ଏଣିକି ତେଣିକି ଚାହିଁ ଉଣ୍ଡିବାରେ ଲାଗିଲା । ପ୍ରଦୀପବାବୁ ତା’ର ଢଙ୍ଗ ବୁଝିପାରିଲେ । ସେ ଲକ୍ଷ୍ୟକରି ଦେଖିଲେ, ତେଣିକି ଗୋଟାଏ ଜିପ୍‍ର ଚକଚିହ୍ନ ପଡ଼ିଛି । ଖଣ୍ଡେ ଦୂରରେ ଜିପ୍‍ଟା ଟର୍ଣ୍ଣିଂ ନେଇଛି । ସେ ଚିହ୍ନ ମଧ୍ୟ ସ୍ପଷ୍ଟ ରହିଛି । 'ହତ୍ୟାକାରୀ ତାକୁ ଅନୁସନ୍ଧାନ କରିବାର ସମସ୍ତ ପଥ ଏଇଠି ରୁଦ୍ଧକରି ଜିପ୍‍ରେ ବସି ଆତ୍ମରକ୍ଷା କରିଛି । ଆଉ ବୃଥା ଅନୁସନ୍ଧାନରେ ଲାଭ ନାହିଁ'...ଏହିପରି ହତାଶ ଭାବନା ନେଇ ସେ ଫେରିପଡ଼ିବାବେଳକୁ ଦେଖିଲେ, ଟାଇଗର୍ କନାଖଣ୍ଡେ ଦାନ୍ତରେ କାମୁଡ଼ିଧରି ଆସୁଚି ତାଙ୍କରି ଆଡ଼େ । ତାଙ୍କ ମନରେ ପୁନରାୟ ଆଶାର ସଂଞ୍ଚ।ର ହେଲା । କାରଣ ଟାଇଗର୍ ବୃଥାରେ କିଛି କରେ ନାହିଁ । ସେ ତା’ର ଆସିବା ପର୍ଯ୍ୟନ୍ତ ଅପେକ୍ଷା କଲେ ।

 

ଟାଇଗର୍ ପ୍ରଦୀପବାବୁଙ୍କ ନିକଟକୁ ଆସି ତାଙ୍କ ପାଦପାଖରେ ପକାଇଦେଲା କନାଖଣ୍ଡକ । ପ୍ରଦୀପବାବୁ ଦେଖିଲେ, କନାଟା ରକ୍ତରେ ଜୁଡ଼ୁବୁଡ଼ୁ । ସେଟା କିଛି ବାଜେ କନା ଖଣ୍ଡେ ମଧ୍ୟ ନୁହେଁ–ଗୋଟାଏ ଭଲ ରୁମାଲ୍‍ । ତା’ର ଗୋଟାଏ କୋଣରେ ରଙ୍ଗୀନ ସୂତାରେ ସିଲାଇ ହୋଇ ଲେଖାଅଛି ଇଂରାଜୀରେ ଦୁଇଟି ଅକ୍ଷର...ଏ, ଏସ୍ । ହଜିଯାଇଥିବା ଘଟଣାଟା ପୁଣି ଜଳଜଳ ହୋଇ ଦିଶିଗଲା ତାଙ୍କ ଆଖି ଆଗରେ । ହତ୍ୟାକାରୀ ନିଜ ଆଘାତସ୍ଥାନର ରକ୍ତସ୍ରାବ ବନ୍ଦ କରିବା ପାଇଁ ହୁଏତ ଏଇ ରୁମାଲଖଣ୍ଡିକ ବ୍ୟବହାର କରିଛି ଏବଂ ଜିପ୍‍ରେ ବସିବା ପୂର୍ବରୁ ଏ ଅରମା ଭିତରକୁ ସେଟା ପକେଇଦେଇ ଯାଇଛି, ଯାହାକୁ କି ଟାଇଗର୍ ବର୍ତ୍ତମାନ ଖୋଜି ଆଣିଲା ।

 

ସେ ଖଣ୍ଡିକୁ ସେ ଅତି ଯତ୍ନର ସହିତ କାଗଜରେ ଗୁଡ଼ାଇରଖିଲେ । ତାପରେ ପୁଣି ସେ ଫେରିଲେ ଜମିଦାର ଭବନାଥ ରାୟଙ୍କ ପ୍ରାସାଦ ଆଡ଼କୁ ।

 

ଅଜୟବାବୁ ସେତେବେଳକୁ ଚେଷ୍ଟ୍‍ଟା ଉଠାଇ ଆଣିସାରିଥିଲେ ଗହ୍ୱରଭିତରୁ । ଅନ୍ୟାନ୍ୟ ଚେଷ୍ଟ୍‍ଗୁଡ଼ାକ ଖୋଲାଖୋଲି କରି ଖାଲି କେତେଶହ ଟଙ୍କା ଛଡ଼ା ଆଉ କିଛି ମିଳିଲା ନାହିଁ-। ଆଉ କେତେଟା ଫଟୋ ନେଇସାରି ଲାସ୍ ଦି’ଟା ପୋଷ୍ଟମୋର୍ଟମ୍ ପାଇଁ ପଠାଇଦେଲେ ପ୍ରଦୀପବାବୁ । ଚେଷ୍ଟ୍‍ଟାକୁ ନିଜ ଜିପ୍‍ରେ ଲଦି ସେ ବାହାରିଲେ ପୋଲିସ୍ ହେଡ଼୍‍କ୍ୱାର୍ଟର ଅଭିମୁଖେ । ଘରଟାକୁ ବନ୍ଦ କରିଦେଇ ତାଙ୍କ ପଛେ ପଛେ ଅଜୟବାବୁ ମଧ୍ୟ ବାହାରିଗଲେ ।

 

(ତିନି)

 

ପ୍ରାୟ ପନ୍ଦରଦିନ ଅତିବାହିତ ହୋଇଯାଇଛି ଏଥିମଧ୍ୟରେ । ଏହି ସୁଦୀର୍ଘ ସମୟ ଭିତରେ ବାହାରେ ଯେପରି ଉଲ୍ଲେଖଯୋଗ୍ୟ ଘଟଣା ନ ଘଟିଲେ ସୁଦ୍ଧା ପୋଲିସ୍ କର୍ତ୍ତୁପକ୍ଷ ନୀରବ ହୋଇ ରହିନାହାନ୍ତି । ବିଭିନ୍ନ ସୂତ୍ର ଧରି ଅନୁସନ୍ଧାନ କରାଯାଇଛି । ଫଳରେ କେତୋଟି ଛୋଟ ଛୋଟ ଅପରାଧମୂଳକ ଘଟଣା ଏବଂ ଅପରାଧୀ ଧରାପଡ଼ିଛନ୍ତି । ମାତ୍ର ପ୍ରକୃତ ଏବଂ ଅସଲ ଘଟଣା ସହିତ ତା’ର କିଛି ସମ୍ପର୍କ ନାହିଁ । ଏତେ ବଡ଼ ହତ୍ୟାକାଣ୍ଡଟା ଯେ ବାଁଏ ବାଁଏ ଲୁଚିଯିବ, ତାହା ବି କମ୍ ନିନ୍ଦାର କଥା ନୁହେଁ । ପ୍ରଦୀପବାବୁ ସବୁବେଳେ ଚିନ୍ତିତ ସେଥିପାଇଁ । ତାଙ୍କ ନିଜ ଉପରୁ ମଧ୍ୟ ବିଶ୍ୱାସ ହରାଇବସିଲେଣି ସେ । ସବୁବେଳେ ମନରେ ଗୋଟିଏ ଆଶଙ୍କା...ହତ୍ୟାକାରୀ କ’ଣ ପବନରେ ମିଳାଇଗଲା ? କ୍ରମେ କ୍ରମେ ସେ ହତୋତ୍ସାହିତ ହୋଇପଡ଼ୁଥିଲେ ।

 

ପ୍ରଦୀପବାବୁଙ୍କ ପରି ବିଖ୍ୟାତ ଡିଟେକ୍‍ଟିଭ୍‍ ଯେତେବେଳେ କେଶ୍‍ଟାର ଦାୟିତ୍ଵ ଆରମ୍ଭରୁ ନେଇଛନ୍ତି, ସେତେବେଳେ ଖୁବ୍‍ଶୀଘ୍ର ସେ ଯେ ୟାର ସମାଧାନ କରିଦେବେ...ଏପରି ଆଶା ଖାଲି ପୋଲିସ୍ କର୍ମକର୍ତ୍ତା ନୁହନ୍ତି, ଜନସାଧାରଣ ମଧ୍ୟ କରୁଥିଲେ । ମାତ୍ର ଏତେଦିନ ମଧ୍ୟରେ ନୂଆ କିଛି ଆଶାଜନକ ପ୍ରତିକ୍ରିୟା ଦେଖାନଯିବାରୁ କ୍ରମେ ଜନସାଧାରଣଙ୍କ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ସୃଷ୍ଟି ହେଲା । ସମ୍ବାଦପତ୍ରମାନଙ୍କରେ ପୋଲିସ୍ ବିଭାଗର ଅପାରଗତା ସମ୍ବନ୍ଧରେ ନାନାପ୍ରକାର କଟୁକ୍ତି ଓ ସମାଲୋଚନା ପ୍ରକାଶ ପାଇବାରେ ଲାଗିଲା, ଯେଉଁଟା କି ପ୍ରଦୀପବାବୁଙ୍କ ପକ୍ଷରେ ନିତାନ୍ତ ଅସହ୍ୟ ଥିଲା । ଚାକିରିକାଳ ଭିତରେ ସେ କେବଳ ସୁନାମ ଅର୍ଜନ କରିଆସିଛନ୍ତି । ଏବେ ସମାଲୋଚନାଗୁଡ଼ାକ ତାଙ୍କ କଲିଜାରେ ଛୁରୀ ଚଳାଇଦେବାପରି ଜଣାଗଲା । ଲଜ୍ଜାରେ ମ୍ରିୟପ୍ରାଣ ହୋଇ ସେ ଆଉ ବାହାରକୁ ଯିବାକୁ ସାହସ କରିପାରିଲେ ନାହିଁ ।

 

ସେଦିନ ତାଙ୍କ ବାସଭବନରେ କେତେଜଣ ଉଚ୍ଚ ପୋଲିସ୍ କର୍ତ୍ତାଙ୍କ ସହ ଉପସ୍ଥିତ ହେଲେ ସ୍ଵୟଂ ପୋଲିସ୍ କମିଶନର ମି. ବ୍ରାଉନ୍ । ମି. ବ୍ରାଉନ୍ ବଡ଼ କର୍ତ୍ତବ୍ୟପରାୟଣ ଏବଂ ନିୟମାନୁବର୍ତ୍ତୀ ଅଫିସର । ସେଥିପାଇଁ ନିମ୍ନସ୍ଥ କର୍ମଚାରୀମାନେ ତାଙ୍କୁ ଭାରି କଡ଼ାଲୋକ ବୋଲି ଅଭିହିତ କରନ୍ତି । ମି. ବ୍ରାଉନ୍ ଗଭୀର ଶ୍ରଦ୍ଧା କରନ୍ତି ପ୍ରଦୀପବାବୁଙ୍କୁ । ଦୀର୍ଘଦିନଧରି ତାଙ୍କଠାରୁ କୌଣସି ଖବର ନ ପାଇବାରୁ ସେ ଖବରଟା କ’ଣ ବୁଝିବାପାଇଁ ଧାଇଁଆସିଥିଲେ କେତେଜଣ ଅଫିସରଙ୍କୁ ସାଥିରେ ଧରି ।

 

ସେମାନେ ସେଠାରେ ପହଞ୍ଚିବାବେଳେ ପ୍ରଦୀପବାବୁ ଆଉ ବିଜୟବାବୁ ଦୁହେଁ ଥିଲେ ପ୍ରଦୀପବାବୁଙ୍କ ବାସଭବନର ତୃତୀୟ ମହଲା ମନ୍ତ୍ରଣାକକ୍ଷରେ । ଏଇ କକ୍ଷଟି ଖାଲି ମନ୍ତ୍ରଣା କକ୍ଷ ନୁହେଁ, ଗୁପ୍ତ କୋଠରୀ ମଧ୍ୟ । ପ୍ରଦୀପବାବୁଙ୍କ ବାସଭବନ ଏକ ଆଧୁନିକ ଢାଞ୍ଚାରେ ନିର୍ମିତ ଦ୍ଵିତଳ ପ୍ରାସାଦ । ମାତ୍ର ଦ୍ଵିତଳ ସହିତ ଏ ପ୍ରସ୍ଥଟି ଏପରିଭାବରେ ନିର୍ମିତ ଯେ କେହି ସେଠାରେ ଗୋଟାଏ କକ୍ଷ ଅଛି ବୋଲି ଅନୁମାନ ସୁଦ୍ଧା କରିପାରିବ ନାହିଁ । ପ୍ରଦୀପବାବୁଙ୍କ ଦ୍ଵିତଳସ୍ଥ ଶୟନକକ୍ଷରୁ ଏ ମହଲାକୁ ଗୁପ୍ତଦ୍ଵାର ରହିଛି । କେବଳ ବିଜୟବାବୁ ଆଉ ପ୍ରଦୀପବାବୁଙ୍କ ବ୍ୟତୀତ ସେ ପଥ ଅନ୍ୟ କାହାକୁ ଜଣା ନୁହେଁ । ଯେତେକ ଅତି ଗୋପନୀୟ ଏବଂ ଗୁରୁତ୍ଵପୂର୍ଣ୍ଣ ଫାଇଲ୍, ଦଲୀଲ, ତଥ୍ୟ ...ସବୁ ସେହି କକ୍ଷର ବିଭିନ୍ନ ଆଲମୀରାରେ ସୁସଜ୍ଜିତ ହୋଇଛି । ନିରାପତ୍ତା ଦୃଷ୍ଟିରୁ ସେହି କକ୍ଷଟିର ବ୍ୟବସ୍ଥା କରିଛନ୍ତି ପ୍ରଦୀପବାବୁ । ବିଜୟବାବୁଙ୍କ ସହିତ ତାଙ୍କର ମନ୍ତ୍ରଣା ପ୍ରାୟ ହୁଏ ସେଇଠି । ବାହରପଟୁ ସେ କୋଠରୀକୁ ଲକ୍ଷ୍ୟକରିବା ବା ସେଠାକୁ ଆସିବା ଆଦୌ ସମ୍ଭବ ନୁହେଁ । ଭିତରପଟ କଥା ଛାଡ଼ । ପାଖ ପାଖ ହୋଇ ବିଜୟବାବୁ ଆଉ ପ୍ରଦୀପବାବୁଙ୍କ କୋଠରୀ । ସେଠି ପୁଣି ସଦା ସର୍ବଦା ଟାଇଗର୍ ଜଗୁଆଳ । ସେ ସବୁ ଅତିକ୍ରମ କରି ପ୍ରଦୀପବାବୁଙ୍କ ଶୟନ କକ୍ଷ ଭିତରେ ଗୁପ୍ତଦ୍ଵାର ଦେଇ ଆସିବା ଏବଂ ଗୁପ୍ତକକ୍ଷରୁ କିଛି ଜିନିଷ ହରଣଚାଳ କରିବା ଭଳି ଦସ୍ୟୁଜଗତରେ ଅସମ୍ଭବ । ତେଣୁ ପ୍ରଦୀପବାବୁ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ସବୁବେଳେ ।

 

ଆଜି ସକାଳୁ ସେ ଏଇସବୁ ବିଷୟରେ ଆଲୋଚନା କରୁଥିଲେ ବିଜୟବାବୁଙ୍କ ସହିତ ସେହି କକ୍ଷରେ ବସି । ଏତିକିବେଳେ ତଳମହଲାର ଡ୍ରଇଂରୁମରୁ ଟେଲିଫୋନ୍‍ରେ ତାଙ୍କର ଘରୋଇ ଚାକର ଆଗନ୍ତୁକମାନଙ୍କର ଆଗମନ ସମ୍ବାଦ ଜଣାଇଦେଲା ଉପରକୁ । ପ୍ରଦୀପବାବୁ ସେମାନଙ୍କର ଆସିବାର ଉଦ୍ଦେଶ୍ୟ ବିଷୟ ଜାଣିପାରିଲେ ଏବଂ ବିଜୟବାବୁଙ୍କୁ ପଠାଇଦେଲେ ପାଛୋଟି ଆଣିବାପାଇଁ ।

 

ପ୍ରଦୀପବାବୁଙ୍କ ବ୍ୟବସ୍ଥା ଅନୁଯାୟୀ ତାଙ୍କର ଚାକର, ପୁଝାରୀ ସୁଦ୍ଧା ଏ ମନ୍ତ୍ରଣା କକ୍ଷକୁ ଆସିବା ମନା । କେବଳ ଅତି ଆବଶ୍ୟକ ହେଲେ ଟେଲିଫୋନ୍‍ରେ ଉପରକୁ ଖବର ଦେଇଦିଅନ୍ତି । ସେ ବ୍ୟବସ୍ଥା ମଧ୍ୟ ପ୍ରଦୀପବାବୁ କରିଦେଇଛନ୍ତି ।

 

ବିଜୟବାବୁଙ୍କ ପଛେ ପଛେ ସେହି କୋଠରୀରେ ପ୍ରବେଶ କଲେ ସମସ୍ତେ । ପ୍ରଦୀପବାବୁ ଅଭ୍ୟର୍ଥନା କରି ବସାଇଲେ ସମସ୍ତଙ୍କୁ । କିନ୍ତୁ କେଜାଣି କାହିଁକି, ଟାଇଗର୍‍ର ଅସନ୍ତୋଷ ଖୁବ୍ ବଢ଼ିଗଲା ଏଥିରେ । ବଡ଼ ଭୀଷଣ ଭାବରେ ସେ ଗର୍ଜିଉଠିଲା । ତା’ର ଶିକୁଳିକୁ ଟାଣି ଓଟାରି ସେ ଏତେ ବ୍ୟସ୍ତ ହୋଇପଡ଼ିଲା ଯେ ତାକୁ ସମ୍ଭାଳି ରଖିବା କଷ୍ଟକର ହୋଇପଡ଼ିଲା । ଟାଇଗର୍‍ର ଏ ନୂଆ ଢଙ୍ଗ କାହିଁକି, ତାହା ବୁଝିପାରିଲେ ନାହିଁ ପ୍ରଦୀପବାବୁ । କାଳେ ବାହାରେ କିଛି ସୁରାକ ସେ ପାଇଥିବ, ଏଇ ଆଶଙ୍କାରେ ତାକୁ ଫିଟାଇଦେବାକୁ କହିଲେ ବିଜୟବାବୁଙ୍କୁ । ନିର୍ଦ୍ଦେଶ ମାତ୍ରେ ବିଜୟବାବୁ ତା’ର ଶିକୁଳି ଫିଟାଇଦେଲେ । ମାତ୍ର ସର୍ବନାଶ ! ଏକା ଲମ୍ଫରେ ବିରାଟ ଆଁ ଟାଏ କରି ସେ ଧାଇଁ ଆସିଲା କମିଶନର ମିଷ୍ଟର ବ୍ରାଉନଙ୍କ ପାଖକୁ । ପ୍ରଦୀପବାବୁ ଚଟ୍ କରି ଧରିପକାଇ ନଥିଲେ ବୋଧହୁଏ ଆଘାତ କରିଥାନ୍ତା । ତତ୍‍କ୍ଷଣାତ୍ ତାକୁ ଧରିନେଇ ତଳ ମହଲାରେ ବାନ୍ଧିଦେବାକୁ ନିର୍ଦ୍ଦେଶ ଦେଲେ ବିଜୟବାବୁଙ୍କୁ । କୁକୁରଟାର ଅନିଚ୍ଛାସତ୍ୱେ ବିଜୟବାବୁ ତାକୁ ଟାଣିଟାଣି ନେଇଗଲେ । ମାତ୍ର ତା’ର ଭୁକିବା ବନ୍ଦ ହେଲା ନାହିଁ ।

 

ଟାଇଗରକୁ ନେଇ ଏପରି ଗୋଟାଏ ଅପ୍ରୀତିକର ଘଟଣା ଯେ ଘଟିବ, ଏହା ଆଦୌ ଆଶଙ୍କା କରିନଥିଲେ ପ୍ରଦୀପବାବୁ । ସେ ବଡ଼ ଲଜ୍ଜିତ ହୋଇ ବିନମ୍ର କ୍ଷମା ପ୍ରାର୍ଥନା କଲେ ମିଷ୍ଟର ବ୍ରାଉନଙ୍କ ନିକଟରେ ।

 

ମିଷ୍ଟର ବ୍ରାଉନ୍ ଅବଶ୍ୟ କଥାରେ ସେପରି ଗୁରୁତ୍ଵ ଦେଇ କିଛି କହିଲେ ନାହିଁ । କିନ୍ତୁ ତାଙ୍କର ମୁଖମଣ୍ଡଳ ଆରକ୍ତ ହୋଇ ଉଠିଲା । ସେ ମନର ସମସ୍ତ ଭାବ ଗୋପନ ରଖି କହିଲେ...”ଆପଣ ତ ଭଲ ଗୋଏନ୍ଦା କୁକୁରଟିଏ ରଖିଛନ୍ତି, ପ୍ରଦୀପବାବୁ ! ତାକୁ ଶୀଘ୍ର ଭେଟେରୀନାରୀ ହସପିଟାଲ୍‍କୁ ପଠାଇ ଦିଅନ୍ତୁ ।’’

 

ପ୍ରଦୀପବାବୁ ଆହୁରି ଲଜ୍ଜିତ ହୋଇପଡ଼ିଲେ ।

 

ଏଣୁତେଣୁ ସାମାନ୍ୟ କଥାବାର୍ତ୍ତା ପରେ ମିଷ୍ଟର ବ୍ରାଉନ୍ କହିଲେ...”ମୁଁ ଜାଣିବାକୁ କେବଳ ଚାହୁଁଛି ପ୍ରଦୀପବାବୁ, ଆମର ଇନଭେଷ୍ଟିଗେସନ୍‍ କେତେଦୂର ଗଲା । ଏ ବିଷୟରେ ପବ୍ଲିକ୍‍ରେ କିପରି ସମାଲୋଚନା ପ୍ରକାଶ ପାଉଛି, ତା’ତ ଆପଣ ଖବରକାଗଜରୁ ଦେଖିଥିବେ ।’’

 

ପ୍ରଦୀପବାବୁ ଲଜ୍ଜିତ ହୋଇ କହିଲେ...'ମୁଁ ସବୁ ଶୁଣିଚି; କିନ୍ତୁ ମୋର ଉପାୟ ନାହିଁ । ହତ୍ୟାକାରୀ ପବନରେ ମିଳାଇଯାଇଛି ।”

 

‘‘ତେବେ ମୁଁ କ’ଣ ଧରିନେବି ଯେ ଆପଣ ଅକ୍ଷମ ?” କମିଶନର ସାହେବ ଗମ୍ଭୀର ହୋଇ କହିଲେ ।

 

ପ୍ରଦୀପବାବୁ ନୀରବ ରହିଗଲେ । ଲଜ୍ଜାରେ ତାଙ୍କ ମୁଖମଣ୍ଡଳ ଆରକ୍ତ ହୋଇଉଠିଲା । ସେ ବଡ଼ ଅପ୍ରତିଭ ହୋଇ କହିଲେ...‘‘ମୁଁ ଅକ୍ଷମ ବୋଲି ଆଦୌ କହିବି ନାହିଁ । କାରଣ ମୁଁ ମୋର ସକଳ ଶକ୍ତି ସାମର୍ଥ୍ୟ ଦେଇ ତା’ର ମୁକାବିଲା କରିବାକୁ ପ୍ରସ୍ତୁତ । କିନ୍ତୁ ସେଥିକୁ ସୂତ୍ର ତ ଦରକାର । ଦସ୍ୟୁ ସାମାନ୍ୟ ନୁହେଁ ।”

 

‘‘ସାମାନ୍ୟ ନୁହେଁ ? ମାନେ, କ’ଣ କହିବାକୁ ଚାହୁଁଛନ୍ତି ଆପଣ ?” କପାଳର ରେଖା କୁଞ୍ଚିତ କରି ପଚାରିଲେ ମିଷ୍ଟର ବ୍ରାଉନ୍ ।

 

'ୟେ ହେଉଛି ବହୁ ପୁରାତନ ଗୋଟାଏ ଘୋର ଷଡ଼ଯନ୍ତ୍ରର ପୁନରାବୃତି । ୟା'ର ନାୟକ ବଡ଼ ଅପ୍ରତ୍ୟାଶିତ । ୟା’ର ଘଟଣାବଳୀ ମଧ୍ୟ ତଦ୍ରୁପ ଚମକପ୍ରଦ ।”

 

‘‘ଆଶ୍ଚର୍ଯ୍ୟ ! କ’ଣ ତେବେ ସେ ଷଡ଼ଯନ୍ତ୍ର ‘‘ମିଷ୍ଟର ବ୍ରାଉନ୍‍ଙ୍କ ସମେତ ସମସ୍ତେ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁଲେ ପ୍ରଦୀପବାବୁଙ୍କ ଆଡ଼େ ।

 

ପ୍ରଦୀପବାବୁ ସ୍ଥିରଭାବରେ ବସି ଧୀରେ ଧୀରେ କହିବାକୁ ଲାଗିଲେ...

 

'ପ୍ରାୟ ପଚିଶି ବର୍ଷ ତଳେ ଗୋଟାଏ ସଙ୍ଗଠିତ ଦସ୍ୟୁଦଳ ସମଗ୍ର ଭାରତରେ ନାନପ୍ରକାର ଉତ୍ପାତ, ଲୁଣ୍ଠନ, ହତ୍ୟା ଚଳାଇ ଦେଶଟାକୁ ଥରହର କରିଦେଇଥିଲା । ତାର ସର୍ଦ୍ଦାର ଥିଲା ଅଙ୍ଗଦ ସିଂ । ଅଙ୍ଗଦ ସିଂ ବଡ଼ ପରାକ୍ରମଶାଳୀ, କୌଶଳୀ ଏବଂ ଫନ୍ଦିବାଜ । ଛଦ୍ମବେଶ ଧରିବାରେ ସେ ଅଦ୍ୱିତୀୟ । ପୃଥିବୀର ସବୁ ଦେଶର ଭାଷା ସେ ଜାଣେ ଏବଂ ମୁକ୍ତ ଓ ଶୁଦ୍ଧଭାବରେ କଥାବାର୍ତ୍ତା କରିପାରେ । ତାର କର୍ମକ୍ଷେତ୍ର ଖାଲି ସ୍ଥଳ ନୁହେଁ, ଜଳଭାଗରେ ମଧ୍ୟ ଥିଲା-। ତେଣୁ ସ୍ଥଳଭାଗରେ ବିପଦର ସୂଚନା ପାଇଲେ ସେ ଜଳଭାଗରେ ଆତ୍ମଗୋପନ କରି ରହିଯାଉଥିଲା ।

 

ଏହି କାରଣରୁ ସେ ଅଜେୟ ହୋଇଉଠିଥିଲା । ସେତେବେଳେ ଇଂରେଜ ସରକାର ସୁଦ୍ଧା ବହୁ ଗୁପ୍ତଚର ନିଯୁକ୍ତ କରି, ଖର୍ଚ୍ଚାନ୍ତ ହୋଇ ତାକୁ ଧରିପାରିନଥିଲେ । ତା’ର ଦଳରେ ପ୍ରାୟ ଶହେ ପଚାଶ ସରିକି ଦୁର୍ଦ୍ଦାନ୍ତ ଏବଂ ସୁଦକ୍ଷ ଦସ୍ୟୁ ଥିଲେ । ଭାରତର ବିଭିନ୍ନ ସ୍ଥଳରେ ସେମନଙ୍କର ଗୁପ୍ତ ଆଡ୍‍ଡା ମଧ୍ୟ ଥିଲା ।

 

‘‘ଲୋଭହିଁ ମନ୍ୟୁଷର ମୃତ୍ୟୁର କାରଣ । ଅଙ୍ଗଦ ସିଂ କେଉଁ ଏକ ସୂତ୍ରରୁ ଖବର ପାଇଲା ଯେ ବହୁକାଳରୁ କେହି ଜଳଦସ୍ୟୁ ବଙ୍ଗୋପସାଗରର କୌଣସି ଏକ ଅଜ୍ଞାତ ଦ୍ଵୀପରେ କୋଟି କୋଟି ଟଙ୍କାର ସମ୍ପତି ଲୁକ୍‍କାୟିତ କରି ରଖିଛି । ସେ ଦସ୍ୟୁ ଏବଂ ତା’ର ଦଳ ଲୋପ ପାଇଲେଣି କେଉଁକାଳରୁ; କିନ୍ତୁ ସମ୍ପତି ସବୁ ରହିଛି । ସେଇ ଧନକୁ ସେ କିପରି ପାଇବ, ସେଥିପାଇଁ ସେ ଉନ୍ମାଦ ହୋଇଉଠିଲା । ବହୁକଷ୍ଟରେ ସେ ତାର ସନ୍ଧାନ ମଧ୍ୟ ପାଇଲା ଏବଂ ଏଥିପାଇଁ କେତେଗୁଡ଼ିଏ ନରହତ୍ୟା ମଧ୍ୟ କଲା । ସର୍ବଶେଷରେ ସେ ସଫଳ ହେଲା । ସେହି ଅଜ୍ଞାତ ଦ୍ଵୀପର ରାସ୍ତା, ସମ୍ପତି ଲୁକ୍‍କାୟିତ ଥିବାର ନିର୍ଦିଷ୍ଟ ସ୍ଥାନ ପ୍ରଭୃତି ଅଙ୍କାଥିବା ଖଣ୍ଡିଏ ପିତ୍ତଳର ତକ୍ତା ସେ ପାଇଥିଲା । ସେହି ତକ୍ତା ଉପରେ ନକ୍‍ସା ଦ୍ଵାରା ସବୁ ଅଙ୍କାଯାଇଥିଲା । ସେଖଣ୍ଡି ସେହି ଜଳଦସ୍ୟୁମାନଙ୍କ ଦ୍ଵାରା ସମ୍ଭବତଃ ଅଙ୍କିତ ଥିଲା ।

 

‘‘ସେ ଯାହାହେଉ, ଏଣେ ହତ୍ୟାକାଣ୍ଡ ପରେ ହତ୍ୟାକାଣ୍ଡ ଘଟିବା ଯୋଗୁ ପୋଲିସ୍ ଓ ଗୁପ୍ତଚର ବାହିନୀର ତତ୍ପରତା ଖୁବ୍ ବଢ଼ିଗଲା । ଅଙ୍ଗଦ ସିଂଙ୍କୁ ଧରାଇଦେବାକୁ ପଚାଶ ହଜାର ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରାଗଲା । ଏସବୁ ଦେଖି ଅଙ୍ଗଦ ସିଂ ଦଳବଳ ଏବଂ ସକଳ ସମ୍ପତି ସହ ଏଠାରୁ ଖସିଯାଇ ସେହି ଅଜ୍ଞାତ ଦ୍ୱୀପରେ ଆତ୍ମଗୋପନ କରିବାକୁ ସ୍ଥିର କଳା ଏବଂ ଯାତ୍ରାର ଆୟୋଜନ କଲା ।

 

‘‘ଅଙ୍ଗଦ ସିଂକୁ ଧରିବାପାଇଁ ସରକାରୀ ଭାବରେ ତ ଉଦ୍ୟମ ହେଉଥିଲା । ତା’ଛଡ଼ା କେତେଜଣ ଘରୋଇ ଗୁଇନ୍ଦା ମଧ୍ୟ ଉଦ୍ୟମ କରୁଥିଲେ । ସେମାନଙ୍କ ମଧ୍ୟରେ କେବଳ ପ୍ରାଇଭେଟ ଡିଟେକ୍ଟିଭ ରୂପନାରାୟଣ ଦାସ ଅଙ୍ଗଦର ସନ୍ଧାନ ପାଇଥିଲେ । ସେ ତା’ର ଯାତ୍ରା ସମୟ ଜାଣିପାରି ପୂର୍ବରୁ ସମୁଦ୍ର ମଝିରେ ତାକୁ ଅପେକ୍ଷା କରିଥିଲେ ।

 

‘‘ଅଙ୍ଗଦ ସିଂ ଦିନେ ରାତିରେ ସ୍ଥଳଭାଗରୁ ଯାତ୍ରା ଅନୁକୂଳ କଲା । ଠିକ୍ ମଧ୍ୟରାତ୍ରିରେ ସାଗରବକ୍ଷରେ ପୋଲିସ୍ ବାହିନୀ ସହିତ ତା’ର ଘୋର ସଂଘର୍ଷ ହେଲା । ଦସ୍ୟୁଦଳ ପୂର୍ବରୁ ସତର୍କ ନଥିଲେ । ତେଣୁ କେତେଜଣ ପୋଲିସ୍ ହାତରେ ଧରାଗଲେ । ଅନ୍ୟମାନେ ଗୁଳିରେ ପ୍ରାଣ ହରାଇଲେ । ଅଙ୍ଗଦ ମଧ୍ୟ ପ୍ରାଣ ହରାଇଲା । ତା’ର ଲାସ୍ କୁ ତା’ରି ଦଳର ଲୋକେ ଚିହ୍ନଟ କଲେ । ସବୁ ଧନସମ୍ପତି, ପିତ୍ତଳର ସେହି ତକ୍ତା ଖଣ୍ଡିକ, ଯେଉଁଥିରେ କି ନକ୍‍ସା ଅଙ୍କିତ ଥିଲା, ସେସବୁ ସାଗରର ଅତଳଗର୍ଭରେ ବିଲୀନ ହେଲା ।”

‘‘ବେଶ୍ ତ ! ଗୋଟାଏ ବିଭୀଷିକାର ଅବସାନ ହୋଇଗଲା । ସେଥିରେ ଆଉ ରହିଲା କ’ଣ ?” ...କହିଲେ ମିଷ୍ଟର ବ୍ରାଉନ୍ ।

...‘‘ନା, ଅଙ୍ଗଦ ମରି ନ ଥିଲା । ସେ ସମୁଦ୍ରଗର୍ଭରେ କେତେ ଦିନ ଭାସି ଭାସି କୂଳରେ ଲାଗିଲା । ତା ପରେ ଆତ୍ମଗୋପନ କରି ଘୁରି ଘୁରି ବୁଲିଲା ସାରା ଭାରତ । ସେ ସମ୍ପତି ସବୁ ମଧ୍ୟ ସମୁଦ୍ର ଗର୍ଭରେ ବିଲୀନ ହୋଇ ନ ଥିଲା । କେତେଜଣ ଦସ୍ୟୁ ସେ ସମ୍ପତି ଏବଂ ପିତ୍ତଳ ତକ୍ତା ଖଣ୍ଡିକୁ ଉଦ୍ଧାର କରି କୂଳକୁ ଆଣିପାରିଥିଲେ ।

ମାତ୍ର ଶେଷ ମୁହୂର୍ତ୍ତରେ ନାଥୁରାୟ ନାମକ ଜଣେ ଦସ୍ୟୁ ତା’ର ଅନ୍ୟ ସହକର୍ମୀକୁ ହତ୍ୟାକରି ସବୁ ହସ୍ତଗତ କରିନେଲା ଏବଂ ସେଠାରୁ ପଳାୟନ କଲା । ସେ ନାଥୁରାୟ ଆମର ନିହତ ଜମିଦାର ଭବନାଥ ରାୟ ବ୍ୟତୀତ ଆଉ କେହି ନୁହନ୍ତି । ତା’ର ଭୂଗର୍ଭସ୍ଥ କୋଠରି ଭିତରୁ ସେ ଧନର କିଛି ଅଂଶ ଏବଂ ସେ ପିତ୍ତଳ ତକ୍ତା ଖଣ୍ଡି ଉଦ୍ଧାର କରାଯାଇଛି ।”

କମିଶନର ମିଷ୍ଟର ବ୍ରାଉନ୍‍ଙ୍କ କପାଳରେ ବିନ୍ଦୁ ବିନ୍ଦୁ ଝାଳ ଫୁଟିଉଠୁଥିଲା । ସେ ପ୍ରଦୀପବାବୁଙ୍କୁ ଚାହିଁ କହିଲେ…ବାଃ! ବେସ୍ ରୋମାଞ୍ଚକର ତ ! ତା ପରେ ଅଙ୍ଗଦ ?”

...‘‘ଶେଷ ମୁହୁର୍ତ୍ତରେ ଅଙ୍ଗଦ ତା’ର କୌଣସି ଲୋକଠାରୁ ନାଥୁରାୟର ବିଶ୍ୱାସଘାତକତା ବିଷୟ ଜାଣିପାରିଲା । ସେହିଦିନଠୁ ସେ ତାକୁ ଖୋଜିବୁଲିଲା । ନାଥୁରାୟ ମଧ୍ୟ ତା’ର ସୂଚନା କିଛି କିଛି ପାଇଥିଲା । ସେଥିପାଇଁ ସେ ଛଦ୍ମନାମରେ ନିତାନ୍ତ କୁଖ୍ୟାତ ସ୍ଥାନରେ ବାସ କରୁଥିଲା, ଖାସ୍ ସମସ୍ତଙ୍କ ଦୃଷ୍ଟିରୁ ଏଡ଼ାଇ ହୋଇ ରହିବାପାଇଁ । କିନ୍ତୁ ଅଙ୍ଗଦକୁ ଫାଙ୍କିଦେଇପାରିଲା ନାହିଁ । ହଠାତ୍ ଦିନେ ସେ ତା’ର ବାସଭବନରେ ପହଞ୍ଚିଗଲା । ନାଥୁରାୟ ତାକୁ ଗହ୍ୱର ଭିତରେ ପକାଇବା ପାଇଁ ଶେଷ ଉଦ୍ୟମ କରି ବିଫଳ ହେଲା । ଫଳରେ ସେ ଏବଂ ତା’ର ରକ୍ଷିତା ଉଭୟେ ମୃତ୍ୟୁବରଣ କଲେ । କିନ୍ତୁ ଅଙ୍ଗଦ କିଛି ଧନ ବା ତକ୍ତା ନେଇପାରିଲା ନାହିଁ । ତାହା ଥିଲା ସେ ଗହ୍ୱର ଭିତରେ ।”

‘‘ବର୍ତ୍ତମାନ ସେ ସବୁ କେଉଁଠି ? ଅଙ୍ଗଦର ଖବର ବା କ’ଣ ?” …ମିଷ୍ଟର ବ୍ରାଉନ୍ ଆଗ୍ରହୀ ହୋଇ ପଚାରିଲେ ।

‘‘ବର୍ତ୍ତମାନ ସେ ତକ୍ତା ଆଉ ନାଥୁରାୟର ଡାଏରୀ ...ସବୁ ମୋ ପାଖରେ ଅଛି । ନାଥୁରାୟ ତା ଡାଏରୀରେ ସବୁ ଉଲ୍ଲେଖ କରିଛି । ସେ ଦ୍ଵୀପଟାକୁ ସେ ତାର ଡାଏରୀରେ ‘‘ରତ୍ନଦ୍ଵୀପ” ବୋଲି ଲେଖିଛି । ଆଉ ଅଙ୍ଗଦ ହାତଛଡ଼ା ହୋଇଯାଇଛି ।”

‘‘ଓ...”ଟିକିଏ ହସିଲେ ମିଷ୍ଟର ବ୍ରାଉନ୍ !” ଆଚ୍ଛା, ପ୍ରଦୀପ ବାବୁ ! ହତ୍ୟାକାରୀ ସେ ଅଙ୍ଗଦ, ସେଟା ଆପଣ ଜାଣିଲେ କିପରି ? ସେ ହୁଏତ ଅନ୍ୟ କେହି ବି ହେଇପାରେ ।”

‘‘ନା ! ମୁଁ ନିଃସନ୍ଦେହ ସେଥିରେ, କାରଣ ଆମେ ଯେଉଁ ରକ୍ତାକ୍ତ ରୁମାଲଟା ପାଇଚୁ, ସେଥିରେ ଲେଖାଅଛି...ଏ.ଏସ. ଏଇ ଅକ୍ଷର କେତୋଟି ଅଙ୍ଗଦ ସିଂର ନାମକୁ ସୂଚ।ଉଚି । ତାଛଡ଼ା ମଦ୍ୟପାତ୍ରରୁ ଯେଉଁ କେତୋଟି ଆଙ୍ଗୁଳି ଛାପ ମିଳିଛି, ସେଥିରୁ ଜୋଡ଼ାଏ ଯେ ଅଙ୍ଗଦର ଏଥିରେ ମୁଁ ନିଃସନ୍ଦେହ । ଦ୍ଵିତୀୟତଃ ଏତେ ବଡ଼ ଦୁଃସାହସିକ ପଦକ୍ଷେପ ନେବା ତା ଛଡ଼ା ଆଉ କାହାରି ପକ୍ଷରେ ସମ୍ଭବ ନୁହେଁ ।”

 

‘‘ଆଇ ସି...କହି ଚୁରୁଟରେ ଅଗ୍ନିସଂଯୋଗ କଲେ ମିଷ୍ଟର ବ୍ରାଉନ୍ । ତା’ ପରେ କେତେଥର ଧୂଆଁ ଛାଡ଼ି କହିଲେ...‘‘ସେ ତକ୍ତାଟା ଥରେ ଆଣନ୍ତୁ ତ ଦେଖିବା ।”

 

ପ୍ରଦୀପବାବୁଙ୍କ ନିର୍ଦ୍ଦେଶ ପାଇଲା ମାତ୍ରେ ବିଜୟବାବୁ ଗୋଟାଏ ଚେଷ୍ଟ୍‍ ଖୋଲି ତକ୍ତାଟା ଆଣି ରଖିଲେ ଟେବୁଲ ଉପରେ । ସମସ୍ତଙ୍କର ଦୃଷ୍ଟି ଆକର୍ଷିତ ହୋଇଆସିଲା ସେଇ ଜିନିଷଟା ଉପରକୁ । ମିଷ୍ଟର ବ୍ରାଉନ୍ ତକ୍ତାଖଣ୍ଡି ହାତକୁ ନେଇ ଦେଖିଲେ । ତାଙ୍କର ମୁଖମଣ୍ଡଳର ଭାବ ଅସମ୍ଭବ ପ୍ରକାରେ ବଦଳିଗଲା । ସେ ଗମ୍ଭୀରଭାବରେ ପଚାରିଲେ...‘‘ଆଛା । ଆପଣ ଏ ନକ୍‍ସା ଅନୁସାରେ କୌଣସି ସ୍ଥାନର କିଛି ସନ୍ଧାନ ପାଇଲେ ?”

 

‘‘ନା ! ନକ୍‍ସାଟା ଏ ପର୍ଯ୍ୟନ୍ତ ଅବୋଧ୍ୟ ମୋ ପାଖରେ । ମୁଁ ଭାବୁଛି, କୌଣସି ବିଶେଷଜ୍ଞଙ୍କ ଦ୍ଵାରା...”

 

‘‘ହଁ ତାହାହିଁ କରନ୍ତୁ ! ତେବେ ମୁଁ ଥରେ ଚେଷ୍ଟାକରି ଦେଖେଁ । ଏ ତକ୍ତାଟା ଅନ୍ତତଃ ଆଜି ଦିନକ ପାଇଁ ଥାଉ ମୋ ପାଖରେ ।” ...ସମ୍ମତିକୁ ଅପେକ୍ଷା ନକରି ମିଷ୍ଟର ବ୍ରାଉନ୍ ନିଜ କୋଟ୍ ପକେଟରେ ସେ ଖଣ୍ଡି ପୁରାଇଲେ ।

 

‘‘ଆପଣ ଏ କେଶ୍ ପଛରେ ଯାହା ଆବଶ୍ୟକ କରନ୍ତି, ତାହା ସରକାରୀ ସାହାଯ୍ୟ ଆକାରରେ ଯେପରି ପାଇବେ ତା’ର ବ୍ୟବସ୍ଥା ମୁଁ ଅବଶ୍ୟ କରିବି । ଆପଣ ତଦନ୍ତରେ ଲାଗିଯାଆନ୍ତୁ । ଆମର ଖାଲି ଅଙ୍ଗଦ ସିଂ ଲୋଡ଼ା ନୁହେଁ, ରତ୍ନଦ୍ଵୀପ ମଧ୍ୟ ଦରକାର ।”

 

‘‘ମୁଁ ମୋର ପ୍ରାଣପଣେ ଚେଷ୍ଟା କରିବି, ସାର୍ !” ପ୍ରଦୀପବାବୁ କହିଲେ ।

 

‘‘ଆପଣ ଆଜି ପାଞ୍ଚଟାବେଳେ ମୋ ସହିତ କୋଠିରେ ସାକ୍ଷାତ କରିବେ । କେତେକ ଜରୁରୀ କଥାବାର୍ତ୍ତା ଅଛି । ବର୍ତ୍ତମାନ ବୋଧହୁଏ ସମୟ ହେଲାଣି ।” ମିଷ୍ଟର ବ୍ରାଉନ୍ ଚୌକି ଛାଡ଼ିଲେ । ତାଙ୍କ ସଙ୍ଗେ ସଙ୍ଗେ ଅନ୍ୟ ଅଫିସରମାନେ ମଧ୍ୟ ।

 

ପ୍ରଦୀପବାବୁ ତଳମହଲାର ଡ୍ରଇଂରୁମ୍‍ ପର୍ଯ୍ୟନ୍ତ ବଳାଇଦେବାକୁ ଆସିଲେ ସମସ୍ତଙ୍କୁ । ତାଙ୍କ ସଙ୍ଗେ ସଙ୍ଗେ ବିଜୟବାବୁ ମଧ୍ୟ ।

 

ଟାଇଗର୍ ଡ୍ରଇଂରୁମ ବାରଣ୍ଡାରେ ବନ୍ଧା ହୋଇ ଭୀଷଣ ଗର୍ଜୁଥିଲା । ମିଷ୍ଟର ବ୍ରାଉନଙ୍କ ଉପରେ ଦୃଷ୍ଟି ପଡ଼ିଲାମାତ୍ରେ ସେ ଆହୁରି ଗର୍ଜି ଉଠିଲା; କୌଣସି ଉପାୟରେ ଶିକୁଳିରୁ ଖସିଯିବା ପାଇଁ ପ୍ରାଣପଣେ ଲାଗିପଡ଼ିଲା । ତା’ର ଏ ଭୟଙ୍କର ରୂପ ଦେଖି ପ୍ରଦୀପବାବୁ ସମେତ ଅନ୍ୟମାନେ ପ୍ରମାଦ ଗଣିଲେ । ପ୍ରଦୀପବାବୁଙ୍କ ମନରେ ଆଶଙ୍କା ହେଲା...ସତେ କ’ଣ ଟାଇଗର୍ ପାଗଳା ହେଇଗଲା ?

 

ମିଷ୍ଟର ବ୍ରାଉନ୍ ପୁଣିଥରେ ସତର୍କ କରିଦେଲେ ପ୍ରଦୀପ ବାବୁଙ୍କୁ...‘ଦେଖନ୍ତୁ ପ୍ରଦୀପବାବୁ-! ଆପଣ ଏ କୁକୁରଟାକୁ ଗୁଳି କରିଦିଅନ୍ତୁ; ନଚେତ ୟା’ରି ପାଇଁ ଆପଣଙ୍କୁ କୋର୍ଟକୁ ଯିବାକୁ ପଡ଼ିପାରେ ।’

 

ପ୍ରଦୀପବାବୁଙ୍କର ମନର ଭାବନା ସେତେବେଳେକୁ ଥିଲା ଅନ୍ୟପ୍ରକାର । ସେ ଶୁଣିଥିଲେ ସୁଦ୍ଧା ଉତ୍ତର ଦେଲେ ନାହିଁ ।

 

ଅଫିସରମାନେ ପୋଲିସ୍ ଜିପ୍‍ରେ ଏବଂ ମିଷ୍ଟର ବ୍ରାଉନ୍ ନିଜ କାର୍‍ରେ ବସି ଅଦୃଶ୍ୟ ହେଇଗଲେ ରାଜପଥ ଉପରେ । ପ୍ରଦୀପବାବୁ ସେମାନଙ୍କ ଗଲାବାଟକୁ ଚାହିଁ ଭାବୁଥିଲେ ଟାଇଗର୍‍ର ଦୁର୍ଭାଗ୍ୟ ବିଷୟ ।

 

ସେ ଫେରିଆସିଲେ ଡ୍ରଇଂରୁମ୍ ବାରଣ୍ଡାକୁ । ଦେଖିଲେ, ବିଜୟବାବୁଙ୍କ ସହିତ ଟାଇଗର୍ ଖେଳୁଚି ସବୁଦିନେ ସ୍ଵାଭାବିକ ଢଙ୍ଗରେ ସେ ଯେପରି ଖେଳେ । ପ୍ରଦୀପବାବୁଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେ ଭାବିଲେ...ଅଥଚ ଏ ଟାଇଗର୍... !

 

ବିଜୟବାବୁ କହିଲେ...‘‘ସେ କିଛି ସୁରାକ ବୋଧେ ପାଇଥିଲା । ନ ହେଲେ ଆମ ଟାଇଗର୍ ତ ସାଧାରଣ ଅଲସେସିଆନ ନୁହେଁ ।”

 

ପ୍ରଦୀପବାବୁ ଗମ୍ଭୀର ହୋଇ କହିଲେ...‘‘ସୁରାକ ପାଇଥିଲା କ’ଣ କମିଶନର ମିଷ୍ଟାର ବ୍ରାଉନଙ୍କଠାରୁ !”

 

‘ହେଇଥିବ ! କିନ୍ତୁ ଟାଇଗର୍ ସବୁବେଳେ ନିର୍ଭୁଲ ।’ ହସି ହସି କହିଲେ ବିଜୟବାବୁ ।

 

…ତୁମେ ପାଗଳ ହେଲ ବିଜୟବାବୁ !’ ...ପ୍ରଦୀପବାବୁଙ୍କ ପାଟିରୁ କଥା ସରିଛି କି ନାହିଁ, ଡ୍ରଇଂରୁମରେ ଟେଲିଫୋନ୍ ରିଂ କରିଉଠିଲା । ପ୍ରଦୀପବାବୁ ଯାଇ ରିସିଭର୍ ଉଠାଇଲେ । ସେପଟରୁ ଫୋନ୍ ରେ କଥାବାର୍ତ୍ତା କରୁଥିଲେ ପୋଲିସ୍ କମିଶନର ମିଃ ବ୍ରାଉନ୍ ।

 

କଥା ଅରମ୍ଭରୁ ହିଁ ପ୍ରଦୀପବାବୁଙ୍କ ମୁହ ବିବର୍ଣ୍ଣ ପଡ଼ିଯାଇଥିଲା । ତାଙ୍କ ହାତ ଥରୁଥିଲା । ସେ ବିସ୍ମିତ ହୋଇ କହୁଥିଲେ...”କିନ୍ତୁ, ସାର୍, ଆପଣ ?”

 

‘ସର୍ବନାଶ ହେଇଯାଇଛି, ସାର୍ ! ତକ୍ତାଖଣ୍ଡି ହାତଛଡ଼ା ହେଇଯାଇଛି ।’

 

‘‘....”

 

ଟେଲିଫୋନ୍‍ରେ କଥା ସରିନି, ପ୍ରଦୀପବାବୁ ପାଗଳଙ୍କ ପରି ଚିତ୍କାର କରିଉଠିଲେ…’ବିଜୟ !’ ଟେଲିଫୋନ୍ ରିସିଭରଟା ତାଙ୍କ ହାତରୁ ଛଟକିପଡ଼ିଲା ତଳେ ।

 

ବିଜୟବାବୁ ଧାଇଁ ଆସିଲେ ଭିତରକୁ ।

 

ଟେଲିଫୋନ୍ ଘନ ଘନ ରିଂ କରି ଚାଲିଥିଲା ।

 

(ଚାରି)

 

ପୋଲିସ୍ କମିଶନର ମିଷ୍ଟର ବ୍ରାଉନଙ୍କର ବଙ୍ଗଳାର ଗୋଟିଏ ନିଭୃତ କକ୍ଷରେ ବସିଥିଲେ ପ୍ରଦୀପବାବୁ, ବିଜୟବାବୁ ଆଉ ମିଃ ବ୍ରାଉନ୍ । ପ୍ରଦୀପବାବୁ ଅତିମାତ୍ରାରେ ଚିନ୍ତିତ ଏବଂ ଦୁଃଖିତ ଥିବା ଯୋଗୁଁ ତାଙ୍କ କପାଳରେ ଚିନ୍ତାର ରେଖା ସୁସ୍ପଷ୍ଟ ଦିଶୁଥିଲା ।

 

ବିଜୟବାବୁ ମଧ୍ୟ ପରାଜୟ ଗ୍ଲାନିରେ ଭାଙ୍ଗିପଡ଼ିଥିଲେ । ମିଷ୍ଟର ବ୍ରାଉନ୍ ଚୁରୁଟ ଧୂଆଁରେ କୋଠରୀଟାକୁ ପରିପୂର୍ଣ୍ଣ କରିଦେଇଥିଲେ । ସମ୍ପୂର୍ଣ୍ଣ ନୀରବତାର ରାଜୁତି ଥିଲା କୋଠରୀ ଭିତରେ । କାହାରି ମୁହଁରେ ଭାଷା ନଥିଲା ।

 

‘‘ଅଙ୍ଗଦ ସିଂ ଆପଣକୁ ଯାହା ଫାଙ୍କିଦେଇପାରିଲା, ସେଇଟାହିଁ ମୋତେ ବଡ଼ ବିସ୍ମିତ କରୁଛି । ଲୋକଟା କିଛି ଭୋଜବାଜୀକର ନୁହେଁ କି ଅତିମାନବ ନୁହେଁ...’’

 

‘‘ମୁଁ ବି ବଡ଼ ଆଶ୍ଚର୍ଯ୍ୟ, ସାର୍ ! ତା’ର ସାହସ ଯେ ଏତେଦୂର ହେଇପାରେ ସେଟା ମୁଁ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲି । ଏତେ ଜଣ ପୋଲିସ୍ ଅଫିସରଙ୍କୁ ଫାଙ୍କିଦେବା ମୁଁ ଏପର୍ଯ୍ୟନ୍ତ ବିଶ୍ଵାସ କରିପାରୁନି !’’

 

‘‘ସବୁ ଦୁର୍ଭାଗ୍ୟ, ପ୍ରଦୀପବାବୁ ! ସବୁ ଦୁର୍ଭାଗ୍ୟ ! ତଥ୍ୟର ଅବଶିଷ୍ଟ ଟିକକ ହାତଛଡ଼ା ହୋଇଯାଇଛି । ଏଥର ଉପାୟ ?’’

 

ବିଜୟବାବୁ ଏପର୍ଯ୍ୟନ୍ତ ନୀରବରେ ବସି ରହିଥିଲେ । ସେ ମଝିରେ ବାଧା ଦେଇ କହିଲେ...”ସେ ସମସ୍ତଙ୍କୁ ଫାଙ୍କି ଦେଇ ଯାଇପାରେ, କିନ୍ତୁ ଟାଇଗର୍ ତାକୁ ଠିକ୍ ଚିହ୍ନିପାରିଲା ଏବଂ ସେ ଯେ ଅଙ୍ଗଦ ସିଂ, ଏକଥା ଆମକୁ ନିଶ୍ଚିତଭାବରେ ଜଣାଇ ଦେଲା ।”

 

ବିଜୟବାବୁଙ୍କ କଥାର ତାତ୍ପର୍ଯ୍ୟ ବୁଝିନପାରି ମିଷ୍ଟର ବ୍ରାଉନ୍ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁଲେ ବିଜୟବାବୁଙ୍କୁ ।

 

ବିଜୟବାବୁ କହିଲେ...‘ଛଦ୍ମବେଶୀ ଅଙ୍ଗଦକୁ ଦେଖି ଟାଇଗର୍ ଖୁବ୍ ଜୋରରେ ଗର୍ଜିଉଠିଲା ଆଉ ଧରିନେବାକୁ ଚେଷ୍ଟା କରିଥିଲା । କାହିଁକି ନା, ହତ୍ୟାକାଣ୍ଡସ୍ଥଳରେ ସେ ତା’ର ଗନ୍ଧ ବାରିନେଇଥିଲା । ଆମେ ସିନା ତା’ର ଭାଷା ବୁଝିପାରିଲୁ ନାହିଁ; କିନ୍ତୁ ଆଜି ଜାଣୁଛୁ ଯେ ସେ 'ଏଇ ହତ୍ୟାକାରୀ', 'ଏଇ ହତ୍ୟାକାରୀ' ବୋଲି ଚିତ୍କାର କରୁଥିଲା ।

 

'ବାଃ ! ବଡ଼ ବୁଦ୍ଧିମାନ କୁକୁର ତ !' ...ମିଷ୍ଟର ବ୍ରାଉନ୍ ସନ୍ତୋଷଜନକ ମନ୍ତବ୍ୟ ପ୍ରକାଶ କଲେ ।

 

ଅନ୍ୟ ସମୟ ହୋଇଥିଲେ ଟାଇଗର୍‍ର ପ୍ରଶଂସାରେ ପ୍ରଦୀପବାବୁ ଯଥେଷ୍ଟ ଗର୍ବ ଅନୁଭବ କରିଥାନ୍ତେ । ମାତ୍ର ବର୍ତ୍ତମାନ ପରାଜୟର ଗ୍ଲାନିରେ ସେ ଏତେଦୂର ଭାଙ୍ଗିପଡ଼ିଥିଲେ ଯେ ମିଷ୍ଟର ବ୍ରାଉନଙ୍କ କଥା ତାଙ୍କ କାନରେ ବାଜିଲା କି ନା ସନ୍ଦେହ । ସେ ନୀରବ ରହିଗଲେ ।

 

କିଛି ସମୟ ନୀରବ ରହିଲାପରେ ମିଷ୍ଟର ବ୍ରାଉନ୍ କହିଲେ ‘‘ଆଚ୍ଛ।, ପ୍ରଦୀପବାବୁ ! ଅଙ୍ଗଦ କ’ଣ ଆମର ଚେଷ୍ଟା ଅତିକ୍ରମ କରିଯାଇଛି ?

 

ପ୍ରଦୀପବାବୁ ଖୁବ୍ ଦୁଃଖିତ ହୋଇ କହିଲେ...‘‘ସେ କଥା ମୁଁ କଦାପି କହନ୍ତି ନାହିଁ, ଯଦି ସେ ତକ୍ତା କିମ୍ବା ତା’ର ପ୍ରମାଣ କିଛି ମୋ ପାଖରେ ଥାଆନ୍ତା । ଅଙ୍ଗଦର ଲୋଡ଼ା କେବଳ ସେତିକି-। ସେ ତାହା ପାଇଯାଇଛି । ମୋ ପାଖରେ ଆଉ କିଛି ନାହିଁ । ବର୍ତ୍ତମାନସେ ରତ୍ନଦ୍ଵୀପକୁ ଅଭିଯାନର ଆୟୋଜନ କରୁଥିବ । ତାକୁ ପାଇବା ହୁଏତ ଅସମ୍ଭବ ।”

 

‘‘କିନ୍ତୁ ଆମ ପାଖରେ ତା’ର ପ୍ରମାଣ ତ ଅଛି !” ମଝିରେ ବାଧାଦେଇ କହିଲେ ବିଜୟବାବୁ ।

 

ବିଜୟବାବୁଙ୍କ କଥା ଶୁଣି ପ୍ରଦୀପବାବୁ ଚମକିପଡ଼ି କହିଲେ...'ଅଛି ? କ’ଣ ଅଛି ତୁମ ପାଖରେ ?'

 

‘‘ତା’ର ଫୋଟୋଗ୍ରାଫ୍ ତ ଅଛି । ଆପଣ କହୁଥିଲେ ନା ତା’ର କେତେଗୁଡ଼ାଏ ଫୋଟୋଗ୍ରାଫ୍ କରି ଏକ୍ସପର୍ଟମାନଙ୍କ ପାଖକୁ ପରେ ପଠେଇବି ବୋଲି । କାଳେ କେତେବେଳେ ଜରୁରୀ ଦରକାର ହେବ, ସେଥିପାଇଁ ମୁଁ ତାର ଫଟୋ ଉଠାଇ ରେଡିକରି ରଖିଛି ।”

 

ବିଜୟବାବୁଙ୍କ କଥା ଶୁଣି ଅଥଲ, ଅକୂଳ ସାଗରରେ ଯେପରି ନିରାପଦ ଆଶ୍ରୟ ପାଇଲେ ପ୍ରଦୀପବାବୁ । ସେ ଏକ ଡିଆଁରେ ଦୌଡ଼ିଯାଇ ବିଜୟବାବୁଙ୍କୁ କୁଣ୍ଢାଇ ପକାଇ କହିଲେ...କାହିଁ ? କାହିଁ ସେ ଫଟୋଗ୍ରାଫ୍ ?”

 

ବିଜୟବାବୁ କୋଟ୍ ପକେଟରୁ ବଡ଼ ଡାଏରିଟିଏ ବାହାର କରି ତା ଭିତରୁ ଚାରିଖାଣ୍ଡ ଫଟୋଗ୍ରାଫ୍ ବାହାର କରି ଦେଲେ ପ୍ରଦୀପବାବୁଙ୍କ ହାତରେ । ପ୍ରଦୀପବାବୁ ଦେଖିଲେ, ପିତ୍ତଳ ତକ୍ତାରେ ଥିବା ନକ୍‍ସାର ଅବିକୃତ ଫଟୋଗ୍ରାଫ । ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେ ସେଥିରୁ ଖଣ୍ଡିଏ ମିଷ୍ଟର ବ୍ରାଉନଙ୍କ ହାତକୁ ବଢ଼େଇଦେଇ ବିଜୟବାବୁଙ୍କୁ ଲକ୍ଷ୍ୟକରି କହିଲେ.....‘‘ଅସଲ ଚାବି ତୁମପାଖରେ, ଅଥଚ ମୋତେ କିଛି କହୁନା ! ତୁମର ପିଲାଳିଆମି ଗଲା ନାହିଁ ଏଯାକେ ।”

 

ବିଜୟବାବୁ ବିଜୟଗର୍ବରେ ହସୁଥିଲେ ମୁଡ଼ୁକି ମୁଡ଼ୁକି ।

 

ପ୍ରଦୀପବାବୁ ଆନନ୍ଦରେ ଅଧୀର ହୋଇ କହିଲେ...”ଏଥର ଆଉ ଚିନ୍ତା ନାହିଁ । ମୁଁ ଅଙ୍ଗଦ ସିଂ ସାଙ୍ଗରେ ଅବଶ୍ୟ ଖୁବ୍ ଶୀଘ୍ର ସାକ୍ଷାତ୍‍ କରିବି । ମୋର ସକଳ ସାମର୍ଥ୍ୟ, ବୁଦ୍ଧି ବିନିମୟରେ ତା’ର ହାତରେ ହାତକଡ଼ା ପକ।ଇବାକୁ ଚେଷ୍ଟା କରିବି । ତା ସଙ୍ଗେ ସଙ୍ଗେ ରତ୍ନଦ୍ଵୀପର ସନ୍ଧାନ ଅବଶ୍ୟ ଆଣିବି ।”

 

‘‘ମୁଁ ଆପଣଙ୍କ ସଫଳତା କାମନା କରୁଛି ।’’ ମିଷ୍ଟର ବ୍ରାଉନ୍ ହସି ହସି କହିଲେ । ‘‘ହଁ, ଆମ ଡିପାର୍ଟମେଣ୍ଟରୁ ଆପଣ କାହା କାହା ସାହାଯ୍ୟ ନେବାକୁ ଚାହାନ୍ତି, ମୋତେ ଜଣାନ୍ତୁ । ମୁଁ ସେମାନଙ୍କୁ ସେଇ ଅନୁସାରେ ଅର୍ଡର ଦେବି ।”

 

ପ୍ରଦୀପବାବୁ କହିଲେ...‘‘ମୁଁ ଉପଯୁକ୍ତ ଲୋକ ସ୍ଥିର କରିସାରିଛି । ସେ ହେଉଛନ୍ତି ରୂପନାରୟଣ ଦାସ, ପ୍ରାଇଭେଟ୍ ଡିଟେକ୍ଟିଭ୍ । ଅତୀତରେ ଥରେ ଅଙ୍ଗଦ ସହିତ ତାଙ୍କର ଘୋର ସଂଘର୍ଷ ହୋଇଥିଲା । ସେ ଇଂରେଜ ସରକାରଠାରୁ ଘୋଷିତ ପୁରସ୍କାର ଲାଭ କରିଥିଲେ ମଧ୍ୟ ।’’

 

ମିଷ୍ଟର ବ୍ରାଉନ୍ ନାଁଟା ମନେପକାଇଲା ପରି ହୋଇ କହିଲେ...‘‘ରୂପନାରାୟଣ ! ଓ, ହଁ, ମନେପଡ଼ିଲା ଏଥର । କିନ୍ତୁ ସେ ରାଜି ହେଲେ ତ ?”

 

‘‘ନିଶ୍ଚୟ ହେବ, ସାର୍ ! ସେ ମୋର ଘନିଷ୍ଠ ବନ୍ଧୁ । ମୁଁ ତାକୁ ଏ ବିଷୟରେ ଲେଖି ଆସିବାକୁ ଅନୁରୋଧ କରିଚି । ହୁଏତ ସେ ଏଇ ଦୁଇଦିନ ମଧ୍ୟରେ ଆସିଯିବ । ପ୍ରାଥମିକ ଅନୁସନ୍ଧାନ କାର୍ଯ୍ୟପରେ ଆମେ କି ଧରଣର ସାହାଯ୍ୟ ଦରକାର କରିବୁ ତାହା ଜଣାଇଦେବି ।’’

 

‘‘ଆଚ୍ଛା, ଆଚ୍ଛା, ତେବେ ରୂପନାରାୟଣବାବୁ ଆସିଲେ ମୋ ସହିତ ତାଙ୍କର ସାକ୍ଷାତ୍‍ ହୁଏ । ମୁଁ ଭାବୁଛି, ଆପଣହିଁ ଏ କେସ୍‍ର ଭାର ନେବାକୁ ଏକାନ୍ତ ଉପଯୁକ୍ତ ବ୍ୟକ୍ତି । ଅଙ୍ଗଦ ମାତ୍ର ଜଣେ ବ୍ୟକ୍ତି; ସେ ଅନାୟାସରେ ଧରାପଡ଼ିଯାଇପାରେ । କିନ୍ତୁ ଆମର ଲକ୍ଷ୍ୟ ହେବା ଉଚିତ ରତ୍ନଦ୍ଵୀପ । ଯେଉଁ ଭଣ୍ଡାର ପାଇଁ ଏତେ ଷଡ଼ଯନ୍ତ୍ର, ରକ୍ତପାତ, ହତ୍ୟା ଘଟିଗଲାଣି, ସେ ରହସ୍ୟାବୃତ ଘଟଣା ଯଦି ଉଦ୍‍ଘାଟିତ ହୁଏ, ତେବେ ଗୋଟାଏ ନୂତନ ଇତିହାସର ସୃଷ୍ଟି ହେବ । ଭାରତୀୟ ପୋଲିସ୍‍ ବାହିନୀର ଏ ଅପୂର୍ବ ସଫଳତା ଅବଶ୍ୟ ବିଶ୍ଵବକ୍ଷରେ ଗୋଟାଏ ଚମକ ସୃଷ୍ଟି କରିବ । ସେଥିପାଇଁ ସମଗ୍ର ପୋଲିସ୍ ବାହିନୀକୁ ଯଦି ନିୟୋଜିତ କରିବା ଆବଶ୍ୟକ ପଡ଼େ, ତାହାହେଲେ ମଧ୍ୟ ମୁଁ କୁଣ୍ଠିତ ହେବି ନାହିଁ । ଆଉ ଅବହେଳାର ଅବକାଶ ନାହିଁ । ତେଣେ ଅଙ୍ଗଦ ଲାଗିପଡ଼ିବାଣି-। ଏଆଡ଼େ ଆପଣ ମଧ୍ୟ ଲାଗିପଡ଼ନ୍ତୁ ।’’

 

‘‘ଦେଖାଯାଉ, କ’ଣ ହେଉଛି ? କର୍ତ୍ତବ୍ୟରୁ ମୋ ପକ୍ଷରୁ ତ୍ରୁଟି କରାଯିବ ନାହିଁ କେବେ । ଫଳାଫଳ ତ ସବୁ ଭାଗ୍ୟ ଉପରେ ନିର୍ଭର । ଅଙ୍ଗଦ ସାମାନ୍ୟ ଦସ୍ୟୁ ନୁହେଁ । ତା’ର ସଂଗଠନ ଶକ୍ତି ଅଦ୍ଭୁତ । ସେ ୟା’ ମଧ୍ୟରେ ରୀତିମତ ଗୋଟାଏ ଶକ୍ତିଶାଳୀ ଦଳ ସଂଗଠିତ କରିସାରିଥିବ । ତାର ମୁକାବିଲା କରିବାପାଇଁ ଆମକୁ ସେହି ତୁଳନାରେ ପ୍ରସ୍ତୁତ ହେବାକୁ ପଡ଼ିବ । ମୁଁ ଅବଶ୍ୟ ତ।'ର ବ୍ୟବସ୍ଥା କରିବି ।

 

‘‘ସେ ଭରସା ମୋର ଆପଣଙ୍କ ଉପରେ ଅଛି, ପ୍ରଦୀପବାବୁ ! ଆପଣ ରୂପନାରାୟଣବାବୁଙ୍କୁ ପୁଣି ଲେଖନ୍ତୁ, ତାଙ୍କର ଅଙ୍ଗଦର ଚରିତ୍ର, କାର୍ଯ୍ୟପଦ୍ଧତି ବିଷୟରେ ଅଭିଜ୍ଞତା ଅଛି । ସେ ଅନେକ ପରାମର୍ଶ ଦେଇପାରିବେ ।”

 

ପ୍ରଦୀପବାବୁ କହିଲେ...”ଆଜି ପୁଣି ଖବର ଦେବି ।”

 

ମିଷ୍ଟର ବ୍ରାଉନ୍ ରତ୍ନଦ୍ଵୀପର ନକ୍‍ସା ଫୋଟୋଗ୍ରାଫ ଖଣ୍ଡି ହାତରେ ଉଠାଇନେଇ ନିରେଖି ଦେଖୁ ଦେଖୁ କହିଲେ...‘‘ଆପଣ ଏଥିରୁ କିଛି ବୁଝିପାରୁଛନ୍ତି ?”

 

ପ୍ରଦୀପବାବୁ କହିଲେ...”ନିର୍ଭୁଲ ଅବଶ୍ୟ ନୁହେଁ । ତେବେ ଯାହା ଅନୁମାନ କରିପାରିଚି, ଏଇ ଯେଉଁ ଅଙ୍କାବଙ୍କା ରେଖାଟି ଦେଖାଯାଉଛି ଏଟା ବୋଧହୁଏ ରତ୍ନଦ୍ଵୀପର ଉପକୂଳରେଖା । ଉପକୂଳରେଖାଠାରୁ ଏଇ ତୀରଚିହ୍ନିତ ରେଖାଟି ରତ୍ନଦ୍ଵୀପ ଭିତରକୁ ପଥ । ଏଇ ଯେଉଁ ଛୋଟ ଛୋଟ ରେଖାଗୁଡ଼ିକ ପଥରେଖାକୁ ଛେଦକରି ବିଭିନ୍ନ ଦିଗରୁ ଉପକୂଳରେଖାକୁ ସ୍ପର୍ଶ କରିଛି, ଏଗୁଡ଼ିକ ନଦୀ ବା ଝରଣା ହେବ ବୋଲି ମୋର ଅନୁମାନ । ଆଉ ଏଇ ଯେଉଁ ବୃତ୍ତ ମଝିରେ ତିନୋଟି ବିନ୍ଦୁ ଚିହ୍ନ ଦେଖାଯାଉଛି ତାହା ଗୋଟିଏ ପର୍ବତ ବା ପାହାଡ଼ ହେବ | ତାର ଠିକ୍ ମଝିରେ ଛକି ଚିହ୍ନଟ ରତ୍ନଦ୍ଵୀପର ଗନ୍ତାଘର ହୋଇପାରେ ।”

 

ମିଷ୍ଟର ବ୍ରାଉନ୍ ଗମ୍ଭୀର ହୋଇ କହିଲେ...‘‘ହଁ, ଆପଣଙ୍କର ଅନୁମାନ ହୁଏତ ଠିକ୍ । ତଥାପି ରୂପନାରାୟଣବାବୁଙ୍କ ପରାମର୍ଶ ନିଅନ୍ତୁ ।’’

 

ପ୍ରଦୀପବାବୁ ଫଟୋଗ୍ରାଫ କେତେଖଣ୍ଡି ଯତ୍ନରେ ରଖିଲେ । ଆଉ କଥାବାର୍ତ୍ତା କରିବାର କିଛି ନଥିଲା । ଏଣିକି ସବୁ କାମ ଉପର କଥା । ଅପେକ୍ଷା ଥିଲା କେବଳ ରୂପନାରାୟଣବାବୁଙ୍କୁ ।

 

ବୃଥା କାଳକ୍ଷେପଣର ଇଚ୍ଛା ମଧ୍ୟ ନଥିଲା ପ୍ରଦୀପବାବୁଙ୍କର । ସେ ବିଦାୟ ନେବାକୁ ଉଠିଲେ ।

 

ତାଙ୍କ ସଙ୍ଗେ ସଙ୍ଗେ ବିଜୟବାବୁ ମଧ୍ୟ ।

 

ସେଦିନ ପ୍ରଦୀପବାବୁଙ୍କ ଡ୍ରଇଂରୁମରେ ବସି କଥାବାର୍ତ୍ତା ହେଉଥିଲେ ପ୍ରଦୀପବାବୁ, ବିଜୟବାବୁ ଏବଂ ରୂପନାରାୟଣବାବୁ ।

 

ପ୍ରଦୀପବାବୁଙ୍କ ଅନୁରୋଧ ଏଡ଼ିଦେଇନପାରି ଚିଠି ପାଇଲାମାତ୍ରେ ଧାଇଁ ଆସିଛନ୍ତି ରୂପନାରାୟଣବାବୁ । ପ୍ରଦୀପବାବୁ ତାଙ୍କର ସ୍କୁଲ ଜୀବନରୁ ସାଥି । କଲେଜରେ ମଧ୍ୟ ଦୁହେଁ ସହପାଠୀ ଥିଲେ । ଶିକ୍ଷାଶେଷରେ ଦୁହେଁଯାକ ମଧ୍ୟ ସାଥୀ ହୋଇ ସ୍କଟଲାଣ୍ଡ ୟାର୍ଡରେ ଟ୍ରେନିଂ ପାଇଥିଲେ । ସେଠାରୁ ଫେରି ପ୍ରଦୀପବାବୁ କଲେ ସରକାରୀ ଚାକିରୀ । କିନ୍ତୁ ରୂପନାରାୟଣବାବୁ ଚାକିରୀ ନକରି ସ୍ଵାଧୀନଭାବରେ ଗୋଏନ୍ଦାଗିରି କଲେ । ଧନର କିଛି ଅଭାବ ନଥିଲା ତାଙ୍କର । ବାପା ତାଙ୍କର କେଉଁ ଏକ ଦେଶୀୟ ରାଜ୍ୟର ରାଜାଙ୍କ ଅଧୀନରେ ଉଚ୍ଚ ପୋଲିସ କର୍ତ୍ତାରୂପେ କାମ କରୁଥିଲେ । ସେହି ଦୃଷ୍ଟିରୁ ରୂପନାରାୟଣ ମଧ୍ୟ ରାଜ ଅନୁଗ୍ରହରୁ ବଞ୍ଚିତ ନଥିଲେ ।

 

ପ୍ରାଇଭେଟ୍ ଡିଟେକ୍ଟିଭ୍ ଜୀବନରେ ବହୁ ଜଟିଳ କେସ୍‍ର ସମାଧାନ କରିଛନ୍ତି ସେ ନିଜର ଜୀବନକୁ ବିପନ୍ନ କରି । ପ୍ରତି କ୍ଷେତ୍ରରେ ସମସ୍ତ ବିପଦ ଏଡ଼ାଇ କୃତକାର୍ଯ୍ୟ ହୋଇଛନ୍ତି । ଦୁର୍ଦ୍ଦଷ ଦସ୍ୟୁ ଅଙ୍ଗଦକୁ ମଧ୍ୟ ଥରେ ଉଚିତ ପରାଭବ ଦେଇ ତା’ର ଦଳକୁ ଛିନ୍ନଛିନ୍ନ କରିଦେଇଛନ୍ତି । ତେଣୁ ଅଙ୍ଗଦର ପରାକ୍ରମ, ଦଳବଳ ଏବଂ କାର୍ଯ୍ୟକଳାପ ସମ୍ବନ୍ଧରେ ତାଙ୍କର ବିଶେଷ ଜ୍ଞାନ ଏବଂ ଅଭିଜ୍ଞତା ଅଛି । ବୟସ ଦୃଷ୍ଟିରୁ ପ୍ରଦୀପବାବୁଙ୍କର ସମବୟସ୍କ ହେବେ ସେ । ସ୍ୱାସ୍ଥ୍ୟ ମଧ୍ୟ ଅତୁଟ...ଠିକ୍ ପ୍ରଦୀପବାବୁଙ୍କ ପରି ।

 

ସେଦିନର ଆଲୋଚନା ଥିଲା କେବଳ ସେଇ ବିଷୟରେ । ପ୍ରଦୀପବାବୁ ଟିକିନିଖି କରି ସବୁ ଘଟଣା ତାଙ୍କ ଆଗରେ ବର୍ଣ୍ଣନା କରୁଥିଲେ । ଗଭୀର ମନଯୋଗ ସହିତ ରୂପନାରାୟଣବାବୁ ତାହା ଶୁଣିଯାଉଥିଲେ ।

 

ପ୍ରଦୀପବାବୁଙ୍କ କଥାଶେଷରେ ରୂପନାରାୟଣବାବୁ କହିଲେ...’’ଆପଣଙ୍କ ସାମ୍ନାରେ ଛଦ୍ମବେଶଧରି ରତ୍ନଦ୍ଵୀପର ନକ୍‍ସା ହରଣଚାଳ କରିନେବାରେ କିଛି ଆଶ୍ଚର୍ଯ୍ୟ ମୁଁ ଦେଖୁନି । କାରଣ ଅଙ୍ଗଦ ସିଂ ଏପରି କୌଶଳୀ ଏବଂ ଛଦ୍ମବେଶ ଧାରଣରେ ସକ୍ଷମ ଯେ, କୌଣସି ବୁଦ୍ଧିମାନ ଡିଟେକ୍ଟିଭ୍ ଆଖିରେ ଧୂଳିଫିଙ୍ଗି ଚାଲିଯିବା ତା’ପାଖରେ ପିଲାଖେଳ ସହ ସମାନ । ତେବେ ସୌଭାଗ୍ୟର କଥା ଯେ, ଆପଣ ତା’ର ଫଟୋ ନକଲଗୁଡ଼ିଏ କରିନେଇପାରିଥିଲେ । ନ ହେଲେ ଖାଲି ଅନ୍ଧକାରରେ ବାଡ଼ି ବୁଲେଇବା କଥା ।’’

 

ପ୍ରଦୀପବାବୁ ଏବଂ ବିଜୟବାବୁ ରୂପନାରାୟଣବାବୁଙ୍କଠାରୁ ତାଙ୍କ ଅଭିଜ୍ଞତାରା କାହାଣୀ ଶୁଣୁଥିଲେ । ରୂପନାରାୟଣବାବୁ ଟିକିଏପରେ ଗଳା ପରିଷ୍କାର କରି କହିଲେ...”ନାଥୁରାୟ, ଯେ କି ଜମିଦାର ଭବନାଥ ରାୟର ଛଦ୍ମବେଶରେ ନିହିତ ହୋଇଛି, ସେ ଖାଲି ତା’ଦଳର କର୍ମୀ ନୁହେଁ; ଅଙ୍ଗଦର ସହକାରୀ ସେ । ଅଙ୍ଗଦ ସିଂଠାରୁ ସେ ଆହୁରି ଦୁର୍ଦ୍ଦାନ୍ତ ଏବଂ ଧୂର୍ତ୍ତ । ତା’ନ ହୋଇଥିଲେ ରତ୍ନଦ୍ଵୀପର ନକ୍‍ସାଟା ହାତକରି ଗୁଡ଼ାଏ ରକ୍ତପାତ ଏବଂ ଘୋର ବିଶ୍ଵାସଘାତକତା କରିନଥାନ୍ତା । ଭାଗ୍ୟ ଭଲ, ଅଙ୍ଗଦ ତାକୁ ହତ୍ୟା କରିଛି । ନହେଲେ ଯଦି ନାଥୁରାୟ ବର୍ତ୍ତମାନ ତା’ ସହିତ ସାଲିସ ମିଳାମିଶା କରିଦେଇଥାନ୍ତା, ତେବେ ସେମାନଙ୍କୁ ଜୟ କରିବା ଦେବତାଙ୍କର ମଧ୍ୟ ଅସାଧ୍ୟ ହୋଇଥାନ୍ତା ।”

 

‘‘ଆଚ୍ଛା, ରୂପନାରାୟଣବାବୁ ! ଏଇ ରତ୍ନଦ୍ଵୀପଟାର ଅବସ୍ଥିତି ସମ୍ବନ୍ଧରେ ଆପଣଙ୍କର ଧାରଣା କ’ଣ ?’’ ...ପ୍ରଦୀପ ବାବୁ...ପଚାରିଲେ ।

 

‘‘ଆପଣଙ୍କର ଆଉ ମୋର ଅନୁମାନ ଭିତରେ ବିଶେଷ ପ୍ରଭେଦ ନାହିଁ । ରତ୍ନଦ୍ଵୀପ ବୋଲି ଗୋଟାଏ ଦ୍ଵୀପ ଯେ ଅସୁମାର ଧନରତ୍ନ ଗର୍ଭରେ ଧରି ସମୁଦ୍ର ମଝିରେ ଲୁଚି ରହିଚି ...ତା’ର କିଛି ସତ୍ୟତା ନାହିଁ । ତେବେ ଖାଲି କଳ୍ପନାର ବିଷୟ ନୁହେଁ ସେଟା । ରତ୍ନଦ୍ଵୀପ ବୋଲି ବଙ୍ଗୋପସାଗରର ବକ୍ଷରେ ଗୋଟାଏ ଦ୍ଵୀପ ଯେ ଅଛି ଏକଥା ଆମକୁ ସ୍ଵୀକାର କରିବାକୁ ପଡ଼ିବ । ନହେଲେ ଗୋଟାଏ ଦୁର୍ଦ୍ଦାନ୍ତ ଦସ୍ୟୁଦଳ କ’ଣ ଖାଲି ବର୍ଷ ବର୍ଷ ଧରି ଅଜସ୍ର ଉଦ୍ୟମ କରିଆସୁଛି ?”

 

‘‘ଅବସ୍ଥିତି ?’’

 

‘‘ସେ ତ ହେଲାଣି ପ୍ରାୟ ପଚିଶିବର୍ଷ ତଳର ଘଟଣା, ଯେତେବେଳେ କି ଅଙ୍ଗଦର ଦଳ ସହିତ ମୋର ସଂଘର୍ଷ ହୋଇଥିଲା । ତାହା ପୁଣି ରତ୍ନଦ୍ଵୀପରେ ନୁହେଁ । ଉପକୂଳଠାରୁ ଚାରିପାଞ୍ଚ ମାଇଲ ସମୁଦ୍ର ଭିତରେ ଅଙ୍ଗଦ ସହିତ ଆମରି ସଂଘର୍ଷ ହୋଇଥିଲା । ତାକୁ ରତ୍ନଦ୍ଵୀପ ପର୍ଯ୍ୟନ୍ତ ଯିବାକୁ ସୁବିଧା ଦେବାପାଇଁ ସାହସ ନଥିଲା ମୋର । କାରଣ ପ୍ରତି ମୁହୂର୍ତ୍ତରେ ସେ ହାତଛଡ଼ା ହୋଇଯିବାର ଆଶଙ୍କା ଥିଲା । ସେତେବେଳେ ଯଦି ଏ ନକ୍‍ସା ମୋ ହାତରେ ପଡ଼ିଥାନ୍ତା, ତେବେ ମୁଁ କଦାପି ତାକୁ ଛାଡ଼ିଦେଇନଥାନ୍ତି ।”

 

‘‘ଉପକୂଳଠାରୁ ରତ୍ନଦ୍ଵୀପ ଅନ୍ତତଃ କେତେ ମାଇଲ୍ ହୋଇପାରେ ?”

 

‘‘ପ୍ରଥମ ଅବସ୍ଥାରେ ମୁଁ ଅନୁମାନ କରିଥିଲି, ହୁଏତ ଦଶପନ୍ଦର ମାଇଲ୍ ହୋଇପାରେ । କିନ୍ତୁ ଅଙ୍ଗଦର ଦଳକୁ ଧ୍ଵସ୍ତବିଧ୍ଵସ୍ତ କଲାପରେ ପୋଲିସବାହିନୀ ସାହାଯ୍ୟରେ ମୁଁ ପ୍ରାୟ ପଚିଶି ମାଇଲ ଦୂର ପର୍ଯ୍ୟନ୍ତ ସମୁଦ୍ର ଭିତରେ ତନ୍ନତନ୍ନ କରି ଖୋଜିଚି; କିନ୍ତୁ ରତ୍ନଦ୍ଵୀପର ଚିହ୍ନବର୍ଣ୍ଣ ଦେଖିନି-। କେତେଦିନ ପର୍ଯ୍ୟନ୍ତ ଏ ଦ୍ୱୀପର ସନ୍ଧାନ ବି ନେଇଛି ନାବିକମାନଙ୍କଠାରୁ । କିନ୍ତୁ ବିଫଳ ହୋଇଛି-। ଶେଷକୁ ଏଟା ଗୋଟେ ପ୍ରହେଳିକା ଭାବି ଆଉ ସେ ଦିଗରେ ମନ ଦେଇନି, ବିତିଗଲାଣି ପଚିଶବର୍ଷ । ପୁଣି ଏ ଘଟଣାର ପୁନରାବୃତ୍ତି ଏବଂ ରତ୍ନଦ୍ଵୀପର ନକ୍‍ସା ଦେଖି ଭାବୁଚି ଯେ ରତ୍ନଦ୍ଵୀପ କଲ୍ପନା ନୁହେଁ, ବାସ୍ତବ ଜିନିଷ । ନକ୍‍ସାରୁ ଦେଖି ମୁଁ ଯାହା ଧାରଣା କରୁଚି...ଉପକୂଳଠାରୁ ଦ୍ୱୀପର ଦୂରତା ପଚାଶ ମାଇଲରୁ କିଛି କମ୍‍ ହେବ ନାହିଁ, ବରଂ ଅଧିକ ହୋଇପାରେ ।”

 

‘‘ବର୍ତ୍ତମାନ ତେବେ ଆମକୁ କେଉଁ ସୂତ୍ରରୁ ଅନୁସନ୍ଧାନ କରିବାକୁ ହେବ, ସେ କଥା ପୂର୍ବରୁ ସ୍ଥିର କରିବା ଦରକାର...’’ ପ୍ରଦୀପବାବୁ କହିଲେ ।

 

‘‘ଖାଲି ସେତିକି ବି ନୁହେଁ, ସୁଚିନ୍ତିତ ଯୋଜନା ଏବଂ ଉତ୍ତମ ବ୍ୟବସ୍ଥା ଦରକାର । ଅଙ୍ଗଦ ଖୁବ୍ ମାରାତ୍ମକ ଏବଂ ଦୁର୍ଦ୍ଦାନ୍ତ । ସବୁକାମ ଯଦି ଗୋପନରେ ହୋଇଥାନ୍ତା ତେବେ ଚିନ୍ତା ନଥିଲା । କିନ୍ତୁ ତା ପିଛାରେ ଯେ ପୋଲିସ୍ ଲାଗିଗଲେଣି ଏ ଖବର ବୁଝିବାରେ ଆଉ କିଛି ବାକି ନାହିଁ ତା’ର । ତେଣୁ ସମ୍ମୁଖ ସମର ପାଇଁ ସେ ସକଳ ଆୟୋଜନ କରିସାରିଥିବ । ଆମର ତତ୍ପରତାରେ ଯେତିକି ବିଳମ୍ବ ହେଉଛି, ତା’ର ସେତିକି ସୁବିଧା ହେଉଛି । ଦୈବାତ୍‍ ଯଦି ରତ୍ନଦ୍ଵୀପରେ ତା’ର ଆମର ଭେଟ ହୁଏ, ତେବେ ତା’ର ବିଜୟ ସୁନିଶ୍ଚିତ । ସେଠାରୁ ତା’ କବଳରୁ ଆମର ମୁକ୍ତି ମଧ୍ୟ ଅସମ୍ଭବ । ମୋର ଯେତେଦୂର ଅନୁମାନ, ସେ ଅନୁକୂଳ କରିଯିବଣି । ତା’ର ଆମର ସାକ୍ଷାତ୍‍ ସେଇଠି...ରହସ୍ୟାବୃତ ରତ୍ନଦ୍ଵୀପରେ ।”

 

‘‘କୁହନ୍ତୁ ତେବେ ଆମେ କ’ଣ ବ୍ୟବସ୍ଥା କରିବା ?’’...ଆଗ୍ରହୀ ହୋଇ ପଚାରିଲେ ପ୍ରଦୀପବାବୁ ।

 

ରୂପନାରାୟଣବାବୁ କହିଲେ... ‘‘ଆୟୋଜନର ବ୍ୟବସ୍ଥା ସମ୍ପର୍କରେ ମୁଁ ଚିଠା କରିସାରିଚି- ଖାଲି ଯୋଡ଼ାଏ ଜିନିଷ ଆମକୁ ପାଖକୁ ଆଣିବାକୁ ହେବ । ସେ ହେଉଛି, ମହାପରାକ୍ରମଶାଳୀ ତାରଜନ୍‍ ଆଉ ତାର ସାଥି ସୁଲତାନ୍‍ । ସେ ଦୁଇଟିର ଅଭାବରେ ଆମେ ହୁଏତ ରତ୍ନଦ୍ଵୀପରେ ଅଙ୍ଗଦର ସମ୍ମୁଖୀନ ହେବାକୁ ସକ୍ଷମ ହୋଇପାରିବା ନାହିଁ ।’’

 

ଅଦ୍ଭୁତ ନାଁ ଦୁଇଟା ଶୁଣିନଥିଲେ କେବେ ପ୍ରଦୀପବାବୁ । ସେ ବିସ୍ମିତ ହୋଇ ପଚାରିଲେ...”ତାରଜନ୍‍ ଆଉ ସୁଲତାନ୍‍ ! କି ଜିନିଷ ସେ ?”

 

ବିଜୟବାବୁ ମଧ୍ୟ ଅଦ୍ଭୁତ ନା ଦୁଇଟା ଶୁଣି ବିସ୍ମୟଭରା ଦୃଷ୍ଟିରେ ଚାହିରହିଲେ ରୂପନାରାୟଣବାବୁଙ୍କ ଆଡ଼େ ।

 

ରୂପନାରାୟଣବାବୁ ସୋଫା ଉପରେ ସଜାଡ଼ିହୋଇ ବସି କହିଲେ...”ତାରଜନ୍‍ ଆଉ ସୁଲତାନ୍‍, ଏ ଦୁହେଁ ହେଲେ ଏ ଯୁଗର ଆଶ୍ଚର୍ଯ୍ୟ । ଏଥିରୁ ପ୍ରଥମଟି ହେଉଛି ମନୁଷ୍ୟ ଆଉ ଦ୍ଵିତୀୟଟି ହେଉଛି ପଶୁ...ଗୋଟାଏ ଭୀଷଣକାୟ ଗରିଲା । ତାରଜନ୍‍ ଦକ୍ଷିଣଭାରତର ନିବିଡ଼ ପାର୍ବତ୍ୟ ଅରଣ୍ୟ ମଧ୍ୟରେ ସୁଲତାନ୍‍ ଦ୍ଵାରା ପାଳିତ । ପରାକ୍ରମ ତା’ର ଗୋଟିଏ ଗରିଲା ପରି । କ୍ରୁଧ ବାଘ ସହିତ ସମ୍ମୁଖ ଯୁଦ୍ଧ କରିବାର ସାହସ ମଧ୍ୟ ତା’ର ଅଛି । ଗରିଲା ସୁଲତାନ୍‍ ହିଁ ତା’ର ମାତା, ପିତା, ବନ୍ଧୁ, ଗୁରୁ ...ସବୁ କିଛି । ତାରଜନ୍‍ ସେ ଗରିଲାର କଥା ବୁଝେ । ଗରିଲା ପରି ସେ ଡେଇଁପାରେ, ଗଛ ଚଢ଼ିପାରେ, ଯୁଦ୍ଧ ମଧ୍ୟ କରିପାରେ । ଏକା ତାରଜନ୍‍ ସହିତ ଯୁଦ୍ଧ କରିବା ଅଙ୍ଗଦ ପରି ସାମର୍ଥ୍ୟଶାଳୀ ଦସ୍ୟୁ ପକ୍ଷରେ ମଧ୍ୟ ଅସମ୍ଭବ । ଆମେ ବଡ଼ ଆକସ୍ମିକଭାବରେ ତା’ର ସାକ୍ଷାତ୍‍ ପାଇଥିଲୁ ଏବଂ ତା’ଦ୍ୱାରା ଉପକୃତ ମଧ୍ୟ ହୋଇଥିଲୁ । ସେ ବର୍ତ୍ତମାନ ଆମ ରାଜ ସାହେବଙ୍କ ଅତିଥିଭାବରେ ଅଛି । ଆଗ୍ନେୟାସ୍ତ୍ର ଚାଳନାରେ ମଧ୍ୟ ସେ ଅଦ୍ୱିତୀୟ । ଗରିଲା ସୁଲତାନ ମଧ୍ୟ ତା’ ସାଥିରେ ଅଛି । ରାଜସାହେବଙ୍କୁ ଅନୁରୋଧ କରି ତାର୍‍ଜନକୁ ମୁଁ ସାଥିରେ ଆଣିବି ନିଶ୍ଚୟ । ତାର୍‍ଜନକୁ ଆମେ କିପରି ପାଇଲୁଁ ଏବଂ ତା’ର ପରିଚୟ କ’ଣ, ସେ କଥା ମୁଁ ଆପଣଙ୍କୁ ଅନ୍ୟ ସମୟରେ ଶୁଣାଇବି ।”

 

‘‘ଆପଣ କ’ଣ କାଲି ଚାଲିଯିବେ ?”

 

‘‘ଆଉ ରହିବାରେ ଲାଭ କ’ଣ ? ଆପଣ ଆୟୋଜନରେ ଲାଗିପଡ଼ନ୍ତୁ । ବଡ଼ ବଡ଼ ଲଞ୍ଚ୍‍, ବୋଟ୍ ତିଆରି କମ୍ପାନୀରୁ ଖବର ନିଅନ୍ତୁ, ୟା’ମଧ୍ୟରେ କିଏ କିପ୍ରକାରର ଲଞ୍ଚ୍‍ ବା ବୋଟ୍ କେତେଟା ନେଇଛି ଏବଂ କେଉଁଠାରେ ତାହା ଡେଲିଭେରି ଦିଆଯାଇଛି । ମୁଁ ତାର୍‍ଜନ୍ ସହିତ ଠିକ୍ ଦୁଇଦିନ ପରେ ଆସି ପହଞ୍ଚିବି ।”

 

ପ୍ରଦୀପବାବୁ ସମ୍ମତି ଜଣାଇଲେ ।

 

ବିଜୟବାବୁ ହାତଘଣ୍ଟାକୁ ଚାହିଁ ବ୍ୟସ୍ତ ହୋଇ କହିଲେ...”ମିଷ୍ଟର ବ୍ରାଉନଙ୍କ କୋଠିକୁ ଯିବାର ସମୟ ହୋଇଯାଇଛି ।”

 

ସମସ୍ତେ ତରତର ହୋଇ ଉଠିଲେ ।

 

(ପାଞ୍ଚ)

 

ବୁଦ୍ଧିମାନ ଲୋକ ଖୁବ୍ ସତର୍କତା ସହିତ କାମ କଲେ ସୁଦ୍ଧା ତା’ର ସମ୍ଭାବନା ବାହାରେ ଏପରି ସାମାନ୍ୟ ତ୍ରୁଟି ଟିକିଏ ରହିଯାଏ, ଯେଉଁଟାକି ତା’ର ଭବିଷ୍ୟତ ପତନର କାରଣରୂପେ ଠିଆ ହୁଏ । ଦୁର୍ଦ୍ଦାନ୍ତ ଦସ୍ୟୁ ଅଙ୍ଗଦ ସିଂ ପକ୍ଷରେ ତାହାହିଁ ହୋଇଥିଲା ।

 

Unknown

ମିଷ୍ଟର ବ୍ରାଉନ୍‍ଙ୍କ ଛଦ୍ମବେଶରେ ପୋଲିସ୍ କମିଶନର ସାଜି ଯେଉଁ ଦୁଃସାହସିକ ପଦକ୍ଷେପ ନେଇଥିଲା ସେଥିରେ ସଫଳତା ଲାଭ କରିବା ଦ୍ଵାରା ତା’ର ସାହସ ଖୁବ୍ ବଢ଼ିଗଲା । ତା’ ଛଡ଼ା ତା’ର ବହୁଦିନର ଅଭିଳଷିତ ବସ୍ତୁ ଥିଲା ରତ୍ନଦ୍ଵୀପର ନକ୍‍ସା ଖଣ୍ଡି । ଦୀର୍ଘକାଳ ଧରି ବହୁ ଅନୁସନ୍ଧାନ ପରେ ସୁଦ୍ଧା ତାହା ନପାଇ ତା’ଉପରୁ ସବୁ ଆଶାଭରସା ସେ ତୁଟାଇଦେଇଥିଲା । ମାତ୍ର ଆକସ୍ମିକ ଭାବରେ ସେଖଣ୍ଡି ଲାଭ କରିବା ଦ୍ଵାରା ତା’ର ମନ ଏତେ ଆନୋନ୍ଦାତ୍‍ଫୁଲ୍ଲ ହୋଇଉଠିଲା ଯେ ଆଉ ସବୁ କାମଗୁଡ଼ାକୁ ସେ ଅତି ସହଜସାଧ୍ୟ ଏବଂ ସାମାନ୍ୟ ବୋଲି ମନେକଲା ।

 

ଅଙ୍ଗଦ ସିଂ ନିଜକୁ ଟିକିଏ ସ୍ଥିତି ଭିତରକୁ ନେଇଆସିଲା ପରେ ମାର୍କାମରା ଦୁର୍ଦ୍ଦାନ୍ତ ଦସ୍ୟୁ କେତେଜଣଙ୍କୁ ନେଇ ଦଳ ସଂଗଠନ କରିନେଲା । ତା’ପରେ ସେମାନଙ୍କ ଦ୍ଵାରା ନାଥୁରାୟର ତଲାସ କଲା । କେତେକ ଛୋଟବଡ଼ ଡକାୟତି କରି କିଛି ପାଣ୍ଠି ମଧ୍ୟ ସଂଗ୍ରହ କରିପାରିଲା । ଶେଷଆଡ଼କୁ ତା’ରି କପାଳରେ ସୌହାଗ୍ୟରବି ଉଦୟ ହେଲେ । ରତ୍ନଦ୍ଵୀପର ନକ୍‍ସାଟା ଅତି ସହଜରେ ତା’ ହାତରେ ପଡ଼ିଲା । ଏଣିକି ତାର ଉଦ୍ଦେଶ୍ୟ ହେଲା...କିପରି ରତ୍ନଦ୍ଵୀପର ଅସରନ୍ତି ରତ୍ନଭଣ୍ଡାର ଅଧିକାର କରି ତା’ର ମାଲିକ ହେବ ।

 

ରତ୍ନଦ୍ଵୀପର ନକ୍‍ସା ଖଣ୍ଡି ହାତଛଡ଼ା ହେଲାପରେ ତାକୁ ଖୋଜିବାପାଇଁ ପୋଲିସ୍ ନିକଟରେ ଯେ ଆଉ କିଛି ସୂତ୍ର ରହିବ ନାହିଁ ଏଥିରେ ସେ ଦୃଢ଼ନିଶ୍ଚିତ ଥିଲା । ସେ ଭାବିଥିଲା ଯେ ନକ୍‍ସାଟା ଖୋଜିବାପାଇଁ ପୋଲିସ ପକ୍ଷରୁ ହୁଏତ ସମଗ୍ର ଭାରତରେ ଖୁବ୍ ଖୋଜ ତଲାସ ହେବ । କିନ୍ତୁ ସେ ଯଦି ସେହି ସମୟ ମଧ୍ୟରେ ଭାରତ ତ୍ୟାଗ କରି ସମୁଦ୍ରର ଆଶ୍ରୟ ନିଏ, ତେବେ ତା’ର କେହି କିଛି କରିପାରିବେ ନାହିଁ । କାରଣ ତାକୁ ଖୋଜିଲା ପରି କୌଣସି ସୂତ୍ର ବା ରାସ୍ତାଘାଟର ବିବରଣୀ ପୋଲିସ୍ ପାଖରେ ନାହିଁ । ମାତ୍ର ପୋଲିସ୍ ଯେ ନାଥୁରାୟର ଡାଏରିରୁ ରତ୍ନଦ୍ଵୀପ ସମ୍ପର୍କରେ ବିଶେଷ ବିବରଣୀ ସଂଗ୍ରହ କରିପାରିଛି ଏବଂ ରତ୍ନଦ୍ଵୀପର ନକ୍‍ସାର ଅବିକଳ ଫଟୋ ନକଲ ରଖିପାରିଛି, ଏକଥା ସେ ସ୍ଵପ୍ନରେ ସୁଦ୍ଧା ଭାବିନଥିଲା । ସ୍ଥଳ ଅପେକ୍ଷା ଜଳଭାଗହିଁ ତା ପକ୍ଷରେ ସମ୍ପୂର୍ଣ୍ଣ ନିରାପଦ ବୋଲି ସେ ଧରିନେଇଥିଲା ଏବଂ ନିଜର ଦଳ ସାହାଯ୍ୟରେ ଖୁବ୍ ଶୀଘ୍ର ସ୍ଥଳଭାଗ ପରିତ୍ୟାଗ କରିବାରେ ତତ୍ପର ହୋଇପଡ଼ିଲା ।

 

ଧୂର୍ତ୍ତଶିରୋମଣି ଅଙ୍ଗଦ ସିଂ ଗୋଟାଏ ବର୍ମିଜ୍ ବାଣିଜ୍ୟ କମ୍ପାନୀର ଜାଲ ମ୍ୟାନେଜରଭାବରେ ବମ୍ବେ ସହରରେ ଯାଇ ପହଞ୍ଚିଗଲା । ସେଠାରେ ନିଜଦଳ ଲୋକଙ୍କ ସହାୟତାରେ ଗୋଟାଏ ବିଦେଶୀ ବୋଟ୍ କମ୍ପାନୀ ସହିତ କଥାବାର୍ତ୍ତାକରି ସେଠାରୁ ଚଢ଼ାଦରରେ ତିନୋଟି ଶକ୍ତିଶାଳୀ ମୋଟର୍‍ଲଞ୍ଚ୍‍ ନଗଦ ଟଙ୍କା ଦେଇ ଖରିଦ୍‍ କରିନେଲା । ଏଇ ଲଞ୍ଚ୍‍ଗୁଡ଼ିକୁ ସ୍ଥଳପଥରେ ସ୍ଥାନାନ୍ତରିତ କରିବା ବିପଦ୍‍ଜନକ । ତେଣୁ ଜଳପଥରେ ସେଗୁଡ଼ିକୁ ମାନ୍ଦ୍ରାଜ ବନ୍ଦରରେ ପହଞ୍ଚାଇଦେବାକୁ ବୋଟ୍ କମ୍ପାନୀ ସହିତ ଚୁକ୍ତି କଲା ଏବଂ ନାବିକମାନଙ୍କ ଜିମାରେ ଲଞ୍ଚ୍‍ ତିନୋଟିକୁ ଜଳପଥରେ ଛାଡ଼ିଦେଇ ନିଜେ ସ୍ଥଳପଥରେ ଦଳ ସଂଗଠନ କରିବାରେ ଲାଗିପଡ଼ିଲା ।

 

ନାବିକମାନେ ଯଥାସମୟରେ ଲଞ୍ଚ୍‍ ତିନୋଟି ସହ ମାନ୍ଦ୍ରାଜ ହାର୍‍ବର୍‍ରେ ପହଞ୍ଚିଗଲେ । ସେଠି ଲୋକବାକ ସହ ଯାତ୍ରା କଲେ କାଳେ କେହି ସନ୍ଦେହ କରିବ ବା ଅନୁସରଣ କରିବ, ଏପରି ଆଶଙ୍କା ଥିଲା ଅଙ୍ଗଦ ମନରେ । ତେଣୁ ହାର୍‍ବର୍ ବାହାରେ ଲଞ୍ଚ୍‍ ତିନୋଟିକୁ ପୁରା ଜୋଡ଼ାଏ ଦିନ ଅଟକାଇ ରଖି ପରବର୍ତ୍ତୀ ଘଟଣା କ’ଣ ଘଟିବାକୁ ଯାଉଛି ତାହା ପର୍ଯ୍ୟବେକ୍ଷଣ କରିବାରେ ଲାଗିଲା-

 

ଏହି ସମୟ ମଧ୍ୟରେ ଅବଶ୍ୟ ତା’ର ପର୍ଯ୍ୟବେକ୍ଷଣରେ ସନ୍ଦେହଜନକ କିଛି ଦେଖିପାରିଲା ନାହିଁ । ଏଣେ ସମୁଦାୟ ଦଳଟା ମାନ୍ଦ୍ରାଜଠାରେ ଏକତ୍ରିତ ହୋଇଗଲେଣି । ଅଧିକ ଦିନ ଗୋଟାଏ ସ୍ଥାନରେ ଏପରି ରହିଗଲେ ସନ୍ଦେହ କରିବା ଯେ କେହି ବ୍ୟକ୍ତି ପକ୍ଷରେ ସ୍ଵାଭାବିକ ତେଣୁ ମାନ୍ଦ୍ରାଜରେ ସମସ୍ତଙ୍କର ସନ୍ଦେହଭାଜନ ହେବ ଅପେକ୍ଷା ସେ ଦଳର ସମସ୍ତଙ୍କୁ ଛୋଟ ଛୋଟ ଦଳରେ ଭାଗ କରିଦେଇ ପାରାଦ୍ଵୀପ ବନ୍ଦର ଅଞ୍ଚଳକୁ ପଠାଇଦେଲା ।

 

ପାରାଦ୍ଵୀପହିଁ ଥିଲା ତା’ ପକ୍ଷରେ ସ୍ଥଳଭାଗ ପରିତ୍ୟାଗ କରିବା ପାଇଁ ପ୍ରକୃଷ୍ଟ ସ୍ଥାନ । ସେଠାରେ ବନ୍ଦର ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟାନ୍ୟ ସ୍ଥାନ ନିର୍ଜନ ବାଲୁକାପ୍ରାନ୍ତର, ଝାଉଁ ଜଙ୍ଗଲ ଏବଂ ଝାଟିବୁଦାରେ ପରିପୂର୍ଣ୍ଣ । ସେଠାରେ ଆତ୍ମଗୋପନ କରିବାର ଯେପରି ସୁବିଧା, ସେପରି ଅନ୍ୟତ୍ର ନାହିଁ । ସେଠାରେ ମଧ୍ୟ ଲୋକଗହଳି ବା ସାମୁଦ୍ରିକ ଯାଞ୍ଚ କଟକଣା ପ୍ରଭୃତି ବ୍ୟବସ୍ଥା ସେତେ କଡ଼ା ନୁହେଁ । ଏହିସବୁ ସୁବିଧାଜନକ କାରଣରୁ ନିଭୃତ ଝାଟି ଭିତରେ କେତୋଟି ଛୋଟ ଛୋଟ ତମ୍ବୁ ଟାଣି ଅଙ୍ଗଦ ତା’ର ଦଳବଳ ସହ ରହିଲା । ଅନ୍ତତଃ କିଛିଦିନ ପାଇଁ ଖାଦ୍ୟାଦି ସଂଗ୍ରହ କରିବାପାଇଁ ତାକୁ ଦିନେ ଖଣ୍ଡେ ଅପେକ୍ଷା କରିବାକୁ ହେବ । ଏଣେ ବୋଟ୍ କମ୍ପାନୀରୁ ଆସିଥିବା ନାବିକ କେତେଜଣ ବ୍ୟସ୍ତ ହୋଇଉଠିଲେଣି । ସେମାନେ କେବଳ ବମ୍ବେରୁ ମାନ୍ଦ୍ରାଜ ପର୍ଯ୍ୟନ୍ତ ଆସିବାକୁ କମ୍ପାନୀ କର୍ତ୍ତୁପକ୍ଷଙ୍କଠାରୁ ନିର୍ଦ୍ଦେଶ ପାଇଥିଲେ । ମାତ୍ର ଅଙ୍ଗଦ ବାଧ୍ୟବାଧକତା କରି ପାରାଦ୍ଵୀପ ପର୍ଯ୍ୟନ୍ତ ଅଣାଇଲାଣି । ତଥାପି ଛାଡ଼ିବାକୁ ନାରାଜ । ତା’ର ଉଦ୍ଦେଶ୍ୟ ଯେ କ’ଣ ସେକଥା ସେମାନେ ବୁଝିପାରୁନାହାନ୍ତି ।

 

ଅଙ୍ଗଦର ମତଲବ ଥିଲା ଭିନ୍ନ ପ୍ରକାରର । ନାବିକମାନଙ୍କୁ ରଖିବା ତା’ର ଉଦ୍ଦେଶ୍ୟ ନଥିଲା । କାରଣ ତା’ଦଳରେ କେତେଜଣ ସୁଦକ୍ଷ ନାବିକ ଥିଲେ । ସେ ନିଜେ ଜଣେ ଭଲ ନାବିକ ମଧ୍ୟ । ସେ ଭଲଭାବରେ ଜାଣିଥିଲା ଯେ ଏମାନଙ୍କୁ ମୁକ୍ତିଦେଲେ ଏମାନେ ସିଧା ଜାହାଜ କମ୍ପାନୀରେ ପହଞ୍ଚିଯିବେ । ପୋଲିସ୍ ପକ୍ଷରୁ ଦୈବାତ୍‍ ଯଦି ଖୋଜ ତଲାସ ହୁଏ, ତେବେ ଏମାନେ ସବୁ ଖବର ଜଣାଇଦେବେ । ଏଇ ନାବିକ କେତେଜଣ ପ୍ରାୟ ସପ୍ତାହେ କାଳ ରହିଲେଣି ଅଙ୍ଗଦର ଦଳ ସହିତ । କଥାବାର୍ତ୍ତା, ଢଙ୍ଗଢାଙ୍ଗ ଏବଂ ଆୟୋଜନରୁ ସେମାନେ ଯେ ଏମାନଙ୍କର ଉଦ୍ଦେଶ୍ୟ ନ ଜାଣିଥିବେ ତାହା ନୁହେଁ । ହଠାତ୍ ସେମାନେ ଯଦି ସବୁ କଥା ପ୍ରକାଶ କରିଦିଅନ୍ତି ତେବେ ସର୍ବନାଶ-! ସେଥିପାଇଁ ଅଙ୍ଗଦ ଚାହୁଁଥିଲା ଠିକ୍ ରତ୍ନଦ୍ଵୀପକୁ ଯାତ୍ରା କରିବା ମୂହୁର୍ତ୍ତରେ ସେମାନଙ୍କୁ ଯଥେଷ୍ଟ ପୁରସ୍କାର ସହ ବିଦାୟ ଦେଇଦେବାକୁ ମାତ୍ର ଦଳର ଅନ୍ୟ କେତେଜଣ ଏଥିରେ ସମ୍ମତ ନଥିଲେ-। ସେମାନେ ଚାହୁଁଥିଲେ...ସମୁଦ୍ର ମଝିରେ ଏ ତିନିଜଣଙ୍କୁ ଜଳସମାଧି ଦେଇ ସବୁପ୍ରକାର ସାକ୍ଷ ପ୍ରମାଣ ନିଶ୍ଚିହ୍ନ କରିଦେବାକୁ । ନାବିକମାନେ ସେମାନଙ୍କର ଉଦ୍ଦେଶ୍ୟ ଭଲ ନୁହେଁ ଜାଣି ଗୁପ୍ତରେ କିପରି ଖସିପଳାଇବେ ତା’ର ଉପାୟ ଖୋଜୁଥାନ୍ତି । ମାତ୍ର ଖସିପଳ।ଇବା ଦିଗରେ ସେମାନଙ୍କର କେତୋଟି ଅନ୍ତରାୟ ଥିଲା । ପ୍ରଥମ ହେଲା, ସେ ତିନିଜଣ ଥିଲେ ବିଦେଶୀ ଲୋକ, ଶ୍ଵେତାଙ୍ଗ-। ଭାରତୀୟମାନଙ୍କ ମଧ୍ୟରେ ଯେଉଁଠି ରହିଲେ ସୁଦ୍ଧା ସହଜରେ ବାରିହୋଇଯିବେ । ମୁକ୍ତ ହେଲେ ମଧ୍ୟ ବମ୍ବେ ପର୍ଯ୍ୟନ୍ତ ଯିବାପାଇଁ ସେମାନଙ୍କ ନିକଟରେ ପାଥେୟ ନାହିଁ । ପାଖଆଖରେ କୌଣସି ଜାହାଜ ଥିଲେ ସେଥିରେ ଥିବା ନାବିକମାନଙ୍କର ସହାୟତା ନେଇହୁଅନ୍ତା; ମାତ୍ର ସେ ସୁଯୋଗ ବି ଜୁଟୁନି ।

 

ଯେଉଁଆଡ଼େ ଚାହିଁଲେ ଖାଲି ସମୁଦ୍ର । ଗୋଟ।ଏ ପଟରେ ପାରାଦ୍ଵୀପ ବନ୍ଦର ପ୍ରାୟ ଦୁଇ ମାଇଲରୁ ଊର୍ଦ୍ଧ୍ଵରେ । ସେଠାକୁ ଯିବାର ବା ଖବର ଦେବାର ଉପାୟ ନାହିଁ । ଅନ୍ୟପଟରେ ନିବିଡ଼ ଝାଟି ଜଙ୍ଗଲ । ସେଥିରେ ଦସ୍ୟୁଦଳଟା ଆତ୍ମଗୋପନ କରି ରହିଛି । ସେ ଦିଗରେ ମଧ୍ୟ ପଳ।ଇବାର ଉପାୟ ନାହିଁ । ତଳେ ଅଶାନ୍ତ ସମୁଦ୍ର । ସବୁବେଳେ ପର୍ବତ।କାରର ଢେଉଗୁଡ଼ା ବାଡ଼େଇପିଟି ହୋଇ ଲଞ୍ଚ୍‍ ତିନୋଟିକୁ ଉଦ୍‍ବେଳିତ କରୁଚି । ରାତିରେ ଦୂରରେ ବତିଘରର ଆଲୋକ କେବଳ ସତର୍କ ସମୁଦ୍ର ପ୍ରହରୀ ପରି ଦେଖାଯାଏ । ନ ହେଲେ ଆଉ ସବୁ ଦିଗ ନିର୍ଜନ, ଶୁନ୍‍ଶାନ୍‍ ।

 

ଦିନରେ କେତେଖଣ୍ଡ ନୌକାରେ ସ୍ଥାନୀୟ ଗ୍ରାମରୁ ମାଛଧରାଳିମାନେ ଯାଆନ୍ତି ସମୁଦ୍ର ଭିତରକୁ ମାଛମାରି । ସେମାନଙ୍କ ସହିତ ନାବିକମାନଙ୍କର ସାକ୍ଷାତ୍‍ ହୁଏ, ମାତ୍ର ନାବିକମାନଙ୍କର ଭାଷା ସେମାନେ ବୁଝନ୍ତି ନାହିଁ କି ଇଙ୍ଗିତ୍‍ ଉପଲବ୍‍ଧ କରନ୍ତି ନାହିଁ । ଅଧିକନ୍ତୁ ସରକାରୀ ଲୋକ ମନେକରି ଲଞ୍ଚ୍‍ ନିକଟରୁ ଦୂରେଇ ରହନ୍ତି । ଏହିପରି ମର୍ମଦାହ ମଧ୍ୟରେ ଲଞ୍ଚ୍‍ ତିନୋଟିର ନାବିକମାନେ ନିର୍ବାସିତ ହୋଇ ରହିଥାନ୍ତି ସମୁଦ୍ର ମଝିରେ ।

 

ଲଞ୍ଚ୍‍ କର୍ମଚାରୀଙ୍କ ବିଷୟରେ ମାଛଧରାଳିମାନଙ୍କ ମନରେ ଗୋଟାଏ ସନ୍ଦେହଜନକ କିମ୍ଭୂତ ଧାରଣା ହୋଇଯାଇଥାଏ । ମାଛ ଧରିସାରି ଆସି ସେମାନଙ୍କ ଆଖଡ଼ାଘରେ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ସେ ନାବିକମାନଙ୍କ ବିଷୟ ମଧ୍ୟ ଆଲୋଚନା ହୁଏ । କିଏ କେତେପ୍ରକାରର ମତମନ୍ତବ୍ୟ ବ୍ୟକ୍ତ କରନ୍ତି ସେମାନଙ୍କ ବିଷୟରେ । ଏହିପରି କେତୋଟି ଦିନ ବେଶ୍ ଦୋଦୁଲ୍ୟମାନ ଅବସ୍ଥାରେ କଟିଗଲା । ଏଣେ ଖୁବ୍ ଶୀଘ୍ର ଯାତ୍ରା ଆୟୋଜନରେ ଅଙ୍ଗଦ ସିଂ ମଧ୍ୟ ଶେଷ ଉଦ୍ୟମରେ ଲାଗିଗଲା ।

 

କିନ୍ତୁ ଶିକାରୀ ଅଙ୍ଗଦ ସିଂକୁ କାଳଛଞ୍ଚାଣ ପରି ପ୍ରଦୀପବାବୁ ଏବଂ ରୂପନାରାୟଣବାବୁ ଯେ ଝାମ୍ପି ଆସିଲେଣି ସେକଥା ସେ ସ୍ଵପ୍ନରେ ସୁଦ୍ଧା କଳ୍ପନା କରିପାରିଲା ନାହିଁ ।

 

ପ୍ରଦୀପବାବୁ ମଧ୍ୟ ନିଜଆଡ଼ୁ ଯେପରି ସାମାନ୍ୟ ମାତ୍ର ତ୍ରୁଟି ନ ହୁଏ, ସେଥିପ୍ରତି ସଜାଗ ଥିଲେ । ସେ ରୂପନାରାୟଣବାବୁଙ୍କ ପରାମର୍ଶରେ ଅତିଶୀଘ୍ର ସବୁ ଜିଲ୍ଲାର ପୋଲିସ୍ ହେଡ଼୍‍କ୍ଵାଟର୍ସ୍, ବନ୍ଦର ଅଫିସଗୁଡ଼ିକୁ ଖବର ଜଣେଇଦେଇଥିଲେ...ଏପରି କୌଣସି ଅନାମାଧେୟ କମ୍ପାନୀର ବୋଟ୍, ଲଞ୍ଚ୍‍ ବା ଜାହାଜ ବନ୍ଦର ସୀମାକୁ ଆସିଲେ ତାଙ୍କୁ ତତ୍‍କ୍ଷଣାତ୍ ଜଣାଇଦେବା ପାଇଁ ।

 

ଏତକ ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ବଡ଼ ବଡ଼ ସହରର ବୋଟ୍ କମ୍ପାନୀଗୁଡ଼ିକରୁ ଖବର ନେବାରେ ଲାଗିଲେ । ଏଇ ଅଳ୍ପଦିନ ମଧ୍ୟରେ କେହି ବୋଟ୍ ବା ଲଞ୍ଚ୍‍ କେତୋଟା କ୍ରୟ କରିଛି ତାହା ଡ଼େଲିଭେରି ଦିଆଯାଇଛି କେଉଁଠାରେ ?

 

ଓୟାରଲେସ୍ ପ୍ରଚାରିତ ଏଇ ଜରୁରୀବାର୍ତ୍ତାଟି ସମଗ୍ର ଭାରତର ପୋଲିସ ହେଡ଼୍‍କ୍ଵାଟର୍ସ ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କୁ ସଜାଗ ସତର୍କ କରିଦେଇଥିଲା । ପୋଲିସ୍ ଗୁଇନ୍ଦାଦଳ ଯେତେକ ବଡ଼ ସାନ ବୋଟ୍, ଲଞ୍ଚ୍‍ ବିକ୍ରେତା ଅଛନ୍ତି, ସମସ୍ତଙ୍କ ସହିତ ଯୋଗାଯୋଗ ରଖି ଏଇ ମାସକ ଭିତରେ କିଏ କି ପ୍ରକାର ବୋଟ୍ ବା ଲଞ୍ଚ୍‍ କିଣିଛନ୍ତି ତା’ର ଏକ ତାଲିକା ପଠାଇଦେଲେ ଓଡ଼ିଶା ପୋଲିସ୍ ହେଡ଼୍‍କ୍ଵାଟର୍ସକୁ ।

 

ପ୍ରଦୀପବାବୁ ପୋଲିସ୍ ହେଡ଼୍‍କ୍ଵାଟର୍ସରେ ପ୍ରତ୍ୟେକର ବିବରଣୀ ତନ୍ନତନ୍ନ କରି ପରୀକ୍ଷା କରିନେଲେ । ଯେଉଁ କେତୋଟି ଲଞ୍ଚ୍‍, ବୋଟ୍ କ୍ରୟ ଉପରେ ତାଙ୍କର ସନ୍ଦେହ ହେଲା ସେସବୁ ସେପରି ଗୁରୁତ୍ୱପୂର୍ଣ୍ଣ ନୁହେଁ । ସେଗୁଡ଼ିକ ପୁଣି ବଡ଼ ବଡ଼ ଜାହାଜ କମ୍ପାନୀର ମାମଲା । ସେପରି ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଯେ ଗୋଟାଏ ଦସ୍ୟୁ ସହିତ ସମ୍ପୃକ୍ତ ଥିବେ, ଏଟା ଅସ୍ଵାଭାବିକ ବୋଧହେଲା ତାଙ୍କୁ । ତେଣୁ ସେଦିଗରେ ମୁଣ୍ଡ ଖେଳେଇବାରୁ ନିରସ୍ତ ହେଲେ ସେ । କିନ୍ତୁ ଘୋର ସନ୍ଦେହ ତାଙ୍କର ମନରେ ଆଣିଦେଲା 'ବର୍ମା ଟ୍ରେଡିଂ କମ୍ପାନୀ' ର ତିନିଟା ମଟର ଲଞ୍ଚ୍‍ କିଣା ବ୍ୟାପାର ।

 

ତାଙ୍କ ମନରେ ପ୍ରଥମ ସନ୍ଦେହର ସୂତ୍ରପାତ କରାଇଲେ ବିଜୟବାବୁ । ନ ହେଲେ ସେ ତ ପ୍ରାୟ ଖାଲି ନାମଟାକୁ ଚାହିଁଦେଇ ଛାଡ଼ିଯାଉଥିଲେ । କିନ୍ତୁ ବିଜୟବାବୁ ସେଇ ନାମଟାକୁ ଅଣ୍ଡରଲାଇନ୍ କରି ପ୍ରଦୀପବାବୁଙ୍କୁ କହିଲେ...’’ଦେଖନ୍ତୁ ସାର୍ ଏଇଟା; ୟା’ର କିଣା ନୀତି ତ ଘୋର ସନ୍ଦେହଜନକ ।

 

ପ୍ରଦୀପବାବୁ ପ୍ରଥମେ କିଛି ବୁଝି ନ ପାରି ପ୍ରଶ୍ନବାଚକ୍ ଦୃଷ୍ଟିରେ ଚାହିଁଲେ ବିଜୟବାବୁଙ୍କ ଆଡ଼େ ।

 

ବିଜୟବାବୁ ପିଲାଙ୍କୁ ମାଷ୍ଟର ବୁଝାଇଲା ପରି ପ୍ରଦୀପବାବୁଙ୍କୁ ବୁଝାଇଲେ...’’ଏଇ ଦେଖନ୍ତୁ, ଏଇ ଲଞ୍ଚ୍‍ କମ୍ପାନୀଟା ବର୍ମାର । ବର୍ମାରେ ତ ବଡ଼ ବଡ଼ ଜାହାଜ, ଲଞ୍ଚ୍‍, ବୋଟ୍ କମ୍ପାନୀର ଅଭାବ ନାହିଁ । ଏଟା ସେଠାରୁ କିଣା ନ ଯାଇ ଏଠାରୁ କିଣାଯିବାର ଅର୍ଥ ?’’

 

‘‘ହୁଏତ ଆକସ୍ମିକ ଦରକାର ପଡ଼ିପାରେ”...ପ୍ରଦୀପବାବୁ ଉତ୍ତର ଦେଲେ ।

 

‘‘...ହଁ, ତା’ ମୁଁ ମାନୁଛି । ତେବେ ବର୍ମାର କମ୍ପାନୀ ଭାରତରୁ ଲଞ୍ଚ୍‍ କିଣି ତା’ର ମୂଲ୍ୟ ବାବଦକୁ ଭାରତୀୟ ଟଙ୍କା ନଗଦ ପଇଠ କରିଛି । ଏ ଟଙ୍କାଟା ତ ବ୍ୟାଙ୍କ ଡ୍ରାଫ୍‍ଟ୍‍ ଆକାରରେ ବର୍ମାରେ ଡିପୋଜିଟ୍‍ ହୋଇ ଭାରତରୁ ଡ୍ର ହୋଇଥାନ୍ତା, କିମ୍ବା ବଡ଼ କମ୍ପାନୀ ହୋଇଥିଲେ ସେଠା ବ୍ୟାଙ୍କରେ ପୂର୍ବରୁ ଜମାଥିବା ଏକାଉଣ୍ଟରୁ ଏଠାରେ ଡ୍ର କରିହୋଇଥାନ୍ତା; କିନ୍ତୁ ଏଠାରେ ସେ ସବୁର ବ୍ୟତିକ୍ରମ ଦେଖିବାକୁ ମିଳୁଚି ।”

 

ପ୍ରଦୀପବାବୁ କଥାଟା ଏତେବେଳକେ କିଛି କିଛି ହୃଦ୍‍ବୋଧ କଲେ । ତାଙ୍କ ମନରେ ସନ୍ଦେହ ଉଙ୍କି ମାରିଲା । ସେ କାଗଜଟା ଉପରେ ଦୃଷ୍ଟି ନିବିଦ୍ଧକରି ଗମ୍ଭୀରଭାବରେ କହିଲେ...'ହୁଁ, ଠିକ୍ କଥା ତ !'

 

‘‘...ଆହୁରି ମଜାର କଥା ହେଉଛି, ଲଞ୍ଚ୍‍ କିଣିବା ସଙ୍ଗେ ସଙ୍ଗେ ଲଞ୍ଚ୍‍ କମ୍ପାନୀରୁ କେତେଜଣ ନାବିକ ମଧ୍ୟ ନିଆଯାଇଛି । ସେମାନଙ୍କର ଦରମା ଇତ୍ୟାଦି କମ୍ପାନୀରେ ନଗଦ ଦାଖଲ କରାଯାଇଛି ଏବଂ ମାନ୍ଦ୍ରାଜ ବନ୍ଦରରେ ଲଞ୍ଚ୍‍ ପହଞ୍ଚ।ଇଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି ବର୍ମା ଟ୍ରେଡିଂ କମ୍ପାନୀ ପକ୍ଷରୁ । ଏଟା ତ ଘୋର ସନ୍ଦେହଜନକ ଘଟଣା । ନାବିକ ନାହିଁ, ଅଥଚ ଲଞ୍ଚ୍‍ କିଣାଯାଉଛି !”

 

‘‘ହୂଏତ ସେମାନଙ୍କର ନାବିକମାନେ ମାନ୍ଦ୍ରାଜ ହାର୍‍ବର୍‍ରେ ଥାଇପାରନ୍ତି”...ପ୍ରଦୀପବାବୁ ଯୁକ୍ତି ଦେଖାଇଲେ ।

 

‘‘ମାନିଲି କମ୍ପାନୀ କ’ଣ ଲାଭ ଚାହୁଁନଥିଲେ କି ? ନିଜର ଛଅ ଜଣ ନାବିକ ମାନ୍ଦ୍ରାଜ ବନ୍ଦରରେ ବସି ବସି ଦରମା ନେବେ, ଅଥଚ ବୋଟ୍ କମ୍ପାନୀର ନାବିକଙ୍କ ଖର୍ଚ୍ଚ ଇତ୍ୟାଦି ବାବଦରେ ବାରହଜାର ଟଙ୍କା ନଗଦ ଦିଆଯାଇଛି । ସେତକ ଟଙ୍କା ବଦଳରେ ବର୍ମା ଟ୍ରେଡିଂ କମ୍ପାନୀର ଛଅଜଣ ନାବିକ ସ୍ଥଳପଥରେ ବମ୍ବେ ଯାଇ ସମସ୍ତ ଖର୍ଚ୍ଚ ଆଦି ସହ ଅନ୍ତତଃ ଦଶଥର ନିଆଅଣା କରିପାରିଥାନ୍ତେ । ଏଥିରେ ରହସ୍ୟ ଅଛି ନିଶ୍ଚୟ ।”

 

‘‘ବାସ୍ତବିକ ସନ୍ଦେହଜନକ ବିଷୟ !” ପ୍ରଦୀପବାବୁ ବିସ୍ମିତ ହୋଇ କହିଲେ, ‘‘ତୁମେ ବର୍ତ୍ତମାନ ହେଡ଼୍‍କ୍ଵାର୍ଟରକୁ ଯାଇ ଓୟାରଲେସ୍ ଖବର ପଠାଇ ବୁଝ ଯେ, ବୋଟ୍ କମ୍ପାନୀକୁ ନାବିକ ଛଅଜଣ ଫେରିଲେଣି କି ନାହିଁ । ମାଦ୍ରାସ ହାର୍‍ବର୍‍କୁ ଖବର ଦେଇ ବୁଝ ଯେ ପ୍ରକୃତରେ ବର୍ମା ଟ୍ରେଡିଂ କମ୍ପାନୀର କୌଣସି ଲଞ୍ଚ୍‍ ସେଠାରେ ଅଛି କି ନାହିଁ । ଆଉ ଗୋଟାଏ ଖବର ରେଙ୍ଗୁନ୍‍କୁ ପଠାଇ ବୁଝ...ସେଠାରେ ବର୍ମା ଟ୍ରେଡିଙ୍ଗ୍‍ କମ୍ପାନୀ ନାମରେ କୌଣସି ବ୍ୟବସାୟ ପ୍ରତିସ୍ଥାନ ଭାରତରେ ଲଞ୍ଚ୍‍ କିଣିବାକୁ ଅନୁମତି ପାଇଛି କି ନାହିଁ । ଏହି ତିନିଟି ଖବର ସଂଗ୍ରହ କରିନେଇପାରିଲେ ଆମର ସନ୍ଦେହମୋଚନ ହୋଇପାରିବ । ତୁମେ ବର୍ତ୍ତମାନ ଏତକ କାମ ଶେଷକର । ମୁଁ କମିଶନର ମିଷ୍ଟର ବ୍ରାଉନଙ୍କୁ ଥରେ ସାକ୍ଷାତ୍‍ କରି ଆସେଁ ।”

 

ପ୍ରଦୀପବାବୁ ଉଠିବା ସଙ୍ଗେସଙ୍ଗେ ବିଜୟବାବୁ ମଧ୍ୟ ମୁଣ୍ଡରେ ହ୍ୟାଟ୍‍ଟା ଲଗାଇ ଉଠିଲେ ।

 

(ଛଅ)

 

ରାତି ବାରଟା ବାଜିଯାଇଥିଲେ ବି ପ୍ରଦୀପବାବୁ ଡ୍ରଇଂରୁମରେ ବସି କେତେକ କାଗଜପତ୍ର ପରୀକ୍ଷା କରୁଥିଲେ । ରୁମ୍‍ଟାରେ ଆଉ କେହି ନଥିଲେ କେବଳ ଟାଇଗର୍ ଛଡ଼ା । ସେ ପ୍ରଦୀପବାବୁଙ୍କ ଟେବୁଲ୍‍ ତଳେ ଶୋଇଥିଲା । ପ୍ରଦୀପବାବୁ ବଡ଼ ବ୍ୟସ୍ତ ଏବଂ ବିବ୍ରତ ଥିଲା ପରି ଜଣାଯାଉଥିଲେ । ସେଥିପାଇଁ ବହୁସମୟ ପର୍ଯ୍ୟନ୍ତ କାଗଜପତ୍ରରେ ମନୋନିବେଶ କରି ନ ପାରି ବାରମ୍ବାର ଘଡ଼ିକୁ ଏବଂ ବାହାରକୁ ଚାହୁଁଥିଲେ । ପୁଝାରି ବିଚରା ୟା’ ମଧ୍ୟରେ କେତେଥର ଆସି ଚାହିଁଗଲାଣି ଝରକାବାଟେ । ଖାଇବା ଥଣ୍ଡା ହୋଇଯାଉଛି, କିନ୍ତୁ ତା’ର ସାହସ ହେଉନାହିଁ ଡାକିବାକୁ । ପ୍ରଦୀପବାବୁ ବେଳେବେଳେ ଏପରି ଗୁରୁଗମ୍ଭୀର ହୋଇ ବସନ୍ତି । ସେତେବେଳେ ତାଙ୍କରି ଅଭିନିବେଶ ଭଙ୍ଗକଲେ ଭୀଷଣ ବିରକ୍ତ ହୁଅନ୍ତି । ପୁଝାରୀ ବହୁଦିନର ପୁରୁଣା ଲୋକ । ସେ ଭଲ କରି ଏକଥା ଜାଣେ ।

 

କାନ୍ଥଘଣ୍ଟାରେ ସାଢ଼େ ବାରଟା ବାଜିବାର ସୂଚନା ହେଲା ।

 

ପ୍ରଦୀପବାବୁଙ୍କର ଧୈର୍ଯ୍ୟସୀମା ଅତିକ୍ରମ କଲା । ସେ ଅତିଷ୍ଠ ହୋଇ ଟେଲିଫୋନ୍ ରିସିଭର୍‍ ଉଠାଇ ଡାଏଲ ଘୂରାଇଲେ । ଅଳ୍ପସମୟ ମଧ୍ୟରେ ପୋଲିସ୍ ହେଡ଼୍‍କ୍ଵାଟର୍ସ ସହିତ ଯୋଗାଯୋଗ ସ୍ଥାପିତ ହେଇଗଲା । ପୋଲିସ ହେଡ଼୍‍କ୍ଵାଟର୍ସରେ ସେ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ବିଜୟବାବୁ କିଛି ଖବର ପ୍ରତ୍ୟାଶାରେ । କିନ୍ତୁ ସବୁଆଡ଼କୁ ଖବର ମଗ।ଇଥିଲେ ମଧ୍ୟ କେଉଁଠାରୁ କିଛି ଉତ୍ତର ପାଇନଥିଲେ । ତେବେ ଖୁବ୍ ଶୀଘ୍ର କିଛି ସମ୍ବାଦ ମିଳିବାର ଆଶା କରାଯାଉଥିଲା ।

 

ପୋଲିସ୍ ହେଡ଼୍‍କ୍ଵାଟର୍ସରୁ ରିସିଭର୍‍ ଧରିଥିଲେ ବିଜୟବାବୁ । ପ୍ରଦୀପବାବୁ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ । ଶେଷରେ ହତାଶ ହୋଇ ପ୍ରଦୀପବାବୁ କହିଲେ ...” ଆଛା, ବିଜୟ ! ତୁମେ ଚାଲିଆସ ଏଠିକୁ । ଜରୁରୀ ଦରକାର ଅଛି । କିଛି ଖବର ଆସିଲେ ଏଠିକୁ କନେକ୍‍ଟ କରିଦେବାକୁ ଅପରେଟରକୁ କହିଆସ ।”…ସେ ରିସିଭର ଥୋଇଦେଇ ଶୂନ୍ୟଦୃଷ୍ଟିରେ ଚାହିଁଲେ ଝରକାବାଟ ବାହାରକୁ । ବାହାରେ ଘୋର ଅନ୍ଧକାର ଜମି ରହିଥିଲା । ମାତ୍ର କେତୋଟି ବିଜୁଳି ଆଲୁଅ ବହୁଦୂରରେ ଜୁଳୁଜୁଳୁ ଦିଶୁଥିଲା ।

 

ପ୍ରାୟ ପନ୍ଦର ମିନିଟ୍‍ ପରେ ବାହାରେ ମୋଟର ସାଇକେଲ ଆସିବାର ଶବ୍ଦ ଏବଂ ପରେ ପରେ ତାହା ଅଟକିବାର ଶବ୍ଦ ଶୁଣାଗଲା । ପ୍ରଦୀପବାବୁ ଦୃଷ୍ଟି ଫେରାଇଲେ ଦ୍ୱାରଆଡ଼କୁ । ଭିତରକୁ ପଶିଆସିଲେ ବିଜୟବାବୁ ।

 

ତାଙ୍କୁ ବସିବାକୁ ଗୋଟେ ଆସନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ପ୍ରଦୀପବାବୁ କହିଲେ, ତୁମେ ପ୍ରସ୍ତୁତ ହୋଇପଡ଼, ବିଜୟ ! ଆଜି ହୁଏତ ବାହାରକୁ ଯିବାକୁ ପଡ଼ିପାରେ ।”

 

‘‘ଆଜି ? କେଉଁଠାକୁ ?” ଆଶ୍ଚର୍ଯ୍ୟ ହୋଇ ପଚାରିଲେ ବିଜୟବାବୁ ।

 

‘‘ବମ୍ବେ, ମାନ୍ଦ୍ରାଜ କିମ୍ବା ଆଉ କେଉଁ ଅଜ୍ଞାତ ସ୍ଥାନକୁ ।”

 

‘‘ଅର୍ଥାତ୍ ?” ...ବିଜୟବାବୁ ଏପରି କଥାର ଅର୍ଥ ବୁଝିନପାରି ତା’ର ସ୍ପଷ୍ଟୀକରଣ ଚାହୁଁଥିଲେ ।

 

‘‘ବୁଝୁନ ! ଆଜି ଆମର ସମ୍ବାଦ ସରବରାହ ଯେତେବେଳେ ଏତେ ଡେରିରେ ସୁଦ୍ଧା ଯାଥାଯଥଭାବରେ ହୋଇପାରିନି, ସେତେବେଳେ ନିଶ୍ଚିତଭାବରେ ବୁଝିବାକୁ ହେବ ଯେ କେଉଁଠି କିଛି ଗଡ଼ବଡ଼ ହୋଇଯାଇଛି । କୌଣସି ଦୁର୍ଘଟଣା ଘଟିନଥିଲେ ଖବର ତ ପାଇଲାମାତ୍ରେ ଫେରିଥାନ୍ତା । ଡେରିହେବାରୁ ଜଣାପଡ଼ୁଛି ଯେ, ସେମାନେ ଠିକ୍ ଖବର ଉପଯୁକ୍ତ ବ୍ୟକ୍ତିଠାରୁ ପାଉନାହାନ୍ତି; ଖୋଜଖବର ନେଉଛନ୍ତି । ସେଥିପାଇଁ କହୁଥିଲି ଯେ ହୁଏତ ତୁମକୁ ଖୁବ୍‍ଶୀଘ୍ର ଯିବାକୁ ପଡ଼ିପାରେ ।”

 

ବିଜୟବାବୁ କ’ଣ କହିଥାନ୍ତେ କି କ’ଣ, କିନ୍ତୁ ଏହିସମୟରେ ବୁଢ଼ା ପୂଝାରୀ ଆସି ଠିଆହେଲା ସାମନାରେ । ପ୍ରଦୀପବାବୁ ଦେଖିଲେ ସେ ବିଚରା ବଡ଼ ବ୍ୟସ୍ତ ହୋଇପଡ଼ିଲାଣି । ତା’ପରେ ବିଜୟବାବୁଙ୍କୁ ଲକ୍ଷ୍ୟକରି କହିଲେ...‘‘ଆଗ ଖାଇବା କାମ ଶେଷ କରାଯାଉ; ସେହି ସମୟ ମଧ୍ୟରେ ଯଦି କିଛି ଖବର ଆସିଯାଇପାରେ ।”

 

ଦୁହେଁ ଉଠିଗଲେ ।

 

ନିତାନ୍ତ ଅନ୍ୟମନସ୍କତା ଏବଂ ବ୍ୟଗ୍ରତା ଭିତରେ ଖାଇବା କାମଶେଷ ହେଲା । ପ୍ରଦୀପବାବୁଙ୍କ ଅନୁମାନହିଁ ଯଥାର୍ଥ । ଠିକ୍ ଏମାନେ ଆସି ଡ୍ରଇଂରୁମରେ ପହଞ୍ଚିଲାବେଳକୁ ଟେଲିଫୋନ୍ ରିଂ କରିଉଠିଲା । ବିଜୟବାବୁ ଧାଇଁଯାଇ ରିସିଭର ଉଠାଇ କାନରେ ଲଗାଇଲେ ।

 

ପୋଲିସ୍ ହେଡ଼୍‍କ୍ଵାଟର୍ସରୁ ଖବର ଆସିଥିଲା ଯେ, ବମ୍ବେ ପୋଲିସ୍ ଜଣାଇଛନ୍ତି...ବୋଟ୍ କମ୍ପାନୀରୁ ଯାଇଥିବା ଛଅଜଣ ନାବିକ ଏ ପର୍ଯ୍ୟନ୍ତ ଫେରିନାହାନ୍ତି । ସେମାନେ ତିନିଦିନରେ ଫେରିବାର କଥା । ମାତ୍ର ଏଗାର ଦିନ ଅତିବାହିତ ହୋଇଗଲାଣି । ସେମାନଙ୍କ ସମ୍ବନ୍ଧରେ କିଛି ଖବର ସଂଗ୍ରହ କରିବାପାଇଁ କମ୍ପାନୀ ମାନ୍ଦ୍ରାଜ ବନ୍ଦରକୁ ଫୋନ୍ କରି ପଚାରିଥିଲେ; କିନ୍ତୁ ସେମାନେ କିଛି ଖବର ଯୋଗାଇ ପାରୁନାହାନ୍ତି ।”

 

ପ୍ରଦୀପବାବୁ ସବୁ ଶୁଣି କହିଲେ...‘‘ବେଶ୍ ! ଗୋଟାଏ ଅଡ଼ୁଆ ଗଲା । ତୁମେ ମାଡ୍ରାସକୁ ଆଉଥରେ କେବଲ୍‍ କର । ଦେଖିବା କ’ଣ ହେଉଛି ।”

 

ପ୍ରଦୀପବାବୁ ପୁଣି କାଗଜପତ୍ର ପରୀକ୍ଷା କରି ଦେଖିବାରେ ମନୋନିବେଶ କଲେ । ବିଜୟବାବୁ ପାଖ କୋଠରୀକୁ ଚାଲିଗଲେ ମାଡ୍ରାସ ପୋର୍ଟକୁ ଖବର ଦେବାପାଇଁ ।

 

ପ୍ରାୟ ଅଧଘଣ୍ଟାକ ପରେ ସେ ପ୍ରଦୀପବାବୁଙ୍କ ନିକଟକୁ ପୁଣି ଫେରିଆସିଲେ । କିଛି ଖବର ମିଳିଛି କି ନାହିଁ, ସେ ବିଷୟରେ ଜାଣିବାପାଇଁ ବ୍ୟଗ୍ରଭାବରେ ଚାହିଁଲେ ପ୍ରଦୀପବାବୁ ତାଙ୍କ ମୁହଁକୁ । ବିଜୟବାବୁ ନିଜକୁ ଟିକେ ସଜାଡ଼ିନେଇ କହିଲେ...‘‘ବନ୍ଦର ନିରାପତ୍ତା ପୋଲିସ୍ ଇନଚାର୍ଜ ଅଫିସରଙ୍କ ସହିତ ସିଧାସଳଖ କଥାବାର୍ତ୍ତା ହେଲା । ସେମାନେ କହିଲେ ଯେ ‘ବର୍ମା ଟ୍ରେଡିଂ କମ୍ପାନୀ’ ନାମରେ କୌଣସି ବ୍ୟବସାୟ ପ୍ରତିଷ୍ଠାନର ବୋଟ୍, ଲଞ୍ଚ୍‍ ବା ଜାହାଜ ମାଡ୍ରାସ ହାର୍‍ବର୍‍ରେ ଲଙ୍ଗର କରିନାହିଁ । ଏପରିକି ସେପରି ନାମ ମଧ୍ୟ ସେମାନେ ଶୁଣିନାହାନ୍ତି । ତେବେ ପେଟ୍ରୋଲ କରୁଥିବା ପୋଲିସ୍ କେତେଜଣଙ୍କଠାରୁ ପ୍ରକାଶ ଯେ, ସେମାନେ ତିନିଟି ଲଞ୍ଚ୍‍ ବନ୍ଦରଠାରୁ ପ୍ରାୟ ମାଇଲିଏ ଦୂରରେ ନଙ୍ଗର କରି ସମୁଦ୍ର ଭିତରେ ଦିନେକାଳ ଥିଲା । ୟେ ଆଠଦିନ ତଳର ଘଟଣା । ସେଥିରେ ବିଦେଶୀ ଶ୍ଵେତାଙ୍ଗ ନାବିକ ଥିଲେ । ତା’ପରେ ସେ ଲଞ୍ଚ୍‍ ତିନିଟି ସମୁଦ୍ର ଭିତରେ ପୂର୍ବଦିଗକୁ ଗତି କରିଛି । ଆଉ ସେ ସମ୍ପର୍କରେ କୌଣସି ଖବର ନାହିଁ ।’’

 

ଗମ୍ଭୀରଭାବରେ ‘ହୁଁ’ ଟିଏ ମାରି ପ୍ରଦୀପବାବୁ ଚିନ୍ତିତ ମନରେ ବସିରହିଲେ ଉପରକୁ ଚାହିଁ । କିଛି ସମୟ ପରେ ସେ ଚମକିଲା ପରି ହୋଇ କହିଲେ...‘‘ଆଚ୍ଛ।, ବିଜୟ ! ରେଙ୍ଗୁନରୁ କ’ଣ କିଛି ଖବର ଆସିନି ?”

 

‘‘ନା, ସେମାନଙ୍କୁ ତ ଉତ୍ତର ମଗାଯାଇନଥିଲା । ଏପରି ଯଦି କୌଣସି ବ୍ୟବସାୟ ପ୍ରତିଷ୍ଠାନ ତାଙ୍କ ପୋର୍ଟ ଜରିଆରେ ଚଳାଚଳ ହେଉଥାନ୍ତା ତେବେ ସେମାନେ ଜଣାଇଥାନ୍ତେ । ବର୍ତ୍ତମାନ ସେମାନଙ୍କର ନୀରବତା ସ୍ପଷ୍ଟ ଜଣାଉଛି ଯେ, ସେପରି କୌଣସି ଜାହାଜ ସେପାଖରେ ଚଳାଚଳ ହେଉନାହିଁ କି ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ନାହିଁ ।”

 

ପ୍ରଦୀପବାବୁ ପୁଣି ଚିନ୍ତାମଗ୍ନ ରହିଲେ କିଛି ସମୟ । ତା’ପରେ ସିଧା ହୋଇ ବସି ବିଜୟବାବୁଙ୍କୁ ଚାହିଁ କହିଲେ...‘‘ରାତି ପାହିବାକୁ ଆଉ ମୋଟେ ତିନି ଘଣ୍ଟା ବାକି, ବିଜୟ ! ଏଇ ସମୟ ମଧ୍ୟରେ ତୁମକୁ ଆଉ ଗୋଟାଏ ବିରାଟ ଦୁଃସାହସିକ ଅଭିଯାନରେ ବାହାରିବାକୁ ହେବ । ମାଡ୍ରାସ ପୋର୍ଟ ପୋଲିସ୍ ଯେଉଁ ଖବର ଦେଇଚି ତାହା ସମ୍ପୂର୍ଣ୍ଣ ଠିକ୍ । ସେମାନେ ଯଦି ପୂର୍ବଦିଗକୁ ଯାଇଥାନ୍ତି, ତେବେ ପାରାଦ୍ଵୀପ ପର୍ଯ୍ୟନ୍ତ ଯାଇଥିବେ କିମ୍ବା ନ ଯାଇଥିଲେ ଏହାମଧ୍ୟରେ କେଉଁଠି ଥିବେ । ତୁମେ ପାରାଦ୍ଵୀପ ଯାଇ ସେଠାରେ ଖବର ନିଅ । କ’ଣ, ଯିବ ?”

 

‘‘ନିଶ୍ଚୟ” ବିଜୟବାବୁ ହସି ହସି ଉତ୍ତର ଦେଲେ ।

 

‘‘ମୁଁ ଜାଣେ, ତୁମେ କେବେହେଲେ ପଶ୍ଚାତ୍‍ପଦ ହେବନାହିଁ ବୋଲି । ତଥାପି କର୍ତ୍ତବ୍ୟ ବଡ଼ କଠିନ । ତୁମ ସାଥିରେ ଟାଇଗର୍ ଯିବ । ଛୋଟ ପୋର୍ଟେବ୍ଲ ଓୟାରଲେସ୍ ସେଟଟିଏ ବି ସାଙ୍ଗରେ ନିଅ । ସବୁ ଖବର ନିୟମିତ ଜଣାଇଦେଉଥିବ । ପାଖରେ ଟାଇଗର୍ ଥିଲେ ଭୟ କ’ଣ-? ସେ ତ ଗୋଟାଏ ସିଂହ !”

 

ବିଜୟବାବୁ ହସିଲେ ।

 

‘‘ମୁଁ ତେବେ ପ୍ରସ୍ତୁତ ହୋଇପଡ଼େ ?”

 

ପ୍ରଦୀପବାବୁ ନୀରବରେ ସମ୍ମତି ଜଣାଇଲେ ।

 

ପ୍ରାୟ ଘଣ୍ଟାକ ମଧ୍ୟରେ ବିଜୟବାବୁ ପ୍ରସ୍ତୁତ ହୋଇ ବାହାରିଆସିଲେ । ପ୍ରଦୀପବାବୁ ତାଙ୍କୁ ଚାପାକଣ୍ଠରେ କେତେକ ଉପଦେଶ ଦେଇ କହିଲେ ...”ରୂପନାରାୟଣବାବୁ ଆସିବାମାତ୍ରେ ତୁମଠାରୁ ଖବର ପାଇଲେ ମୁଁ ଯିବି । ଆଦୌ ଭୟ କରିବ ନାହିଁ । ଆମର ଜୟ ସୁନିଶ୍ଚିତ ।” ତା’ପରେ ଟାଇଗର୍ କୁ ଟିକିଏ ଆଉଁସିଦେଇ ଛାଡ଼ିଦେଲେ ।

 

ବିଜୟବାବୁ ଜିପ୍‍ରେ ଷ୍ଟାର୍ଟ ଦେଲେ । ଟାଇଗର୍ କୁଦିପଡ଼ି ତାଙ୍କ ପାଖରେ ଯାଇ ବସିପଡ଼ିଲା । ଜିପ୍ ଆଗେଇଗଲା ରାସ୍ତା ଉପରେ ।

 

ପ୍ରଦୀପବାବୁ ରୁମାଲ ହଲାଇ ଯାତ୍ରାର ଶୁଭକାମନା କରୁଥିଲେ ଫାଟକ ପାଖରେ ଠିଆହୋଇ ।

 

ପୂର୍ବ ଆକାଶରେ ଦିଗ୍‍ବଳୟ ରେଖା ପାଖରୁ ସିନ୍ଦୁରା ଫାଟି ଆସୁଥିଲା ।

 

(ସାତ)

 

ବିଜୟବାବୁ ପାରାଦ୍ୱୀପରେ ପହଞ୍ଚିଲାବେଳକୁ ଦି’ପହର । ଟାଇଁ ଟାଇଁ ମୁଣ୍ଡଫଟା ଖରା । ଏଣେ ଭୀଷଣ ଭୋକ ଆଉ ଶୋଷ । ଏଇ କେତେଦିନ କ୍ରମାଗତ ପରିଶ୍ରମ କରିବାଦ୍ଵାରା ସେ ଅନେକଟା ଦୁର୍ବଳ ଅନୁଭବ କରୁଛନ୍ତି ନିଜକୁ । ଟାଇଗର୍ ର ଅବସ୍ଥା ମଧ୍ୟ ତଦ୍ରୂପ । ଯାହା କିଛି ଜଳଖିଆ ପାଥେୟ ସ୍ୱରୂପ ଆଣିଥିଲେ, ସେତକ ସରିଗଲାଣି । ଗାଡ଼ିରେ ଅଛି ଖାଲି ପାଣି । କିନ୍ତୁ ପାଟି ପେଟ ଚିତ୍କାର କରୁଛନ୍ତି ...ଖାଦ୍ୟ ।

 

ଏଇଟା ଅବଶ୍ୟ ବନ୍ଦର ଅଞ୍ଚଳ । ଭଲ ହୋଟେଲ କି ରେଷ୍ଟୁରାଣ୍ଟଟାଏ ନଜରରେ ପଡ଼ୁନି-। ଯେଉଁ କେତୋଟି ଦୋକାନ ରାସ୍ତାକଡ଼ରେ ଦୃଷ୍ଟିକୁ ଆସୁଚି, ସେଗୁଡ଼ିକ ଚା, ପାନ ଦୋକାନ-। ଗୋଟାଏ ଭଲ ଜଳଖିଆ ଦୋକାନ ନିହାତି ହେଲେ ମିଳନ୍ତା । ସେଇ ଆଶାରେ ସେ ଜିପ୍‍ର ଗତି ଧିମେଇଦେଇ ଚଲାଇଛନ୍ତି ଦୁଇପଟକୁ ଚାହିଁ ଚାହିଁ ।

 

ଖଣ୍ଡେଦୂର ଚାଲିଗଲା ପରେ ଗୋଟାଏ ବଡ଼ ଦୋକାନ ତାଙ୍କ ନଜରରେ ପଡ଼ିଲା । ବଡ଼ ଅବଶ୍ୟ ଆକାରରେ । ସାମନାପଟକୁ ଗୋଟାଏ ଶୂନ୍ୟଗର୍ଭ କାଚ ଆଲମାରି । ତା’ର କାଚ ପର୍ଯ୍ୟନ୍ତ ଚୁଲିଧୂଆଁ ଲାଗି କଳା ପାଲଟିଗଲାଣି । ତା’ଭିତରେ କି କି ଖାଦ୍ୟ ସଞ୍ଚିତ ଅଛି ତାହା ଦୃଷ୍ଟିକୁ ଆସୁନାହିଁ । ସାମନାକୁ କୋଇଲା ଚୂଲି ଉପରେ ଚା’ କେଟଲିରେ ପାଣି ଫୁଟୁଛି । ବାମ୍ଫ ଉଠୁଚି । ବିଜୟବାବୁ ଭାବିଲେ...ଯାହାହେଉ, ଏଇଠି ଅନ୍ତତଃ ଭଲ ଚା’ ଟିକିଏ ମିଳିପାରେ ।

 

ଦୋକାନ ସାମନା ରାସ୍ତକଡ଼ରେ ଜିପ୍‍ଟାକୁ ବ୍ରେକ୍‍ କରି ବିଜୟବାବୁ ଓହ୍ଳାଇପଡ଼ିଲେ । ଦୋକାନୀକୁ ବୁଝିବାରେ ଆଉ ବାକି ରହିଲା ନାହିଁ ଯେ ଗାଡ଼ିରୁ ଓହ୍ଲାଉଥିବା ବାବୁଜଣଙ୍କର ଲକ୍ଷ୍ୟସ୍ଥଳ ହେଉଛି ଏଇ ଦୋକାନ । ତେଣୁ ସେ ନ ପହଞ୍ଚୁଣୁ ତରତର ହୋଇ ଉଠି ଖଣ୍ଡେ ତେଲଚିକିଟା, କଳା କିଟିକିଟି ମଇଳା ଛିଣ୍ଡା ଗାମୁଛାରେ ବେଞ୍ଚ୍‍ଟା ପୋଛିପକାଇ ସ୍ଵାଗତ ଜଣାଇବାକୁ ଅପେକ୍ଷା କରି ରହିଲା ।

 

ବିଜୟବାବୁ ଠିକ୍ ଦୋକାନ ଉପରକୁ ପାଦ ଦେଲାକ୍ଷଣି ସେ ‘ଆସନ୍ତୁ, ଆଜ୍ଞା’ କହି ବେଞ୍ଚ୍‍ଟାକୁ ଆଉଥରେ ପୋଛି ପକେଇଲା । ବିଜୟବାବୁ ଗୋଡ଼ ସଳଖି ଟିକେ ବସିଲେ । ଦୀର୍ଘସମୟ ଧରି ଗୋଟାଏ ଆସନରେ ବସି ଡ୍ରାଇଭିଂ କରି ତାଙ୍କର ଅଣ୍ଟାପିଠି ଲାଗିଲାଗି ଆସୁଥିଲା । ବର୍ତ୍ତମାନ ସେ ଅନେକ ପରିମାଣରେ ଆରାମ ବୋଧେକଲେ । ତାଙ୍କର ପାଦତଳକୁ ଟାଇଗର୍ ଆସି ପ୍ରକାଣ୍ଡ ମୁହଁଟା ମେଲାକରି ଜିଭଟା କାଢ଼ି ଧକୋଉଥାଏ ।

 

ଦୋକାନୀ ମନେ ମନେ ଭାବିଲା...ୟେ ବାବୁ ଜଣେ ବଡ଼ବାବୁ ହେବେ ବୋଧେ । ସେଥିପାଇଁ ଯେଉଁ ମଳିଚିଆ ପ୍ଳେଟଖଣ୍ଡ ଥିଲା ଦୋକାନରେ, ତାକୁ ମାଜି ମୁଜି ସଜାଡ଼ି ରଖିଲାଣି ବାବୁ ଚାହିଁଲାମାତ୍ରେ ସେଥିରେ ବାଢ଼ିଦେବ ବୋଲି । ଦୋକାନର ବ୍ୟବସ୍ଥା ଯାହା, ଦେଖିଲାମାତ୍ରେ ବିଜୟବାବୁଙ୍କ ଆତ୍ମାଟା ଛାଡ଼ିଗଲା । ତାଙ୍କୁ ଯେତେ ଭୋକ ହେଉଥିଲା ତା’ର ଅଧା କମିଗଲା କୁଆଡ଼େ । ଯାହାହେଉ, ଦୋକାନୀ ବିଚାରା ବାସି, ଶୁଖିଲା ମିଠା କେତୋଟି ଆଣି ପ୍ଳେଟରେ ବାଢ଼ିଦେଲା । ଆଉ ଗୋଟାଏ ପ୍ଲେଟ୍‍ରେ କିଛି ମିଠା ଆଉ କ୍ଷୀର ଟାଇଗର୍‍କୁ ଦେବାକୁ ବରାଦ କଲେ । ଗାଡ଼ିରେ ପାଣି ଥିଲା । ପେଟେ ପାଣି ପିଇ ବିଜୟବାବୁ କପେ ଚା’ ବରାଦ କଲେ ।

 

ବାବୁଙ୍କର ଖାଇବାରୁ ଦୋକାନୀ ସବୁ ଠଉରାଇନେଲା । ସେ ନିଜର ଦୋଷ ତଥା ଦୋକାନର ସୁନାମ, ଉଭୟକୁ ଦୃଷ୍ଟିରେ ରଖି କହିଲା, ‘‘ଅନେକ ଭଲ ଭଲ ଜିନିଷ ଥିଲା, ଆଜ୍ଞ।, ଆଲମାରୀଟା ପୁରିଥିଲା ପରା । ଏଇ ଦି’ ଘଣ୍ଟାତଳେ ଜଣେ ଗ୍ରାହକ ଆସି ତିରିଶି ଟଙ୍କାର ମିଠା ନେଇଗଲା ।”

 

ଲୋକଟା ଯେ ଡାହା ମିଛ କହୁଛି ତାହା ବୁଝିବାକୁ ଆଉ ବାକି ରହିଲା ନାହିଁ ବିଜୟବାବୁଙ୍କ ପକ୍ଷରେ । ତଥାପି ଟାଇଗର୍‍ର ଖାଇବା ଶେଷହେବା ପର୍ଯ୍ୟନ୍ତ କିଛି ନା କିଛି ଗପକରି ସମୟ କଟାଇବାକୁ ଚାହୁଁଥିଲେ । ତେଣୁ କଥା ଜମେଇ ରଖିବା ପାଇଁ ସେ ଆଗ୍ରହ ପ୍ରକାଶ କରି କହିଲେ...”ସତେ ! ଗୋଟାଏ ଲୋକ ତିରିଶି ଟଙ୍କାର ମିଠା ନେଲା ! କ’ଣ ଭୋଜି ଫୋଜି ହେଉଥିଲା ନା କ’ଣ ?”

 

‘‘ନା, ବାବୁ । ଦଳେ ବିଦେଶୀ ଲୋକ, ବ୍ୟବସାୟୀ ହେବେ କି କ’ଣ, ଆସି ଅଛନ୍ତି, ଏଇଠି କୋଉଠି । ତାଙ୍କରି ତ ନିତି ତିରିଶି ଚାଳିଶି ଟଙ୍କାର କେବଳ ମିଠା ଦରକାର । ହେଲେ ବାବୁ, ଲୋକଗୁଡ଼ାଙ୍କର ମିଞ୍ଜାସ ଅମୀର ମିଞ୍ଜାସ ଏକା, ଟଙ୍କା ମୁଣ୍ଡ ପୁରିବାକୁ ମିଠା ଦୁଇ ଚାରିଟା ବାକିଥିଲେ ବି ‘ଯାନେ ଦୋ’ କହି ଟଙ୍କା ଫୋପାଡ଼ିଦେଇଯାଆନ୍ତି । ବଡ଼ ମାରୁଆଡ଼ି ସେଠ୍ ହେବେ ବୋଧେ । ତାଙ୍କା କଥା କ’ଣ କହିବା ଆମେ ମଳିମୁଣ୍ଡିଆ !”

 

ବିଜୟବାବୁଙ୍କ ମନକୁ ହାତୁଡ଼ିରେ ଠୁକୁ ଠୁକୁ କରି ପିଟି ସନ୍ଦେହକୁ ଯେପରି କିଏ ଚିଆଁଇଦେଲା । ସେ ଭାବିଲେ...ଦୋକାନୀର କଥା ଯଦି ସତ ହୋଇଥାଏ, ତେବେ ପ୍ରଦୀପବାବୁଙ୍କ ଅନୁମାନ ମଧ୍ୟ ମିଥ୍ୟା ନୁହେଁ । ଯାହାହେଉ, କଥାଟା ପୁରା ଆଦାୟ ନକରି ଯିବା ଠିକ୍ ନୁହେଁ ।

 

ସେ ଦୋକାନୀର କଥାକୁ ସମର୍ଥନ କରି କହିଲେ...”ତୁମେ ଯାହା କହୁଚ, ଠିକ୍ । ସେମାନେ ଯଦି ସେଠ୍ କି ମାରୁଆଡ଼ି ହୋଇଥାନ୍ତି ତେବେ ତାଙ୍କ ମିଞ୍ଜାସ୍‍ର ଲୋକ ତୁମେ ଆମ ଦେଶରେ ପାଇବ ନ।ହିଁ । ଖାଲି ସେତିକି ତ ନୁହେଁ, ସେମାନେ ଏମିତି ମନୁଆ ଜାତି ଯେ, ଯଦି ଗୋଟାଏ ଜାଗାରେ ମନ ଭଳିଯାଇଥିବ, ତେବେ ସେଇଠିକି ବରାବର ଆସିବେ । ଆଉ ଥରେ ଚଟିଗଲେ, ତେବେ ତ ଗଲା ସବୁଦିନକୁ ।’

 

‘‘ହଁ, ବାବୁ ! କଥାଟାଏ କହିଲ ପରା ! ମୋ ପାଖରୁ ଥରେ ମିଠା ନେଇ ସେମାନେ ଏତେ ଭଳିଯାଇଛନ୍ତି ଯେ, ଆଜିକି ସାତ ଆଠ ଦିନ ହେବ ରୋଜ ପରା ଆସୁଛନ୍ତି । ଏଠି ଆଉ ଏତେ ଦୋକାନ ଅଛି, କାହାରି ଆଡ଼କୁ ଥରେ ଭୁଲରେ ସୁଦ୍ଧା ଚାହାନ୍ତି ନ।ହିଁ ।”

 

‘‘ହଁ, ଭଲଲୋକ ସେମାନେ । କେତେବେଳେ ଆସନ୍ତି ସେମାନେ ତୁମ ଦୁକାନକୁ ? ରହନ୍ତି କୋଉଠି ?” ବିଜୟବାବୁ ପଚାରିଲେ ।

 

‘‘ତା ମୁଁ ଜାଣିନି କି ଦିନେ ପଚାରିନି । ଆମେ ତ ହେଲୁଁ ଅଦା ବେପାରୀ ଜାହାଜ ମୂଲ କରିବାର ଦରକାର କ’ଣ ? ସେମାନେ ନିତି ସକାଳୁ ଆସନ୍ତି ।”

 

‘‘ସେ କଥା ଠିକ୍ ।” ସଂକ୍ଷେପ ଉତ୍ତରଟିଏ ଦେଇ ବିଜୟବାବୁ ନୀରବ ରହିଲେ । ଅଧିକ କିଛି ଖୋଳାତଡ଼ା କରି ପଚାରିଲେ କାଳେ ଦୋକାନୀ କିଛି ସନ୍ଦେହ କରିବ, ସେଥିପାଇଁ ଅଧିକ ପଚାରିଲେ ନାହିଁ ।

 

ସମୟ ଅବଶ୍ୟ ହାତରେ ଥିଲା ବହୁତ । କିନ୍ତୁ ଅନୁସନ୍ଧାନ ପାଇଁ ଦିନହିଁ ଥିଲା ପ୍ରକୃଷ୍ଟ ସମୟ । ସମୁଦ୍ର କୂଳେ କୂଳେ ବାଲିଆ ରାସ୍ତା । ସେଇ ରାସ୍ତାରେ ଜିପ୍‍ ଦଉଡ଼ାଇ କିଛି ଖୋଜଖବର ନେବାକୁ ଚେଷ୍ଟାକଲେ ସେ । ଗୋଟାଏ ନିରୋଳା ସ୍ଥାନରେ ଜିପ୍ ଅଟକାଇ ଓୟାରଲେସ୍ ଦ୍ଵାରା ପ୍ରଦୀପବାବୁଙ୍କୁ ସେପର୍ଯ୍ୟନ୍ତ ସଂଗ୍ରହ କରିଥିବା ଖବରଗୁଡ଼ିକ ଜଣାଇଦେଲେ ।

 

ଆଗରେ ସ୍ୱଳ୍ପଦୂରରେ ଦିଶୁଚି ସମୁଦ୍ରକୂଳ । ମାଛଧରାଳିମାନେ ଛୋଟ ଛୋଟ ନୌକରେ ମାଛ ଧରୁଛନ୍ତି । ସେମାନଙ୍କର କୋଳାହଳରେ ଉପକୂଳ ଫାଟିପଡ଼ୁଛି । ଆଗ୍ରହ ଚାପିରଖି ନପାରି ଜିପ୍‍ରୁ ଓହ୍ଲାଇ ବିଜୟବାବୁ ଧାଇଁଗଲେ ସେଇଠିକୁ । ତାଙ୍କ ପଛେ ପଛେ ଟାଇଗର୍ ।

 

ପ୍ୟାଣ୍ଟକୋଟ୍‍ପିନ୍ଧା ବାବୁଜଣକୁ ଦେଖି ମାଛଧରାଳିମାନେ ଟିକିଏ ସନ୍ତ୍ରସ୍ତ ହୋଇପଡ଼ିଲେ-। ମାତ୍ର ବିଜୟବାବୁଙ୍କ ପକ୍ଷରୁ ସନ୍ଦେହଜନକ ହାବଭାବର ସୂଚନା କିଛି ମିଳିଲା ନାହିଁ ସେମାନଙ୍କୁ-। ଅଳ୍ପସମୟ ମଧ୍ୟରେ ସେମାନେ ପୁଣି ନିର୍ଭୟ ହୋଇ ମାଛ ଗୋଡ଼ାଇବାରେ କୋଳାହଳ କରିବାରେ ଲାଗିଲେ ।

 

ମାଛରେ ନୌକା ପରିପୂର୍ଣ୍ଣ । ମସ୍ତ ପ୍ରକାଣ୍ଡ ପ୍ରକାଣ୍ଡ ମାଛ । ସବୁ ଜିଅନ୍ତା; ଛଟପଟ ହେଉଥା’ନ୍ତି । ସେଗୁଡ଼ିକୁ ଦେଖି ବଡ଼ କୌତୁକବୋଧ ହେଲା ବିଜୟବାବୁଙ୍କୁ । ସେ ବଡ଼ ବଡ଼ ମାଛ ଅବଶ୍ୟ ଦେଖିଛନ୍ତି ହାଟ ବଜାରରେ । କିନ୍ତୁ ଏକାବେଳକେ ଏତେଗୁଡ଼ାଏ ଜିଅନ୍ତା ମାଛ ଦେଖିବା ତାଙ୍କ ଭାଗ୍ୟରେ ଜୁଟିନଥିଲା କେବେ । ସେ ନୌକାପାଖକୁ ଯାଇ ଗୋଟା ଗୋଟା ମାଛ ଧରି ଟେକି ପୁଣି ତାକୁ ନୌକାରେ ରଖିବାକୁ ଲାଗିଲେ । ତାଙ୍କର ଆଗ୍ରହ ଦେଖି ମାଛଧରାଳିମାନଙ୍କ ମନରେ ଦ୍ଵିଗୁଣ ଆନନ୍ଦ ହେଲା । ସେମାନେ କ୍ରମେ ଆପଣାର ହୋଇଆସିଲେ ତାଙ୍କ ନିକଟରେ ।

 

କିଛି ସମୟ ଭିତରେ ମାଛଗୁଡ଼ା ଏକାଠି କରିଦେଇ ସେମାନଙ୍କ ମଧ୍ୟରୁ କେତେଜଣ ସେଗୁଡ଼ିକୁ ପାଖହାଟକୁ ନେଇଗଲେ ବିକ୍ରି କରିଆଣିବା ପାଇଁ । ବିଜୟବାବୁ ଦୁଇଜଣକୁ ଏକାଠି କରି ସେମାନଙ୍କ ମାଛଧରା ବିଷୟରେ ଏଣୁତେଣୁ କଥା ପଚାରିବସିଲେ । ତାଙ୍କ ପଚାରିବାର ଅସଲ ଉଦ୍ଦେଶ୍ୟ ହେଲା...ଏଇ ମାଛଧରାଳିମାନେ ସାଧାରଣତଃ ସମୁଦ୍ରଭିତରକୁ ଅନେକ ଦୂର ପର୍ଯ୍ୟନ୍ତ ମାଛମାରି ଯାଆନ୍ତି । ଏହା ତାଙ୍କର ଦୈନନ୍ଦିନ ବ୍ୟବସାୟ । କାଳେ କଥାବାର୍ତ୍ତାଛଳରେ ସେମାନଙ୍କଠାରୁ ତାଙ୍କର ଇପ୍‍ଷିତ ଲଞ୍ଚ୍‍ର କୌଣସି ସନ୍ଧାନ ପାଇପାରନ୍ତି । ତାଙ୍କର ଉଦ୍ଦେଶ୍ୟ ମଧ୍ୟ ସମ୍ପୂର୍ଣ୍ଣ ସଫଳ ହେଲା ।

 

ସେମାନଙ୍କଠାରୁ ସେ ଖୋଜୁଥିବା ତଥ୍ୟର ସମ୍ପୂର୍ଣ୍ଣ ବିବରଣୀ ଜାଣିପାରିଲେ ଯେ, କେତେଜଣ ଗୋରାନାବିକ ତିନିଖଣ୍ଡ ଲଞ୍ଚ୍‍ ନେଇ ମଝିଦରିଆରେ ଅଟକି ରହିଛନ୍ତି । ସେମାନେ ଯେ କାହିଁକି ଅଟକିଛନ୍ତି ତା’ର କାରଣ ଅବଶ୍ୟ କେହି କହିପାରିଲେ ନାହିଁ । ତେବେ ଆଜିକୁ ସାତ ଆଠ ଦିନ ହେବ ସେମାନେ ପ୍ରାୟ ସେଠି ଅଛନ୍ତି । ପୁଣି ସେମାନଙ୍କୁ ପ୍ରଶ୍ନକରି ସେ ଜାଣିପାରିଲେ ଯେ ହେଇଦୂରରେ ଯେଉଁ ଅନ୍ଧାରିଆ ଜଙ୍ଗଲ ଦିଶୁଚି, ତା’ରି ଭିତରେ କେତେଜଣ ଲୋକ ତମ୍ବୁଟାଣି ଅଛନ୍ତି । ସେମାନଙ୍କ ପାଖରେ ବୋଟ୍ ଅଛି । ସେଇ ବୋଟ୍‍ରେ ସେମାନେ ଲଞ୍ଚ୍‍ ପାଖକୁ ଯା’ଆସ କରୁଛନ୍ତି । ଏପର୍ଯ୍ୟନ୍ତ ସେ ସରଳ ମାଛଧରାଳିମାନେ ଧାରଣା କରିଥିଲେ ଯେ ସେ ଲୋକମାନେ ବନ୍ଦରରେ କାମ କରୁଥିବା ଲୋକ ବୋଲି । ବିଜୟବାବୁ ମଧ୍ୟ ପ୍ରକୃତ ଘଟଣାଟା ସେମାନଙ୍କୁ ଜାଣିବାକୁ ନ ଦେଇ କଥା ଉପରେ ବିଶେଷ ଗୁରୁତ୍ଵ ନ ଦେବାର ଭାବ ଦେଖାଇ ତୁନି ରହିଲେ ।

 

ମାଛଧରାଳିଙ୍କର ମାଛଧରା କୌଶଳ ଏବଂ ଆନନ୍ଦ ତାଙ୍କୁ ଅବଶ୍ୟ କେତେ ସମୟ ପାଇଁ ଖୁବ୍ ଆନନ୍ଦ ଦେଇଥିଲା । ମାତ୍ର ବର୍ତ୍ତମାନ ସେ ସବୁ ଭୁଲି ଚାହିଁଲେ ବହୁଦୂରରେ ଦିଶୁଥିବା ଜଙ୍ଗଲଆଡ଼କୁ । ଅପରାହ୍ନ ସମୟ ହେଲେ ବି ସାମୁଦ୍ରିକ କୁହୁଡ଼ି ଧୂଆଁଳିଆ ହୋଇ ଘେରିଛି ବଣସାରା । ତେବେ ସୂକ୍ଷ୍ମ ଅନୁମାନ କଲେ ସେ, ଜଙ୍ଗଲଟା ସେଠାରୁ ତିନି ମାଇଲରୁ କମ୍‍ ହେବନାହିଁ କେବେ । ତାଙ୍କର ଏତେଦୂର ପରିଶ୍ରମ କରି ଆସିବା ଯେ ସାର୍ଥକ ହୋଇଛି ସେତକହିଁ ତାଙ୍କୁ ଯଥେଷ୍ଟ ଆନନ୍ଦ ଦେଇଥିଲା । ଅଙ୍ଗଦ ସିଂ ନିଶ୍ଚିତଭାବରେ ଏଇଠି ଲୁଚିରହିଛି ଏବଂ ନାବିକ କେତେଜଣ ଯେ ନଜରବନ୍ଦୀରେ ସମୁଦ୍ରମଝିରେ ଅଟକ ହୋଇ ରହିଛନ୍ତି, ଏଥିରେ ତାଙ୍କର କିଛି ସନ୍ଦେହ ରହିଲା ନାହିଁ । ପ୍ରକୃତ ଘଟଣା କ’ଣ ଏବଂ ଦଳରେ କେତେଲୋକ ଅଛନ୍ତି, ପ୍ରସ୍ତୁତି କିପରି, ସେ ସବୁ ଦେଖିବାପାଇଁ ମନଟା ତାଙ୍କର ଛକପକ ହେଲା । କିନ୍ତୁ ରାତ୍ରି ଅନ୍ଧକାର ନହେବା ପୂର୍ବରୁ ସେପରି ସ୍ଥାନକୁ ଯିବା ଆଦୌ ନିରାପଦ ନୁହେଁ ଭାବି ସେ ଜିପ୍ ନିକଟକୁ ଫେରିଆସିଲେ ଏବଂ ଯେତିକି ଖବର ପାଇଥିଲେ ତାହା ଜଣାଇଦେଲେ ପ୍ରଦୀପବାବୁଙ୍କୁ ଓୟାରଲେସ୍ ସାହାଯ୍ୟରେ ।

 

ପ୍ରଦୀପବାବୁଙ୍କ ନିକଟରୁ ମଧ୍ୟ କେତେକ ଉପଦେଶସମ୍ବଳିତ ଖବରଟିଏ ପାଇଲେ । ସେ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଖୁବ୍ ସତର୍କତା ସହିତ ରାତିରେ ଘଟଣାସ୍ଥଳ ଦେଖିବାକୁ । ରୂପନାରାୟଣବାବୁ ଆସିଯାଇଥିଲେ । ତାଙ୍କ ସହିତ ପରାକ୍ରମଶାଳୀ ତାରଜନ୍‍ ଏବଂ ତା’ର ସାଥୀ ଗରିଲା ସୁଲତାନ୍‍ ମଧ୍ୟ । ପ୍ରଦୀପବାବୁ ମଧ୍ୟ ନିଶ୍ଚିତଭାବରେ ଜଣାଇଥିଲେ...‘‘ଆମେ ଏଇ ସନ୍ଧ୍ୟାରେ ଜଳପଥରେ ପୋଲିସବାହିନୀ ସହ ଯାତ୍ରା କରୁଚୁଁ । ତୁମେ କୂଳରୁ ଆଲୋକ ସଙ୍କେତ କରିବ ।’’

 

ଖବରଟା ପାଇ ବିଜୟ-ଉନ୍ମାଦନାରେ ଦେହଟା ଖୁବ୍ ଉତ୍ତେଜିତ ହୋଇଉଠିଲା ବିଜୟବାବୁଙ୍କର ।

 

(ଆଠ)

 

ସୂର୍ଯ୍ୟାସ୍ତ ହେବା ପରେପରେ ସନ୍ଧ୍ୟାର ଅନ୍ଧକାର ଘନୀଭୂତ ହୋଇଆସୁଥିଲା ସାଗରବକ୍ଷରେ । ଧୂଆଁଳିଆ ରଣକୁହୁଡ଼ି ସାଙ୍ଗକୁ ପାତଳ ଅନ୍ଧାକାର କ୍ରମେ ବହଳ ହୋଇଆସୁଥିଲା-। ବିଜୟବାବୁ ଗୋଟାଏ ନିରାପଦ ସ୍ଥାନରେ ଜିପ୍‍ଟାକୁ ରଖି ଅପେକ୍ଷା କରିଥିଲେ ସମୟ ଏବଂ ସୁଯୋଗକୁ । ଆଉ ଟିକିଏ ଅନ୍ଧାର ହୋଇଗଲେ ସେ ଉଦ୍ଦିଷ୍ଟ ପଥରେ ବାହାରିଯିବେ-

 

ବନ୍ଦର ରହିଲାଣି କାହିଁ କେତେଦୂରରେ । ସନ୍ଧ୍ୟାହେବା ସଙ୍ଗେ ସଙ୍ଗେ ଗୋଟି ଗୋଟି ଆଲୋକ ମାଳମାଳ ହୋଇ ଜଳିଉଠିଲାଣି ବନ୍ଦର ଅଞ୍ଚଳର ସମୁଦ୍ର କୂଳେ କୂଳେ । ଚାରିଆଡ଼େ ନିର୍ଜନ ବାଲୁକାପ୍ରାନ୍ତର । କେବଳ ଅଶାନ୍ତ ସମୁଦ୍ରର ଘୁ ଘୁ ଗର୍ଜନ ଛଡ଼ା ଆଉ କିଛି ଶବ୍ଦ ନାହିଁ ।

 

ବିଜୟବାବୁ କ୍ଷୁଦ୍ରାକାର ପୋର୍ଟେବଲ୍‍ ଓୟାରଲେସଟି କାନ୍ଧରେ ଝୁଲାଇ ଗନ୍ତବ୍ୟ ପଥରେ ବାହାରିପଡ଼ିଲେ । ସାଙ୍ଗରେ ତାଙ୍କର ଟାଇଗର୍ । ସମୁଦ୍ର କୂଳେକୂଳେ ବାଲିଆ ରାସ୍ତାଟା ସାପେଇ ସାପେଇ ବହୁଦୂର ପର୍ଯ୍ୟନ୍ତ ଚାଲିଯାଇଛି । ଚାରିଆଡ଼େ ବାଲିର ଅସଂଖ୍ୟ ଛୋଟବଡ଼ ସ୍ତୂପ ହୁଡ଼ା । କେଉଁଠି ଗୋଟାଏ ପର୍ବତାକାରର ବାଲିସ୍ତୂପ ରହିଛି ତ କେଉଁଠି ପାହାଡ଼ପରି ବାଲିର କାନ୍ଥି ଲମ୍ବିଯାଇଛି ବହୁଦୂର ଯାଏ । ତା’ଉପରେ ଯାଇଛି ରାସ୍ତା । ସେଥିରେ ଯାନବାହାନ ଯିବା ତ ଦୂରର କଥା; ଖାଲି ଚାଲି ଚାଲି ପାଦରେ ଯିବା ଅସମ୍ଭବ । କାରଣ, ସ୍ଥାନେ ସ୍ଥାନେ ବାଲି ଯଦି ଦୈବାତ୍‍ ଖସିଯାଏ ତେବେ ଏକବାରେ ଗୋଟାଏ ସ୍ତୂପର ତଳକୁ ଖସିଆସିବାକୁ ହେବ । ଏଥିରେ ଅବଶ୍ୟ ପ୍ରାଣହାନିର ଭୟ ନାହିଁ; ତଥାପି ଯାତ୍ରାପକ୍ଷରେ ଅସୁବିଧା ଏବଂ ବୃଥା ସମୟ ନଷ୍ଟ । ବିଜୟବାବୁ ସତର୍କତା ଅବଲମ୍ବନ କରିଥିଲେ ସୁଦ୍ଧା ଥରେ ଦୁଇଥର ଏହି ଅସୁବିଧାର ସମ୍ମୁଖୀନ ହୋଇଥିଲେ । କିନ୍ତୁ ଟାଇଗର୍ ବାଟ ଶୁଙ୍ଘିଶୁଙ୍ଘି ଠଉରାଇ ଠିକ୍ ଚାଲିଥାଏ । ଅନ୍ଧାରରେ ବିଜୟବାବୁ ଭଲ ଠଉରାଇପାରୁନଥାନ୍ତି । କିନ୍ତୁ ଟାଇଗର୍ ଠିକ୍ ଠଉରାଇପାରୁଥାଏ ଏବଂ ବିଜୟବାବୁ ତାକୁ ହିଁ ଲକ୍ଷ୍ୟକରି ଚାଲିଥାନ୍ତି ।

 

ଖୁବ୍ ଦୂରରେ ଗୋଟାଏ ଆଲୋକ ଜଳିଉଠିଲା କେତେଥର । ତା’ପରେ ଆଉ କିଛି ଦେଖାଗଲା ନ।ହିଁ । ଆଲୋକଟା କ’ଣ ହୋଇପାରେ ତାହା ପ୍ରଥମେ ବିଜୟବାବୁଙ୍କ ମନରେ ସନ୍ଦେହ ଜାତ କରିଥିଲା । କିନ୍ତୁ ପରେ ସେ ଅନୁମାନ କଲେ ଯେ ଏଟା ବୋଧହୁଏ ଦସ୍ୟୁଦଳର ଆଲୋକ । ସେ ହୁଏତ ଜଙ୍ଗଲର ନିକଟବର୍ତ୍ତୀ ହୋଇଆସିଲେଣି । ତାଙ୍କର ଅନୁମାନାହିଁ ନିର୍ଭୁଲ ଥିଲା । ଆଉ ଖଣ୍ଡେଦୂର ଆଗେଇ ଗଲାପରେ ସେ ଜୁଳୁଜୁଳା ପୋକଗୁଡ଼ା ଭେଳା ଭେଳା ହୋଇ ଉଡ଼ୁଥିବାର ଦେଖିପାରିଲେ । ଏଇଟା ଯେ ତାଙ୍କର ଉଦ୍ଦିଷ୍ଟ ଜଙ୍ଗଲ, ଏଥିରେ ସେ ନିଶ୍ଚିତ ହୋଇପଡ଼ିଲେ ।

 

କେଉଁ ତିଥି ହେବ କେଜାଣି, ଅନ୍ଧାର ଖୁବ୍ ଘନ ହୋଇ ଉଠୁଥାଏ । ତଥାପି ବିଜୟବାବୁଙ୍କ ମନରେ ଭରସା ଥାଏ ଯେ, ଟାଇଗର୍ ଅବଶ୍ୟ ଯଥାସ୍ଥାନରେ ତାଙ୍କୁ ପହଞ୍ଚାଇବାରେ ସାହାଯ୍ୟ କରିବ । କାରଣ ସେ ନିଜେ କିଛି ଦେଖିବାକୁ ସିନା ଅସମର୍ଥ; କିନ୍ତୁ ଟାଇଗର୍ ତ ଅସମର୍ଥ ନୁହେଁ । ତା’ର ଶୁଙ୍ଘିବା ଶକ୍ତି ମଧ୍ୟ ଅତୁଳନୀୟ । କେବଳ ବାସ୍ନା ବାରି ବାରି ସେ ମନୁଷ୍ୟ ଥିବା ସ୍ଥାନକୁ ତାଙ୍କୁ ନେଇଯାଇପାରିବ । ତେଣୁ ତା’ରି ଉପରେ ପୂରାପୂରି ନିର୍ଭର କରି ସେ ଅନୁସରଣ କରିବାକୁ ଲାଗିଲେ ।

 

ଖୁବ୍ ପାଖାପାଖିରେ ବୁଦାଗଛ ଏବଂ ଝାଉଁଗଛର ସାଇଁସାଇଁ ଶବ୍ଦରୁ ସେ ଜଙ୍ଗଲର ନିକଟ ଅବସ୍ଥିତି ବୁଝିପାରିଲେ । ଦଶ ପନ୍ଦର ପାହୁଣ୍ଡ ଗଲାପରେ ସେ ଜଙ୍ଗଲସୀମାରେ ପାଦ ଦେଲେ । କ୍ରମେ ଭିତରକୁ ଭିତରକୁ ଜଙ୍ଗଲ ଘଞ୍ଚ ଜଣାଯାଉଥାଏ । ଭିତରକୁ ତା’ର ପବନ ଆଦୌ ପ୍ରବେଶ କରୁନଥାଏ । ତା’ଛଡ଼ା କିପରି ଗୋଟାଏ ସନ୍ତସନ୍ତିଆ ଗନ୍ଧ ମାଟିରୁ ବାହାରି ନିଃଶ୍ଵାସ ରୁନ୍ଧି ଦେଲାପରି ଲାଗୁଥାଏ ।

 

ସେହି ଜନମାନବଶୂନ୍ୟ ଅନ୍ଧକାରପୂର୍ଣ୍ଣ ଜଙ୍ଗଲଭିତରେ ଚରମ ସତର୍କତା ଅବଲମ୍ବନ କରିଚାଲିଥାନ୍ତି ବିଜୟବାବୁ । ବେଳେବେଳେ କର୍କଶ ଝାଉଁଡାଳ ପିଟିହୋଇଯାଉଥାଏ ତାଙ୍କ ଦେହରେ । କେତେବେଳେ ବା ସାମ୍ନାରେ ଝାଟି ବୁଦାଟାଏ ହାବୁଡ଼ି ଯାଉଥାନ୍ତି । ପାଖରେ ଛୋଟ ଟର୍ଚ୍ଚ ଲାଇଟଟିଏ ଅବଶ୍ୟ ଅଛି । କିନ୍ତୁ ତାକୁ ଜଳାଇବାର ଉପାୟ ନାହିଁ କି ସାହସ ମଧ୍ୟ ନାହିଁ ତାଙ୍କର । ଦସ୍ୟୁଦଳ ଦୈବାତ୍‍ ଯଦି ତାଙ୍କର ଅବସ୍ଥାନ ସମ୍ପର୍କରେ ସାମାନ୍ୟ ମାତ୍ର ସୁରାକ ପାଆନ୍ତି, ତେବେ କଥା ସରିଲା । ହୁଏତ ତାଙ୍କ ଉପରେ ବିପଦ ମାଡ଼ିଆସିବ କିମ୍ବା ଦସ୍ୟୁଦଳ ସତର୍କ ହୋଇଯିବେ ।

 

ଆଗରେ ଚାଲିଛି ଟାଇଗର୍ । କାନ ତାର ସବୁବେଳେ ସତର୍କ ଅଛି ବାହାରର ଶବ୍ଦପ୍ରତି ଏବଂ ଆଖି ଦୁଇଟା ସାମନାର ଜଙ୍ଗଲକୁ । କେଉଁଠୁ ଟିକିଏ କିଛି ସନ୍ଦେହଜନକ ସୂଚନା ପାଇଲେ ସେ କାନ ଟେକି ତରଙ୍ଗ ତରଙ୍ଗ ହୋଇ ଚାହିଁ ଅଟକିଯାଉଛି । ପୁଣି ଆଗେଇଯାଉଛି । ପ୍ରତି ମୂହୁର୍ତ୍ତରେ ବିଜୟବାବୁ ଅନୁଭବ କରୁଛନ୍ତି, ତାଙ୍କ ପାଖେପାଖେ ଯେପରି କିଏ ଜଣେ ଯାଉଛି ପାଦ ସହିତ ପାଦ ମିଳାଇ । ବେଳେବେଳେ ଖୁବ୍ ପାଖରେ ବି ସେ କାହାର ଅସ୍ତିତ୍ଵ ଅନୁଭବ କଲାପରି ବୋଧକରୁଛନ୍ତି । ଥରେ ଦୁଇଥର ସେ ବୁଲିପଡ଼ି ଚାହିଁଲେଣି ମଧ୍ୟ ପଛକୁ । ଶେଷକୁ ସେ ଧରିନେଲେ ଯେ, ସେଟା କେବଳ ମନର ଦୁର୍ବଳତା । କେହି ବାହାରଲୋକ ହୋଇଥିଲେ ଟାଇଗର୍ ଅବଶ୍ୟ ଜାଣିନିଅନ୍ତା ।

 

ହଠାତ୍ ତାଙ୍କର ଗତି ବନ୍ଦ ହୋଇଗଲା ଖୁବ୍ ପାଖରେ ବୁଦା ଉହାଡ଼ରେ ମିଞ୍ଜିମିଞ୍ଜି ଆଲୁଅ ଦେଖି । ସେ ଏତେ ଅଚାନକ ଭାବରେ ଯେ ଆସି ଦସ୍ୟୁ ଶିବିର ପାଖାପାଖିରେ ପହଞ୍ଚିଯିବେ, ୟା’ଆଶା କରିନଥିଲେ । ଗୋଟାଏ ପ୍ରକାଣ୍ଡ ଝଙ୍କାଳିଆ ବୁଦା ଏପର୍ଯ୍ୟନ୍ତ ରହିଆସିଥିଲା ତାଙ୍କ ସାମ୍ନାରେ । ନ ହେଲେ ସେ ପୂର୍ବରୁ ହୁଏତ ଏ ଆଲୋକ ଦେଖିବାକୁ ସମର୍ଥ ହୋଇଥାନ୍ତେ । ମାତ୍ର ବୁଦାର ଖୁବ୍ ପାଖରେ ଟିକିଏ ବଙ୍କେଇ ଆସିଲାରୁ ସେ ପରିଷ୍କାର ଦେଖିପାରିଲେ ସବୁ ।

 

ଆଗରେ କେତେଗୁଡ଼ାଏ ତମ୍ବୁ । କେହି ଆକାରରେ ନିତାନ୍ତ ଛୋଟ ନୁହନ୍ତି । ପ୍ରତ୍ୟେକ ତମ୍ବୁରେ ଦସ୍ୟୁମାନେ ବସି ଆଡ଼୍‍ଡା ଲଗାଇଛନ୍ତି । ଖିଆପିଆର ଧୁମ୍‍ଧାମ୍‍ ସାଙ୍ଗକୁ ଜିନିଷପତ୍ରର ବନ୍ଧାବନ୍ଧି ବି ଲାଗିଛି ଜୋର୍‍ସୋର୍‍ । ଗୋଟାଏ ବେତଚୌକିରେ ନିଶାବିଭୋର ଅଙ୍ଗଦ ସିଁ ନିର୍ଦ୍ଦେଶ ଦେଉଛି ଦଳଟାକୁ । ସମସ୍ତେ ନିର୍ଭୟ । ସେଠାରେ ଭୟ ବା କାହାକୁ ? ଅନ୍ଧାକାର ଦୂର କରିବା ପାଇଁ ଯେଉଁ କେତୋଟି ମଶାଲର ବ୍ୟବସ୍ଥା କରାଯାଇଛି, ତାହା ଅନ୍ଧକାରକୁ ସମ୍ପୂର୍ଣ୍ଣରୂପେ ତଡ଼ିପାରୁନଥିଲେ ସୁଦ୍ଧା ଆଂଶିକ ସମର୍ଥ ହୋଇଛି ସେ ଦିଗରେ ।

 

ବର୍ତ୍ତମାନ ବିଜୟବାବୁ ଯେଉଁସ୍ଥାନରେ ଥିଲେ ସେ ସ୍ଥାନଟା ଅଙ୍ଗଦ ସିଂର ବସିବା ସ୍ଥାନଠାରୁ ଟିକିଏ ଦୂରରେ ରହିଯାଇଥିଲା । ବିଜୟବାବୁ ଭାବିଲେ, ସେ ଯଦି ଆଉ ଦୁଇଟି ତମ୍ବୁ ଅତିକ୍ରମ କରି ସେପାଖରେ ଦିଶୁଥିବା ବୁଦାଉହାଡ଼କୁ ଚାଲିଯାଇପାରନ୍ତେ ତେବେ ଅଙ୍ଗଦ୍‍ର ଖୁବ୍ ପାଖାପାଖିରେ ପହଞ୍ଚିଯାନ୍ତେ । ତା’ ସଙ୍ଗେ ସଙ୍ଗେ ଅନ୍ୟ ଦସ୍ୟୁମାନେ ତା’ସହିତ କ’ଣ କଥାବାର୍ତ୍ତା କରୁଛନ୍ତି ତାହା ମଧ୍ୟ ଶୁଣିପାରନ୍ତେ । ଆଉ ଯାହା ହେଉ ନ ହେଉ, ସେ କଥାବାର୍ତ୍ତାଟା ଶୁଣିବା ତାଙ୍କର ନିତାନ୍ତ ଆବଶ୍ୟକ । ଏଣେ ଟାଇଗରକୁ ନେଇ ଭୟ ମଧ୍ୟ କମ୍‍ ନୁହେଁ । ଅବଶ୍ୟ ଖୁବ୍ ସତର୍କ ଏବଂ ସୁଶିକ୍ଷିତ କୁକୁର ସେ । ତଥାପି ପଶୁଜାତି, ତା 'ଉପରେ ଏତେ ବିଶ୍ଵାସ କରିହୁଏ ନାହିଁ-। ଏଠିକାର କାଣ୍ଡ କାରଖାନା ଦେଖି ଦୈବାତ୍‍ ଯଦି ସେ ଭୁକିଉଠେ, ତେବେ ସର୍ବନାଶ ।

 

ଯାହାହେଉ, ଯଥେଷ୍ଟ ସତର୍କତା ଅବଲମ୍ବନ କରି ସେଠାରୁ ସେ ଅପସରି ଆସିଲେ । ପୂର୍ବରୁ ଯେଉଁ ସ୍ଥାନଟାରେ ରହିବାକୁ ସୁବିଧାଜନକ ବୋଲି ଭାବୁଥିଲେ, ଏଥର ସେଇଠି ଆସି ପହଞ୍ଚିଗଲେ । ଏ ସ୍ଥାନଟା ଥିଲା ଅଙ୍ଗଦ ସିଂ ବସିବା ସ୍ଥାନର ଖୁବ୍ ପାଖାପାଖି । ତେଣୁ ଅନ୍ୟାନ୍ୟ ଦସ୍ୟୁମାନେ ମଝିରେ ମଝିରେ ଆସି ତା’ ସହିତ ଯାହା କଥାବାର୍ତ୍ତା କରିଯାଉଛନ୍ତି, ସେସବୁ ଶୁଣିବାରେ ଆଉ କିଛି ଅସୁବିଧା ନ।ହିଁ ଏଠି । ଏଠାରେ ସେ ସବୁ ଶୁଣିପାରିବେ ଏବଂ ଦେଖିପାରିବେ ମଧ୍ୟ ।

 

ଏତିକିବେଳେ ଜଣେ ଖୁବ୍ ଦ୍ରୁତବେଗରେ ଧାଇଁଆସି ଅଙ୍ଗଦ ସିଂକୁ କହିଲା...”ଆମର ତ ସବୁ ପ୍ରସ୍ତୁତ ହୋଇଗଲା । ଏଥର ସେ ନାବିକଗୁଡ଼ାଙ୍କ କଥା କ’ଣ ବିଚାର କରାଯିବ ?”

 

ବିଜୟବାବୁ ଦେଖିଲେ, ଆଗନ୍ତୁକ ଦସ୍ୟୁ ମୋହିତ ଲାଲ । ପ୍ରାୟ ଚାରିବର୍ଷ ହେଲା ସେ ଜେଲ୍‍ଖାନା ଭାଙ୍ଗି ଫେରାର ହୋଇଥିଲା । ଯାହାହେଉ, ଏବେ ଅଙ୍ଗଦ ସିଂର ଦଳରେ ଯୋଗଦେଲାଣି । ତା’ ବିରୁଦ୍ଧରେ ପୋଲିସ୍ ହୁଲିଆଜାରି ଅଛି ଏପର୍ଯ୍ୟନ୍ତ । ଏ ଦଳରେ ଯେତୋଟି ସଭ୍ୟ ଅଛନ୍ତି ସମସ୍ତେ ଗୋଟିଏ ଗୋଟିଏ ମାର୍କାମରା ଚଢ଼େଇ ହୋଇଥିବେ ନିଶ୍ଚୟ । ଥରେ ଜାଲରେ ପଡ଼ିଗଲେ ବଳେ ଜଣାଯାଆନ୍ତା ।

 

ମୋହିତ ଲାଲର କଥା ଅଙ୍ଗଦର ନିଶାବାତୁଳ ମନରେ ପ୍ରଥମେ ପ୍ରବେଶ କରିପାରିଲା ନାହିଁ । ତେଣୁ କିଛି ସମୟ ଅପେକ୍ଷା କଲା ମୋହିତ ଲାଲ ଉତ୍ତର ପାଇବାପାଇଁ । କିନ୍ତୁ ସର୍ଦ୍ଦାରର ଅବସ୍ଥାଟା ବୁଝିପାରି ପ୍ରଶ୍ନଟାର ପୁନରାବୃତ୍ତି କଲା ସେ ଆଉ ଥରେ, ଅପେକ୍ଷାକୃତ ଉଚ୍ଚସ୍ଵରରେ ।

 

କଥାଟା ଏଥର ଅଙ୍ଗଦ ସିଂ କାନରେ ଠିକ୍ ବାଜିଲା । ସେ ଚମକିଲା ପରି ହୋଇ କହିଲା ...”ହଁ ,ହଁ , ସେ ଛଅଟାକୁ ଗୁଳି କରିଦିଅ । ନା, ନା, ଗୁଳି କଲେ ଠିକ୍ ହବନି । ଗୋଟାଏ ହୁଲି ଡଙ୍ଗାରେ ଛଅଟାଯାକକୁ ହାତଗୋଡ଼ ବାନ୍ଧି ପକାଇଦିଅ । ଆଉ ଡଙ୍ଗାଟାକୁ ଖଣ୍ଡେଦୂରରେ ନଙ୍ଗର ପକେଇଦିଅ ।”

 

‘‘ସେ ତ ଆମ ଯିବା ବେଳକୁ !” ମୋହିତ ଲାଲ କହିଲା ।

 

‘‘ହଁ ! ସେ ଆଉ କେତେ ଡେରି କି ? ଆଉ ଦୁଇଘଣ୍ଟା । ୟାରି ଭିତରେ ସବୁ ଜିନିଷପତ୍ର ଓହ୍ଲାଇନେଇ ଲଞ୍ଚ୍‍ରେ ଲଦିଦିଅ । ଦେଖ, ଯେପରି ଟିକିଏ ହେଲେ ଚିହ୍ନବର୍ଣ୍ଣ ନ ରହେ ଏଠି । ଯାହା କିଛି ନ ନେଇ ହେଉଛି, ସବୁ ନିଆଁ ଲଗାଇ ଜାଳିଦିଅ ।”

 

ବିଜୟବାବୁ ଚମକିପଡ଼ିଲେ ମନେ ମନେ...‘‘ଆଉ ଦୁଇଘଣ୍ଟା ମାତ୍ର ବାକି ! ଏଇ ସମୟ ମଧ୍ୟରେ ହୁଏତ ଅଙ୍ଗଦ ସିଂ ଖସିଯିବ ହାତମୁଠାଭିତରୁ । ତେଣିକି ତା’ର ପତ୍ତା ମିଳିବା ସମ୍ଭବ ବା ଅସମ୍ଭବ । ଏଇ ସମୟ ଭିତରେ ପ୍ରଦୀପବାବୁ ଯଦି ଆସି ନ ପହଞ୍ଚୁଛନ୍ତି ତେବେ ସର୍ବନାଶ । ତାଙ୍କର ଏତେ କଷ୍ଟ ସ୍ଵୀକାର କରି ପାରାଦ୍ଵୀପ ଧାଇଁ ଆସିବାର ଫଳ ମଧ୍ୟ କିଛି ନାହିଁ । ବରଂ ପ୍ରଦୀପବାବୁଙ୍କୁ ଥରେ ଡାକି ପଚାରିବା ଦରକାର ।” ଏହା ଭାବି ସେ ପଛେଇ ପଛେଇ ଟିକିଏ ଅଭ୍ୟନ୍ତରକୁ ଯିବାକୁ ବସିଲେ ।

 

ଖଣ୍ଡେଦୂର ଗଲା ପରେ ଗୋଟିଏ ଝଙ୍କାଳିଆ ବୁଦା ଉହାଡ଼ରେ ସେ ଓୟାରଲେସ୍‍ଟା ଖୋଲି ଅଳ୍ପ ସମୟ ମଧ୍ୟରେ ସଂଯୋଗ ସ୍ଥାପନ କରିନେଲେ ପ୍ରଦୀପବାବୁଙ୍କ ସହିତ । ତା’ପରେ ସବୁକଥା ସଂକ୍ଷେପରେ ଜଣାଇଦେଲେ ତାଙ୍କୁ ।

 

ବିଜୟବାବୁଙ୍କ ସଫଳତାରେ ଅଶେଷ ଆନନ୍ଦ ପ୍ରକାଶ କରିଥିଲେ ପ୍ରଦୀପବାବୁ । ବିନାବାଧାରେ ଅଙ୍ଗଦର ଦଳକୁ ଛାଡ଼ିଦେବାକୁ ସେ ପରାମର୍ଶ ଦେଇଥିଲେ । ଖାଲି ସେମାନଙ୍କର କଥାବାର୍ତ୍ତା ଉପରେ ସତର୍କ ରହିବାକୁ ସେ ବିଶେଷ କରି ଉପଦେଶ ଦେଇଥିଲେ । ରୂପନାରାୟଣବାବୁ, ତାରଜନ୍‍ ଆଉ ଗରିଲା ସୁଲତାନ୍‍ ସହ ସେ ଆଜି ରାତିରେ ଯାତ୍ରା କରୁଛନ୍ତି ଏବଂ ରାତ୍ରିର ଶେଷାଶେଷି ପାରାଦ୍ଵୀପ ସୀମାରେ ଆସି ପହଞ୍ଚିବାର ଆଶା କରୁଥିଲେ । ବିଜୟବାବୁ ଯେପରି ଅବସ୍ଥିତି ତାଙ୍କୁ ଜଣାନ୍ତି ସଙ୍କେତ ଦ୍ଵାରା...ଏଇ ମାତ୍ର ଉପଦେଶ ଦେଇ ଓୟାରଲେସ୍ ସଂଯୋଗ ବିଚ୍ଛିନ୍ନ କଲେ ।

 

ବିଜୟବାବୁ ସେଇ ବୁଦା ଉହାଡ଼ରେ ଓୟାରଲେସଟି ଲୁଚାଇ ରଖି ପୁଣି ଚାଲି ଆସିଲେ ପୂର୍ବସ୍ଥାନକୁ...ଯେଉଁଠି ସେ ଅଙ୍ଗଦ ସିଂର କଥାବାର୍ତ୍ତା ଶୁଣୁଥିଲେ ।

 

ସାଧାରଣ ଜିନିଷପତ୍ର ବୁହାବୋହି କାମ ଶେଷ ହୋଇଥିଲା ସେତେବେଳକୁ । ଆଉ ଯାହା ଥିଲା, ଖାଲି ଅସ୍ତ୍ରଶସ୍ତ୍ର । ଗୋଟାଏ ତମ୍ବୁଭିତରୁ ସେଗୁଡ଼ିକ ବାହାର କରିବା ଆରମ୍ଭ ହେଲା । ଅସ୍ତ୍ରଶସ୍ତ୍ରର ଆୟୋଜନ ଦେଖି ବିଜୟବାବୁ ଚମକିପଡ଼ିଲେ । ସବୁଗୁଡ଼ାକ ଅତ୍ୟାଧୁନିକ ମାରଣାସ୍ତ୍ର : ରାଇଫଲ୍, ମେସିନଗନ୍, ଛୋଟ ଛୋଟ ଗୋଳା ନିକ୍ଷେପକାରୀ କମାଣ କେତୋଟି, ଆବଶ୍ୟକୀୟ ଗୁଳିଗୋଳା ମଧ୍ୟ ବହୁ ପରିମାଣରେ ରହିଛି ବଡ଼ବଡ଼ ପେଟିଗୁଡ଼ାକରେ । ଅଙ୍ଗଦ ସିଂର ଏହି ବିରାଟ ପ୍ରସ୍ତୁତି ଦେଖି ତା’ର ଉଦ୍ଦେଶ୍ୟ କ’ଣ, ସେ ବିଷୟରେ ସନ୍ଦିହାନ ହୋଇପଡ଼ିଲେ ବିଜୟବାବୁ । ତା’ର ଏତେ ପ୍ରସ୍ତୁତି ବିଷୟ ପ୍ରଦୀପବାବୁ ସ୍ଵପ୍ନରେ ସୁଦ୍ଧା ଧାରଣା କରିନଥିବେ । ତେଣୁ ପୋଲିସ୍ ବାହିନୀର ତତୋଧିକ ଜାଗତିଆର ହୋଇ ରହିବା ଆବଶ୍ୟକ । ନ ହେଲେ ଖାଲି ଶୋଚନୀୟ ପରାଜୟ ନୁହେଁ, ତା ସାଙ୍ଗକୁ ମୃତ୍ୟୁ ମଧ୍ୟ ଅନିବାର୍ଯ୍ୟ । ତେଣୁ ଯଥାସମୟର ଯଥେଷ୍ଟ ପୂର୍ବରୁ ପ୍ରଦୀପବାବୁଙ୍କୁ ଏ ଖବର ଜଣାଇଦେବା ଦରକାର । ଏହା ଭାବି ସେ ପୁଣି ଓୟାରଲେସ୍ ନିକଟକୁ ଯିବାକୁ ଉଦ୍ୟତ ହେଲେ ।

 

ଏତିକିବେଳେ ଅଙ୍ଗଦ ସିଂ ତମ୍ବୁଗୁଡ଼ାକ ଉଠାଇଦେବାକୁ ନିର୍ଦ୍ଦେଶ ଦେଇ ନିଜେ ଉଠିଲା । ଜିନିଷପତ୍ର ସବୁ ପ୍ରାୟ ବୁହାସରିଗଲାଣି । ଖାଲି ତମ୍ବୁଗୁଡ଼ା ଉଠିଗଲେ ଶେଷ । କେତେଟା ତମ୍ବୁ ମଧ୍ୟ ଉଠା ସରିଲାଣି । ପ୍ରଦୀପବାବୁଙ୍କ ନିକଟକୁ ଖବରଟା ଦେଇଦେଲେ ତା’ପରେ ଏମାନଙ୍କର ଗତି ଉପରେ ଟିକିଏ ଦୃଷ୍ଟି ଦେବା କଥା । ଏଇସବୁ କଥା ଭାବୁ ଭାବୁ ସେ ଏତେ ଅନ୍ୟମନସ୍କ ହୋଇପଡ଼ିଥିଲେ ଯେ ନିଜର ଅବସ୍ଥିତି ପର୍ଯ୍ୟନ୍ତ ଭୁଲିଯାଇଥିଲେ । ସେ ହଠାତ୍ ଓୟାରଲେସ୍ ପାଖକୁ ଯିବାପାଇଁ ଫେରିପଡ଼ିଲା ବେଳକୁ ତାଙ୍କ ପଛରେ ଥିବା ବୁଦାଟାକୁ ହାବୁଡ଼ିଯାଇ ପଡ଼ିଗଲେ ତା’ରି ଉପରେ । ବୁଦାଟା ଖୁବ୍ ଜୋରରେ ହଲିଯିବା ସଙ୍ଗେ ସଙ୍ଗେ ଖସ୍‍ଖସ୍ ଶବ୍ଦ କରିଉଠିଲା ।

 

ହଠାତ୍ ଗୋଟାଏ ଅସ୍ୱାଭାବିକ ଶବ୍ଦ ଶୁଣି ପ୍ରସ୍ଥାନୋଦ୍ୟତ ଅଙ୍ଗଦ ସିଂ ସମେତ ଦଳର ଆଉ ଦୁଇ ତିନି ଜଣ ଚମକିପଡ଼ି ଚାହିଁଦେଲେ ବୁଦାଆଡ଼େ । ସମୟ ଏତେ ଅଳ୍ପ ଥିଲା ଯେ ବିଜୟବାବୁ ନିଜକୁ ଲୁଚାଇ ରଖିବାକୁ ସମୟ ସୁଦ୍ଧା ପାଇଲେ ନାହିଁ । ତଥାପି ଟିକିଏ ଅବସର ପାଇଲେ ଅନ୍ତତଃ ଏ ଜଙ୍ଗଲ ଭିତରେ କେଉଁଠି ହେଲେ ଲୁଚି ପଳ।ଇବାକୁ ଚେଷ୍ଟା କରନ୍ତେ ...ଏହି ଆଶାରେ ପକେଟରୁ ଚଟ୍ କରି ରିଭଲଭର୍‍ଟା ଏମାନଙ୍କ ଆଡ଼କୁ ବାଗେଇ ଧରି କହିଲେ... ‘‘ସାବଧାନ ! ପାଦେ ଆଗେଇ ଆସିବାକୁ ଚେଷ୍ଟାକଲେ ଗୁଳି କରିଦେବି ।”

 

ଦସ୍ୟୁ କେତେଜଣ ଏବଂ ଅଙ୍ଗଦ ସିଂ ଗୋଟାଏ ହୋସ୍‍ରେ ଧାଇଁଆସୁଥିଲେ ତାଙ୍କଆଡ଼େ-। ମାତ୍ର ବିଜୟବାବୁଙ୍କ ରୁଦ୍ରମୂର୍ତ୍ତି ଦେଖି ସେମାନଙ୍କ ଗତି ଠିକ୍ କରି ବନ୍ଦ ହୋଇଗଲା । ବିଜୟବାବୁ ଏହି ସୁଯୋଗର ସଦ୍‍ବ୍ୟବହାର କରିବାରେ ଆଦୌ ହେଳା କଲେନାହିଁ; ପାଦେ ପାଦେ କରି ପଛେଇବାକୁ ଲାଗିଲେ । ମାତ୍ର ଦୁଇ ପାହୁଣ୍ଡ ଯାଏ ପଛେଇ ଯାଇଛନ୍ତି, ହଠାତ୍ ଗୋଟାଏ ଶକ୍ତ ଆଘାତରେ ତାଙ୍କ ହାତରୁ ରିଭଲଭର୍ ଖସିପଡ଼ିଲା । ଯନ୍ତ୍ରଣାରେ ଚିତ୍କାର କରି ପଛକୁ ମୁହଁ ବୁଲାଇ ଦେଖିବା ପୂର୍ବରୁ କେତୋଟି ଲୌହଦୃଢ଼ ହାତରେ ସେ ବନ୍ଦୀ ହୋଇସାରିଥିଲେ । ତାଙ୍କୁ କାବୁ କରିବା ପାଇଁ ତାଙ୍କ ଅଲକ୍ଷ୍ୟରେ କେତେଜଣ ଦସ୍ୟୁ ଯେ ପଛପଟେ ଆସୁଛନ୍ତି, ଏକଥା ତାଙ୍କର ଧାରଣା ଭିତରେ ନଥିଲା । ବର୍ତ୍ତମାନସେ ସବୁ ବୁଝିପାରିଲେ । ମାତ୍ର କରିପାରିବାର କ୍ଷମତା କିଛି ନଥିଲା-

 

ଦସ୍ୟୁ କେତେଜଣ ବଳପୂର୍ବକ ତାଙ୍କୁ ବଡ଼ ଲାଞ୍ଛିତ ଅବସ୍ଥାରେ ଘୋଷାରି ଆଣିଲେ ବୁଦା ନିକଟକୁ । ଅଙ୍ଗଦ ସିଂର ନିର୍ଦ୍ଦେଶରେ ହାତଗୋଡ଼ ତାଙ୍କର ଭଲଭାବରେ ବାନ୍ଧି ଦିଆଗଲା । କ୍ରମେ ସାରା ଦସ୍ୟୁଦଳଟା ଆସି ରୁଣ୍ଡ ହୋଇଗଲେ ତାଙ୍କ ଚାରିପଟେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜୟବାବୁଙ୍କୁ ଏବଂ ବିଜୟବାବୁ ମଧ୍ୟ ଅଧିକାଂଶକୁ ଚିହ୍ନିପାରିଲେ । ଏତିକିବେଳେ ଦସ୍ୟୁଦଳ ମଧ୍ୟରୁ ଯିଏ ଯେମିତି ପାରିଲା ଅପମାନକସୂଚକ କଥାକହି ପୂର୍ବର ରାଗ, ରୋଷ ସୁଝାଇବାରେ ଲାଗିଗଲେ । ବିଧା, ଚାପୁଡ଼ାଠାରୁ ଆରମ୍ଭ କରି ସବୁପ୍ରକାର ମାଡ଼ ବି ସୃଷ୍ଟି ହୋଇଗଲା ତାଙ୍କ ସମଗ୍ର ଶରୀର ଉପରେ ।

 

ଏତେ ଅକଥନୀୟ ଅତ୍ୟାଚାର ସହି କ୍ରୋଧରେ ଖାଲି ଜର୍ଜର ହୋଇଉଠୁଥାନ୍ତି ବିଜୟବାବୁ । କିନ୍ତୁ ହାତଗୋଡ଼ ତାଙ୍କର ଏତେ ଦୃଢ଼ଭାବରେ ବନ୍ଧାଥିଲା ଯେ ଟିକିଏ ହଲଚଲ ହେବାର ସୁଦ୍ଧା ଉପାୟ ନଥିଲା । ସବୁଆଡ଼କୁ ଚାହିଁ ସେ ଖୋଜୁଥିଲେ ଟାଇଗର୍‍କୁ । କିନ୍ତୁ ବିଚାରା ନଥିଲା ସେଠି । ହୁଏତ ପ୍ରାଣଭୟରେ କେଉଁଠିକୁ ପଳେଇଯାଇଛି କିମ୍ବା ଦସ୍ୟୁଦଳ ହାତରେ ଶେଷ ପାଇଗଲାଣି । ନିଜର ମୃତ୍ୟୁ ମଧ୍ୟ ସୁନିଶ୍ଚିତ । ବର୍ତ୍ତମାନ ସେ ଉପାୟହୀନ । ତାଙ୍କ ପାଇଁ କି ଭୟାବହ ମୃତ୍ୟୁର ବ୍ୟବସ୍ଥା ଅଙ୍ଗଦ ସିଂ କରୁଛି ସେତକ ଶୁଣିବା ପାଇଁ ସେ ଅପେକ୍ଷା କରୁଥିଲେ । ଏ ନିର୍ଜନ ଜଙ୍ଗଲ ମଧ୍ୟରେ, ଅସହାୟଭାବରେ ତାଙ୍କର ଜୀବନଦୀପ ଧୀରେ ଧୀରେ ଲିଭିଯିବ; ବାହାର ଦୁନିଆର କେହି ସେକଥା ଜାଣିପାରିବେ ନାହିଁ । ଜୀବନର ଅବସାନ ବିଷୟ କଲ୍ପନା କରି କପାଳରେ ବିନ୍ଦୁ ବିନ୍ଦୁ ଝାଳ ଆଉ ଆଖିରେ ଲୁହ ଜକେଇ ଆସିଲା ତାଙ୍କର ।

 

ସମସ୍ତଙ୍କୁ ଆଡ଼େଇଦେଇ ଅଙ୍ଗଦ ସିଂ ଆସି ଠିଆହେଲା ଆଗରେ । ଦୃପ୍ତକଣ୍ଠରେ ବିଜୟବାବୁଙ୍କୁ ଚାହିଁ କହିଲା...”କି ବିଜୟବାବୁ ! ତୁମର ଗୁରୁଦେବ କାହାନ୍ତି? ଏଠି ଆଉ କାହାରି ସାଧ୍ୟ ନାହିଁ ତୁମକୁ ଉଦ୍ଧାର କରିବାକୁ । ମୋତେ ଖୋଜିବାପାଇଁ ତୁମେ ଯେ ଅନ୍ଧାରରେ ବାଡି ବୁଲାଇବ, ସେ କଥା ମୁଁ ଜାଣେ । ଆଉ ମାତ୍ର ଅଧଘଣ୍ଟାଏ, ତା’ପରେ ତମର ଜିଅନ୍ତା ଦେହ ଜଳିଉଠିବ ଏଇଠି । ଆଉ ମୁଁ ଚାଲିଯାଇଥିବି ବହୁତ ଦୂରକୁ ସେତେବେଳକୁ । ଏଇ ସମୟତକ ହେଲେ ଭଗବାନଙ୍କୁ ଚିନ୍ତାକରି ବିତାଇଦିଅ । ମୁଁ ତୁମର ଜୀବନ୍ତ ଦେହର ସଂସ୍କାର ସମ୍ବାଦ ଠିକ୍ ସମୟରେ ତୁମ ଗୁରୁଦେବଙ୍କ ପାଖରେ ପହଞ୍ଚାଇଦେବି ।”

 

ସମୟ ହୋଇଯାଇଥିଲା, ଅଙ୍ଗଦ ସିଂର ଆଦେଶ ଅନୁସାରେ ଗୋଟାଏ ଶକ୍ତଖୁଣ୍ଟରେ ବିଜୟବାବୁଙ୍କୁ ଦୃଢ଼ଭାବରେ ବାନ୍ଧିଦିଆଗଲା । ତାଙ୍କ ଚାରିପାଖରେ ଶୁଖିଲା କାଠ ବାଉଁଶ ଗୁଡ଼ାଏ ଜମା କରିଦେଇ ଦସ୍ୟୁଦଳ ତାଙ୍କ ଚାରିପଟେ ଘେରି ଠିଆହେଲେ । ଅଙ୍ଗଦ ସିଂ ଆଗକୁ ଆସି ହସ ହସ ହୋଇ କହିଲା...”ଏଥର ବିଦାୟ ଗୋୟେନ୍ଦାବାବୁ ! ବିଦାୟ !”

 

ଅଙ୍ଗଦ ସିଂ ଇଙ୍ଗିତ କଲାମାତ୍ରେ ଶୁଖିଲା କାଠଗୁଡ଼ାକରେ ଅଗ୍ନିସଂଯୋଗ କରିଦିଆଗଲା-। ସେହି ସଙ୍ଗେ ସଙ୍ଗେ ଗୋଟି ଗୋଟି କରି ଦସ୍ୟୁ ସେଠାରୁ ଅପସରିଗଲେ ଦୂରକୁ...ସମୁଦ୍ରକୂଳଆଡ଼କୁ ।

 

ନିଆଁର ଲହ ଲହ ଶିଖା ପ୍ରଥମେ ପ୍ରଥମେ ଆସ୍ତେ ଆସ୍ତେ ହୋଇ ତା’ପରେ ହୁତୁ ହୁତୁ ହୋଇ ଜଲିଉଠିଲା ତାଙ୍କ ଚାରିପଟେ । ବିଜୟବାବୁ ନିଆଁର ଉତ୍ତାପ ଅନୁଭବ କରିବାକୁ ଲାଗିଲେ । ପୋକପରି ଛଟପଟ ହୋଇ ନିଆଁ ଭିତରେ ଜିଅନ୍ତା ପୋଡ଼ି ହୋଇ ମରିବାର ତାଙ୍କର ଆତ୍ମା ‘ନାହିଁ, ନାହିଁ’ କରିଉଠୁଥିଲା । ଶେଷଥର ପାଇଁ ଦେହର ସମସ୍ତ ଶକ୍ତି ଲଗାଇ ଦେହର ବନ୍ଧା ଦଉଡ଼ି ଛିଣ୍ଡାଇଦେବାକୁ କିମ୍ବା ବନ୍ଧହୋଇଥିବା ଖୁଣ୍ଟାଟାକୁ ଉପାଡ଼ିଦେବାକୁ ଚେଷ୍ଟା କଲେ ସେ । କିନ୍ତୁ ବୃଥା ଉଦ୍ୟମ । ଦେହରେ ଯନ୍ତ୍ରଣା ଆହୁରି ବଢ଼ିଉଠିଲା । ସାରା ଶରୀର ଝାଳେଇ ଉଠିଲା ।

 

ଅଙ୍ଗଦ ସିଂ ଦଳବଳ ଧରି ଚାଲିଗଲାଣି । ନିଆଁ ଶିଖା ଲହ ଲହ ହୋଇ ମାଡ଼ିଆସୁଛି ତାଙ୍କ ଆଡ଼କୁ । ଆଉ ମାତ୍ର କେତୋଟି ମିନିଟ, ତା’ପରେ ସବୁ ଶେଷ । ଗୋଟାଏ ଶୋଚନୀୟ ଏବଂ ଅସହାୟ ମୃତ୍ୟୁବରଣ କରିବା ପୂର୍ବରୁ ଆଖିରୁ ଲୁହ ବୋହିଆସିଲା ତାଙ୍କର ଦୁଃଖରେ ।

 

ନିଆଁର ମଣ୍ଡଳାକାର ଲେଲିହାନ ଶିଖା ତାଙ୍କଆଡ଼କୁ ମାଡ଼ିଆସୁଥିବାବେଳେ ସେ ଦେଖିପାରିଲେ, ନିଆଁର ଆରପଟେ ଖୁବ୍ ବ୍ୟସ୍ତଭାବରେ ଦୌଡ଼ାଦୌଡ଼ି କରୁଚି ଟାଇଗର୍ । ବିଚରା ଶେଷମୂହୂର୍ତ୍ତରେ ବିଜୟବାବୁଙ୍କୁ ଦେଖିପାରିଛି ତାହା ହେଲେ । ତାଙ୍କ ପାଖକୁ ଧାଇଁ ଆସିବାକୁ ତା’ର ଏ ବ୍ୟାକୂଳତା । କିନ୍ତୁ ଟାଇଗର୍‍କୁ ଦେଖି ବିଜୟବାବୁଙ୍କ ମନରେ ଆଶାର ସଞ୍ଚାରହେଲା । ସେ ସୁଶିକ୍ଷିତ କୁକୁର । ସମୟ ଓ ପରିସ୍ଥିତି ଦେଖି ସେ କାମ କରେ ।

 

ଏତିକିବେଳେ ଖପ୍ କରି ଗୋଟାଏ ପଟରୁ କୁଦିପଡ଼ିଲା ସେ ନିଆଁ ଭିତରକୁ । ମଝି ଅଂଶଟାରେ ନିଆଁ ଲାଗି ନଥିଲା ସେପର୍ଯ୍ୟନ୍ତ । ଜଳି ଜଳି ଆସୁଥିଲା କ୍ରମେ । ନିଆଁ ଧାସ ଲାଗି ଟାଇଗରର ବହଳ ଲୋମ କେତେ ଜାଗାରେ ପୋଡ଼ିଯାଇଥିଲେ ବି ତା’ର ତିଳେ ହେଲେ ଭ୍ରୂକ୍ଷେପ ନଥିଲା ସେଥିପ୍ରତି । ସେ ଛୁଟିଯାଇ ବିଜୟବାବୁଙ୍କ ଚାରିପଟେଥରେ ଘୂରିଆସି ତାଙ୍କର ହାତରେ ବନ୍ଧାଥିବା ଫାଶଟାକୁ ନିଜର ଦାନ୍ତର ସମସ୍ତ ଶକ୍ତି ଲଗାଇ ଛିଣ୍ଡାଇବାରେ ଲାଗିଗଲା । ଅଳ୍ପ କେତେସମୟ ମଧ୍ୟରେ ଫାଶଟା ତା’ର ତୀକ୍ଷ୍ଣ ଦାନ୍ତଦ୍ଵାରା କାଟିଦେଲା । ହାତ ଦୁଇଟା ମୁକ୍ତ ହେବା ସଙ୍ଗେ ସଙ୍ଗେ ବିଜୟବାବୁଙ୍କ ମନରେ ଅଶାର ସଞ୍ଚାରହେଲା । ସେ ଅନ୍ୟ ଦୌଡ଼ିଗୁଡ଼ା ଫିଟାଇ ପକାଇ ଖୁବ୍ ଶୀଘ୍ର ନିଜକୁ ମୁକ୍ତ କରିନେଲେ । ସେତେବେଳକୁ ନିଆଁ ପାଦ ପର୍ଯ୍ୟନ୍ତ ଲାଗିଆସିଲାଣି-। ବିଜୟବାବୁ ଟାଇଗରକୁ କୋଳରେ ଧରି ଜଳନ୍ତା ନିଆଁ ଉପରେ ଚଢ଼ି ଚାଲିଆସିଲେ-। ଭାଗ୍ୟ ଭଲ ! ଦସ୍ୟୁଦଳ ସବୁ ଖାନତଲାସ କରିନେଇଥିଲେ । କିନ୍ତୁ ଜୋତା ହଳକ ଥିଲା ପାଦରେ-

 

ଟାଇଗର୍ ପ୍ରତି ବିଜୟବାବୁ ଏତେ କୃତଜ୍ଞ ହୋଇପଡ଼ିଥିଲେ ଯେ, କିପରି ତାକୁ କୃତଜ୍ଞତା ଜଣାଇବେ ବୁଝିପାରିଲେ ନାହିଁ; ଖାଲି ଛାତିରେ ତାକୁ ଭିଡ଼ିଧରିଲେ । ତା’ର ପୋଡ଼ିଯାଇଥିବା ଦେହକୁ ପରୀକ୍ଷା କରି ଦେଖିଲେ–ଆଘାତ କିଛି ହୋଇନି, ଖାଲି ଲୋମ କେତେଗୁଡ଼ିଏ ପୋଡ଼ିଯାଇଛି । ତାଙ୍କର ମନେପଡ଼ିଲା ଓୟାରଲେସ୍ ମେସିନ୍‍ଟା କଥା । ସେଟାକୁ ସେ ବୁଦାପଛରେ ରଖିଦେଇଥିଲେ । ଭାଗ୍ୟ ଭଲ, ପାଖରେ ରଖିନଥିଲେ । ନ ହେଲେ ସେଇଟି ମଧ୍ୟ ଦସ୍ୟୁମାନଙ୍କ ହାତରେ ପଡ଼ିଥାଆନ୍ତା ।

 

ମରଣ ମୁହଁରୁ ରକ୍ଷା ପାଇ ବିଜୟବାବୁ ଅପାର ଆନନ୍ଦ ଅନୁଭବ କରିବା ସଙ୍ଗେ ସଙ୍ଗେ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଉଥିଲେ । ନିଜର ଶାରୀରିକ କଷ୍ଟ ଅନୁଭବ କଲାଭଳି ସମୟ ନଥିଲା ତାଙ୍କର । ସେ ତରବର କରି ଧାଇଁଲେ ସମୁଦ୍ରକୂଳଆଡ଼େ । ଅଙ୍ଗଦ ସିଂର ମୋଟର ଲଞ୍ଚ୍‍ ତିନୋଟି ଆଗେଇଗଲାଣି ସେତେବେଳକୁ ସମୁଦ୍ର ଭିତରେ ବହୁଦୂର ପର୍ଯ୍ୟନ୍ତ ।

 

ରାତି ପ୍ରାୟ ବାରଟା ବାଜିଯାଇଥିଲା ସେତେବେଳକୁ । ନିର୍ଜନ ସମୁଦ୍ର ପ୍ରାନ୍ତରରେ ନିଜ ଉପରେ ବହିଯାଇଥିବା ବିପଦଝଡ଼ ବିଷୟରେ ଜଣାଇବାକୁ ପ୍ରଦୀପବାବୁଙ୍କ ଉଦ୍ଦେଶ୍ୟରେ ଓୟାରଲେସ୍ ଖୋଲିଲେ ବିଜୟବାବୁ । ଅଳ୍ପସମୟ ମଧ୍ୟରେ ସଂଯୋଗ ସ୍ଥାପିତ ହୋଇଗଲା । ସାଙ୍କେତିକ ଭାଷାରେ କିଛି ସମୟ କଥାବାର୍ତ୍ତା ବିନିମୟ କଲେ ସେ ତାଙ୍କ ସହିତ ।

 

ପ୍ରଦୀପବାବୁ ସମୁଦ୍ରଗର୍ଭରେ ସଦଳବଳେ ଯାତ୍ରା ଆରମ୍ଭ କରିସାରିଥିଲେ ।

 

ରାତ୍ରିର ଶେଷ ପ୍ରହର ସମୟକୁ ସେ ହୁଏତ ଏଇ ଅଞ୍ଚଳ ନିକଟରେ ପହଞ୍ଚିଯିବେ । ତାଙ୍କୁ ନିଜର ଅବସ୍ଥିତି ଜଣାଇବାକୁ ଆଲୋକ ସଙ୍କେତ ଦେଖାଇବାକୁ ହେବ । ବିଜୟବାବୁ ଭାବିଲେ–ସମୁଦ୍ରଭିତରକୁ ସଙ୍କେତ ଦେଖାଇବାପାଇଁ ତାଙ୍କ ନିକଟରେ ଥିଲା ମାତ୍ର ଟର୍ଚ୍ଚଲାଇଟଟିଏ । ସେଇଟି ଦସ୍ୟୁଦଳଙ୍କ ହାତରେ ପଡ଼ିଯାଇଚି । ବର୍ତ୍ତମାନ ଆଉ ଉପାୟ ନାହିଁ । ‘‘କ’ଣ କରିବେ, କ’ଣ କରିବେ,’’ ଭାବୁ ଭାବୁ ତାଙ୍କର ମନେପଡ଼ିଲା ଯେ, ଜିପ୍‍ଟା ଅଛି ସମୁଦ୍ରକୂଳରେ । ତାରି ହେଡ଼୍‍ଲାଇଟରେ ମଧ୍ୟ ସଙ୍କେତ ଦିଆଯାଇପାରେ । କିନ୍ତୁ ଜିପ୍ ରହିଲାଣି ଯାଇ ଦୁଇ ମାଇଲ୍‍ରୁ ଅଧିକ ଦୂରରେ ।

 

ଯେକୌଣସି ପ୍ରକାରେ ହେଉ, ସେଠାରେ ପହଞ୍ଚିବାକୁ ହେବ । ଯଥେଷ୍ଟ କ୍ଳାନ୍ତ ଲାଗୁଥିଲେ ବି ସେ ଉର୍ଦ୍ଧ୍ୱଶ୍ଵାସରେ ଛୁଟିଲେ ଟାଇଗର୍‍କୁ ଧରି ।

 

(ନଅ)

 

ପ୍ରଦୀପବାବୁ ଯେତେବେଳେ ହାତଧରି ବୋଟ୍ ଉପରୁ ଲଞ୍ଚ୍‍ ଉପରକୁ ତାଙ୍କୁ ଉଠାଇନେଲେ, ସେତେବେଳେ ଯାଇ ବିଜୟବାବୁ ବିଶ୍ଵାସ କଲେ ଯେ, ସେ ମୁକ୍ତିପାଇ ଆସିଛନ୍ତି । ନ ହେଲେ ଶେଷ ପର୍ଯ୍ୟନ୍ତ ତାଙ୍କର ଜୀବନପ୍ରତି ମମତା ନ ଥିଲା ଆଦୌ । ପ୍ରତି ମୁହୂର୍ତ୍ତରେ ସେ ନିଜକୁ ବିପଦ।ପନ୍ନ ଏବଂ ଅସହାୟ ମନେ କରୁଥିଲେ । ଜୀବନରକ୍ଷା ମୋହରେ ସେ ଯେ କିପରି ଉର୍ଦ୍ଧ୍ୱଶ୍ୱାସରେ କ୍ଳାନ୍ତ ଅବସ୍ଥାରେ ଧାଇଁ ଆସିପାରିଲେ ଏବଂ ପ୍ରଦୀପବାବୁଙ୍କ ଆଲୋକ ସଙ୍କେତକୁ ଲକ୍ଷ୍ୟ କରି ସଙ୍କେତରେ ପ୍ରତ୍ୟୁତ୍ତର ଦେଇପାରିଲେ ତାହା ବର୍ତ୍ତମାନ ଭାବି ଆଶ୍ଚର୍ଯ୍ୟ ହେଉଥିଲେ ସେ । ଅବଶ୍ୟ ସଙ୍କେତ ପାଇଲାମାତ୍ରେ ପ୍ରଦୀପବାବୁ ଗୋଟାଏ ବୋଟ୍ ଆଉ କେତେଜଣ ସୁଦକ୍ଷ ନାବିକ ସିପାହୀ ପଠାଇଦେଇଥିଲେ କୂଳକୁ । ସେମାନଙ୍କ ସାହାଯ୍ୟରେ ବିଜୟବାବୁ ଯାଇପାରିଲେ ସମୁଦ୍ରଭିତରେ ଥିବା ଲଞ୍ଚ୍‍ ନିକଟକୁ ।

 

ଲଞ୍ଚ୍‍ର ଗୋଟିଏ ବିସ୍ତୃତ ପ୍ରକୋଷ୍ଠରେ ରୂପନାରାୟଣବାବୁ, ତାରଜନ୍‍ ଆଉ ଗରିଲା ଥିଲେ । ବିଜୟବାବୁ ପ୍ରଦୀପବାବୁଙ୍କ ସହିତ ଯାଇ ସେଠାରେ ପହଞ୍ଚିଗଲେ । ଅଳ୍ପସମୟ ମଧ୍ୟରେ ପରିଚୟ ଆଦାନ ପ୍ରଦାନ ଏବଂ ଆଳାପ ହୋଇଗଲା । ବିଜୟବାବୁ ଦେଖିଲେ...ଯାହା କହନ୍ତି ତାରଜନ୍‍ ଜଣେ ଅତିମାନବ । ବ୍ୟୟାମପୁଷ୍ଟ ବଳିଷ୍ଠ ମାଂସପେଶୀବହୁଳ ସୁଠାମ ଦେହ । ଦେଖିଲାକ୍ଷଣି ନିଃସନ୍ଦେହରେ ଜାଣିହେଉଛି ଯେ ସେଥିରେ ଶକ୍ତି ଖୁନ୍ଦିହୋଇଛି । ସରଳ, ଅମାୟିକ ବ୍ୟବହାର । ଆଉ ଗରିଲା ସୁଲତାନ୍‍ ...ପଶୁ ହେଲେ କ’ଣ ହେଲା, ମନୁଷ୍ୟ ପରି ଭାଷା ସେ କହିପାରେ ନାହିଁ, ନ ହେଲେ ଚାଲିଚଳଣ, ଭାବଭଙ୍ଗୀ ତା’ର ମନୁଷ୍ୟ ପରି । ଟାଇଗର୍ ପ୍ରଥମେ ସୁଲତାନ୍‍କୁ ଦେଖି ଟିକେ ଗରଗର ହେଉଥିଲା । କିନ୍ତୁ ସୁଲତାନ୍‍ ଗୋଟାଏ ଝାମ୍ପରେ ତାକୁ ପାଖକୁ ଟାଣିନେଇ ଖେଳିଲାଣି । ଗୋଟିଏ ସୁଖୀ ପରିବାର ପରି ଏମାନେ ଭାସିଚାଲିଛନ୍ତି ସମୁଦ୍ରବକ୍ଷରେ । ଏମାନଙ୍କର ଲଞ୍ଚ୍‍କୁ ଘେରି ଆଗପଛ ହୋଇ ଚାରିଟି ପୋଲିସ୍ ଲଞ୍ଚ୍‍ ଚାଲିଛି । ପ୍ରତ୍ୟେକରେ ସୁଶିକ୍ଷିତ ସିପାହୀ, ଅସ୍ତ୍ରଶସ୍ତ୍ର ପରିପୂର୍ଣ୍ଣ, ଭୟ ନାହିଁ । ଦିନ ହେବା ପୂର୍ବରୁ ଦୂରର କୌଣସି ପଦାର୍ଥ ଲକ୍ଷ୍ୟ କରିବା ସମ୍ଭବ ନୁହେଁ । ତେଣୁ ଧୀର ମନ୍ଥର ଗତିରେ ଚାଲିଛନ୍ତି । ସକାଳ ହେଲେ ଯାହା ହେବ ।

 

ସକାଳୁ ସକାଳୁ ଯେ ଘୋର ସଙ୍ଘର୍ଷର ସୂତ୍ରପାତ ହୋଇ ନ ଯିବ ତାହା କିଏ କହିବ ? ତେଣୁ ପ୍ରଦୀପବାବୁ ଆଉ ରୂପନାରାୟଣବାବୁଙ୍କ ଉପଦେଶାନୁଯାୟୀ ବିଜୟବାବୁ ସାମାନ୍ୟ କିଛି ଆହାର କରି ବିଶ୍ରାମ କରିବାକୁ ଚାଲିଗଲେ ଅନ୍ୟ କୋଠରୀକୁ । ଅଳ୍ପସମୟ ମଧ୍ୟରେ ଅବସନ୍ନ ଦେହ ତାଙ୍କର ଗଭୀର ନିଦ୍ରାରେ ଅଭିଭୂତ ହୋଇପଡ଼ିଲା ।

 

ବିଜୟବାବୁଙ୍କ ନିଦ ଭାଙ୍ଗିଲାବେଳକୁ ପ୍ରାୟ ନଅଟା ବାଜି ଗଲାଣି । ଲଞ୍ଚ୍‍ କେତେଖଣ୍ଡ ଗୁରୁଗମ୍ଭୀର ଗର୍ଜନ କରି ତୀବ୍ରଗତିରେ ଚାଲିଥାଏ ସେତେବେଳକୁ । ସମୁଦ୍ରର ଜଳରାଶି ସ୍ଥିର । ସେ ଏତେବେଳଯାଏ ଶୋଇପଡ଼ିଥିବାରୁ ମନେମନେ ବଡ଼ ଲଜ୍ଜିତ ହୋଇପଡ଼ିଲେ । କିନ୍ତୁ ଯଥେଷ୍ଟ ବିଶ୍ରାମ ଫଳରେ ଦେହରେ ନୂତନ ତେଜ, ବଳ ଓ ସାହସ ଉପଲବ୍‍ଧ କରୁଥିଲେ । ଆଉ ସମୟ ନଷ୍ଟ ନକରି ଖୁବ୍ ଶୀଘ୍ର ନିତ୍ୟକର୍ମ ଶେଷକରି ଲାଗିପଡ଼ିଲେ ।

 

ସେତେବେଳକୁ ସମଗ୍ର ପୋଲିସ୍ ବାହିନୀ ଡେକ୍‍ ଉପରେ ସଶସ୍ତ୍ର ପ୍ରସ୍ତୁତ ହୋଇ ରହିଥାନ୍ତି । ଛଅଖଣ୍ଡ ବିରାଟକାୟ ଶକ୍ତିଶାଳୀ ଲଞ୍ଚ୍‍ ଲଗାଲଗି ହୋଇଯାଉଥାଏ । ବେଳେବେଳେ ସିଡ଼ିଦ୍ଵାରା ଗୋଟିକୁ ଆଉ ଗୋଟିକ ସହିତ ସଂଯୋଗ କରିଦିଆଯାଉଥାଏ । ପୋଲିସ୍ ଲଢ଼ୁଆବାହିନୀର ନେତୃତ୍ଵ ନେଇଥାନ୍ତି କମିଶନର ମିଷ୍ଟର ବ୍ରାଉନ୍ । ମିଷ୍ଟର ବ୍ରାଉନ୍‍ଙ୍କ ଆସିବା ସମ୍ବାଦ ପାଇନଥିଲେ ବିଜୟବାବୁ ।

 

ପ୍ରଦୀପବାବୁ ଆଉ ରୂପନାରାୟଣବାବୁ ଆଖିରେ ଶକ୍ତିଶାଳୀ ଦୂରବୀଣ ଲଗାଇ ଦୂର ସମୁଦ୍ରପଥକୁ ନିରୀକ୍ଷଣ କରୁଥିଲେ । ଏଇ ଘଣ୍ଟାକ ପୂର୍ବରୁ ପ୍ରାୟ ଚାରି ପାଞ୍ଚ ମାଇଲ ଦୂରରେ ଦୁଇଖଣ୍ଡ ଲଞ୍ଚ୍‍ ମାତ୍ର କେତୋଟି ମୁହୂର୍ତ୍ତ ପାଇଁ ଦୃଷ୍ଟପଥାରୁଢ଼ ହୋଇଥିଲା ସେମାନଙ୍କର । ତା ପୁଣି କେତେ ମିନିଟ୍‍ ପାଇଁ , ତା’ପରେ ଆଉ କିଛି ନାହିଁ । ଲଞ୍ଚ୍‍ ଦୁଇଖଣ୍ଡ କୁଆଡ଼େ ଯେ ଗଲା ତାର ପତ୍ତା ନ।ହିଁ । ସେତିକିବେଳୁ ପୋଲିସ୍ ବାହିନୀକୁ ସଜାଗ କରି ରଖାଯାଇଛି । ଅନ୍ୟମାନେ ମଧ୍ୟ ସଜାଗ ଅଛନ୍ତି । ପୋଲିସ୍ କମାଣବାହୀ ଲଞ୍ଚ୍‍ ଦୁଇଟି ଚାଲିଛି ଆଗରେ; ତା’ ପଛକୁ ଅନ୍ୟଗୁଡ଼ିକ । ମିଷ୍ଟର ବ୍ରାଉନ୍ କମାଣବାହୀ ଲଞ୍ଚ୍‍ରେ ଥାଇ ଆଗକୁ ନିରୀକ୍ଷଣ କରିଛନ୍ତି ଦୂରବୀଣ ସାହାଯ୍ୟରେ । ଓୟାରଲେସ୍ ଦ୍ଵାରା ବେଳେବେଳେ ପରସ୍ପର ସହିତ କଥାବାର୍ତ୍ତା କରୁଛନ୍ତି ମଧ୍ୟ ।

 

ଦିନ ଗୋଟାଏ ବେଳକୁ ପୋଲିସ୍ ବାହିନୀ ପ୍ରାୟ ତିରିଶି ମାଇଲ ପଥ ଅତିକ୍ରମ କରିସାରିଥିଲେ । ପ୍ରଦୀପବାବୁ ଓୟାରଲେସରେ ସବୁ ଲଞ୍ଚ୍‍କୁ ଡାକି ନିର୍ଦ୍ଦେଶ ଦେଲେ...'ଦକ୍ଷିଣକୁ ଚଳାଅ ଏଥର ।' ନିର୍ଦ୍ଦେଶାନୁସାରେ ସବୁଗୁଡ଼ିକ ଦିଗ ବୁଲାଇ ଚାଲିଲେ । ଡ଼େକ୍‍ ଉପରେ ସେତେବେଳେ ବସିଥିଲେ ରୂପନାରାୟଣବାବୁ ଆଉ ପ୍ରଦୀପବାବୁ । ପ୍ରଦୀପବାବୁ ନକ୍‍ସାଟା ରୂପନାରାୟଣବାବୁଙ୍କୁ ଦେଖାଇ କହିଲେ–‘‘ଆଉ ହୁଏତ କୋଡ଼ିଏ କିମ୍ବା ଖୁବ୍ ବେଶି ହେଲେ ତିରିଶି ମାଇଲ ଆମକୁ ଯିବାକୁ ହେବ ।”

 

...‘‘ହଁ, ମୁଁ ବି ସେୟା ଅନୁମାନ କରୁଛି । ଯଦି ଆମେ ଠିକ୍ ରତ୍ନଦ୍ଵୀପ ଦିଗରେ ଯାଉଥିବା ତେବେ ସନ୍ଧ୍ୟା ପୂର୍ବରୁ ସେଠି ପହଞ୍ଚିପାରୁନଥାଇଁ କେବେ ।”

 

ଅନ୍ୟଦିଗରେ ବିଜୟବାବୁ ଆଉ ତାରଜନ୍‍ ବୁଲି ବୁଲି ଆଳପମଗ୍ନ ଥା’ନ୍ତି । ତାରଜନ୍‍ ତା’ର ଅତୀତ ଜୀବନର ରୋମାଞ୍ଚକର ଏବଂ କରୁଣ କାହାଣୀଗୁଡ଼ିକ ଶୁଣାଇ ଚମତ୍କୃତ କରିଦେଉଥାଏ ବିଜୟବାବୁଙ୍କୁ । ସୁଲତାନ୍‍ ଡ଼େକ୍ ଉପରେ ସ୍ଥିରଭାବରେ ବସିରହି ନୀଳ ସମୁଦ୍ରର ଅନନ୍ତ ଜଳରାଶିଆଡ଼କୁ ଏକଧ୍ୟାନରେ ଚାହିଁରହିଥାଏ ।

 

ଲଞ୍ଚ୍‍ଗୁଡ଼ିକ ଦକ୍ଷିଣାଭିମୁଖୀ ଧାଇଁଥାଏ ତୀବ୍ରଗତିରେ । ଏତିକିବେଳେ ସୂର୍ଯ୍ୟ ଅସ୍ତ ହେବାର ଉପକ୍ରମ କଲେ । ତା’ ସଙ୍ଗେ ସଙ୍ଗେ ଉତ୍ତର ଆକାଶରେ ମେଘ ଖଣ୍ଡିଏ ଉଠାଇଆସିଲା । ରୂପନାରାୟଣବାବୁ ମନରେ ପ୍ରମାଦ ଗଣିଲେ । ଦୈବାତ୍‍ ଯଦି ସମୁଦ୍ର ଉପରେ ଝଡ଼ବର୍ଷା ଆରମ୍ଭ ହୋଇଯାଏ, ତେବେ ସର୍ବନାଶ । ସତର୍କ ରହିବାପାଇଁ ସବୁ ଲଞ୍ଚ୍‍ଗୁଡ଼ିକୁ ଚେତାଇଦେଲେ ସେ ।

 

ଠିକ୍ ଏତିକିବେଳେ କେତେଗୁଡ଼ାଏ ଚଢ଼େଇ ଦଳଦଳ ହୋଇ କିଚିରି ମିଚିରି ଶବ୍ଦକରି ଉଡ଼ିଯାଉଥିଲେ ଦକ୍ଷିଣଦିଗକୁ । ପ୍ରଦୀପବାବୁ ସେୟାକୁ ଲକ୍ଷ୍ୟକରି ଆନନ୍ଦରେ କହିଲେ, ‘‘ଆମେ ଆଉ ବେଶିଦୂରରେ ନଥାଇଁ ବୋଧହୁଏ । କାରଣ ଏଇ ପକ୍ଷୀଗୁଡ଼ିକ ହୁଏତ ରତ୍ନଦ୍ଵୀପର ବାସିନ୍ଦା । ଆଖପାଖରେ ଆଉ କେଉଁଠି କିଛି ଦ୍ୱୀପର ଉଲ୍ଲେଖ ତ ନାହିଁ ନୌବିଭାଗ ମାନଚିତ୍ରରେ । ଏହି ପକ୍ଷୀମାନେ ତ ପୁଣି ସନ୍ଧ୍ୟାସୁଦ୍ଧା ଦ୍ୱୀପରେ ପହଞ୍ଚିବେ । ତେଣୁ ଏଇମାନଙ୍କୁ ଅନୁସରଣ କରିଚାଲିଲେ ଆମେ ବି ତାଙ୍କ ପଛେପଛେ ସେଠାରେ ପହଞ୍ଚିଯିବା ସମ୍ଭବ ।”

 

ରୂପନାରାୟଣବାବୁ ଚଢ଼େଇଗୁଡ଼ିକୁ ଚାହିଁ କହିଲେ ...‘‘ହଁ, ସେ କଥା ଠିକ୍ । ତେବେ ଆମକୁ ସନ୍ଧ୍ୟାପୂର୍ବରୁ ସେଠାରେ ପହଞ୍ଚିବାକୁ ହେଲେ ଏଇ ପକ୍ଷୀମାନଙ୍କ ଗତି ସହ ସମାନ ଗତି କରିବାକୁ ହେବ । ଆପଣ ଲଞ୍ଚ୍‍ଗୁଡ଼ିକର ସ୍ପିଡ୍ ବଢ଼ାଇବାକୁ ଅର୍ଡର ଦିଅନ୍ତୁ । ଏଣେ ବି ବିପଦ ମାଡ଼ିଆସିଲାଣି ।” ରୂପନାରାୟଣବାବୁ ଉତ୍ତରଦିଗରୁ ଉଠାଇ ଆସୁଥିବା ମେଘ ଆଡ଼କୁ ଆଙ୍ଗୁଳି ଦେଖାଇଲେ ।

 

ପ୍ରଦୀପବାବୁ ସେହିଦିଗକୁ ଚାହିଁ ଦେଖିଲେ, କଳାହାଣ୍ଡିଆ ମେଘ ଆକାଶର ଅଧାଅଧି ପର୍ଯ୍ୟନ୍ତ ମାଡ଼ିଆସିଲାଣି । ସେ ତତ୍‍କ୍ଷଣାତ୍ ସେ ଖବର ସମସ୍ତଙ୍କୁ ଜଣାଇଦେଇ, ଚଢ଼େଇମାନଙ୍କ ଉଡ଼ିଯାଉଥିବା ଦିଗକୁ ଲକ୍ଷ୍ୟ କରି ଆହୁରି ଦ୍ରୁତଗତିରେ ଲଞ୍ଚ୍‍ ଚଳାଇବାକୁ ନିର୍ଦ୍ଦେଶ ଦେଲେ । ଲଞ୍ଚ୍‍ଗୁଡ଼ିକ ଆହୁରି ଜୋରରେ ଗର୍ଜନ କରି ପାଣିକାଟି ଚାଲିଲା ମାଛପରି ।

 

ପ୍ରାୟ ଅଧଘଣ୍ଟାକ ପରେ ସବୁଠାରୁ ଆଗରେ ଯାଉଥିବା ଲଞ୍ଚ୍‍ ଉପରୁ କମିଶନର ମିଷ୍ଟର ବ୍ରାଉନ୍ ଚିତ୍କାର କରି ଉଠିଲେ, ‘‘ଏଇ ଆଗରେ ରତ୍ନଦ୍ଵୀପ, ଦେଖନ୍ତୁ ପ୍ରଦୀପବାବୁ ।”

 

ମିଷ୍ଟର ବ୍ରାଉନ୍ ଆଖିଆଗରୁ ଦୂରବୀଣଟା କାଢ଼ିନଥାନ୍ତି, ରୂପାନରାୟଣବାବୁ, ପ୍ରଦୀପବାବୁ, ବିଜୟବାବୁ ଏବଂ ଅନ୍ୟମାନେ ମଧ୍ୟ ନିଜ ନିଜର ଦୂରବୀଣ ଆଖିରେ ଲଗାଇ ଦେଖିବାକୁ ଲାଗିଲେ ସେହି ଦିଗକୁ । ଦୂରରେ... ବହୁ ଦୂରରେ ଦିଶୁଚି ଲତାବୃକ୍ଷବେଷ୍ଟିତ ଗୋଟାଏ ଦ୍ଵୀପ । ମଝିରେ ଗୋଟାଏ ପାହାଡ଼ ବି ଦିଶୁଚି । ସେତେବେଳେ ସେମାନେ ଯେଉଁଠାରେ ଥିଲେ ସେଟାକୁ ସେ ସ୍ଥାନଟାର ଦୂରତା ପ୍ରାୟ ପାଞ୍ଚ ମାଇଲ ହେବ । ଏଇ ରତ୍ନଦ୍ଵୀପ କେତେ ବିଭୀଷିକା ସୃଷ୍ଟି କରିଛି; ୟା’ରି ପାଇଁ କେତେ ରକ୍ତପାତ ପ୍ରାଣପାତ ହୋଇଗଲାଣି । ତଥାପି ତା’ର ରହସ୍ୟର ଉଦ୍‍ଘାଟନ ହୋଇପାରିନାହିଁ । ଆଜି ସେହି ରହସ୍ୟାବୃତ ଦ୍ୱୀପକୁ ଆଖିଆଗରେ ଦେଖି ସମସ୍ତେ ଆନନ୍ଦ, ବିସ୍ମୟ, ଭୟରେ ଅଭିଭୂତ ହୋଇପଡ଼ିଲେ । ସମସ୍ତଙ୍କର ହୃତ୍‍ପିଣ୍ଡର ସ୍ପନ୍ଦନ ବଢ଼ିଗଲା ବହୁଗୁଣରେ ।

 

ରତ୍ନଦ୍ଵୀପ କ୍ରମେ ପାଖେଇ ଆସୁଥିଲା । ଏଣିକି ଆଉ ଦୂରବୀଣର ସାହାଯ୍ୟ ନେବା ଦରକାର ପଡ଼ିଲା ନାହିଁ । ସମସ୍ତେ ଡ଼େକ୍ ଉପରେ ଠିଆହୋଇ ଲକ୍ଷ୍ୟ କରୁଥିଲେ, ଅଙ୍ଗଦ ସିଂର ଲଞ୍ଚ୍‍ଗୁଡ଼ାକ ଅଛି କେଉଁଠି । ପୋଲିସ୍‍ବାହିନୀ ନିଜ ନିଜର ଅସ୍ତ୍ରଶସ୍ତ୍ର ସହ ସୁସଜ୍ଜିତ ହୋଇ ରହିଥିଲେ । କମାଣଗୁଡ଼ିକରେ ଗୋଳା ଭର୍ତ୍ତିକରି ସେଗୁଡ଼ିକ ପ୍ରସ୍ତୁତ କରି ରଖିଦିଆଗଲା । ଅଙ୍ଗଦ ସିଂ ସଦଳବଳ ଯେ ଆସି ରତ୍ନଦ୍ଵୀପରେ ପହଞ୍ଚିଯାଇଥିବ ଏଥିରେ ଆଉ କିଛି ସନ୍ଦେହ ନଥିଲା । କାରଣ ଯେଉଁ ନକ୍‍ସାର ନକଲକୁ ଅନୁସରଣ କରି ସେମାନେ ଆସିଛନ୍ତି, ସେହି ନକ୍‍ସା ନିର୍ଦ୍ଦେଶକୁ ସେ ମଧ୍ୟ ଅନୁସରଣ କରିଛି; ବରଂ ଆଗରୁ ସେ ଯାତ୍ରା କରିଛି । ତେଣୁ ଆଗେ ପହଞ୍ଚିବା ସମ୍ଭବ । ସେ ଯଦି ଏମାନଙ୍କର ସୁରାକ କୌଣସି ପ୍ରକାରେ ପାଇଥିବ, ତେବେ ରତ୍ନଦ୍ଵୀପ ଉପକୂଳରେ ପ୍ରସ୍ତୁତ ରହି ଆକ୍ରମଣ କରିପାରେ । ତେବେ ତ ସର୍ବନାଶ । ତା’ର ଆକ୍ରମଣର ପ୍ରତିଆକ୍ରମଣ ପାଇଁ ରୀତିମତ ପ୍ରସ୍ତୁତି ନ ରହିଲେ ତେଣିକି ଅସୁବିଧାର ସମ୍ମୁଖୀନ ହେବା କଥା ।

 

ଆଉ ମାଇଲିଏ । ଗଛପତ୍ରଗୁଡ଼ା ପରିଷ୍କାର ଦିଶୁଚି, ତା’ ସାଙ୍ଗରେ ପାଖାପାଖି ଦୁଇଟା ପାହାଡ଼ ବି । କିନ୍ତୁ କୂଳ ନିକଟରେ ଗୋଟିଏ ହେଲେ ଲଞ୍ଚ୍‍ କି ବୋଟ୍ ଦେଖାଯାଉନି । ସମସ୍ତଙ୍କ ମନରେ ବିସ୍ମୟର ପ୍ରଶ୍ନ, ତେବେ ଅଙ୍ଗଦ ସିଂ କ’ଣ ଏ ପର୍ଯ୍ୟନ୍ତ ପହଞ୍ଚିପାରିନି, ନା, ବିପରୀତ ଦିଗରେ ଓହ୍ଲାଇଛି ? ଆଚ୍ଛା, ଦେଖାଯାଉ ।

 

ହଠାତ୍ ଘଡ଼ଘଡ଼ିର ପ୍ରଚଣ୍ଡ ଗର୍ଜନରେ ସମସ୍ତେ ଚମକି ପଡ଼ିଲେ । ମେଘ ଯେ ଆକାଶଟାକୁ ଘୋଡ଼ାଇଦେଇ ଅଜାଡ଼ିହୋଇ ପଡ଼ିବାର ଉପକ୍ରମ କଲାଣି, ସେଦିଗକୁ ଲକ୍ଷ୍ୟ ନାହିଁ କାହାରି । ପ୍ରଦୀପବାବୁ ଚିତ୍କାର କରି ସମସ୍ତଙ୍କୁ ଶୁଣାଇ କହିଲେ, ‘‘ଝଡ଼ର ନିଶ୍ଚିତ ସମ୍ଭାବନା । ତା’ ପୂର୍ବରୁ କୂଳରେ ପହଞ୍ଚିଯିବା ଦରକାର ।”

 

ହଠାତ୍ ସମୁଦ୍ରର ସ୍ଥିର ନୀଳ ଜଳରାଶି ଉତ୍ତାଳ ହୋଇଉଠିଲା । ଗଛ ଉଚ୍ଚର ପ୍ରକାଣ୍ଡ ପ୍ରକାଣ୍ଡ ଢେଉଗୁଡ଼ା ଇତସ୍ତତଃ ମାଡ଼ିଚାଲିଲା । ଲଞ୍ଚ୍‍କୁ ଆୟତ୍ତରେ ରଖିବା ବଡ଼ କଠିନ ହୋଇଉଠିଲା ସେତେବେଳେ । କୂଳ ଆଉ ମାତ୍ର ହଜାରେ ଗଜ ଭିତରେ । ରତ୍ନଦ୍ଵୀପର ଗଛଗୁଡ଼ା ଝଡ଼ ପ୍ରକୋପରେ ଅଜାଡ଼ି ହୋଇପଡ଼ୁଥାନ୍ତି । ପ୍ରକାଣ୍ଡ ପ୍ରକାଣ୍ଡ ଲହଡ଼ିଗୁଡ଼ା ମାଡ଼ିଯାଉଥାଏ ଦ୍ୱୀପ ଉପରେ କୂଳର ଗଛଲତା ବୁଡ଼ାଇଦେଇ । ପ୍ରଦୀପବାବୁ ଦେଖିଲେ, ଏପରି ସମୟରେ କୂଳରେ ମଧ୍ୟ ଲଞ୍ଚ୍‍ ନଙ୍ଗର କରିବା ବିପଦଜନକ । କାରଣ ଲହଡ଼ି କେତେବେଳେ ଲଞ୍ଚ୍‍କୁ ନେଇ ଯେ କୂଳରେ ପିଟି ଖଣ୍ଡ ଖଣ୍ଡ କରିଦେବ ତା’ର ଠିକଣା ନାହିଁ । ସମୁଦ୍ର ଯାତ୍ରାରେ ଏଇ ସାମୁଦ୍ରିକ ଝଡ଼ ହେଉଛି ଏକମାତ୍ର ପ୍ରାକୃତିକ ବିପଦ । ଏହା ହୁଏତ ଅଳ୍ପ ବା ଦୀର୍ଘକାଳ ସ୍ଥାୟୀ ହୋଇପାରେ । ଏଣେ ଅନ୍ଧକାର ମାଡ଼ିଆସୁଚି; କୂଳ ବି ଲକ୍ଷ୍ୟକରି ହେଉନାହିଁ ଭଲଭାବରେ ।

 

କ୍ରମେ ଅନ୍ଧକାର ଆହୁରି ଘନୀଭୂତ ହୋଇଆସିଲ। । ରତ୍ନଦ୍ଵୀପଠାରୁ ମାତ୍ର କେତେଶହ ଗଜ ବ୍ୟବଧାନରେ ବିପଦଗ୍ରସ୍ତ ହୋଇ ସତୃଷ୍ଣ ଦୃଷ୍ଟିରେ ଚାହିଁଥିଲେ ପୋଲିସବାହିନୀ । ବହୁ ଆୟ।ସରେ ଲଞ୍ଚ୍‍ଗୁଡ଼ିକୁ ଆୟତ୍ତ କରିବାକୁ ହେଉଥାଏ । ବଞ୍ଚିବାର ଆଶା କେବଳ ଏତିକି ଥାଏ ଯେ, ଛଅ ଖଣ୍ଡିଯାକ ଲଞ୍ଚ୍‍କୁ ଖୁବ୍ ମୋଟା, ଶକ୍ତ ଲୁହାଜଞ୍ଜିର ସାହାଯ୍ୟରେ ପରସ୍ପର ସହିତ ସଂଯୁକ୍ତ କରିଦିଆଯାଇଥାଏ । ତେଣୁ ଗୋଟାଏ ଗୋଟାଏ କରି ଲଞ୍ଚ୍‍ କେଉଁଆଡ଼େ ଭାସିଯିବାର ଭୟ ନଥାଏ-

 

ହଠାତ୍ ପ୍ରଳୟ ଗର୍ଜନ କରି ତାଳଗଛ ଉଚ୍ଚର ଗୋଟାଏ ଢେଉ ମାଡ଼ିଆସିଲା ସମୁଦ୍ର ଭିତରୁ କୂଳଆଡ଼କୁ । ତା’ରି କବଳରେ ପଡ଼ି ସବୁଗୁଡ଼ାକ ଲଞ୍ଚ୍‍ ଉଠିଗଲା ଉପରକୁ । ଆରୋହୀଗଣ ପ୍ରମାଦ ଗଣିଲେ । ପରମୁହୂର୍ତ୍ତରେ ପ୍ରକାଣ୍ଡ ଢେଉଟା ମାଟି ଟେଳା ଭାଙ୍ଗିଲାପରି ଭାଙ୍ଗି ମିଳାଇଗଲା କୂଳରେ । ଲଞ୍ଚ୍‍ କେତେଖଣ୍ଡ ସେତିକିରେ ଏତେ ଜୋରରେ କଚି ହୋଇଗଲାଯେ, ଏକବାରେ ଛିନ୍ନବିଚ୍ଛିନ୍ନ ହୋଇଗଲା ତା’ର ସଂଯୋଗ ଜଞ୍ଜିର । ତା’ ଭିତରେ ଥିବା ଆରୋହୀଗଣଙ୍କ ଅବସ୍ଥା ଆହୁରି ଶୋଚନୀୟ । ଏ ପ୍ରଚଣ୍ଡ ଆଘାତରେ ଗୋଟିଗୋଟି ହୋଇ ତଳେ ବା ପରସ୍ପର ମଧ୍ୟରେ ବାଡ଼େଇ ହୋଇ ଆହତ ହୋଇପଡ଼ିଲେ । ନିଜକୁ ସଂଜତ କରୁ କରୁ ଆଉ ଗୋଟାଏ ପ୍ରଚଣ୍ଡ ଢେଉ ଠେଲିନେଇ ଲଞ୍ଚ୍‍ଗୁଡ଼ାକୁ ଇତସ୍ତତଃ କରିପକାଇଲା । ତା’ପରେ ପରେ ମାଡ଼ିଆସିଲା ଢେଉପରେ ଢେଉ । ତା’ ସାଙ୍ଗକୁ ଘନ ଅନ୍ଧକାର । ଜଳ, ସ୍ଥଳ, ଆକାଶ ସବୁ ଏକାକାର ଦିଶୁଚି । ଲଞ୍ଚ୍‍ଗୁଡ଼ା କିଏ କେଉଁଦିଗରେ ଗଲା ତା’ର ପତ୍ତା ମିଳିଲା ନାହିଁ ଅନ୍ଧକାରରେ ।

 

ମେଘ, ଝଡ଼, ଘଡ଼ଘଡ଼ି, ବିଜୁଳିର ପ୍ରଳୟ ତାଣ୍ଡବ ଚାଲିଲା ମଧ୍ୟରାତ୍ରି ପର୍ଯ୍ୟନ୍ତ ସମୁଦ୍ର ଆଉ ରତ୍ନଦ୍ଵୀପରେ । ସେହି ଝଡ଼ ଯେପରି ରତ୍ନଦ୍ଵୀପରେ ଆଗତ ଝଞ୍ଜାର ସୂଚନା ଦେଉଥିଲା ।

 

ବିଚ୍ଛିନ୍ନ ପୋଲିସବାହିନୀ କିଏ କେଉଁଠି ରହିଲେ, ତାହା ଜାଣିବାର ଉପାୟ ରହିଲା ନାହିଁ କାହାରି ।

 

(ଦଶ)

 

ରତ୍ନଦ୍ଵୀପ ଉପକୂଳରେ କିଚିରି ମିଚିରି ଶବ୍ଦ କରି ରାବି ଉଠିଲେ ଚଢ଼େଇଗୁଡ଼ା । ସକାଳ ହେବାର ସୂଚନା । ବିଗତ ରାତ୍ରିର ପ୍ରଳୟଙ୍କରୀ ଝଡ଼ତୋଫାନ ଶାନ୍ତ ହୋଇଯାଇଛି । କିନ୍ତୁ ତା’ର ଚିହ୍ନ ରହିଛି ଏପର୍ଯ୍ୟନ୍ତ । ବଡ଼ ବଡ଼ ଗଛ କେତେଗୁଡ଼ାଏ ଭାଙ୍ଗି ଶୋଇପଡ଼ିଛି ସମୁଦ୍ର ଭିତରକୁ । ସାନବଡ଼ ଡାଳ କେତେଯେ ଭାଙ୍ଗି ଇତସ୍ତତଃ ହୋଇପଡ଼ିଛି ତା’ର ଇୟତ୍ତା ନ।ହିଁ । ସମୁଦ୍ର ବର୍ତ୍ତମାନ ସମ୍ପୂର୍ଣ୍ଣ ଶାନ୍ତ ।

 

ଆସ୍ତେ ଆସ୍ତେ ସୂର୍ଯ୍ୟ ଉଦୟ ହେଲେ ପୂର୍ବଦିଗ ବଳୟରେଖା ତଳୁ । ସୁନେଲି କିରଣ ବିଞ୍ଛିହୋଇପଡ଼ିଲା ସମୁଦ୍ର ଉପରେ ।

 

ଗୋଟାଏ ପ୍ରକାଣ୍ଡ ପଥର ଉହାଡ଼ରୁ ଆସ୍ତେ ଆସ୍ତେ ମୁଣ୍ଡ ଟେକି ଉଠିଲା ତାରଜନ୍‍ । ବର୍ଷାରେ ଦେହ ସମ୍ପୂର୍ଣ୍ଣ ଓଦା । କିନ୍ତୁ ଦେହର କିଛି କ୍ଷତି ହୋଇନି । ଉଠିବା ସଙ୍ଗେ ସଙ୍ଗେ ପୋଷାକପତ୍ରଗୁଡ଼ା ଖୋଲି ଦେହଟାକୁ ଥରେ ପୋଛିଦେଲା । ତା’ପରେ ଏଣିକି ତେଣିକି ଚାହିଁଲା କିଛି ସମୟ । କେହି ଜଣେ ହେଲେ ଦୃଷ୍ଟିସୀମା ଭିତରେ ନାହାନ୍ତି । କିପରି ଗୋଟାଏ ଅବୋଧ୍ୟ ଚିତ୍କାରରେ ସେ ଉପକୂଳଟାକୁ କମ୍ପାଇଦେଲା କେତେଥର । ଠିକ୍ ତା’ପରେ ପରେ ପାଖରେ ଗଛବୁଦା ଆଡ଼େଇ କେହି ଧପ୍ ଧପ୍ କରି ଚାଲିଆସିବାର ଶବ୍ଦ ଶୁଣାଗଲା । ତା’ପର ମୁହୂର୍ତ୍ତରେ ପାଖରେ ଆସି ଠିଆହେଲା ସୁଲ୍‍ତାନ୍ । ଉଭୟେ ଉଭୟଙ୍କୁ ଦେଖି ଆନନ୍ଦରେ କୋଳ।କୋଳି ହୋଇପଡ଼ିଲେ ଟିକିଏ ।

 

ତାରଜନ୍‍ର ଏଥର ଆଉ ଭୟ ନଥିଲା । ସେ ନିରସ୍ତ୍ର, କିନ୍ତୁ ନିଃସହାୟ ନୁହେଁ । ଏକା ସୁଲତାନ୍‍ ହିଁ ତା’ର ସବୁ । ମନ କଲେ ସାରା ରତ୍ନଦ୍ଵୀପଟା ସେ ତା’ର ପରାକ୍ରମବଳରେ ଅଧିକାର କରିନେଇପାରେ । ସୁଲତାନ୍‍ ସେତେବେଳକୁ ଚତୁର୍ଦ୍ଦିଗ ନିରୀକ୍ଷଣ କରିବାରେ ବ୍ୟସ୍ତ ।

 

ହଠାତ୍ ଚିର୍‍ଚିରା ଶବ୍ଦକରି ଗୋଟିଏ ବୁଦା ଉହାଡ଼ରୁ ତାରଜନ୍‍ର ଛୁରୀଟା ଗୋଟାଇ ଆଣିଲା । ତାରଜନ୍‍ ସେଖଣ୍ଡି ହାତରେ ନେଇ ଦେଖିଲା । ଗତ ରାତିରେ କିପରି ଅଣ୍ଟା ବେଲଟରୁ ଫିଟିଯାଇ ପଡ଼ିଛି ସେଠି । ଏଇ ଛୁରୀ ଖଣ୍ଡି ତା’ର ଅତି ପ୍ରିୟ ଏବଂ ବହୁଦିନର ସାଥି । ନିର୍ଜନ ଜଙ୍ଗଲରେ ହିଂସ୍ରଜନ୍ତୁଙ୍କ ମେଳରେ ସେ ଯେତେବେଳେ ଦିନ କଟାଉଥିଲା, ସେତେବେଳେ ଏଇ ଛୁରୀ ଖଣ୍ଡିକ ହିଁ ଥିଲା ତା’ର ଆତ୍ମରକ୍ଷାର ଏକମାତ୍ର ସମ୍ବଳ । କେତେ ହିଂସ୍ରଜନ୍ତୁଙ୍କ ରକ୍ତରେ ଯେ ଧୋଇହୋଇଛି ଏ ଖଣ୍ଡିକ ତା’ର ସୀମା ନାହିଁ । ଏବେ ମଧ୍ୟ ଧାର ଅତୁଟ ରହିଛି ତା’ର । ସେ ଖଣ୍ଡି ପାଇଁ ତାରଜନ୍‍ ମନରେ ସାହସ ବଢ଼ିଗଲା ଅନେକ ପରିମାଣରେ । ଖୁବ୍ ଯତ୍ନର ସହିତ କମରପଟିରେ ସଜାଡ଼ି ବାନ୍ଧିଲା ସେ ଖଣ୍ଡିକୁ ।

 

ଏଥର ସାଥିମାନଙ୍କୁ ଖୋଜିବା କଥା । ଖରା ବିଛାଡ଼ି ହୋଇପଡ଼ିଲାଣି । ଉଷୁମ୍‍ ଖରା ଲାଗି ଦେହ ଫୁର୍ତ୍ତି ହୋଇଆସୁଛି କ୍ରମେ । ସମୁଦ୍ର କୂଳେ କୂଳେ ସୁଲତାନ୍‍କୁ ସାଥିରେ ଧରି ଚାଲିଲା ସେ ଆଗକୁ । ଖଣ୍ଡେଦୂରରେ ପ୍ରଦୀପବାବୁ, ବିଜୟବାବୁ, ଆଉ ରୂପନାରାୟଣବାବୁ ତିନିଜଣଯାକ ସାଙ୍ଗହୋଇ ଆସୁଛନ୍ତି । ହୁଏତ ସକାଳ ହେବାକ୍ଷଣି ସେମାନେ ପରସ୍ପର ଖୋଜାଖୋଜି ହୋଇ ଦେଖାଦେଖି ହୋଇଛନ୍ତି । ତାର୍‍ଜନକୁ ଦେଖି ଆନନ୍ଦର ସୀମା ରହିଲା ନାହିଁ ସେମାନଙ୍କର ।

 

ପ୍ରଦୀପବାବୁ ଆନନ୍ଦରେ ଅଧୀର ହୋଇ କହିଲେ, ‘‘ଆମେ ଜଣକୁ ଚାରିଜଣ ଯେତେବେଳେ ଏକାଠି ହୋଇପାରିଲେଣି, ସେତେବେଳେ ସମସ୍ତେ ନିଶ୍ଚୟ ମିଳିତ ହେବା ବୋଲି ମୁଁ ଭାବୁଛି ।”

 

‘‘ଭଗବାନ ତାହାହିଁ କରନ୍ତୁ”...ରୂପନାରାୟଣବାବୁ କଥାର ଅବଶିଷ୍ଟାଂସ ପୂରଣ କଲେ ।

 

ବିଜୟବାବୁ ଟାଇଗର୍ ଉଦ୍ଦେଶ୍ୟରେ ଏଣେତେଣେ ଆଖି ବୁଲାଉଥିଲେ । ଶେଷପର୍ଯ୍ୟନ୍ତ ତାଙ୍କରି ପାଖରେ ଥିଲା । ହୁଏତ ଜଙ୍ଗଲ ଭିତରକୁ ଚାଲିଯାଇଥିବ । ଅବଶ୍ୟ ସେ ଫେରିବ, ଏପରି ଆଶା ଥିଲା ତାଙ୍କ ମନରେ ।

 

ପ୍ରକୃତରେ ପୋଲିସବାହିନୀ ପରସ୍ପର ବିଚ୍ଛିନ୍ନ ହୋଇଯାଇଥିଲେ ସୁଦ୍ଧା ସେମାନଙ୍କର କାହାରି କିଛି ବିଶେଷ କ୍ଷତି ଘଟିନଥିଲା । ଲଞ୍ଚ୍‍ କେତେଖଣ୍ଡି ମଧ୍ୟ ଖଣ୍ଡେ ଦୂରରେ କୂଳକୁ ଆଉଜି ଯାଇଥିଲା । ସେ ସବୁରେ ଚାଳକ ଆଉ କେତେଜଣ ସିପାହୀ ମଧ୍ୟ ଥିଲେ । ପ୍ରତ୍ୟେକ ଜିନିଷ ଅକ୍ଷତ ଅବସ୍ଥାରେ ଥିଲା । ଖାଲି ପ୍ରଚଣ୍ଡ ଝଡ଼ ଆଘାତରେ ଇତସ୍ତତଃ ଦୋହଲିବା ଫଳରେ ଅଳ୍ପ କେତେଟା ଜିନିଷ ଭାଙ୍ଗିଯାଇଥିଲା । ପ୍ରାୟ ଦୁଇଘଣ୍ଟା ଖୋଜାଖୋଜି ପରେ ସମସ୍ତେ ଏକତ୍ରିତ ହୋଇଗଲେ । ସେତେବେଳେ ଯେଉଁ ଆନନ୍ଦ ତାହା କଥାରେ ପ୍ରକାଶ କରିବାର ନୁହେଁ ।

 

ସାମାନ୍ୟ ପରିଶ୍ରମ ପରେ ପ୍ରାତଃଭୋଜନ ଶେଷହେଲା । ଲଞ୍ଚ୍‍ରେ ସମସ୍ତ ଜିନିଷ ଅଣାଯାଇଥିଲା । ତା’ପରେ ମିଷ୍ଟର ବ୍ରାଉନଙ୍କ ପ୍ରସ୍ତାବ ଅନୁସାରେ ଲଞ୍ଚ୍‍ଗୁଡ଼ିକୁ ଦୃଢ଼ଭାବରେ ବାନ୍ଧିଦିଆଗଲା ଗୋଟାଏ ଗଛ ସହିତ । ତା’ପରେ କେତେଜଣ ପୋଲିସଙ୍କୁ ସେଠାରେ ଜଗୁଆଳି ନିଯୁକ୍ତ କରି ଅନ୍ୟମାଙ୍କୁକୁ ତିନିଦଳରେ ବିଭକ୍ତ କରିଦିଆଗଲା । ପ୍ରତ୍ୟେକ ଦଳ ସହିତ ଗୋଟିଏ ଓୟାରଲେସ୍ ଏବଂ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ରହିଲା । ତିନିଦିଗରୁ ତିନିଟି ଦଳ ପାହାଡ଼ ଶିଖା ଲକ୍ଷ୍ୟକରି ଯାତ୍ରା ଆରମ୍ଭ କଲେ ।

 

ଉପକୂଳଠାରୁ ଅଳ୍ପଦୂର ଅଭ୍ୟନ୍ତର ପର୍ଯ୍ୟନ୍ତ ଜଙ୍ଗଲ ଖୁବ୍ ପତଳା ଜଣାପଡ଼ୁଥିଲା । ମାତ୍ର କ୍ରମେ ଭିତରକୁ ତାହା ଏତେ ଘଞ୍ଚ ହୋଇଉଠିଲା ଯେ ଭଲଭାବରେ ପରୀକ୍ଷା ନକରି ପାଦେସୁଦ୍ଧା ଆଗେଇବାକୁ ବିଳମ୍ବ ଲାଗିଲା ସେମାନଙ୍କୁ । ଥରେ ଦୁଇଥର ମହାବଳର ଗର୍ଜନ ମଧ୍ୟ ଭିତିସଞ୍ଚାର କରାଇଦେଲା । ପ୍ରତ୍ୟେକେ ନିଜ ନିଜର ରାଇଫଲ ଲୋଡ଼୍‍କରି ଆଗଉଥାନ୍ତି ଖୁବ୍ ସତର୍କତାର ସହିତ । ମଝିରେ ମଝିରେ ଅନ୍ୟଦଳ ସହିତ ଯୋଗାଯୋଗ ସ୍ଥାପନ କରି ଓୟାରଲେସ୍‍ରେ କଥାବାର୍ତ୍ତା ମଧ୍ୟ କରୁଥାନ୍ତି ।

 

ପ୍ରଦୀପବାବୁ ଯେଉଁଦଳର ଅଧିନାୟକତ୍ଵ ନେଇଥିଲେ ସେହି ଦଳରେ ତାରଜନ୍‍ ଆଉ ସୁଲତାନ୍‍ ଥିଲେ । ତାରଜନ୍‍ ଥିଲା ଜଙ୍ଗଲ ଅତିକ୍ରମ କରିବାରେ ଶ୍ଵାପଦ ସଦୃଶ । ଅନ୍ୟମାନଙ୍କ ପରି ଧୀର ମନ୍ଥର ଗତି ଆଦୌ ଭଲ ଲାଗୁନଥିଲା ତାକୁ । ଗୋଟାଏ ଦୀର୍ଘକାଳର ବ୍ୟବଧାନ ପରେ ସେ ଆଜି ଜଙ୍ଗଲ ପାହାଡ଼ ଭିତରେ ପାଦ ଦେଇଛି । ଆବାଲ୍ୟ ସେ ଏଇଥିରେହିଁ ବଢ଼ିଆସିଛି । ତେଣୁ ପରାଧୀନତାରେ ବାନ୍ଧିହୋଇ ରହିବାକୁ ମନ ତା’ର ଛଟପଟ କରିଉଠିଲା । ଏଇ ଜଙ୍ଗଲପାହାଡ଼ ଭିତରେ ନାଚି କୁଦି ଖେଳି ବୁଲିବା ପାଇଁ ମନ ତା’ର ଅଥୟ ହୋଇଉଠିଲା । ଖାଲି ତା’ର ନୁହେଁ, ସୁଲତାନ୍‍ର ମଧ୍ୟ । ସେ ଖାଲି ସୁଯୋଗ ଖୋଜୁଥିଲେ । କୌଣସି ପ୍ରକାରେ ସେ ଖଣ୍ଡେଦୂର ଆଗେଇ ଯାଇ ଜଙ୍ଗଲ ଉହାଡ଼ରେ ଏମାନଙ୍କ ଆଖିର ଅନ୍ତରାଳକୁ ଚାଲିଗଲେ । ଅନ୍ୟମାନେ ନିଜ ନିଜର ରାସ୍ତା ନିରାପତ୍ତା ପ୍ରତି ସଜାଗ ଥିଲେ । ତେଣୁ ତାରଜନ୍‍ ଆଉ ସୁଲତାନର ଆତ୍ମଗୋପନ ପ୍ରତି କେହି ଲକ୍ଷ୍ୟ ରଖିପାରିଲେ ନାହିଁ ।

 

ତାରଜନ୍‍ ସୁଲତାନ୍‍ ପିଠିରେ ଲଟକିପଡ଼ିବା ମାତ୍ରେ ସୁଲତାନ୍‍ ଅଦୃଶ୍ୟ ହୋଇଗଲା ଜଙ୍ଗଲ ଭିତରେ । ଏତେଦିନପରେ ଦୁହେଁ ନୂତନ ଜୀବନର ସନ୍ଧାନ ପାଇଲେ ଯେପରି । ତାରଜନ୍‍ ଆବାଲ୍ୟ ଅରଣ୍ୟପାଳିତ । ଏଇ କେତେଦିନ ହେବ ଉଦିତପୁର ରାଜଅତିଥି ହିସାବରେ ରହି ସେ ସଭ୍ୟଶିକ୍ଷିତ ହୋଇଛି ସତ; କିନ୍ତୁ ନିଜକୁ ଅସହାୟ ମନେକରିଛି ସବୁବେଳେ । ଆଉ ସୁଲତାନ୍‍ କଥା ତ ଛାଡ଼, ସେ ତ ଜଙ୍ଗଲବାସୀ ।

 

ଦସ୍ୟୁ ଅଙ୍ଗଦ ସିଂ ଯଥାସମୟରେ ନିର୍ବିଘ୍ନରେ ଆସି ପହଞ୍ଚିପାରିଥିଲା ରତ୍ନଦ୍ଵୀପର ଉପକୂଳରେ । ପୋଲିସବାହିନୀ ଯେଉଁ ଝଡ଼ଝଞ୍ଜାର ସମ୍ମୁଖୀନ ହୋଇଥିଲେ, ଅଙ୍ଗଦ ସିଂ ସେହି ସମୟକୁ ରତ୍ନଦ୍ଵୀପ ଅରଣ୍ୟ ଭିତରେ ପହଞ୍ଚିଯାଇଥିଲା । କିନ୍ତୁ ତା’ର ଲଞ୍ଚ୍‍ ତିନିଖଣ୍ଡ ଥିଲା କୂଳରେ । ତୋଫାନ୍‍ ଫଳରେ ସେ ତିନିଖଣ୍ଡ ସମୁଦ୍ରର ଅତଳଗର୍ଭରେ ଲୀନ ହୋଇଯାଇଥିଲା । ଅଙ୍ଗଦ କୌଣସି ପ୍ରକାର ଆଶୁ ବିପଦର ଆଶଙ୍କା କରିନଥିଲା । ତେଣୁ ନିରାପତ୍ତା ଦିଗରେ ଯେତେ ବ୍ୟବସ୍ଥା କରିବା ଆବଶ୍ୟକ ଥିଲା, ତାହା ସେ କରିନଥିଲା ।

 

ପ୍ରବଳ ଝଡ଼ବର୍ଷା ଏତେ ଆକସ୍ମିକଭାବେ ଆରମ୍ଭ ହୋଇଗଲା ଯେ, ଅଙ୍ଗଦ ନିଜକୁ ନିରପଦରେ ରଖିବାପାଇଁ କୌଣସି ପ୍ରକାର ଉପାୟ କରିପାରିଲା ନାହିଁ । ଫଳରେ ସଦଳବଳେ ସମୁଦାୟ ଝଡ଼ବର୍ଷାଟା ଭୋଗ କରିବାକୁ ହେଲା ତାକୁ । ବର୍ଷାରେ ଗୁଳିଗୋଲାଗୁଡ଼ିକ ଆଂଶିକ ଅକାମି ହୋଇପଡ଼ିଥିଲା । ସାରାଦଳଟା ଝଡ଼ବର୍ଷମାଡ଼ରେ ଛିନ୍‍ଛତ୍ର ହୋଇପଡ଼ିଥିଲେ ଜଙ୍ଗଲ ଭିତରେ ।

 

ସକାଳ ହେଲାପରେ ଅଙ୍ଗଦ ସିଂ ପକ୍ଷରେ ଦଳଟାକୁ ପୁଣି ଏକତ୍ରିତ କରିବା ସମୟସାପେକ୍ଷ ବ୍ୟାପାର ହୋଇପଡ଼ିଲା । ଯାହାହେଉ, ଅତିକଷ୍ଟରେ ସେତକ ସେ କରିପାରିଥିଲା-। ଖାଦ୍ୟ ସାମଗ୍ରୀ ଯାହା କିଛି ତା’ର ଥିଲା, ସେତକ ଲଞ୍ଚ୍‍ ସହିତ ସଲିଳ ସମାଧି ହୋଇଯାଇଥିଲା-। ଗୁଳିଗୋଳା, ଅସ୍ତ୍ରସସ୍ତ୍ରର ଅବସ୍ଥା ମଧ୍ୟ ଠିକ୍ ସେୟା । ଯେତକ ପାଖରେ ଥିଲା, ସେତକରୁ ବହୁତ ଅକାମୀ ହୋଇଯାଇଥିଲା । ଅଳ୍ପକିଛି କାର୍ଯ୍ୟକାରୀ ଅବସ୍ଥାରେ ଥିଲା । ତେବେ ସେ ଯାହାହେଉନା କାହିଁକି, ଅଙ୍ଗଦର ଲକ୍ଷ୍ୟ ଥିଲା ରତ୍ନଦ୍ଵୀପର ଗନ୍ତାଘର ଉପରେ । ଧନର ଲୋଭ ତାକୁ ଅନ୍ଧ କରିପକାଇଥିଲା । ଯାହା କିଛି ଜିନିଷପତ୍ର, ଅସ୍ତ୍ରଶସ୍ତ୍ର ହାତରେ ଥିଲା, ସେ ସବୁକୁ ନେଇ ପାହାଡ଼ ଉପରକୁ ଚଢ଼ିବା ପାଇଁ ଆପଣାର ଦଳଲୋକଙ୍କୁ ସେ ହୁକୁମ୍‍ ଦେଇଦେଲା ।

 

ଅସ୍ତ୍ରଶସ୍ତ୍ର ଭିତରେ ଥିଲା ଦୁଇଟା ଛୋଟ କମାଣ । ଛୋଟ କହିଲେ, ଅନ୍ତତଃ ଦଶଜଣ ବଳବାନଲୋକ ତାକୁ ଟେକିଲା ଭଳି ଓଜନଦାର ଜିନିଷ ସେଟା । ସେଇଟିକୁ ବହନ କରି ପାହଡ଼ର ଶିଖଉପରକୁ ନେବା ବଡ଼ କଠିନ ବ୍ୟାପାର । ଅଙ୍ଗଦର ଇଚ୍ଛା, ସେଇ କମାଣ ଦୁଇଟାକୁ ଶିଖ ଉପରେ ଖଞ୍ଜିରଖିଲେ ଭବିଷ୍ୟତ ବିପଦ ପ୍ରତି ଭୟ ରହିବ ନାହିଁ । କାରଣ ସମୁଦ୍ରର ଖଣ୍ଡେଦୂର ପର୍ଯ୍ୟନ୍ତ ସେଠାରୁ ଗୋଳା ପକେଇହବ । ଖୁବ୍ ଶୀଘ୍ର ନ ହେଲେ କିଛି ବିଳମ୍ବରେ ସୁଦ୍ଧା ଅଙ୍ଗଦର ଆଶଙ୍କା ଥିଲା ଯେ, ନାବିକମାନେ ମୁକ୍ତି ପାଇଲେ ପୋଲିସ୍ ନିଶ୍ଚୟ ଅନୁସନ୍ଧାନରେ ଲାଗିପଡ଼ିବ ।

 

ଦୈବାତ୍‍ ଯଦି ରତ୍ନଦ୍ଵୀପ ସୀମା ଭିତରକୁ ପୋଲିସ୍ ଆସିଯାଆନ୍ତି ତେବେ ପାହାଡ଼ ଶିଖଉପରୁ କମାଣ ଦ୍ଵାରା ସେମାନଙ୍କର ଜାହାଜ, ଷ୍ଟିମର୍‍ ବା ଲଞ୍ଚ୍‍କୁ ଧ୍ଵଂସ କରିଦେଇହେବ । କିନ୍ତୁ ବିଧାତାର ବିଧାନ ବିଚିତ୍ର । ଶତ୍ରୁ ଯେ ଦ୍ଵାରଦେଶରେ,ଏକଥା ତାକୁ ଜଣାନାହିଁ ।

 

ସୁଲତାନର ପିଠିଉପରେ ବେଶ୍ ଆରମରେ ରହି ତାରଜନ୍‍ ପାହାଡ଼ର ସର୍ବୋଚ୍ଚ ଶିଖରରେ ଗୋଟାଏ ପ୍ରକାଣ୍ଡ ଶାଳଗଛ ମୂଳରେ ବସିଗଲା । ସୁଲତାନ୍‍ ଆଖପାଖରେ ବୁଲି ଫଳମୂଳ ଗୋଟାଇ ଖାଉଥାଏ । ପାହାଡ଼ର ଶୀର୍ଷଦେଶରୁ ରତ୍ନଦ୍ଵୀପ ଉପକୂଳ ପର୍ଯ୍ୟନ୍ତ ଦୃଷ୍ଟି ଅତି ଚତ୍ମକାର ଦେଖାଯାଉଥାଏ । ବେଶ୍ ପ୍ରଶସ୍ତ ଦ୍ଵୀପ । ପାହାଡ଼ର ଗୋଟାଏ କାନ୍ଥି ସମୁଦ୍ରକୂଳଠାରୁ ଉଠିଆସିଛି ପାହାଡ଼ ଶିଖ ପର୍ଯ୍ୟନ୍ତ । ଖୁବ୍ ବଡ଼ବଡ଼ ଗଛ ନାହିଁ ସେଥିରେ । ଖାଲି ଛୋଟ ଛୋଟ ବୁଦା ଆଉ ବଡ଼ବଡ଼ ପଥର ଖଣ୍ଡ । ସମୁଦ୍ରକୂଳଠାରୁ ପାହାଡ଼ଉପରକୁ ଉଠିବାପାଇଁ ସେଇଟା ସବୁଠାରୁ ସହଜ, ସରଳ ଏବଂ ନିରାପଦ ରାସ୍ତା ବୋଲି ତାର୍‍ଜନର ଅନୁମାନ ହେଲା ।

 

ଜଙ୍ଗଲିଆ ଦ୍ୱୀପର ସ୍ଥାନେ ସ୍ଥାନେ ବିସ୍ତୀର୍ଣ୍ଣ ଘାସ ପଡ଼ିଆ । ତା’ଭିତରେ ଚରୁଥାନ୍ତି ଦଳଦଳ ହରିଣ, ମୃଗ, କୃଷ୍ଣସାର୍ । ମଝିରେ ମଝିରେ ମହାବଳର ହେଣ୍ଟ।ଳ ବି ଶୁଣାଯାଉଥାଏ ଗଭୀର ଜଙ୍ଗଲ ଭିତରୁ । ଏସବୁ ଦୃଶ୍ୟ ଉପଭୋଗ କରିବା ସଙ୍ଗେ ସଙ୍ଗେ ତାରଜନ୍‍ ର ଦୃଷ୍ଟି ଖୋଜି ବୁଲୁଥାଏ ଦସ୍ୟୁ ଅଙ୍ଗଦ ସିଂକୁ । ସେ ଯଦି ପ୍ରକୃତରେ ରତ୍ନଦ୍ଵୀପକୁ ରତ୍ନ ଗନ୍ତାଘର ସନ୍ଧାନରେ ଆସିଥାଏ, ତେବେ କାହିଁ ସେ ? ଏହି ପାହାଡ଼କୁ ତ ଆସିବାର କଥା । ପାହାଡ଼ଟା ଖୁବ୍ ବଡ଼ । ତା’ର କେଉଁ ଗହ୍ୱରରେ ଯେ ଅକଳନ୍ତା ସମ୍ପତି ଲୁଚି ରହିଚି କିଏ ଜ।ଣେ ? ଏଇ ବିଶାଳ ଅରଣ୍ୟମୟ ଦ୍ଵୀପ ଭିତରେ ପୋଲିସ୍ ବାହିନୀ ଯେ କିଏ କେଉଁଠି ରହିଲେ ତା କିଏ ଜାଣେ ?

 

ହଠାତ୍ ସୁଲତାନ୍‍ ଚିଂ ଚିଂ ଚିତ୍କାର କରି ଡେଇଁ ଡେଇଁ ବ୍ୟସ୍ତଭାବରେ ଆସି ପହଞ୍ଚିଲା ତାରଜନ୍‍ ପାଖରେ । ତାରଜନ୍‍ ସୁଲତାନ୍‍ର ଆଚରଣ ଜାଣେ । ସାଧାରଣତଃ ଖୁବ୍ ଆଗ୍ରହୀ ବା ଭୀତ ନ ହେଲେ ସୁଲତାନ୍‍ ଏପରି ଚିତ୍କାର କରେ ନାହିଁ । ପାହାଡ଼ର ଜନଶୂନ୍ୟ ଶିଖରରେ ସୁଲତାନ୍‍ କ’ଣ ଦେଖି ଏତେ ବ୍ୟସ୍ତ ହୋଇପଡ଼ିଛି ତାହା ଜାଣିବାପାଇଁ ତାର୍‍ଜନର ଉତ୍କଣ୍ଠା ବଢ଼ିଗଲା । ସୁଲତାନ୍‍ କନ କନ ହୋଇ ବ୍ୟସ୍ତଭାବରେ ଯେଉଁଆଡ଼କୁ ଚାହୁଁଥିଲା ତାରଜନ୍‍ ସେହିଆଡ଼କୁ ଚାହିଁ ଦେଖିଲା...ବଡ଼ ବିଚିତ୍ର ଏବଂ ଲୋମହର୍ଷକ ଦୃଶ୍ୟ ।

 

ପାହାଡ଼ର ଯେଉଁ ନାସୀଟା ସମୁଦ୍ରକୂଳକୁ ଲମ୍ବିଯାଇଥିଲା ଏବଂ ଯେଉଁଟାକି ସବୁଠାରୁ ସରଳ, ସହଜ ରାସ୍ତା ଶିଖର ଉପରକୁ, ସେଇ ରାସ୍ତାରେ ଦଶଦଶ ଜଣ କରି କୋଡ଼ିଏଜଣ ଲୋକ ଦୁଇଟା କମାଣକୁ କାନ୍ଧରେ ବୋହି ଆଣୁଛନ୍ତି । ସମସ୍ତେ ସଶସ୍ତ୍ର । ତାଙ୍କ ପାଖେପାଖେ ବି ଆଉ କେତେଜଣ ଚାଲିଛନ୍ତି । ପୋଷାକ ପରିଚ୍ଛଦରୁ ତାରଜନ୍‍ର ଆଉ ବୁଝିବାରେ କିଛି ବାକିରହିଲା ନ।ହିଁ ଯେ ସେ ଦସ୍ୟୁ ଅଙ୍ଗଦ ଦଳର ଲୋକ ବୋଲି । କମାଣ ଉପରକୁ ବୋହିଆଣିବାର ଉଦ୍ଦେଶ୍ୟ ମଧ୍ୟ ସେ ଭଲରୂପେ ବୁଝିପାରିଲା । ତେବେ ସେ ଯାହାଯେଉ, ଅଙ୍ଗଦକୁ ପୋଲିସ୍ ବାହିନୀର ଉପସ୍ଥିତି ଜଣାଇଦେବା ଉଚିତ୍‍ ମନେକରି କାନ୍ଧରୁ ରାଇଫଲ ବାହାରକାରି ଲୋଡ଼୍‍ କଲା । ଏପର୍ଯ୍ୟନ୍ତ କମାଣବାହୀ ଦସ୍ୟୁଦଳ ରେଞ୍ଜ ଭିତରକୁ ଆସିନାହାନ୍ତି । ଏଇ ଠିକ୍ ! ରେଞ୍ଜ୍‍ ଭିତରକୁ ଆସିଲାମାତ୍ରେ ତାର୍‍ଜନର ରାୟଫଲ୍‍ ଗର୍ଜିଉଠିଲା । ଅବ୍ୟର୍ଥ ଲକ୍ଷ୍ୟ । ଆଗଦଳରେ ଚାଲୁଥିବା ଆଗଧାଡ଼ିର ଲୋକର ଗୋଡ଼ବିଦ୍ଧ କଲା ବୁଲେଟ । ଗଛ କାଟିଲା ପରି ସେ ପଡ଼ିବା ସଙ୍ଗେ ସଙ୍ଗେ କମାଣ ବୋଝ ଭାରସାମ୍ୟ ହରାଇଲାଫଳରେ ଅନ୍ୟମାନେ ମଧ୍ୟ ତୀଖ ରାସ୍ତାରେ ଇତସ୍ତତଃ ହୋଇ ଦୁଲ୍‍ଦାଲ୍‍ କଚାଡ଼ିପଡ଼ିଲେ । କମାଣଟା ପଥର ଉପରେ ଛେଚି ହୋଇ ଗଡ଼ିଗଡ଼ି ତୀବ୍ରଭାବରେ ଚାଲିଲା ତଳକୁ । ତା’ସଙ୍ଗେ ସଙ୍ଗେ ପଛଦଳରେ ଆସୁଥିବା ଲୋକମାନଙ୍କୁ ମଧ୍ୟ ପ୍ରଚଣ୍ଡ ଆଘାତ କଲା । ଫଳରେ ସେ ଦଳଟାର ଅବସ୍ଥା ମଧ୍ୟ ପ୍ରଥମଦଳର ଅବସ୍ଥାପରି ହେଲା । ଦୁଇଟାଯାକ କମାଣ ପଥରରେ ପିଟିହୋଇ ପ୍ରଚଣ୍ଡ ଶବ୍ଦ କରି ତଳକୁ ତଳକୁ ଗଡ଼ିଚାଲିଲା । ତା’ ସଙ୍ଗେ ସଙ୍ଗେ କମାଣବାହୀ ଏବଂ ସେମାନଙ୍କ ଅନୁସରଣକାରୀମାନେ ଭୀଷଣ ଭାବରେ ଆଘାତପ୍ରାପ୍ତ ହେଲେ । କେତେଜଣ ଦସ୍ୟୁ ତୀଖ ପଥର ଉପରେ ଛେଚି ହୋଇ ଖଣ୍ଡେ ଦୂର ତଳକୁ ଗଡ଼ିଗଡ଼ି ଚାଲିଗଲେ ।

 

ଘଟଣାଟା ଏତେ ଅସମ୍ଭାବିତ ଆଉ ଶୀଘ୍ର ଘଟିଗଲା ଯେ ବର୍ଣ୍ଣନା କରିବା ପାଇଁ ଯେତେ ସମୟ ଆବଶ୍ୟକ, ଘଟିଯିବାକୁ ତାର ଦଶମାଂଶ ସମୟ ସୁଦ୍ଧା ଲାଗିଲା ନାହିଁ । ପଥରରେ ବାଡ଼େଇ ହୋଇ କମାଣଟା ପଡ଼ିବା ଏବଂ ଦସ୍ୟୁଗୁଡ଼ାଙ୍କ କୋଳାହଳରେ ଏତେ ଶବ୍ଦ ହେଲା ଯେ, ବନଭୂମି ଖଣ୍ଡେଦୂର ପର୍ଯ୍ୟନ୍ତ କମ୍ପିଗଲା । ପରସ୍ପରକୁ ଦେଖିନଥିଲେ ସୁଦ୍ଧା ମିଷ୍ଟର ବ୍ରାଉନ୍ ଏବଂ ବିଜୟବାବୁ ନିଜ ନିଜ ଦଳକୁ ନେଇ ପାଖାପାଖିରେ ଥିଲେ । ଏ ଭୟଙ୍କର ଶବ୍ଦ ସେମାନଙ୍କର କାନକୁ ଏଡ଼ାଇ ଯାଇନଥିଲା । ସେୟାକୁ ଲକ୍ଷ୍ୟ କରି ଉଭୟେ ସଦଳବଳେ ଯାତ୍ରା କଲେ । ଅଳ୍ପବାଟ ଗଲାପରେ ଏଇ ଛିନ୍ନଛନ୍ତ୍ର ଦସ୍ୟୁଦଳକୁ ସେମାନେ ହାବୁଡ଼ିଗଲେ । ଆହତ, ଭଗ୍ନୋତ୍ସାହ, ଅନାହାରକ୍ଲାନ୍ତ ଦସ୍ୟୁଦଳକୁ ଉଭୟଦିଗରୁ ଓଗାଳିନେଇ ବଡ଼ ଆକସ୍ମିକ ଭାବରେ କାବୁ କରିନେଲେ ସେମାନେ । ଆଗ ଓ ପଛ ଉଭୟ ଦିଗରେ ସଶସ୍ତ୍ର ପୋଲିସବାହିନୀକୁ ଦେଖି ଦସ୍ୟୁଦଳ ଏତେ ଘାବରେଇ ଯାଇଥିଲେ ଯେ ନିର୍ଦ୍ଦେଶମାତ୍ରେ ଅସ୍ତ୍ରଶସ୍ତ୍ର ତଳେ ଥୋଇଦେଇ ଆତ୍ମସମର୍ପଣ କରିଦେଲେ ।

 

ନିବିଡ଼ ଅରଣ୍ୟ ଭିତରେ ପାହାଡ଼ କାନ୍ଥିରେ ରତ୍ନଗୁହା ସନ୍ଧାନରେ ବୁଲୁ ବୁଲୁ ଅଙ୍ଗଦ ସିଂ କାନରେ ମଧ୍ୟ ଏହି ଭୟଙ୍କର ଶବ୍ଦ ପଡ଼ିଥିଲା । ସେତେବେଳକୁ ସେ ତା’ର ଚାରିଜଣ ବିଶ୍ଵାସୀ ଅନୁଚରଙ୍କ ସହିତ ପାହାଡ଼ ଉପରକୁ ଉଠୁଥିଲା । ଶବ୍ଦଟା ହେବା ସଙ୍ଗେସଙ୍ଗେ ତାହା କ’ଣ ହୋଇପାରେ, ସେ ବେଶ୍ ଅନୁମାନ କରିପାରିଲା । ଏଥିରେ କ୍ଷୟକ୍ଷତି ନିଶ୍ଚୟ ହୋଇଥିବ ଏବଂ ତାହା କେଉଁ ପରିମାଣରେ ଜାଣିବା ପାଇଁ ସେ ଶବ୍ଦଦିଗକୁ ଲକ୍ଷ୍ୟ କରି ଦ୍ରୁତଗତିରେ ଧାବିତ ହେଲା-। ମାତ୍ର ଘଟଣା ସ୍ଥଳର ଦୂରରୁ ଜଙ୍ଗଲ ଉହାଡ଼ରୁ ସେ ଆପଣା ଦଳର ଶୋଚନୀୟ ଅବସ୍ଥା ଦେଖି ସେହିଠାରୁହିଁ ଫେରିପଡ଼ିଲା ।

 

ଏଡ଼େ ବଡ଼ ଗୁରୁତର କାଣ୍ଡଟିଏ ଘଟିଯିବ ବୋଲି ତାରଜନ୍‍ ଆଦୌ ଆଶା କରିନଥିଲା । ବର୍ତ୍ତମାନ ଘଟଣାଟା ତାକୁ ବଡ଼ କୌତୁକପୂର୍ଣ୍ଣ ଜଣାଗଲା । ଯାହାହେଉ, ଗୋଟାଏ ବୁଲେଟ ଯେ ଏଡ଼େ ବଡ଼ କାମ ଦେଇପାରେ ସେ କଥାଭାବି ତା’ର ଆନନ୍ଦର ସୀମା ରହିଲା ନାହିଁ । ସମସ୍ତଙ୍କର ଅଜ୍ଞାତରେ ଥାଇ ସେ ପୋଲିସ୍‍ମାନଙ୍କଦ୍ଵାରା ଦସ୍ୟୁଦଳ ଗିରଫଦାର ହେବା ମଧ୍ୟ ଦେଖିଲା ।

 

ଏତିକିବେଳେ ସେ ଦେଖିପାରିଲା ଯେ ଚାରିପାଞ୍ଚଜଣ ଦସ୍ୟୁ ଖୁବ୍ ସତର୍କତା ସହ ଆତ୍ମଗୋପନ କରି ପଳାଉଛନ୍ତି ଜଙ୍ଗଲ ଭିତରେ । ସେଇମାନଙ୍କୁ ଲକ୍ଷ୍ୟକରି ସେ ରାଇଫଲ ଉଠାଇଲା । କିନ୍ତୁ ପରମୁହୂର୍ତ୍ତରେ ଚିନ୍ତା କଲା, ‘ନା ଠିକ୍ ହେବନାହିଁ ।’ ପାଞ୍ଚଜଣ ଦସ୍ୟୁଙ୍କୁ ଗୋଟାଏ ରାଇଫଲ ଆଦୌ ଯଥେଷ୍ଟ ନୁହେଁ; ଖାଲି ସେମାନଙ୍କୁ ଅଧିକା ଚତୁର ହେବାକୁ ସୁଯୋଗ ଦେବା କଥା । ବରଂ ସେମାନଙ୍କୁ ଅନୁସରଣ କଲେ କିଛି ଲାଭ ଅଛି‘…ଏୟାଭାବି ସେ ଖୁବ୍ ସତର୍କତ।ର ସହିତ ସେମାନଙ୍କ ଉପରେ ଦୃଷ୍ଟିରଖି ଗଛବୁଦା ଉହାଡ଼ରେ ଚାଲିଲା । ସୁଲତାନ୍‍ ଠିକ୍ ପାଖେ ପାଖେ ଚାଲିଥାଏ ।’

 

ମିଷ୍ଟର୍‍ ବ୍ରାଉନ୍ ଦସ୍ୟୁକେତେଜଣଙ୍କୁ ବନ୍ଦୀ କରିସାରି କେତେଜଣ ପୋଲିସ୍‍ଙ୍କ ହାତରେ ଲଞ୍ଚ୍‍ ନିକଟକୁ ପଠାଇଦେଇ ଅବଶିଷ୍ଟ ପୋଲିସଙ୍କୁ ନେଇ ଆଗେଇଲେ ଆଗକୁ । ଏହା ଯେ ତାର୍‍ଜନ୍‍ର କାମ, ଏକଥା ବୁଝିବାରେ ଆଉ କିଛି ବାକିରହିଲା ନାହିଁ ତାଙ୍କ ପାଖରେ । ସେ ଯେ ଅଗ୍ରଗତି କରି ଦସ୍ୟୁଦଳର ସନ୍ଧାନ ପାଇସାରିଛି ଏହା ଜାଣି ବହୁତ ପରିମାଣରେ ଆଶ୍ଵସ୍ତ ହେଲେ ସେ । କମାଣ ଦୁଇଟାକୁ ବହନ କରି ଦସ୍ୟୁଦଳ ପାହାଡ଼ ଉପରକୁ ଯାଉଥିଲେ ଯେତେବେଳେ ସେମାନଙ୍କର ଲକ୍ଷ୍ୟ ନିଶ୍ଚୟ ସେଇଠି କେଉଁଠି ହୋଇଥିବ ଭାବି ମିଷ୍ଟର ବ୍ରାଉନ୍ ଓୟାରଲେସ୍‍ରେ ରୂପନାରାୟଣବାବୁ, ପ୍ରଦୀପବାବୁ ପ୍ରଭୃତିଙ୍କୁ ସଦଳବଳେ ଶିଖ ଉପରଆଡ଼କୁ ଅଗ୍ରସର ହେବାକୁ ନିର୍ଦ୍ଦେଶ ଦେଲେ ।

 

ତାରଜନ୍‍ ଅନୁଚରବେଷ୍ଟିତ ଅଙ୍ଗଦ ସିଂକୁ ଅଲକ୍ଷ୍ୟରେ ଅନୁସରଣ କରି ଯାଉଯାଉ ସେମାନଙ୍କ କଥାବାର୍ତ୍ତାରୁ ଜାଣିପାରିଲା ଯେ ସେମାନେ ରତ୍ନଗୁହାର ନିକଟବର୍ତ୍ତୀ । ଏଥର ମହାସଙ୍କଟ ସମୟ ଉପସ୍ଥିତ । ଏତେବେଳେ ଅଙ୍ଗଦ ସିଂକୁ ଦୃଷ୍ଟି ଅନ୍ତରାଳରେ ରଖିବା ଅର୍ଥ ଗୋଟାଏ ବିରାଟ ସୁଯୋଗ ହରାଇବା । ବର୍ତ୍ତମାନ ପରିସ୍ଥିତିରେ ଅସୁବିଧା କେବଳ ସୁଲତାନକୁ ନେଇ, କାରଣ ତାରଜନ୍‍ ଯେତେ ସତର୍କ ହୋଇପାରୁଛି, ସେ ସେତେ ସତର୍କ ହୋଇପାରୁନି । ଉପରନ୍ତୁ ଛୋଟିଆ ଜୀବଟିଏ ମଧ୍ୟ ସେ ନୁହେଁ । ଯିବାଆସିବା କଲାବେଳେ ଡାଳପତ୍ର ତା’ଦେହରେ ଲାଗି ବେଶ୍ ଲକ୍ଷ୍ୟ କଲାପରି ଶବ୍ଦ ହେଉଛି । ଏଥିରେ ଅଙ୍ଗଦ ସିଂର ଦୃଷ୍ଟି ତା’ଆଡ଼କୁ ଆକର୍ଷିତ ହୋଇଆସିବା ଖୁବ୍ ସମ୍ଭବ ।

 

ତାରଜନ୍‍ର ଇଙ୍ଗିତ ସୁଲତାନ୍‍ କିଛି କିଛି ବୁଝେ । ଟିକିଏ ପଛେଇ ଆସିବାପାଇଁ ତାର୍‍ଜନ ଇଙ୍ଗିତରେ ଜଣାଇଦେଲା ସୁଲତାନକୁ । ସୁଲତାନ୍‍ ମଧ୍ୟ ବୁଝିଗଲା ସଙ୍କେତଟା । ସେ ସ୍ଥିରଭାବରେ ଠିଆହେଲା ସେଇଠି । ତାରଜନ୍‍ ଏଥର ସତର୍କତାର ସହିତ ଆଗେଇଗଲା ଅଙ୍ଗଦର ଅନୁସରଣରେ ।

 

ପାହାଡ଼ର ସେହି ଅଂଶଟାର ଜଙ୍ଗଲ ଏତେ ଘଞ୍ଚ ଯେ ଦିନ ଦ୍ଵି'ପହର ହେଲେ ସୁଦ୍ଧା ରାତିପରି ଅନ୍ଧାର ତା’ଭିତରେ । ପ୍ରକାଣ୍ଡ ପ୍ରକାଣ୍ଡ ଗଛଗୁଡ଼ାକ ଉପରେ ଲତାପତ୍ର ଛନ୍ଦିହୋଇ ଉପରକୁ ଏତେ ଗହଳ ହୋଇବଢ଼ିଥାଏ ଯେ, ସୂର୍ଯ୍ୟକିରଣ ପଡ଼ିବା ଦୂରୁହ । ତଳେ ଖାଲି ପଥର ଢିମା । ସେଗୁଡ଼ିକରେ ଶିଉଳି ଲାଗି ନିତାନ୍ତ ପିଚ୍ଛିଳ । ପ୍ରତି ମୁହୂର୍ତ୍ତରେ ପାଦ ଖସିଯିବାର ଭୟ । ସେହି ବିପଦପୂର୍ଣ୍ଣ, ଭୟଙ୍କର ଜଙ୍ଗଲ ଭିତରେ ଅଙ୍ଗଦ ସିଂ ଆଗେଇ ଯାଉଥାଏ ଗୋଟାଏ ବାଘ ପରି-। ତା’ପଛେ ପଛେ ତା’ର ଅନୁଚର କେତେଜଣ । ପ୍ରତ୍ୟେକଙ୍କ ହାତରେ ରାଇଫଲ୍‍ ଲୋଡ଼େଡ଼୍ ଅବସ୍ଥାରେ ।

 

ହଠାତ୍ ଅଙ୍ଗଦ ସିଂର ଉଚ୍ଚହସରେ ଚମକିପଡ଼ିଲା ତାରଜନ୍‍ । ପ୍ରକାଣ୍ଡ ଗଛଟା ଉହାଡ୍‍ରେ ଥାଇ ସେ ଦେଖିଲା, ପ୍ରକାଣ୍ଡ ଗୁହାଟ।ଏ । ତା’ରି ସାମନାରେ ଠିଆ ହୋଇଛି ଅଙ୍ଗଦ ସିଂ-। ଏଇଟା ଯେ ରତ୍ନଗୁହା; ଆଉ କିଛି ବୁଝିବାରେ ଅସୁବିଧା ହେଲା ନାହିଁ ତାରଜନ୍‍ ପକ୍ଷରେ-। ଗୁହା ଭିତରଟା ଗାଢ଼ ଅନ୍ଧାର ଦିଶୁଥାଏ । ତା’ ଭିତରକୁ କ’ଣ ଅଛି ଜାଣିବା କଷ୍ଟ । ଗୁହା ଦ୍ଵାରରେ ପହଞ୍ଚି ଅଙ୍ଗଦ ସିଂ ଏତେ ଆନନ୍ଦିତ ହୋଇଯାଉଥିଲା ଯେ ସେ ସ୍ଥାନ, କାଳ, ପାତ୍ର ପର୍ଯ୍ୟନ୍ତ ଭୁଲିଯାଇଥିଲା-

 

ଅଙ୍ଗଦ ସିଂ କାନ୍ଧରୁ ରାଇଫଲ୍‍ ଓହ୍ଲାଇ ହାତରେ ସଜାଡ଼ି ଧରି ଗୁହା ଭିତରକୁ ଯିବାକୁ ପ୍ରସ୍ତୁତ ହେଲା । ଦସ୍ୟୁ ଚାରିଜଣ ବନ୍ଧୁକ ସଜାଡ଼ି ଧରି ବାହାରେ ଜଗୁଆଳି ହୋଇ ରହିବାକୁ ପ୍ରସ୍ତୁତ ହେଲେ ।

 

ଅଙ୍ଗଦ ସିଂ ଗୁହା ଭିତରକୁ ଯିବାପାଇଁ ମୁହଁ ବୁଲେଇଛି, ହଠାତ୍ ଏତିକିବେଳେ ପ୍ରଚଣ୍ଡ ଗର୍ଜନ କରି ପ୍ରକାଣ୍ଡ ସିଂହଟାଏ କୁଦିଆସିଲା ଗୁହା ଭିତରୁ । ଅଙ୍ଗଦ ସିଂ ଏତେ ଜୋରରେ ଚମକିପଡ଼ିଲା ଯେ, ତା ହାତରୁ ତା’ର ରାଇଫଲ୍‍ ଖସିପଡ଼ିଲା । ତା’ର ଅନୁଚର ଚାରିଜଣ ହଠାତ୍ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଛକୁ ପାଦେ ଦୁଇପାଦ ହଟିବାକୁ ଆରମ୍ଭ କଲାବେଳକୁ ସିଂହଟା ଘୋର ଗର୍ଜନ କରି କୁଦିପଡ଼ିଲା ଅଙ୍ଗଦ ସିଂ ଉପରକୁ ।

 

ଜୀବନମରଣର ସନ୍ଧିକ୍ଷଣରେ ଅଙ୍ଗଦ ସିଂର ବଞ୍ଚିରହିବାର ମୋହ ପ୍ରବଳ ଥିଲା । ବିରାଟକାୟ ସିଂହ ନିକଟରେ ତା’ର ଶକ୍ତି ତୁଚ୍ଛ ହେଲେ ସୁଦ୍ଧା ସେ ବିନାଅସ୍ତ୍ରରେ ପ୍ରଚଣ୍ଡ ମୃଷ୍ଟି ଆଘାତ କଲା ସିଂହ ଛାତିରେ ।

 

ଆଘାତ ପାଇ ସିଂହ ଗୋଟାଏ ପାଦ ହଟିଗଲା ପଛକୁ । କିନ୍ତୁ ଯେତିକି ଆଘାତ ସେ ଅଙ୍ଗଦ ସିଂକୁ କରିଥିଲା ସେତିକିରେ ତା’ର ଦୁଇ ବାହୁ ଚିରିହୋଇ ଝର ଝର କରି ରକ୍ତର ଧାର ଛୁଟିବାକୁ ଲାଗିଲା । ସିଂହ ହଟିଯିବା ଫଳରେ ଯେଉଁ ସମୟ ଟିକିକ ଅବସର ମିଳିଲା, ସେତିକିରେ ତା’ର ଅନୁଚର କେତେଜଣ ରାଇଫଲ ସଦ୍‍ବ୍ୟବହାର କରିବାପାଇଁ ତୁରନ୍ତ ଉଦ୍ୟମ କଲେ । କିନ୍ତୁ ଦୁର୍ଭାଗ୍ୟ । ବିଧିର ବିଧାନ ଅନ୍ୟପ୍ରକାର । କାହାରି ବୁଲେଟ୍‍ ଫାୟାର୍‍ ପର୍ଯ୍ୟନ୍ତ ହେଲାନାହିଁ । ଗତରାତ୍ରିରେ ବର୍ଷାରେ ଭିଜିଥିବା ଫଳରେ ବୁଲେଟଗୁଡ଼ାକ ଅକାମୀ ହୋଇଯାଇଥିଲା । ଏଥର ନିଜକୁ ରକ୍ଷାକରିବା ସବୁଠାରୁ ଶ୍ରେଷ୍ଠପନ୍ଥା ଭାବି ଚାରିଜଣଯାକ ସିଂହର ଅଲକ୍ଷ୍ୟରେ ଅଦୃଶ୍ୟ ହୋଇଗଲେ ଜଙ୍ଗଲ ଭିତରେ । ଗୋଟାଏ ପ୍ରକାଣ୍ଡ ଶାଳଗଛର ଉହାଡ଼ରେ ଏକୁଟିଆ ତାରଜନ୍‍ ଅତଳ ହୋଇ ରହିଲା ଅଙ୍ଗଦ ସିଂର ଭୟାବହ ଅନ୍ତିମ ମୁହୂର୍ତ୍ତ ଦେଖିବାପାଇଁ ।

 

ମିଷ୍ଟାର ବ୍ରାଉନ୍ ଏବଂ ରୂପନାରାୟଣବାବୁ, ପ୍ରଦୀପବାବୁ ପ୍ରଭୃତି ସଦଳବଳେ ହୋଇ ଶିଖଦିଗକୁ ଅଗ୍ରସର ହେଉଥିଲେ ସେହି ସମୟରେ । ହଠାତ୍ ସିଂହର କ୍ରୋଧାନ୍ଧ ଗର୍ଜନ ଶୁଣି ସମସ୍ତେ ନିଜର ର।ଇଫ୍ଲ ବାଗେଇ ଧରି ସେହି ଶବ୍ଦକୁ ଲକ୍ଷ୍ୟକରି ଆଗେଇଲେ । ଖୁବ୍ ପାଖାପାଖିରେ ଅଙ୍ଗଦ ସିଂର ଭୀତତ୍ରସ୍ତ, ପଳାୟମାନ ଅନୁଚର ଚାରିଜଣ ତାଙ୍କ କବଳରେ ପଡ଼ିଗଲେ । ଆଗରେ ସଶସ୍ତ୍ର ପୋଲିସ୍‍ବାହିନୀ । ଏମାନେ ନିରସ୍ତ୍ର, ପୁଣି ସଂଖ୍ୟାରେ ମାତ୍ର ଚାରି । ଆତ୍ମସମର୍ପଣ କରିବା ବ୍ୟତୀତ ଅନ୍ୟ ନିରାପଦ ଉପାୟ ନଥିଲା ସେମାନଙ୍କର । ପ୍ରଦୀପବାବୁ ପ୍ରଭୃତି ରତ୍ନଗୁହା ଏବଂ ଅଙ୍ଗଦ ସିଂ ସିଂହ ହାବୁଡ଼ରେ ପଡ଼ିବା ବିଷୟ ସେମାନଙ୍କଠାରୁ ଶୁଣି ବ୍ୟଗ୍ର ହୋଇପଡ଼ିଲେ । ଯେ କୌଣସି ପ୍ରକାରେ ହଉ, ଅଙ୍ଗଦ ସିଂକୁ ଜୀବିତ ଅବସ୍ଥାରେ ପାଇବା ଦରକାର-। ତେଣୁ ତାକୁ ରକ୍ଷା କରିବାପାଇଁ ଖୁବ୍ ଦ୍ରୁତଗତିରେ ସେମାନେ ଧାଇଁଲେ ଗୁହା ଅଭିମୁଖରେ-

 

ସେତେବେଳକୁ କିନ୍ତୁ ଆଉ କିଛି ବାକି ନଥିଲା । ସିଂହ ଅଙ୍ଗଦ ସିଂ ର ପ୍ରଚଣ୍ଡ ମୁଷ୍ଟି ଆଘାତରେ ପାଦେ ପଛକୁ ହଟିଗଲା ସତ; କିନ୍ତୁ ପୁନରାକ୍ରମଣ ପାଇଁ ଅଙ୍ଗଦ ସିଂ ପ୍ରସ୍ତୁତ ନ ହେଉଣୁ ସେ ଗୋଟାଏ ଲମ୍ଫରେ ଆସି ପଡ଼ିଲା ତା ଉପରେ । ସିଂହର ଭାର ଏତେ ବେଶି ଥିଲା ଯେ ଅଙ୍ଗଦ ତାକୁ କୌଣସି ପ୍ରକାରେ ସମ୍ଭାଳିପାରିଲା ନ।ହିଁ; ତଳେ ଚିତ୍‍ହୋଇ ପଡ଼ିଗଲା । ଘୋର ଗର୍ଜନ କରି ସିଂହଟା ତା’ର ମୁହଁ, ଛାତି, ପେଟ ସବୁ ତୀକ୍ଷ୍ଣ ନଖରେ ଚିରି ଫଡ଼ାଫଡା କରିଦେଲା । ମରଣାନ୍ତକ ଚିତ୍କାରରେ କମ୍ପାଇ ଦେଲା ଅଙ୍ଗଦ ସିଂ ସେ ବନଭୂମିକୁ । ତା’ସାଙ୍ଗକୁ ସିଂହର ଭଯାବହ ଗର୍ଜନ ମିଶି ଏକ ଭୟଙ୍କର ଶବ୍ଦ ସୃଷ୍ଟି ହେଲା । ଏହି ଶବ୍ଦ ପୋଲିସବାହିନୀକୁ ଆକୃଷ୍ଟ କରିବା ସଙ୍ଗେ ସଙ୍ଗେ ତାରଜନ୍‍କୁ କ୍ଷିପ୍ର କରିଦେଲା ।

 

ତାରଜନ୍‍ ସିଂହର ଏ ଆସ୍ଫାଳନ ଆଦୌ ସହ୍ୟ କରିପାରିଲାନାହିଁ । ତା’ଭିତରେ ବନ୍ୟ ପ୍ରକୃତି ପୁନଃ ଜାଗ୍ରତ ହୋଇଉଠିଲା । ଅଙ୍ଗଦ ସିଂ ଦସ୍ୟୁ ଏବଂ ସମାଜର ଶତ୍ରୁ ହେଉ ପଛେ ତା’ର କରୁଣମୃତ୍ୟୁ ଗଭୀର ଆଲୋଡ଼ନ ସୃଷ୍ଟି କଲା ତାରଜନ୍‍ ମନରେ । ଉଦ୍ଧତ ସିଂହକୁ ଶାସ୍ତି ଦେବାପାଇଁ ତା’ର ମନ ବ୍ୟାକୁଳ ହୋଇଉଠିଲା । କାଣ୍ଡଜ୍ଞାନ ଶୂନ୍ୟ ହୋଇ ସେ ଗଛଉହାଡ଼ରୁ ବାହାରି ଗୋଟାଏ ଡିଆଁରେ ଯାଇ ଠିଆହୋଇଗଲା ସିଂହ ଆଗରେ । କାନ୍ଧରେ ରାଇଫଲ୍‍ ନାହିଁ । ହାତରେ ଅଛି କେବଳ ବହୁ ପୂର୍ବଦିନର ସାଥି ଛୁରାଖଣ୍ଡି ।

 

ସେତେବେଳକୁ ପୁଲିସବାହିନୀ ଆସି ପାଖରେ ପହଞ୍ଚିଯାଇଥିଲେ । ସମ୍ମୁଖରେ ସେମାନଙ୍କର ଲୋମହର୍ଷକ ଦୃଶ୍ୟ । ଅଙ୍ଗଦ ସିଂର ରକ୍ତାକ୍ତ କଳେବର ମୃତ୍ୟୁଯନ୍ତ୍ରଣାରେ ଛଟପଟ । ଏଣେ ସିଂହ ସମ୍ମୁଖରେ ହାତରେ ଛୁରା ଖଣ୍ଡିଏ ଧରି ଦୃପ୍ତଭଙ୍ଗୀରେ ଦଣ୍ଡାୟମାନ ତାର୍‍ଜନ୍‍ । କୃଦ୍ଧସିଂହ ଲମ୍ଫଦେବାକୁ ପ୍ରସ୍ତୁତ । ଆଖିଦୁଇଟା ତା’ର ଜଳିଉଠୁଛି ଯେମିତି । ଅଙ୍ଗଦ ସିଂର ରକ୍ତରେ ପାଦନଖ ଗୁଡ଼ାକ ତାର ରକ୍ତାକ୍ତ । ପରିସ୍ଥିତି ଏପରି ଜଟିଳ ଯେ ସିଂହଟାକୁ କୌଣସି ଦିଗରୁ ହେଲେ ଗୁଳିକରି ହେବନି । ଗୁଳିକଲେ ତାରଜନ୍‍ ଦେହରେ ଆଘାତ କରିବ ନିଶ୍ଚୟ । ପରବର୍ତ୍ତୀ ଘଟଣା କେତେ ଭଯାବହ ହେବ ସେତକ ସମସ୍ତେ ଅନୁମାନ କରି ଭୟରେ ଶିହରି ଉଠିଲେ ।

 

ଭୀଷଣ ଗର୍ଜନ କରି ସିଂହ ଲମ୍ଫ ଦେଲା ତାରଜନ୍‍ ଉପରକୁ । ସମସ୍ତେ ଅନୁମାନ କଲେ...ଏଇ ଶେଷ ! କିନ୍ତୁ ତାରଜନ୍‍ ଅଧା ନଇଁପଡ଼ିଲା । ଫଳରେ ସିଂହ ତା’ର ଦେହ ସ୍ପର୍ଶ କରିପାରିଲା ନାହିଁ; କିନ୍ତୁ ତାରଜନ୍‍ ସୁଯୋଗର ସଦ୍‍ବ୍ୟବହାର କଲା । ସିଂହ ତା’ର ଉପର ଦେଇ ଅତିକ୍ରମ କଲା ସମୟରେ ତୀକ୍ଷ୍ଣ ଛୁରୀରେ ଭୀଷଣଭାବରେ ଆଘାତ କଲାସେ ତାର ବକ୍ଷସ୍ଥଳକୁ । ଛୁରିଟା ଆମୂଳ ବିଦ୍ଧ ହୋଇଗଲା ତା’ଛାତିରେ । ଗୋଟାଏ ବିକଟ ଗର୍ଜନ କରି ସିଂହ ପୁଣିଥରେ ଲେଉଟି ଆସିଲା ତାରଜନ୍‍ ଆଡ଼କୁ । ଛାତିରୁ ତାର ପିଚ୍‍ ପିଚ୍‍ କରି ରକ୍ତରଧାର ବୋହିଯାଉଥାଏ । ଯେତେହେଲେ ପଶୁରାଜ ସେ । ଦେହରେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ପଦାନତ ହେବା ଅସମ୍ଭବ ତା’ପକ୍ଷରେ ।

 

ସିଂହର ପରବର୍ତ୍ତୀ ଆକ୍ରମଣ ପାଇଁ ତାରଜନ୍‍ ପ୍ରସ୍ତୁତ ଥିଲା । ଏଥର ସିଂହ ଲମ୍ଫ ଦେବା ସଙ୍ଗେ ସଙ୍ଗେ ସେ ତଳେ ବସି ପଡ଼ିଲା । ସିଂହ ଘୋର ଗର୍ଜନ କରି ତଳେ ପଡ଼ିବା ସଙ୍ଗେ ସଙ୍ଗେ ତାରଜନ୍‍ କୁଦିପଡ଼ିଲା ତା’ର ପିଠି ଉପରକୁ । ବିଦ୍ୟୁତ ଛଟକରେ ସେ ତା’ର ଆଗ ଦୁଇଗୋଡ଼ ଭିତରେ ହାତ ପୁରାଇ ବେକଉପରେ ନିଜହାତକୁ ଛନ୍ଦିଦେଲା । ସିଂହାର ପ୍ରବଳ ପରାକ୍ରମ ଗଲା କୁଆଡ଼େ ଏଥର । ପାଦେ ସୁଦ୍ଧା ସେ ଅଗ୍ରସର ହୋଇପାରିଲା ନାହିଁ । ଖାଲି ଛାଟିପିଟି ହେବାକୁ ଲାଗିଲା । ଏଣେ ତାରଜନ୍‍ର ଭୟାନକ ଚାପ ଫଳରେ ବେକହାଡ଼ ତା’ର ଭାଙ୍ଗିଯିବାର ଉପକ୍ରମ କଲା । ଏଣେ ଛାତିରୁ ଅବିଶ୍ରାନ୍ତ ରକ୍ତସ୍ରାବ ଫଳରେ ସେ ନିସ୍ତେଜ ହୋଇପଡ଼ିଲା । ଗର୍ଜନ ତା’ର କ୍ରମେ କ୍ରମେ ବନ୍ଦ ହୋଇଗଲା । ତା ସଙ୍ଗେ ସଙ୍ଗେ ଦେହଟା ମଧ୍ୟ ନିସ୍ପନ୍ଦ ହୋଇଆସିଲା ।

 

ଅଙ୍ଗଦ ସିଂ ର ପ୍ରାଣବାୟୁ ଉଡ଼ିଯାଇଥିଲା ସେତେବେଳକୁ । ଖୁବ୍ ନିକଟରେ ରୂପନାରାୟଣବାବୁ, ପ୍ରଦୀପବାବୁ, ପ୍ରଭୃତି ତାରଜନ୍‍ର ଅସୀମ ଶକ୍ତି ଦେଖି ନିର୍ବାକ ହୋଇଯାଇଥିଲେ । ମାତ୍ର ତାରଜନ୍‍ର ଲକ୍ଷ୍ୟ ନାହିଁ ସେମାନଙ୍କ ଉପରେ । ସେ ସିଂହଟାକୁ ଦୂରକୁ ଠେଲିଦେଇ ଆପଣା ଦେହରୁ ବହିଆସିଥିବା ରକ୍ତକୁ ହାତରେ ପୋଛିଦେବାକୁ ଯାଉଛି, ଏତିକିବେଳେ ଆଉ ଗୋଟାଏ ଭୀଷଣ ଗର୍ଜନ ତାକୁ ଚମକାଇଦେଲା । ଏ ଗର୍ଜନ ସିଂହୀର; ହୁଏତ ପାଖରେ ରହି ସେ ସିଂହର ମୃତ୍ୟୁ ଦେଖିଛି । ସିଂହ ଅପେକ୍ଷା ସିଂହୀ ଭୟଙ୍କର । ବିରାଟ ଆଁଟାଏ କରି ସେ ମାଡ଼ଆସୁଥିଲା ତାରଜନ୍‍ଆଡ଼କୁ । ତାରଜନ୍‍ ମଧ୍ୟ ଏ ଆକ୍ରମଣ ପାଇଁ ପ୍ରସ୍ତୁତ କରୁଥିଲା ନିଜକୁ । କିନ୍ତୁ ଗୋଟାଏ ଅସମ୍ଭାବିତ ଘଟଣା ଘଟିଲା ।

 

ହଠାତ୍ ସୁଲତାନ୍‍ କେଉଁଠି ଥିଲା, ଆସି ଗତିରୋଧ କଲା, ସିଂହୀର । ତାରଜନ୍‍କୁ ରକ୍ଷା କରିବାହିଁ ଥିଲା ତା’ର ଉଦ୍ଦେଶ୍ୟ । ସୁଲତାନ୍‍ର ପରାକ୍ରମ ବୋଧହୁଏ ଜଣାନଥିଲା ସିଂହୀକୁ । ତା’ର ଲକ୍ଷ୍ୟ ଥିଲା ତାରଜନ୍‍ । ବର୍ତ୍ତମାନ ତା’ର ଉଦ୍ଦେଶ୍ୟ ସାଧନରେ ବାଧାସୃଷ୍ଟି ହେବାରୁ ଘୋର ଗର୍ଜନଟାଏ କରି ସେ କୁଦିପଡ଼ିଲା ସୁଲତାନ୍‍ ଉପରକୁ । ମାତ୍ର ତା’ର ଏ ଗର୍ଜନ ବା ଭୟଙ୍କର ରୂପ ପ୍ରତି ତିଳେମାତ୍ର ଭ୍ରୂକ୍ଷେପ ନଥିଲା ସୁଲତାନ୍‍ର । ପିଲା ଖେଳଣା ଧରିଲା ପରି ସେ ସିଂହୀଟାକୁ ବେକପାଖରୁ ଧରି ଟେକିନେଲା । ତା’ପରେ ଗୋଟାଏ ହାତରେ ତାକୁ ଉପରକୁ ଟେକି ଛେଚିଦେଲା ଚଟାଣଉପରେ । ଏଥର ଆଗ ଅପେକ୍ଷା ଆହୁରି ଜୋରରେ ଗର୍ଜନ କରି ଉଠିଲା ସିଂହୀଟା । କୌଣସି ପ୍ରକାରେ ସେ ଖସିଯିବା ପାଇଁ ଛାଟିପିଟି ହେଲା ନିଜର ସମସ୍ତ ଶକ୍ତି ଦେଇ । କିନ୍ତୁ ପରାକ୍ରମୀ ଗରିଲାର ଲୌହ ସବଳ ହାତମୁଠାରୁ ଖସିବା ଅସମ୍ଭବ ହେଲା ତା’ପକ୍ଷରେ । ସୁଲତାନ୍‍ ତାକୁ ଆଉଥରେ ଦୁଇଥର ଛେଚିଦେଲା ପଥର ଚଟାଣ ଉପରେ । ସେତିକିରେ ଦେହ ତା’ର ନିସ୍ପନ୍ଦ ହୋଇଗଲା ପଥର ପରି । ସିଂହୀକୁ ଦୂରକୁ ଫିଙ୍ଗିଦେଇ ଗରିଲା ସୁଲତାନ୍‍ ଆନନ୍ଦରେ ନାଚିଉଥଠିଲା ବିଜୟ ଗର୍ବରେ ।

 

ସର୍ବପ୍ରଥମେ ଆଗକୁ ଆସି ଅଭିନନ୍ଦନ ଜଣାଇଲେ ତାରଜନ୍‍କୁ ପୋଲିସ୍ କମିଶନର ମିଷ୍ଟର ବ୍ରାଉନ୍, ତା’ପରେ ଅନ୍ୟମାନେ । ଶକ୍ତିଶାଳୀ ଟର୍ଚ୍ଚ ସାହାଯ୍ୟରେ ଗୁହା ଭିତରଟାକୁ ପରୀକ୍ଷା କରିବାରୁ ଦେଖାଗଲା, ସେହିଟାହିଁ ସିଂହର ବାସସ୍ଥଳୀ । ଗୁହାର ଗୋଟିଏ କଡ଼କୁ ସୁଡ଼ଙ୍ଗଟାଏ ଲମ୍ବିଯାଇଛି ଭିତରକୁ । ପଥରଗୁଡ଼ା ଲୁଣିମାରି ଝଡିପଡ଼ିଲାଣି ଠାଏ ଠାଏ । ସ୍ଥାନେ ସ୍ଥାନେ ପଥରସନ୍ଧିରୁ ମୋଟା ମୋଟା ଚେର ଲମ୍ବିଆସିଛି ତଳକୁ ସାପପରି । ତା’ଭିତରେ କି ଭୟଙ୍କର ପଦାର୍ଥ ଅଛି ତାହା କେହି କଳ୍ପନା କରିପାରିଲେନାହିଁ । ସୁଡ଼ଙ୍ଗ ପୁଣି ଏଡ଼େ ଅପ୍ରଶସ୍ତ ଯେ ଏକ ସମୟରେ ଜଣକ ବ୍ୟତୀତ ଦୁଇ ଜଣ ତା’ଭିତରେ ପ୍ରବେଶ କରିବା ଅସମ୍ଭବ ।

 

ଯାହାହେଉ, ପ୍ରଥମେ ପ୍ରଦୀପବାବୁ ଗୋଟାଏ ହାତରେ ରିଭଲ୍‍ଭର୍ ଏବଂ ଅନ୍ୟହାତରେ ଟର୍ଚ୍ଚଧରି ପାଦ ବଢ଼ାଇଲେ ସୁଡ଼ଙ୍ଗ ଭିତରକୁ । ତାଙ୍କପଛେ ଜଣଜଣ କରି ଅନ୍ୟମାନେ । ପ୍ରତ୍ୟେକଙ୍କ ହାତରେ ଟର୍ଚ୍ଚ ଓ ରିଭଲ୍‍ଭର୍ । ପ୍ରତ୍ୟେକେ ପ୍ରତି ମୁହୂର୍ତ୍ତରେ କ’ଣ ଘଟିବ, କିଏ ଜାଣେ-?

 

ସିଧା, ବଙ୍କା ରାସ୍ତାରେ ଅନ୍ତତଃ ଶହେଗଜ ଅତିକ୍ରମ କଲାପରେ ଗୋଟାଏ ବିସ୍ତୃତ କୋଠରୀରେ ପହଞ୍ଚିଗଲେ ସମସ୍ତେ । କୋଠରୀଟା ଏତେ ବିରାଟ ଯେ ଏକାବେଳେକେ ଦୁଇଶହ ଲୋକ ବସିପାରିବେ ତା’ଭିତରେ । ମୋଟାମୋଟା ପଥରଖମ୍ବ ଅଛି ତା’ଭିତରେ । ସେହି ଖମ୍ବ ଉପରଭାଗକୁ ସମ୍ଭାଳିରଖିଛି । ଖମ୍ବଗୁଡ଼ିକ ଉପରେ ଆଲୋକ ପକାଇଲେ ପ୍ରଦୀପବାବୁ । ସୁନ୍ଦର କାରୁକାର୍ଯ୍ୟ ହୋଇଛି ସେଥିରେ । ଏସବୁ ଦେଖି ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ତାଙ୍କର । କକ୍ଷଟାର ପ୍ରତ୍ୟେକ ଅଂଶରେ ଆଲୋକ ପକାଇ ଦେଖିଲେ, ସେଠାରେ ଆଉ କିଛି ନାହିଁ । ସେହି କକ୍ଷରୁ ଆଉ ଗୋଟିଏ ଦ୍ଵାର ରହିଛି ଭିତରକୁ ।

 

ପ୍ରଦୀପବାବୁ ସେହି ଦ୍ଵାରପାଖରେ ଠିଆହୋଇ ଭିତରକୁ ଆଲୋକ ପକାଇଲେ । ହଠାତ୍ ଯେଉଁ ଦୃଶ୍ୟ ଦେଖିଲେ, ସେଥିରେ ସେ ଅନୁଭବ କଲେ ଯେପରି ସମଗ୍ର ରତ୍ନଦ୍ଵୀପଟା ଭୂମିକମ୍ପରେ ଥରହର ହୋଇ କମ୍ପୁଛି । ତାଙ୍କ ଆଗରେ ଏ କି ଦୃଶ୍ୟ ! ସୁନ୍ଦର ମୁଗୁନି ପଥରର ସିଂହାସନ । ତା’ଉପରେ ଧ୍ୟାନମଗ୍ନ ଭଗବାନ ବୁଦ୍ଧଙ୍କର ମୂର୍ତ୍ତି । ମୂର୍ତ୍ତିର ପାଦତଳକୁ ଗୋଟାଏ ନରକଙ୍କାଳ । ଦେଖିଲେ ଜଣାଯାଏ, ତାହା ବହୁକାଳର ଜୀର୍ଣ୍ଣ । କୋଠରୀଟାର ଅନ୍ୟ ଦିଗରେ ବଡ଼ ବଡ଼ ଲୁହା ସିନ୍ଦୁକ ଆଠଟି ରଖାଯାଇଛି ଧାଡ଼ି ହୋଇ । ଗୋଟାଏ କୋଣକୁ ଜମା ହୋଇ ରହିଛି ଗୁଡ଼ାଏ ସୁନା ମୋହର । ଟର୍ଚ୍ଚ ଆଲୋକ ପଡ଼ିବା କ୍ଷଣି ଝଲସିଉଠିଲା ସେଗୁଡ଼ିକ ଦାଉଦାଉ ହୋଇ-

 

‘‘ଯାହାହେଉ, ବିଚରା ଜଳଦସ୍ୟୁ ! ଶେଷଜୀବନରେ ଭଗବାନ ବୁଦ୍ଧଙ୍କର ପାଦତଳେ ସକଳ ଲୁଣ୍ଠିତ ଦ୍ରବ୍ୟ, ଏପରିକି ନିଜର ଜୀବନ ପର୍ଯ୍ୟନ୍ତ ସମର୍ପି ଦେଇଛି”...ମିଷ୍ଟର ବ୍ରାଉନ୍ କହିଲେ-

 

କାହାରି ପାଟିରୁ କଥା ବାହାରୁନଥିଲା । ସମସ୍ତେ ଏ ଦୃଶ୍ୟ ଦେଖି ଅଭିଭୂତ ହୋଇପଡ଼ିଥିଲେ ।

 

ବହୁ ପରିଶ୍ରମ ପରେ ବଡ଼ବଡ଼ ସିନ୍ଦୁକଗୁଡ଼ା ଅଣାଗଲା ବାହାରକୁ । ସବୁଥିରେ ଖାଲି ସୁନା ଆଉ ମୂଲ୍ୟବାନ ପଥର-ଜହରତ ପୂର୍ଣ୍ଣହୋଇ ରହିଥିଲା ।

 

ପ୍ରଦୀପବାବୁ ତାରଜନ୍‍ କାନ୍ଧରେ ହାତ ପକାଇ କହିଲେ...”ଆମେ ରତ୍ନଦ୍ଵୀପ ଅଧିକାର କଲେ କେବଳ ତାର୍‍ଜନଙ୍କ ପାଇଁ । ତେଣୁ ଏ ଦ୍ଵୀପ ତାଙ୍କରି ନାମାନୁସାରେ ରଖାଯାଉ ।”

 

ତାରଜନ୍‍ ହସି ହସି କହିଲା...‘‘ନା ନା, ରତ୍ନଦ୍ଵୀପ ଚିରଦିନ ରତ୍ନଦ୍ଵୀପ ହୋଇ ରହୁ । ଜଳଦସ୍ୟୁର ରତ୍ନଭଣ୍ଡାରରେ କାହାରି ଅଧିକାର ନାହିଁ । ଦସ୍ୟୁ ମଧ୍ୟ ଶେଷଜୀବନରେ ସବୁ ସମର୍ପି ଦେଇଛି ଭଗବାନ ବୁଦ୍ଧଙ୍କ ପାଦତଳେ । ତେଣୁ ସେସବୁ ଦେଶର ଅଗଣିତ ଦୁଃଖୀ ଅସହାୟଙ୍କ ସେବାରେ ବ୍ୟୟିତ ହେଉ ।”

 

କମିଶନର ମିଷ୍ଟର ବ୍ରାଉନ୍ ଏ ସାଧୁ ପ୍ରସ୍ତାବ ସମର୍ଥନ କରି ଧନ୍ୟବାଦ ଜଣାଇଲେ ତାର୍‍ଜନକୁ ।

 

ବିଜୟ ଆନନ୍ଦ ଏବଂ କୋଳାହଳ ଭିତରେ ସମୁଦ୍ର ଉପକୂଳରେ ବନ୍ଦୀ ଦସ୍ୟୁଦଳକୁ ଧରି ପୋଲିସବାହିନୀ ଅପେକ୍ଷା କରିଥିଲେ । ବଡ଼ ବଡ଼ ରତ୍ନପୂର୍ଣ୍ଣ ସିନ୍ଦୁକଗୁଡ଼ିକ ଲଦା ହେଉଥିଲା ଲଞ୍ଚ୍‍ ଉପରେ ।

 

ସମୁଦ୍ର ଥିଲା ଶାନ୍ତ । ତା’ର ନୀଳ ଜଳରାଶି ଉପରେ ଖରା ଝିଲ୍ ମିଲ୍ ହେଉଥିଲା ।

Image